Categories
ଆଞ୍ଚଳିକ

ବାଣପୁର ତହସିଲର ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ ଟି. ପଦ୍ମନାଭ ଦୋରା

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ଟି. ପଦ୍ମନାଭ ଦୋରା। ଶ୍ରୀ ଦୋରା ୨୦୧୫ ଓଏଏସ ଅଧିକାରୀ ହୋଇଥିବା ବେଳେ ନିକଟରେ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

ଏହା ପୁର୍ବରୁ ସେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲଦାର ଭାବେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ଵ ସମୟ କାର୍ଯ୍ୟରତ ଥିଲେ। ଜଣେ ସଫଳ ପ୍ରଶାସକ ଏବଂ ଜନପ୍ରିୟ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ଦୋରା। ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଚିତ୍ରକୋଣ୍ଡା ପରି ମାଓବାଦୀ ଅଞ୍ଚଳରେ ବେଶ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରି ଜନପ୍ରିୟ ହୋଇପାରିଛନ୍ତି ଶ୍ରୀ ଦୋରା।

ଏହା ପୁର୍ବରୁ ସେ ଦୀର୍ଘ ୩ ବର୍ଷ ଧରି ରାୟଗଡା ଜିଲ୍ଲା ପଦ୍ମପୁର ତହସିଲଦାର ଏବଂ ବହୁ ବର୍ଷ ଧରି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥାଇ ଜରୁରୀକାଳୀନ ଓ ନିର୍ବାଚନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଙ୍ଗ ଧରିଥିଲେ। ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଫାଇଲିନ ଏବଂ ସାଧାରଣ ନିର୍ବାଚନକୁ ବେଶ ସଫଳତାର ସହକାରେ ପରିଚାଳନା କରିପାରିଥିଲେ ଶ୍ରୀ ଦୋରା।

ବାଣପୁର ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ଓ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ସରକାରଙ୍କ ୫-ଟି ଉପକ୍ରମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଠିକ ରୂପାୟନକୁ ଗୁରୁତ୍ୱ ଦେବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ନୂତନ ତହସିଲଦାର ଶ୍ରୀ ଦୋରା।