Categories
ବିଶେଷ ଖବର ରାଜ୍ୟ ଖବର

ଜଳସମ୍ପଦ ବିଭାଗରେ ନିଯୁକ୍ତ ହେଲେ ୩୬ ଜଣ ଭୂତତ୍ତ୍ୱବିତ୍, ଦିଆଗଲା ନିଯୁକ୍ତ ପତ୍ର

ଭୁବନେଶ୍ବର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଭୂତତ୍ତ୍ୱବିତ୍(ଜିଓଲୋଜିଷ୍ଟ) ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ଏଥି ସହ ମନ୍ତ୍ରୀ ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍ଧତା ନେଇ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନ “ଗେସ୍” (ଗ୍ରାଉଣ୍ଡ ୱାଟର ୟୂଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍ଚର ସର୍ଭେ) ର ଶୁଭ ଉନ୍ମୋଚନ କରିଥିଲେ।

ତତ୍ ସହିତ ମନ୍ତ୍ରୀ ଶ୍ରୀମତୀ ସାହୁ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ “ଛାତ” ଯୋଜନାରେ ଜନସାଧାରଣ କିପରି ସୁଯୋଗ ନେଇ ପାରିବେ, ଏହି ପରିପ୍ରେକ୍ଷୀରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଓ ପ୍ରଚାର ପତ୍ରର ଶୁଭ ଉନ୍ମୋଚନ କରିବା ସହ ଏହି ଯୋଜନା ସଂପର୍କରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଏକ ପ୍ରଚାର ଗାଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଜୀବନ ପାଇଁ ଜଳ ଅପରିହାର‌୍ୟ୍ୟ। ସାଧାରଣ ଜୀବନଯାପନରେ ପିଇବା ପାଣିଠାରୁ ଆରମ୍ଭ କରି କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଳସଂପଦର ସୁରକ୍ଷା, ଜଳସେଚନର ବିକାଶ ଓ କୃଷିର ଉନ୍ନତି ପାଇଁ ରାଜ୍ୟ ବଜେଟରେ ଅଧିକ ଆର୍ଥିକ ବ୍ୟବସ୍ଥା କରିଛନ୍ତି।

ଆମେ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଓ ଉଠା ଜଳସେଚନ, ଚେକ୍ ଡ୍ୟାମ୍ ଆଦି ବ୍ୟବସ୍ଥା ମାଧ୍ୟମରେ ଜଳର ଉପାଦେୟତା ନେଇ ନିରନ୍ତର କାର୍ଯ୍ୟ ଜାରି ରଖିଛୁ। କିନ୍ତୁ ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଦୃଷ୍ଟିରୁ ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡୁଛି । ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନେ ବିଶେଷ କରି ଆମର ଯେଉସବୁ ବ୍ଲକରେ ଭୂତଳଜଳ ସ୍ତର କମିବାର ସୂଚନା ରହିଛି, ସେହି ସବୁ ଅଂଚଳରେ ଭୂତଳ ଜଳସ୍ତର ସ୍ଥିତି ଅନୁଧ୍ୟାନ କରି ଜନସାଧାରଣଙ୍କୁ ଭୂତଳ ଜଳର ଉପଲବ୍ଧି ନେଇ କାର‌୍ୟ୍ୟ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ “୫-ଟି” ଉପକ୍ରମ ଆଧାରରେ ବିଭାଗରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଅନେକ କ୍ଷେତ୍ରରେ କାର‌୍ୟ୍ୟ ତ୍ୱରାନିତ କରାଯାଇଥିବା ବେଳେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନେ ଏଥିରେ ସାମିଲ ହୋଇ ବିଭାଗର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଥିଲେ।

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ଭୂତଳ ଜଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୂତଳ ଜଳର ନିଷ୍କାସନ ହାର ଜାତୀୟ ସ୍ତରରେ ୬୧ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏହା ୪୩ ପ୍ରତିଶତ ରହିଛି। ଏଣୁ ଭୂତଳ ଜଳ ନିଷ୍କାସନ କ୍ଷେତ୍ରରେ ରହୁଥିବା ଚାପ ଆମ ରାଜ୍ୟରେ କମ ରହିଛି। କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନ ହୋଇ ଭୂତଳ ଜଳ ଭରଣର ମାତ୍ରାକୁ ବଢ଼ାଇବାକୁ ପଡିବ ।

