Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ଓ ପାରିବାରିକ କଳହ, ସାନ ଭାଇ ଓ ବୋହୁ ମିଶି ବଡଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଳହ ଓ ପାରିବାରିକ କଳହକୁ କେନ୍ଦ୍ର କରି ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଓ ବୋହୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବା ସହ ଏକ ଶାବଳରେ ଭୁସି ମାରିଦେବା ଉଦ୍ୟମ କରିଥିବା ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ତଥା ଆକ୍ରମଣକାରୀଙ୍କ ଦେଢଶୁର (ବଡଭାଇ) କେଶବ ଦେହୁରୀ (୪୫)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ଚାଷ ଜମିରୁ କେଶବଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ବାଇକ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏନେଇ ଗୁରୁତର ଆହତ ହୋଇଥିବା କେଶବ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ରେଢାଖୋଲ ଥାନା କେସ ନମ୍ବର ୧୫୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ଆକ୍ରମଣ କାରୀ ସାନ ଭାଇ ମୀନ କେତନ ଦେହୁରୀଙ୍କୁ ଅଟକ ରଖିଥିବା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। କେଶବଙ୍କୁ ତାଙ୍କ ସାନ ଭାଇ ମୀନକେତନ ଦେହୁରୀ ଓ ତାଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଚାଷ ଜମିରେ କେଶବଙ୍କ ସହ କଳହ କରିବା ସହ ପ୍ରଚୁର ମାଡ଼ ମାରି ପ୍ରଥମେ ସାନ ଭାଇ ମୀନ କେତନ ଏକ ଶାବଳରେ ପେଟରେ ଭୁସି ମାରି ଦେବାକୁ ଉଦ୍ୟମ କରି ଥିଲେ। ସେଥିରେ ବଡ଼ ଭାଇ କେଶବ ଅଳ୍ପକେ ରକ୍ଷା ପାଇ ଯାଇ ଥିଲେ। ଏହା ପରେ ଘଟଣା ସ୍ଥଳରେ ଥିବା ମୀନ କେତନଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡରେ ହାଣି ପକାଇ ଥିଲେ ବୋଲି ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

ଲିଖିତ ଅଭିଯୋଗରେ ସେ ଜଣାଇଛନ୍ତି ଯେ ରାଇଲ ଗ୍ରାମର ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀ କେଶବ ଦେହୁରୀ ଗୁରୁବାର ସକାଳ ୯ ଟା ବେଳେ ତାଙ୍କ ଶାଳବଣିଆରେ ଥିବା ଚାଷ ଜମିକୁ ଯାଇ କାମ କରୁଥିଲେ। ଏହି ସମୟରେ କେଶବଙ୍କ ସାନ ଭାଇ ମୀନ କେତନ ଓ ତାଙ୍କ ପତ୍ନୀ ଚଞ୍ଚଳା ଦୌଡ଼ି ଆସି ଏକ ଶାବଳରେ ଭୁସି ଦେଉ ଥିବା ବେଳେ ଗ୍ରାମର ଚକ୍ରଧର ଶାବଳ ଛଡାଇ ନେଇ ଥିଲା। ଏହା ପରେ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ ତାଙ୍କ ଦେଢଶୁର କେଶବଙ୍କ ପଛ ପଟୁ ମୁଣ୍ଡରେ ଆକ୍ରମଣ ତଥା ହାଣି ଦେଇଥିଲେ। ଏହା ପରେ ଏକ ଢେଙ୍ଗାରେ ପ୍ରଚୁର ମାଡ଼ ମଧ୍ୟ ମାରି ଥିଲେ।

