ରକ୍ତଦେଇ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷାକଲେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର

Published: Apr 25, 2022, 9:13 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଜୀବନରେ ଏମିତି ବି ମଣିଷ ଅଛନ୍ତି, ଯିଏକି ଅନ୍ୟର ଜୀବନ ବଂଚାଇବାରେ ସହାୟ ହୋଇଥାନ୍ତି। ବହୁ ସମୟରେ ରୋଗୀ ରକ୍ତ ନ ପାଇ ଜୀବନକୁ ହାରି ଦେଇଥାଏ।  ଏମିତି ଜଣେ ବ୍ୟକ୍ତି ଯିଏ କି ଜଣେ ପ୍ରସୂତି ମହିଳାକୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି। ସେ ହେଲେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର ଅଭିଶେକ ପ୍ରଧାନ। ଘର ରେଢାଖୋଲ ଅନ୍ତର୍ଗତ ଡଇଁଚା ଗ୍ରାମର।

ନାକଟିଦେଉଳ ବ୍ଲକ ଅଂଚଳର ରଞ୍ଜିତ ବିଶିଙ୍କ ପତ୍ନୀ କୁନ୍ତଳା ମାଝୀ (୨୫)। ସେ ଗର୍ଭବତୀ ଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ରୋଗୀକୁ ଯେଉଁଗ୍ରୁପ୍ ର ରକ୍ତ ଆବଶ୍ୟକ ତାହା ମିଳି ନ ଥିଲା।

ରୋଗୀର ସ୍ବାମୀକୁ ରକ୍ତ ସଂଗ୍ରହ କରି ଆଣିବାକୁ ଡାକ୍ତର ଏସ୍ ସି ଘଡ଼େଇ ପରାମର୍ଶ ଦେଲେ। ସେ ପଟେ ରୋଗୀର ଅବସ୍ଥା ଗୁରୁତର ଥିବା ବେଳେ ଓ+ ରକ୍ତ ଡାକ୍ତରଖାନାରେ ନ ଥିଲା।  ସେଇ ସମୟରେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର ଅଭିଶେକ ପ୍ରଧାନ ରକ୍ତ ଦାନ କରି ଗର୍ଭବତୀ ମହିଳାର ଜୀବନ ରକ୍ଷା କରି ଉଦାହରଣ ପାଲଟିଛନ୍ତି।

ରେଢ଼ାଖୋଲ ଡାକ୍ତରଖାନାରେ ରକ୍ତଭଣ୍ଡାର ଥିଲେ ମଧ୍ୟ ଠିକ୍ ସମୟରେ ରକ୍ତ ମିଳି ନ ଥିବାରୁ ବହୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ରେଢ଼ାଖୋଲ ଭଳି ଏକ ଡାକ୍ତରଖାନାରେ ରକ୍ତ ଭଣ୍ଡାର ଥାଇ ରକ୍ତ ନ ମିଳିବା ଅତ୍ୟନ୍ତ ଲଜ୍ୟାଜନକ ମନେ ହୁଏ।

Related posts