Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାଶ୍ମୀର ପ୍ରସଙ୍ଗରେ ତାଲିବାନ ରଖିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ ଜାବିହୁଲ୍ଲା ମୁଜାହିଦ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ତାଲିବାନ ଆଲୋଚନା କରିଛି। ଆଫଗାନିସ୍ତାନକୁ କାବୁ କରିବା ପରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କହିଛନ୍ତି ଯେ, ଉଭୟ ଦେଶ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ। ଏବଂ ସେମାନଙ୍କର ପରସ୍ପର ସହ ସ୍ୱାର୍ଥ ଜଡିତ ରହିଛି।

ଏଥି ସହ ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ। ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଏଥି ସହ ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଏହା ଆମେରିକାର ବାହିନୀ ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି। ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛି ଏବଂ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ତାଲିବାନଠାରୁ ଅଲଗା ଏବଂ ଆଫଗାନିସ୍ତାନ ସହିତ ଜଡିତ ଇସଲାମିକ୍ ଷ୍ଟେଟ୍ ସଂଗଠନ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ଏହି ସମୟରେ ଚୀନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ସହ ବେଜିଂ ପ୍ରଥମ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି ଏବଂ ବର୍ତ୍ତମାନ ଦୁଇ ପକ୍ଷର “ସୁବିଧାଜନକ ତଥା ପ୍ରଭାବଶାଳୀ ଯୋଗାଯୋଗ” ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ, ଆମେ ସର୍ବଦା ଆଫଗାନିସ୍ତାନର ସାର୍ବଭୌମତ୍ଵ, ସ୍ବାଧୀନତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇଥାଉ ଏବଂ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ପାଳନ କରିଥାଉ ଏବଂ ସମସ୍ତ ଆଫଗାନିସ୍ତାନ ଲୋକଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ନୀତି ରଖିଛୁ।

ସେ କହିଛନ୍ତି, ଆଫଗାନିସ୍ତାନ ସହିତ ବନ୍ଧୁତ୍ୱ ଏବଂ ସହଯୋଗର ଭଲ ପଡୋଶୀ ସମ୍ପର୍କକୁ ବିକଶିତ କରିବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ଚୀନ୍ ପ୍ରସ୍ତୁତ ଅଛି।