Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଲୋକସଭା ନୁହେଁ, ବିଧାନସଭା ନିର୍ବାଚନ ଲଢିବେ ଜୁଏଲ ଓରାମ, ଜାଣନ୍ତୁ କାରଣ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡିଶା ରାଜନୀତିରେ ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ସେହିପରି ଏକ ବଡ ଚର୍ଚ୍ଚା ପଦାକୁ ଆସିଛି। ତାହା ହେଲା ଯେ, ବିଜେପି ସାଂସଦ ଜୁଏଲ ଓରାମ ଏଥର ଲୋକସଭା ନିର୍ବାଚନ ଲଢିବେ ନାହିଁ। ତାଙ୍କୁ ବିଧାନସଭା ମଇଦାନକୁ ଛଡା ଯିବ ବୋଲି ଚର୍ଚ୍ଚା ଚାଲିଛି।

ଏହାର କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେହି ହୋଇପାରୁ ନାହାଁନ୍ତି। ଦୀର୍ଘ ସମୟ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ଓଡିଶାରେ ମୁଖ୍ୟମନ୍ତ୍ରୀ ଚେହେରା ବନିବା ପାଇଁ ପ୍ରଚେଷ୍ଠା କରିଥିଲା। ହେଲେ ସେ ଓଡିଶା ଲୋକଙ୍କର ପ୍ରିୟପାତ୍ର ହୋଇପାରିଲେ ନାହିଁ। ତେଣୁ ଏଥର ନିର୍ବାଚନରେ ଆଉ ଧର୍ମେନ୍ଦ୍ରଙ୍କ ନେତୃତ୍ବ ଉପରେ କେନ୍ଦ୍ର ବିଶ୍ବାସ କରୁ ନାହିଁ।

ଏହି କାରଣରୁ ବର୍ତ୍ତମାନ ରାଜ୍ୟ ରାଜନୀତିରୁ ଦୂରେଇ ରହିଥିବା ସାଂସଦ ଜୁଏଲ ଓରାମଙ୍କୁ ଦଳ ଆଗକୁ ଆଣିବ ବୋଲି ଅନୁମାନ କରାଯାଉଛି। ମୁଖ୍ୟତଃ ଜୁଏଲଙ୍କର ସମସ୍ତଙ୍କ ସହିତ ମିଶି କାମ କରିବା ଏବଂ ନରମ ସ୍ବଭାବର ହୋଇଥିବାରୁ ସେ ଦଳ ପାଇଁ ଉପଯୁକ୍ତ ହେବେ ବୋଲି କେନ୍ଦ୍ରୀୟ ନେତା ଆଶା କରିଛନ୍ତି। ସେଥିପାଇଁ ତାଙ୍କୁ ବିଧାନସଭା ନିର୍ବାଚନ ମଇଦାରେ ଲଢେଇ କରିବା ପାଇଁ କୁହାଯିବ ବୋଲି ଚର୍ଚ୍ଚା ଚାଲିଛି।

ସେ ପଟେ ସୁନ୍ଦରଗଡରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୁଏଲଙ୍କ ସମର୍ଥକମାନେ ମଧ୍ୟ ଏହି କଥାକୁ ଅସ୍ବୀକାର କରୁ ନାହାଁନ୍ତି। ସେମାନଙ୍କର କହିବା କଥା ଯେ, ଧର୍ମେନ୍ଦ୍ରଙ୍କ ପ୍ରକୋପରେ ଜୁଏଲ ନିରବ ରହିଥିଲେ। ହେଲେ ସେ ଫେଲ ହେବା ପରେ ବର୍ତ୍ତମାନ କେନ୍ଦ୍ର ବିଜେପି ଜୁଏଲଙ୍କ ଉପରେ ଭରସା କରିବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ କୁଆଡେ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଛି ବୋଲି ସେମାନେ କହୁଛନ୍ତି।

ତେବେ ବିଭିନ୍ନ ସୁତ୍ର ଅନୁସାରେ କେନ୍ଦ୍ର ତାଙ୍କୁ ବଣେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବାକୁ ଚାହୁଁଛି। ହେଲେ ସେ କୁଆଡେ ସୁନ୍ଦରଗଡ ସଦର ଆସନରେ ଲଢେଇ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ନେଇ ଜୁଏଲ ବିଜେପି ନେତୃବୃନ୍ଦଙ୍କୁ ଅନୁରୋଧ କରିଛନ୍ତି ବୋଲି ଜଣାପଡିଛି। ଯଦି ଜୁଏଲ ସୁନ୍ଦରଗଡ ଜିଲ୍ଲାରୁ ବିଧାନସଭା ପ୍ରାର୍ଥୀ ହୁଅନ୍ତି ତେବେ ସେଠାକାର ରାଜନୀତି ଏପଟସେପଟ ହେବାର ସମ୍ଭାବନା ରହିଛି।

କଂଗ୍ରେସର ଗଡ ଭାବେ ପୂର୍ବେ ପରିଚିତ ଥିବା ସୁନ୍ଦରଗଡ ଆସନରେ ଜୁଏଲ 1998 ମସିହାରେ ତାହାକୁ ଭାଙ୍ଗି ବିଜେପି ସାଂସଦ ଭାବେ ଜିତିଥିଲେ। ତାପରଠାରୁ ଜୁଏଲ 2009 ମସିହା ବ୍ୟତିତ ସେ ହିଁ ସେହି ଆସନରୁ ଆଜି ପର୍ଯ୍ୟନ୍ତ ଲଢେଇ କରି ଜିତିବାରେ ଲାଗିଛନ୍ତି। କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳ 2009 ମସିହାରେ ଜୁଏଲଙ୍କୁ ହରାଇ ଦେଇଥିଲେ। ସେ ଓଡିଶାରୁ ବିଜେପିର ଏକମାତ୍ର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ଜୁଏଲଙ୍କୁ ନେଇ ଚାଲିଥିବା ଚର୍ଚ୍ଚା କେତେ ସତ ତାହା ଜଣାପଡି ନାହିଁ।