Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବାଣପୁର: ପୋଲିସ ଓ ତହସିଲର ମିଳିତ ଚଢ଼ାଉ, ୩ ମାଟି ବୋଝେଇ ଟ୍ରାକ୍ଟର ସହ ଜେସିବି ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ସମସ୍ତ ତହସିଲଦାର ଏବଂ ଆଇଆଇସି ମାନଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ଏବଂ ତହସିଲ ପ୍ରଶାସନ ଆହୁରି ସକ୍ରିୟ ହୋଇଉଠିଥିବା ଦେଖାଯାଇଛି। ଆଜି ମଧ୍ୟାହ୍ନରେ ବାଣପୁର ଥାନା ଆଙ୍କୁଲାପଦର ନିକଟରେ ଜେସିବି ମେସିନ ଦ୍ୱାରା କେତେଟି ଟ୍ରାକ୍ଟରରେ ବେଆଇନ ମାଟି ବୋଝେଇ ହେଉଥିବାର ଦେଖିବାକୁ ପାଇଥିଲେ ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ।

ଏନେଇ ଶ୍ରୀ ପାଢ଼ୀ ସଙ୍ଗେସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କୁ ଜଣାଇବାରୁ ସେ କିଛି କ୍ଷଣ ମଧ୍ୟରେ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲେ। ପୋଲିସ ଆସୁଥିବାର ଜାଣି ବାଲି ମାଫିଆ ମାନେ ଜେସିବି ଓ ଟ୍ରାକ୍ଟରଗୁଡିକୁ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଥିଲେ।

ତେବେ ପୋଲିସ ସମୁଦାୟ ତିନି ଗୋଟି ମାଟି ବୋଝେଇ ଟ୍ରାକ୍ଟର ଏବଂ ଗୋଟାଏ ଜେସିବି ମେସିନ ଜବତ କରିଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।