Categories
ବିଶେଷ ଖବର

୨୦୨୫ ସୁଦ୍ଧା ଭାରତର ୫୦% ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ (ଏନସିଏଫ୍) ବିକଶିତ କରାଯାଇଛି ବୋଲି ଶୁକ୍ରବାର “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେତେବେଳେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଛି, ସେହି ସମୟରେ “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ” ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ। ଜି-୨୦ ସମ୍ମିଳନୀର କଥାବସ୍ତୁ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ଯାହା ଭାରତୀୟ ବିଚାର ଏବଂ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଉପରେ ଆଧାରିତ। ଜି୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପରେ ପୌଢ ଶିକ୍ଷା, ଗଣନା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହରଣ, ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଜୀବନବ୍ୟାପୀ ଶିକ୍ଷା ଆରହଣ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍ଭାବନ ଓ ଗବେଷଣା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି, ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ବଳ, ଧନ୍ଦାମୂଳକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣ କରୁଥିବା ଦେଶ ଗୁଡିକର ପ୍ରଚଳିତ ସର୍ବୋତ୍ତମ ଯୋଜନା ଗୁଡିକ ଉପରେ ଆଲୋଚନା କରାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇ କହିଛନ୍ତି ଯେ ଯେ ଗ୍ଲୋବାଲ ସାଉଥର ଦେଶ ଭାବରେ ବିଭିନ୍ନ ରାଷ୍ଟ୍ର ଗୁଡିକ ସାମ୍ନା କରୁଥିବା ଆହ୍ୱାନର ସମାଧାନର ସୂତ୍ର ବାହାର କରିବା ସହ ମାନବ କ୍ଷମତା ଗଠନ ଉପରେ ହିଁ ସମାଧାନର ରାସ୍ତା ବାହାର କରିବା। ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର। ଏକବିଂଶ ଶତାବ୍ଦୀରେ ଆବଶ୍ୟକ ଜ୍ଞାନ ଏବଂ ସାମର୍ଥ୍ୟ ମାଧ୍ୟମରେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମ ଜନସାଧାରଣଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି। ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି। ଡେମୋଗ୍ରାଫିକ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ବହୁ ଆକାଂକ୍ଷୀତ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି , ଯାହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି।

ଗ୍ଲୋବାଲ ସାଉଥ ଦେଶରେ ଥିବା ଶିକ୍ଷା ବ୍ୟବସ୍ଥା ପରାଧୀନ ମାନସିକତା ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି କ୍ଷତି ସହୁଥିଲା। ସମୟ ଆସିଛି, ଏହାକୁ ପରିବର୍ତ୍ତନ କରି ଆମ ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବା। ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଭଳି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଜାତୀୟ ଶିକ୍ଷା ନୀତି ଭାରତୀୟ ଚରିତ୍ର ସହ ଜଡିତ ଏବଂ ୨୦୩୦ ସାମଗ୍ରିକ ବିକାଶ ସହ ସମ୍ମେଳିତ। ଏହା ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ, ଯାହା ଦ୍ୱାରା ସେମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ।

ସ୍କୁଲ ଶିକ୍ଷା ସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷର ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଦିବ୍ୟାଙ୍ଗ ଶିଶୁଙ୍କୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବା ସହ ଶିକ୍ଷକଙ୍କ କାପାସିଟି ବିଲଡିଂ ଏବଂ ଟ୍ରେନିଂ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସ୍କୁଲ ଯାଉଥିବା ବାଳିକାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଉନ୍ନତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପାଠ୍ୟକ୍ରମକୁ ପୁନଃ ଡିଜାଇନ କରାଯାଇ ଏହାକୁ ଛାତ୍ରଛାତ୍ରୀ କେନ୍ଦ୍ରୀତ କରିବା ସହ ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ବିଶେଷ ମହତ୍ୱ ଦିଆଯାଇଛି। ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ଉଚ୍ଚ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସଂସ୍କାର ଅଣାଯାଇଛି। ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଲଟି ଏଣ୍ଟ୍ରି – ଏକଜିଟ୍ ସହ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ସୁନିଶ୍ଚିତ କରାଯାଇଛି। ସ୍କୁଲ, ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷାର ଏକୀକରଣ କରିବା ପାଇଁ ଟେକ୍ଲୋଲୋଜି ଭିତ୍ତିଭୂମି ଯଥା ନ୍ୟାସନାଲ ଲେବଲ ଷ୍ଟୁଡେଣ୍ଟ ରେଜିଷ୍ଟ୍ରି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଆଣ୍ଡ ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ପ୍ରସ୍ତୁତ କରାଯାଉଛି।

