Categories
ଆଞ୍ଚଳିକ

ବାଣପୁର: ଟିୟୁସନ ସମୟରେ ଭୁଷୁଡିପଡିଲା କାନ୍ଥ, ୪ ଛାତ୍ରଛାତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଠପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମରେ କାନ୍ଥ ଭୁଶୁଡି ୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ସନ୍ଧ୍ୟାରେ ମଠପାଟଣା ଗ୍ରାମରେ ଏକ ଘରୋଇ ଟ୍ୟୁସନ ଚାଲିଥିବା ବେଳେ ଛାତ ଉପର କାନ୍ଥ ଭୁଶୁଡି ପିଲାମାନଙ୍କ ଉପରେ ମାଡିବସିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ରଶ୍ମି ରେଖା ଜେନା କହିଛନ୍ତି।

ଆହତଙ୍କ ମଧ୍ୟରେ ତିନି ଜଣ ଝିଅ ରହିଥିବା ବେଳେ ଜଣେ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୪ ରୁ ୧୦ ବର୍ଷ ମଧ୍ୟରେ ହେବ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଘର ମଠପାଟଣା ବୋଲି ଜଣାପଡିଛି। ଅଚାନକ ଏଭଳି ଅଘଟଣରେ ଅଞ୍ଚଳବାସୀ ମ୍ରିୟମାଣ ହୋଇପଡିଥିବା ବେଳେ ଆହତ ଶିଶୁ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।