Categories
ଆଜିର ଖବର ରାଜ୍ୟ ଖବର

ଏଟିଏମ୍ ଆଗରୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳର ଏକ ଏଟିଏମ୍ ଆଗରୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହିତ ୩୦ ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇମ୍ରାନ୍ ଓରଫ୍ ଇମାକୁ ଗିରଫ କରିଥିଲା। ଅନ୍ୟ ସହଯୋଗୀମାନେ ସେହିଦିନଠାରୁ ଫେରାର ଥିଲେ। ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ୱାବଧାନରେ ଏକ ଟିମ୍ ରାହାମା ଅଂଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ଦ୍ୱୟ ହେଲେ ଚାନ୍ଦପୁର ଅଂଚଳର ବିଜୟ ମଲ୍ଲିକ୍ (୨୫) ଏବଂ ସ୍ମୃତିରଂଜନ ଜେନା (୨୫)। ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ପରିକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି।

ପ୍ରକାଶ ଯେ, କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଣ କରି ବାହାରକୁ ଆସୁଥିବା ବେଳେ ଇମା ଓ ତାର ସହଯୋଗି ବିଜୟ, ସ୍ମୃତିରଞ୍ଜନ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ଲୁଟ୍ କରି ନେଇଯାଇଥିଲେ। ପରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ମୋକଦ୍ଦମା କରିଥିଲା। ତତ୍‌କ୍ଷଣାତ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଇମାକୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ।

ଗତକାଲି ରାତିରେ ଫେରାର ଥିବା ଦୁଇ ଅଭିଯୁକ୍ତ ବିଜୟ ଓ ସ୍ମୃତିରଞ୍ଜନକୁ କୁଜଙ୍ଗ ପୋଲିସ୍ ଗିରଫ କରିଛି। ଏମାନଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ସହିତ ଏମାନେ ବ୍ରାଉନ୍ ସୁଗର କାରବାର ସହ ସମ୍ପୃକ୍ତ ଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।