ସ୍କିଲ୍ ଲ୍ୟାବ୍ ଏବଂ ଶିଳ୍ପ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗୀକରଣ କରାଯାଇ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ଯୋଡାଯାଉଛି। ନିଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇଛି। ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି। ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ। ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି, ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷାର ଲାଭ ଛାତ୍ରଛାତ୍ରୀମାନେ ପାଇପାରିବେ। ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ବିଦେଶରେ ନିଜ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଯାଉଛନ୍ତି। ଏହାବ୍ୟତିତ ଭାରତରେ ବୈଦେଶିକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ଲୋବାଲ ସାଉଥ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶ ଗୁଡିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

“ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ ବାର୍ବାଡୋସ, କୋଷ୍ଟା ରିକା, କମନ ଓ୍ୱେଲଥ୍ ଅଫ୍ ଦି ବାହାମାସ, କ୍ୟୁବା, ଗାମ୍ବିୟା, ହନ୍ଦୁରାସ, ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପ୍ଲବିକ, ଫେଡେରେଟେଡ୍ ଷ୍ଟେଟ୍ ଅଫ୍ ମାଇକ୍ରୋନେସିଆ, ରିପବ୍ଲିକ ଅଫ୍ ନାଉରୁ, ସେଣ୍ଟ୍ ଲୁସିଆ, ସେଣ୍ଟ୍ ଭିନସେଣ୍ଟ ଏବଂ ଦ ଗ୍ରନାଡାଇନ୍ସ, ସୋଲୋମନ ଆଇଲ୍ୟାଣ୍ଡ୍,  ତୁର୍କମେନିସ୍ତାନ,  ଉରୁଗୁଏ, ୟେମେନ୍ ସମୂହ ଦେଶ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ପ୍ରଥମ ଜି୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ ବୈଠକ ଉଦଯାପିତ

ନୂଆଦିଲ୍ଲୀ: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ଜି୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ବୈଠକ ମୁମ୍ବାଇ ଠାରେ ଉଦଯାପିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରମୁଖ ବିଶ୍ବ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିକାଶ ପାଇଁ ତଥ୍ୟର ଉପଯୋଗ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ପ୍ରୟାସ ଆଦି ବିଷୟ ଉପରେ ବିଚାରବିମର୍ଶ କରାଯାଇଥିଲା। ଚାରି ଦିନିଆ ବୈଠକରେ ସମସ୍ତ ପାଞ୍ଚଟି ଅଧିବେଶନ ସମାପନ ହୋଇଯାଇଛି।

ତୃତୀୟ ଅଧିବେଶନରେ ‘ବିକାଶ ପାଇଁ ତଥ୍ୟ’ ଉପରେ ଆଲୋଚନା କରାଯାଇଥିଲା। ଭାରତର ବିକାଶ କାର୍ଯ୍ୟଗୋଷ୍ଠୀର ସହଅଧ୍ୟକ୍ଷ ଯୁଗ୍ମ ସଚିବ ନାଗରାଜ ନାଇଡ଼ୁ ଓ ଇନାମ ଗମ୍ଭୀର ଏହି ବୈଠକରେ କହିଥିଲେ ଯେ, ୨୦୩୦ ଏଜେଣ୍ଡର ଲକ୍ଷ୍ୟ ହାସଲ ନିମନ୍ତେ ବିଶ୍ବସ୍ତରୀୟ ପ୍ରୟାସକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଉଭୟ ଆଲୋକପାତ କରିଥିଲେ।