ଗୁରୁତର ଆହତ କେଶବଙ୍କ ପତ୍ନୀ ଶୋଭାଗିନୀ ଦେହୁରୀ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମ ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ହେବା ଦିନଠୁ ମାଛ ଚିହ୍ନ ଭୋଟ ଦେଇ ଥିବା ଲୋକଙ୍କୁ ଗୋଟି ଗୋଟି କରି ମାରିବି ବୋଲି ରାସ୍ତାରେ ପାଟି କରି କହୁଥିଲେ।ଏହା ସହ କେଶବଙ୍କ ପତ୍ନୀଙ୍କୁ ବିଧବା କରିଦେବା ପାଇଁ ଆଗରୁ ସବୁବେଳେ ଧମକ ଦେଇ ଆସୁଥିଲା।

ଏହି ଗଣ୍ଡଗୋଳରେ ଗ୍ରାମର କେତେକ ଖଳ ପ୍ରକୃତିର ଲୋକେ ପ୍ରବର୍ତ୍ତାଉ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଉଲ୍ଲେଖ ଥାଉକି ଗତ ୨୦୦୮ ମସିହାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ନାଏବ ସରପଞ୍ଚ ତଥା ରାଇଲ ଗ୍ରାମର ରବି ସାହୁଙ୍କୁ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ହତ୍ୟା ଘଟଣା ଘଟି ଯାଇଥିଲା। ଯାହାକି ଏବେ ମଧ୍ୟ ଅଞ୍ଚଳବାସୀ ଓ ଗ୍ରାମବାସୀଙ୍କ ମନରୁ ଲିଭି ନ ଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟିବ ସେଥିପାଇଁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ପାଇଁ ଲୋକେ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ କଲା କିସିଣ୍ଡା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ପୁର୍ବ ଶତୃତାକୁ କେନ୍ଦ୍ରକରି ଜଣେ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ହେଲେ ଆକ୍ରମଣ କରିବା ପରେ ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ଅଭିଯୁକ୍ତଜଣଙ୍କୁ କିସିଣ୍ଡା ପୋଲିସ୍ ଗିରଫ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୯ ଜୁଲାଇ ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦)ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ଯୁବକ ରଘୁର ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ପକାଇଥିଲା। ଗାଁ ଲୋକମାନେ ପାଟିତୁଣ୍ଡ କରିବାରୁ ଟାଙ୍ଗିଆ ଛାଡି ଆକ୍ରମଣ କାରୀ ଫେରାର ହୋଇଯାଇଥିଲା। ରଘୁର ବେକକୁ କମ୍ଭୁ ଟାଙ୍ଗିଆରେ ଚୋଟ ମାରିବାକୁ ଉଦ୍ୟମ କରୁଥିବାବେଳେ ସୌଭାଗ୍ୟକୁ ରଘୁ ବେକକୁ ନୁଆଁଇ ଦେବାରୁ ନିଜ ମୁଣ୍ଡରେ ଟାଙ୍ଗିଆଟି ବାଜି ଯାଇଥିଲା। ସେଠାରେ ସେ ତଳେ ପଡିଯାଇଥିଲେ।

ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀ କମ୍ଭୁ ଫେରାର ହୋଇଯାଇଥିଲା।

ଗତକାଲି ରାତିରେ କିସିଣ୍ଡା ପୋଲିସ୍ ଆକ୍ରମଣ କାରୀ କମ୍ଭୁ ପଟ୍ଟନାୟକକୁ ତାର ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ଆହତ ରଘୁ ଦେହୁରୀର ଅଭିଯୋଗ କ୍ରମେ କିସିଣ୍ଡା ଥାନା କେସ୍ ନଂ ୩୯/୨୦୨୧ଦଫା ୩୪୧, ୩୦୭ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡଛିି। ଆଜି ଆକ୍ରମଣକାରୀ କମ୍ଭୁ ପଟ୍ଟନାୟକକୁ କୋର୍ଟଚାଲାଣ କରାଯାଇଥିବା କିସିଣ୍ଡା ଏସ୍‌.ଆଇ ରାମେଶ୍ୱର ସିଂ ପ୍ରକାଶ କରିଛନ୍ତି।