Categories
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରୁ ୪ ଲକ୍ଷର ସେବା ପାଇଲେ ରୋଗୀ

ଖୋର୍ଦ୍ଧା: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ୪ ଲକ୍ଷ ଟଙ୍କା ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ମହାପାତ୍ର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଏକ ମାସ ଧରି ଚିକିତ୍ସିତ ହେଉଥିଲେ। ସମସ୍ତ ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରୋଗୀ ଜଣଙ୍କ ହସ୍ପିଟାଲକୁ ୪ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଆଉ ବକେୟା ୪ ଲକ୍ଷ ଟଙ୍କା ନଦେଲେ ରୋଗୀଙ୍କୁ ଘରକୁ ଛାଡ଼ିବେନି ବୋଲି ଉକ୍ତ ହସ୍ପିଟାଲର କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଉପାୟଶୂନ୍ୟ ହୋଇ ଶେଷରେ ସୁବାସଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ମହାପାତ୍ର ଗତକାଲି ରାତି ୯ ଘଟିକାରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ତାଙ୍କ ଦୁଃଖ ଜଣାଇଥିଲେ। ଏବଂ ସୁବାସଙ୍କୁ ସମ୍ପୃକ୍ତ ଘରୋଇ ହସ୍ପିଟାଲରୁ ନିଜ ଘରକୁ ଆଣିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନେହୁରା ହୋଇଥିଲେ।

ଏହାଶୁଣି ସଙ୍ଗେସଙ୍ଗେ ଜିଲ୍ଲାପାଳ ସମ୍ପୃକ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ସୁବାସଙ୍କ ହେଲଥ କାର୍ଡ ମାଧ୍ୟମରେ ବକେୟା ୪ ଲକ୍ଷ ଟଙ୍କା ପଇଠ କରାଯାଇଥିଲା ଏବଂ ସଙ୍ଗେସଙ୍ଗେ ରୋଗୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଥିଲା। ତେଣୁ ଜିଲ୍ଲାପାଳଙ୍କ ଏଭଳି ତ୍ୱରିତ ପଦକ୍ଷେପ ତଥା ମହନୀୟତାକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସେହିପରି ଭାବେ ଉକ୍ତ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଅଦ୍ୟାବଧି ୨୦୦ ରୁ ଉର୍ଦ୍ଧ୍ଵ ରୋଗୀ ଉପକୃତ ହୋଇଥିବାର ଆମ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।