Categories
ଆଜିର ଖବର ରାଜ୍ୟ ଖବର

ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ଦୋହରୀକରଣ ଲାଇନରେ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକ୍ଷମ

ଭୁବନେଶ୍ଵର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ୩ ମାର୍ଚ୍ଚ ୨୦୨୩ ଠାରୁ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ କରାଯାଇଅଛି।  ରେଳ ଚଳାଚଳ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ ଦିଗକୁ ନୀରିକ୍ଷଣ କରିବାପରେ ସିଆରଏସ ଏହି ରେଳ ସେକ୍ସନକୁ ଅନୁମୋଦନ କରିଛନ୍ତି।

ଏହି ସୁପର କ୍ରିଟିକାଲ ଦୋହରୀକରଣ ରେଳ ପ୍ରକଳ୍ପର କାର୍ଯ୍ୟକ୍ଷମ ହେବାପରେ ଏହି ରେଳ ମାର୍ଗରେ ପଣ୍ୟ ପରିବହନ (ମୁଖ୍ୟତ ଲୁହାପଥର ଏବଂ ମାଙ୍ଗାନିଜ୍ ଇତ୍ୟାଦି ଖଣିଜ ଦ୍ରବ୍ୟ) ତଥା ଯାତ୍ରୀ ପରିବହନ ପାଇଁ ବର୍ତ୍ତମାନର ଯାତାୟାତ ସୁବିଧା ଠାରୁ ଉନ୍ନତ କ୍ଷମତା ପ୍ରଦାନ କରିବ। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଚଳ ବ୍ୟତୀତ ପୂର୍ବତଟ ରେଳପଥ ଦ୍ୱାରା ଧାମରା, ପାରାଦୀପ ଏବଂ ବିଶାଖାପାଟନମ୍ ପରି ନିକଟ ବନ୍ଦରକୁ ଲୁହା ଏବଂ କୋଇଲା ପରିବହନ ସହଜ ହେବ। ଏହି ଲାଇନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଲୁହା ପଥର ଏବଂ ମାଙ୍ଗାନିଜ୍ ସମୃଦ୍ଧ ଅଞ୍ଚଳକୁ ନିକଟ ବନ୍ଦର ସହିତ ଅନେକ ଇସ୍ପାତ କାରଖାନାକୁ ସଂଯୋଗ କରିବ। ଦେଶର ବିକାଶ ସହିତ ଏହି ଅଞ୍ଚଳର ବିକାଶ ପାଇଁ ଏହି ଦୋହରୀକରଣ ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ଅଟେ।

ବାଂଶପାଣି-ଜାରୋଲି-ଦୈତାରୀ-ଟମକା-ଯଖପୁରା ଦୋହରୀକରଣ ପ୍ରକଳ୍ପ ଦୈର୍ଘ୍ୟ ପ୍ରାୟ ୧୮୦ କିଲୋମିଟର। ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ବର୍ତ୍ତମାନ ୧୮୨୬ କୋଟି ଅଟେ।  ୧୮୦ କିଲୋମିଟର ମଧ୍ୟରୁ ୧୨୪ କିମି ଦୋହରୀକରଣ କାର୍ଯ୍ୟ ଫେବୃଆରୀ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି। ନୂତନ ଭାବେ କାର୍ଯ୍ୟକ୍ଷମ ଶଗଡ଼ପଟା-ଟାଙ୍ଗିରିପାଲ ରେଳ ସେକ୍ସନ ରେ ସର୍ବାଧିକ ୯୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ଅନୁମୋଦନ କରାଯାଇଅଛି। ଏହି ସେକ୍ସନରେ ଛଅଟି ପ୍ରମୁଖ ଏବଂ ୪୬ ଟି ଛୋଟ ବ୍ରିଜ୍ ନିର୍ମାଣ କରାଯାଇଅଛି।

ମାର୍ଚ୍ଚ ମାସ ୩ ତାରିଖରେ ମୁଖ୍ୟ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ, ଉପମୁଖ୍ୟ ନିରାପତ୍ତା ଆୟୁକ୍ତ ବିଏସକେ ସୁବୁଧୀଙ୍କ ସହିତ ଏହି ପ୍ରକଳ୍ପ ଯାଞ୍ଚ କରିଥିବାବେଳେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏ ପି ଦ୍ବିବେଦୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ୍) ରିଙ୍କେଶ ରୟ, ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର ବ୍ରଜେଶ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଭିଏନ୍ଏଲ୍ ଏସ୍ କେ ପାତ୍ରଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ସିଆରଏସଙ୍କୁ ସହାୟତା କରିଥିଲେ।