Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀ ପରିସରରେ କେଉଁମାନଙ୍କୁ ମିଳିଛି ପ୍ରବେଶ ଅନୁମତି?, ସର୍ଭେକୁ ବର୍ଜ୍ଜନ କଲେ ମୁସଲମାନ ପକ୍ଷ

ବାରଣାସୀ: ASI ଦଳ ବ୍ୟତୀତ ଅନ୍ୟ ୧୬ ଜଣଙ୍କୁ ଜ୍ଞାନବାପୀ ପରିସରରେ ସର୍ଭେ ସମୟରେ ଅନୁମତି ଦିଆଯାଇଛି। ଏଥିମଧ୍ୟରେ ମୁସଲମାନ ପାର୍ଶ୍ୱରୁ ୯ ଜଣ ଏବଂ ହିନ୍ଦୁ ପାର୍ଶ୍ୱରୁ ୭ ଜଣ ଅଛନ୍ତି। ତେବେ ମୁସଲିମ ପକ୍ଷ ଏହି ସର୍ଭେକୁ ବର୍ଜ୍ଜନ କରୁଛନ୍ତି। ହିନ୍ଦୁ ପାର୍ଶ୍ୱରୁ ସମସ୍ତ ଲୋକ ଭିତରକୁ ଯାଇଛନ୍ତି।

ସର୍ଭେ ଦଳ ବାରାଣାସୀ ଜିଲ୍ଲା ପ୍ରଶାସନକୁ କହିଛନ୍ତି ଯେ, ସେମାନେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଦଳର ନେତୃତ୍ୱ ନେଉଥିବା ASI ର ଅତିରିକ୍ତ ନିର୍ଦ୍ଦେଶକ ଆଲୋକ ତ୍ରିପାଠୀ ବାରାଣାସୀ ପ୍ରଶାସନକୁ କହିଛନ୍ତି ଯେ, ସର୍ଭେ କାର୍ଯ୍ୟ ଶେଷ କରିବାକୁ ଦୁଇ ସପ୍ତାହ ସମୟ ଲାଗିପାରେ।

ଆଲୋକ ତ୍ରିପାଠୀ କହିଛନ୍ତି ଯେ, ଯଦି ଆଜି ସୁପ୍ରିମକୋର୍ଟ ବନ୍ଦ ନକରନ୍ତି ତେବେ ସର୍ଭେ କାର୍ଯ୍ୟ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ। କାର୍ଯ୍ୟ ସମାପ୍ତ କରିବାକୁ ଏହା ଅଧିକ ସମୟ ନେଇପାରେ। ତେବେ ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ ଆଲୋକ ତ୍ରିପାଠୀ କହିଛନ୍ତି ଯେ, ଏହି ସର୍ଭେ ୫ ଦିନ ମଧ୍ୟରେ ଶେଷ ହୋଇପାରିବ। ଏଭଳି ପରିସ୍ଥିତିରେ ଆଜିଠାରୁ ଆରମ୍ଭ ହୋଇଥିବା ସର୍ଭେ ୪ ରୁ ୫ ଦିନ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିଲା।

ଶୁକ୍ରବାର ନମାଜ ହେତୁ ଏହି ସର୍ଭେ ଆଜି ମଧ୍ୟାହ୍ନ ୧୨.୦୦ ରେ ଶେଷ ହେବ। ତେବେ ଦଳ ୨ ଟି ସିଫ୍ଟରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି। ଶୁକ୍ରବାର ନମାଜ ପରେ ଅପରାହ୍ନ ୩ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ସର୍ଭେ କରାଯାଇପାରିବ କି ନାହିଁ ସେମାନେ ପ୍ରଶାସନକୁ ପଚାରିଛନ୍ତି।

ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ନାମାଜ ମସଜିଦ ପରିସରରେ ଅପରାହ୍ନ ୩ ରୁ ୫ ଟା ମଧ୍ୟରେ ଅନୁଷ୍ଠିତ ହୁଏ ନାହିଁ ଏବଂ ଯଦି ଦଳ ଦ୍ୱିତୀୟ ସିଫ୍ଟରେ ମଧ୍ୟ ସର୍ଭେ କରିବାକୁ ଚାହୁଁଛି, ତେବେ ପ୍ରଶାସନ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରିବ। ଯଦି କୌଣସିଅସୁବିଧା ନଥାଏ, ତେବେ ଶୁକ୍ରବାର ନମାଜ ପରେ, ଦ୍ୱିତୀୟ ସିଫ୍ଟରେ ମଧ୍ୟ ସର୍ଭେ କାର୍ଯ୍ୟ କରାଯାଇପାରିବ।