ଏସଡିଜି ଲକ୍ଷ୍ୟ ହାସଲ ଦିଗରେ ରାଷ୍ଟ୍ରମାନେ ଅଗ୍ରସର ହେଉଥିବା କାରଣରୁ ଜରୁରି ସମାଜ ଆଧାରିତ କାର୍ଯ୍ୟାନୁଷ୍ଠାନ ଓ ସେବାର ପ୍ରଭାବୀ ବ୍ୟବସ୍ଥାକୁ ସକ୍ଷମ କରିବା ଲାଗି ଡିଜିଟାଲ ସମାଧାନ ଓ ବ୍ୟବସ୍ଥା ନିମନ୍ତେ ବିଶ୍ବସ୍ତରରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ତଥା ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟ ଗୋଷ୍ଠୀର ଅନ୍ୟତମ ପ୍ରତିନିଧି ଶ୍ରୀ କ୍ଷୀତିଜ କୁଶାଗ୍ର ଏହି ପ୍ରସଙ୍ଗର ଭିନ୍ନ ଭିନ୍ନ ପ୍ରକୃତି ଉପରେ ଆଲୋକପାତ କରିଥିଲେ ଏବଂ ଦୁଇଟି ମାର୍ଗ ମଧ୍ୟରେ ସମନ୍ବୟ ଉପରେ ଆଲୋକପାତ କରିଥିଲେ।

ଏହାପରେ ପ୍ରଯୁକ୍ତି ଉପରେ ମିଳିତ ଜାତିସଂଘ ମହାସଚିବଙ୍କ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଅମନଦୀପ ସିଂ ଗିଲ ଅଭିବୃଦ୍ଧି ପାଇଁ ଜାଗତିକ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଖାଦ୍ୟ ସୁରକ୍ଷା ଆଦି ଜରୁରି କ୍ଷେତ୍ରରେ ସହଭାଗିତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ତଥ୍ୟର ପ୍ରଭାବୀ ସଂଗ୍ରହ, ସଂରକ୍ଷଣ, ବିଶ୍ଳେଷଣ ଓ ହସ୍ତାନ୍ତର ଦ୍ବାରା ଏହି ସହଭାଗିତାକୁ ଭଲ ଭାବେ କାର୍ଯ୍ୟକାରୀ କରାଯାଇପାରିବ।

ଶେଷରେ ବାଣିଜ୍ୟ ଓ ବିକାଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀର ପ୍ରତିନିଧି ଟ୍ରୋବଜୋର୍ଣ୍ଣ ଫ୍ରେଡରିକ୍ସନ ବିକାଶ ଲକ୍ଷ୍ୟ ହାସଲ ଉପରେ ତଥ୍ୟର ବିଶ୍ଳେଷଣ ଉପସ୍ଥାପନ କରିଥିଲେ।

ଉନ୍ନତ ମାନର ତଥ୍ୟ, ଭରସାଯୋଗ୍ୟ ତଥ୍ୟ, ଘରୋଇ କ୍ଷେତ୍ର ଓ ନାଗରିକ ସମାଜର ଭୂମିକା ଆଦି କ୍ଷେତ୍ରରେ ରାଷ୍ଟ୍ରମାନଙ୍କର ହସ୍ତକ୍ଷେପ, ଡିଜିଟାଲ ବିଭାଜନ ଦୂର କରିବା ଲାଗି ପଦକ୍ଷେପ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କ୍ଷମତା ନିର୍ମାଣ, ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟଗୋଷ୍ଠୀ ସହିତ ବିକାଶ କାର୍ଯ୍ୟ ଗୋଷ୍ଠୀର କାମରେ ସମନ୍ବୟ ଆଣିବା ଆଦି ବିଷୟ ଉପରେ ସେ ଆଲୋକପାତ କରିଥିଲେ।

ଚତୁର୍ଥ ଅଧିବେଶନରେ ଲାଇଫ ବା ଲାଇଫ୍‌ ଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ (ଲାଇଫ) ଉପରେ ଆଲୋକପାତ କରାଯାଇଥିଲା। ବିଶ୍ବ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଲାଇଫ ହେଉଛି ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଏବଂ ଏହା ଭାରତର ଜି୨୦ ଅଧ୍ୟକ୍ଷତାର ଏକ କେନ୍ଦ୍ରୀୟ ପ୍ରାଥମିକତା। ସୁଶ୍ରୀ ଗମ୍ଭୀର କହିଥିଲେ ଯେ, ଭାରତର ପ୍ରାଚୀନ ଦୀର୍ଘସ୍ଥାୟୀ ପରମ୍ପରାରୁ ପ୍ରେରଣା ହାସଲ କରି ଲାଇଫ ମିଶନ ହେଉଛି ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ପାଇଁ ଏକ ସାହସିକ, ପରିବର୍ତ୍ତନଶୀଳ ଦୃଷ୍ଟିକୋଣ। ଉପଯୋଗ (ଚାହିଦା) ଓ ଉତ୍ପାଦନ (ଯୋଗାଣ) ଉଭୟ ଆଡ଼କୁ ବିଶ୍ବସ୍ତରରେ ପରିବର୍ତ୍ତନ ଆଣିବା ଏହାର ଉଦ୍ଦେଶ୍ୟ। ଏହି ପ୍ରସ୍ତାବର ମଧ୍ୟ ଭାରତର ଜି୨୦ ଅଧ୍ୟକ୍ଷତାର ବାର୍ତ୍ତା – ବସୁଧୈବ କୁଟୁମ୍ବକମ ବା ‘ଏକ ବିଶ୍ବ, ଏକ ପରିବାର ଏକ ଭବିଷ୍ୟତ’ ସହ ସମ୍ପର୍କ ରହିଛି।

