Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଂଗଦାନ ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ କରିବାର ନିଷ୍ପତି ନେଇଥିଲେ । ୨୦୨୨ ମସିହା ମେ ମାସ ୧୭ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ଏହି ଝିଅଟିର ମୃତ୍ୟୁ ପରେ ତା’ର ଦୁଇଟି ବୃକକକୁ ବାହାର କରାଯାଇ ଅଂଗଦାନ ପ୍ରକ୍ରିୟାରେ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ରୋଗୀଙ୍କର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

ହସ୍ପିଟାଲ ପକ୍ଷରୁ ଗୁରୁବାର ଭାରତୀୟ ଅଂଗ ଦାନ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଏହି ଅନୁଭୂତି ବଖାଣିଥିଲେ ଝିଅଟିର ବାପା ଶ୍ରୀ ସପନ କୁମାର ବିନ୍ଧାଣୀ ଓ ମା ଡାକ୍ତର ସୁନୀତା ପ୍ରଧାନ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭାରତୀୟ ଅଂଗ ଦାନ ଦିବସ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ହସ୍ପିଟାଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ହସ୍ପିଟାଲ୍‌ର ଡାକ୍ତର ଓ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅଂଗ ଦାନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଏହା ଯୋଗୁଁ ମୃତ୍ୟୁ ପରେ ବି ମଣିଷ ଅନ୍ୟ ୮ ଜଣଙ୍କର ଜୀବନ ରକ୍ଷା କରିପାରିବ ବୋଲି ସେ କହିଥିଲେ । ମୃତ୍ୟୁ ପୂର୍ବରୁ ମଣିଷ କେବଳ ବୃକକ, ଯକୃତ ଓ ଚର୍ମ ଦାନ କରିପାରିଥାଏ । ତେବେ ମୃତ୍ୟୁ ପରେ ବିଭିନ୍ନ ଅଂଗ ଯେପରିକି ବୃକକ, ଯକୃତ, ଫୁସ୍‌ଫୁସ୍‌, କ୍ଷୁଦ୍ରାନ୍ତ୍‌, ଚକ୍ଷୁ, ଅଗ୍ନାଶୟ, ହୃତ୍‌ପିଣ୍ଡ, ଚର୍ମ ଓ ହାଡ ସମେତ ଟିସ୍ୟୁ ଦାନ କରିପାରିବ ବୋଲି ଡାକ୍ତର ନାୟକ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅଂଗଦାନ ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିବା ସହ ଏ ନେଇ ଡାକ୍ତରମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଂଗ ଦାନ କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଝିଅର ଅଂଗ ଦାନ କରିବାର ନିଷ୍ପତି ପାଇଁ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ସମ୍ମାନ ଜଣାଇବା ସହ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ବିଭାଗରେ ଶୀଘ୍ର ରୋବୋଟିକ୍ସ ସର୍ଜରୀ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଅଂଗ ଦାନ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିଭିନ୍ନ ବିଭାଗର ଡାକ୍ତରମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି ଉପଲକ୍ଷେ ଗୁରୁବାର ସକାଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ ମଧ୍ୟ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରକ୍ତଦେଇ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷାକଲେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଜୀବନରେ ଏମିତି ବି ମଣିଷ ଅଛନ୍ତି, ଯିଏକି ଅନ୍ୟର ଜୀବନ ବଂଚାଇବାରେ ସହାୟ ହୋଇଥାନ୍ତି। ବହୁ ସମୟରେ ରୋଗୀ ରକ୍ତ ନ ପାଇ ଜୀବନକୁ ହାରି ଦେଇଥାଏ।  ଏମିତି ଜଣେ ବ୍ୟକ୍ତି ଯିଏ କି ଜଣେ ପ୍ରସୂତି ମହିଳାକୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି। ସେ ହେଲେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର ଅଭିଶେକ ପ୍ରଧାନ। ଘର ରେଢାଖୋଲ ଅନ୍ତର୍ଗତ ଡଇଁଚା ଗ୍ରାମର।

ନାକଟିଦେଉଳ ବ୍ଲକ ଅଂଚଳର ରଞ୍ଜିତ ବିଶିଙ୍କ ପତ୍ନୀ କୁନ୍ତଳା ମାଝୀ (୨୫)। ସେ ଗର୍ଭବତୀ ଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ରୋଗୀକୁ ଯେଉଁଗ୍ରୁପ୍ ର ରକ୍ତ ଆବଶ୍ୟକ ତାହା ମିଳି ନ ଥିଲା।

ରୋଗୀର ସ୍ବାମୀକୁ ରକ୍ତ ସଂଗ୍ରହ କରି ଆଣିବାକୁ ଡାକ୍ତର ଏସ୍ ସି ଘଡ଼େଇ ପରାମର୍ଶ ଦେଲେ। ସେ ପଟେ ରୋଗୀର ଅବସ୍ଥା ଗୁରୁତର ଥିବା ବେଳେ ଓ+ ରକ୍ତ ଡାକ୍ତରଖାନାରେ ନ ଥିଲା।  ସେଇ ସମୟରେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର ଅଭିଶେକ ପ୍ରଧାନ ରକ୍ତ ଦାନ କରି ଗର୍ଭବତୀ ମହିଳାର ଜୀବନ ରକ୍ଷା କରି ଉଦାହରଣ ପାଲଟିଛନ୍ତି।

ରେଢ଼ାଖୋଲ ଡାକ୍ତରଖାନାରେ ରକ୍ତଭଣ୍ଡାର ଥିଲେ ମଧ୍ୟ ଠିକ୍ ସମୟରେ ରକ୍ତ ମିଳି ନ ଥିବାରୁ ବହୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ରେଢ଼ାଖୋଲ ଭଳି ଏକ ଡାକ୍ତରଖାନାରେ ରକ୍ତ ଭଣ୍ଡାର ଥାଇ ରକ୍ତ ନ ମିଳିବା ଅତ୍ୟନ୍ତ ଲଜ୍ୟାଜନକ ମନେ ହୁଏ।