Categories
ଆଞ୍ଚଳିକ

ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ: ଭଲ ରାସ୍ତାରେ ନିମ୍ନମାନର ପିଚୁ ପକାଇ କରୁଛନ୍ତି ଅର୍ଥ ଆତ୍ମସାତ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ, ୧୯/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇଛି। ରାସ୍ତା ଓ କୋଠାବାଡ଼ି  ବିଭାଗ ପକ୍ଷରୁ ବିନା ଫଳକରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ହେଉଛି। କଟକ – ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲା ନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହେଉଛି। ଯାହା ଫଳରେ ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଗତ ୯ ତାରିଖରେ କରାଯାଇଥିବାବେଳେ ଏହାର ୧୦ ଦିନ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇଥିବାର ଦେଖିବାକୁ ମିଳିଛି। ଓ କୋଠାବାଡ଼ି ବିଭାଗର ଉପର ଠାଉରିଆ ଓ ଠିକାଦାର ପୋଷଣ ନୀତିକୁ ପଞ୍ଚାୟତବାସୀ ବିରୋଧ କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଅପର ପକ୍ଷେ ଏହି କାର୍ଯ୍ୟକୁ କେଉଁ ଠିକାଦାର ଓ ଏହାର ବ୍ୟୟ ଅଟକଳ କେତେ ଏ ସମ୍ପର୍କରେ କିଛି ସୂଚନା ନଥିବାବେଳେ ଏହା ବିନା ଫଳକରେ କିପରି କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଏହି ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀ କେଳୁ ଚରଣ ଦଳାଇଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀ ଜଣକ ଫୋନ୍‌ ଉଠାଉ ନାହାନ୍ତି। ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ କରି ଭଲ ରାସ୍ତାରେ ନିମ୍ନମାନର ପିଚୁ ମରାମତି କରି ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚଲାଇଥିବାବେଳେ ଏମାନଙ୍କ ବିରୋଧରେ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣରେ ଦାବି ହେଉଛି।