ମିଳିତ ଜାତିସଂଘ ଶିଳ୍ପ ବିକାଶ ସଂଗଠନର ଗୁସେପ ଡି ସିମୋନ, ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଶ୍ରୀ ଦିବ୍ୟା ଦତ୍ତ ପ୍ରମୁଖ ଲାଇଫ ମିଶନକୁ ଗ୍ରହଣ କରିବା ଉପରେ ମତ ରଖିଥିଲେ।

ଜି୨୦ ରାଷ୍ଟ୍ର ଗୋଷ୍ଠୀର ପ୍ରତିନିଧିମାନେ ଏସଡିଜି ୧୨ : ‘ଉତ୍ତରଦାୟୀ ଉପଯୋଗ ଓ ଉତ୍ପାଦନ’ ଉପରେ ଭାରତର ଲକ୍ଷ୍ୟକୁ ସ୍ବାଗତ କରିଥିଲେ।

୨୦୨୩ ଜି୨୦ ନୂଆଦିଲ୍ଲୀ ଅପଡେଟ୍‌ ଉପରେ ପଞ୍ଚମ ଅଧିବେଶନରେ ବିଚାରବିମର୍ଶ କରାଯାଇଥିଲା। ଡିଡବ୍ଲୁଜି ସହ-ଅଧ୍ୟକ୍ଷଙ୍କ ଦ୍ବାରା ପରିଣାମ ଦସ୍ତାବିଜ ପାଇଁ ସନ୍ଦର୍ଭ ସର୍ତ୍ତାବଳୀ ଉପରେ ଆଲୋଚନା ହୋଇଥିଲା ଏବଂ ସହ ଅଧ୍ୟକ୍ଷମାନେ ସମାପନ ବିବୃତ୍ତି ଜାରି କରିଥିଲେ।

ସନ୍ଧ୍ୟାରେ ବିକାଶ କାର୍ଯ୍ୟଗୋଷ୍ଠୀ ସହ ଅଧ୍ୟକ୍ଷମାନେ ଗଣମାଧ୍ୟମକୁ ପରବର୍ତ୍ତୀ ବୈଠକ ଓ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ବୈଠକ ଅବସରରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଭାରତର ତନ୍ଦୁରୀ ଚା’ର ମଜା ନେଇଥିଲେ। ସେମାନେ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ଥିବା କନ୍ହେରୀ ଗୁମ୍ଫା ବୁଲି ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ସେ କହିଛନ୍ତି ଯେ, ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଏବଂ ଆଗକୁ ସମ୍ପାଦନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକର ଆୟୋଜନ କରାଯାଇଛି।

ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ  କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ ରହିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ସହନଶୀଳତା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କହିଥିଲେ ଯେ ଏକ ଆର୍ଥିକ ମଧ୍ୟସ୍ଥତା ପାଣ୍ଠି ଗଠନ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ରହିଥିବା ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ଦିଗକୁ ଗ୍ରହଣ କରିବା ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ସମାବେଶୀ, ସକ୍ରିୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ନିର୍ମାଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଡକ୍ଟର ମାଣ୍ଡଭିୟ  କହିଥିଲେ।

ସାରା ବିଶ୍ୱରେ ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବିତ ଗ୍ଲୋବାଲ ଫେଡରେଟେଡ୍‌ ପବ୍ଲିକ୍‌ ଟ୍ରଷ୍ଟ ଡିରେକ୍ଟୋରୀରେ ଯୋଗଦାନ କରିବା ପାଇଁ ସେ ସମସ୍ତ ଜି20 ସଦସ୍ୟମାନଙ୍କୁ ଡକ୍ଟର ମାଣ୍ଡଭିୟ ଆହ୍ୱାନ କରିଥିଲେ।