ଛାତ ଉପର ବର୍ଷା ଜଳ ଅମଳ ବ୍ୟବସ୍ଥା (ଛାତ) ଯୋଜନାର ସୁଯୋଗ ନେବା, ଭୂତଳ ଜଳ ଭରଣ ବ୍ୟବସ୍ଥା ‘ଅରୁଆ’ (ଆର୍ଟିଫିସିଆଲ ରିଚାର୍ଜ ଟୁ ଅଣ୍ଡରଗ୍ରାଉଣ୍ଡ ଆକ୍ୱାଫର) କୁ ଆପଣେଇବା ପାଇଁ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।

ରାଜ୍ୟରେ ୭ଟି ବ୍ଲକର ଭୂତଳ ଜଳସ୍ତର ଅର୍ଦ୍ଧ ଗମ୍ଭୀରଭିତରେ ଅଛି । କିନ୍ତୁ କୌଣସି ବ୍ଲକରେ ଭୂତଳ ଜଳ ସ୍ତର ଅତ୍ୟଧିକ ନିଷ୍କାସିତ ହେଉ ନାହିଁ । ଯେଉଁ ଭୂତତ୍ତ୍ୱବିତ୍ମାନେ ବିଭାଗରେ ନୂତନ ଭାବେ ଯୋଗଦାନ କରିଛନ୍ତି, ସେମାନେ ସାଧୁତା ଓ ଦକ୍ଷତାର ସହ କାର୍ଯ୍ୟ କରିବା ସହ ଭୂତଳ ଜଳ ସ୍ତରର ସ୍ଥିତି ଆକଳନ ଓ ଏହାର ସଠିକ୍ ଉପଯୋଗିତାରେ ସହାୟତା କରିବାକୁ ଶ୍ରୀମତୀ ଗର୍ଗ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟର କାର୍ଯ୍ୟବଳୀ ଓ ସଫଳତାକୁ ଆଧାର କରି ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଯନ୍ତ୍ରୀ ଭୂତଳ ଜଳ ଉନ୍ନୟନ, ଓଡ଼ିଶା ଇଂ.କୃଷ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ନକ୍ସାଙ୍କନ ଡ଼ଃ ଚନ୍ଦ୍ରଶେଖର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ବାଣିଜ୍ୟ ଓ ପରିବହନ ବଜେଟ: ବିଦ୍ୟୁତଚାଳିତ ଯାନ ସବସିଡ୍‌ ପାଇଁ ୨୫ କୋଟି ବ୍ୟୟ ବରାଦ

ଭୁବନେଶ୍ୱର: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଏକ ନବୀନ ଓଡିଶା ସଶକ୍ତ ଓ ପ୍ରଗତିଶୀଳ ଓଡିଶାର ପରିକଳ୍ପନା କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ହେଉଛି ରାଜ୍ୟବାସୀଙ୍କ ଅଭିବୃଦ୍ଧି, ସମୃଦ୍ଧି ଓ କଲ୍ୟାଣର ମାଧ୍ୟମ। ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ସମସ୍ତ ପରିବହନ ବ୍ୟବସ୍ଥା ଯଥା ସଡ଼କ, ରେଳ, ଜଳ ଓ ବେସାମରିକ ବିମାନ ଚଳାଚଳ ସୁଯୋଗକୁ ବାସ୍ତବ ଓ ସାକାର କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ରାଜ୍ୟ ତଥା ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ନିରବଚ୍ଛିନ, ସୁନିଶ୍ଚିତ କରିବା ଏବଂ ମଲଫିମୋଡାଲ ଇକୋସିଷ୍ଟମକୁ ମଜବୁତ କରିବା ସହ ପରିବହନ ସଂଯୋଗୀକରଣ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି।

ସେହିପରି ରାଜ୍ୟର ସମସ୍ତ ଜିଲ୍ଲାକୁ ରେଳ ସଂଯୋଗୀକରଣ କରିବା, ଓଡିଶାକୁ ସ୍ଥାୟୀ ସାମୁଦ୍ରିକ ବନ୍ଦରର ବିକାଶ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ପ୍ରଗତିଶୀଳ ରାଜ୍ୟ ଭାବେ ପରିଣତ କରିବା ଏବଂ ସଡ଼କ ଦୁର୍ଘଟଣା ଏବଂ ତତ୍‌ଜନୀତ ମୃତାହତଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କ ସହଯୋଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ରାଜ୍ୟ ସରକାର ବିଭାଗ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେହିପରି ଆକାଶ ମାର୍ଗ ପରିବହନ ବ୍ୟବସ୍ଥା ମାଧ୍ୟମରେ ଆନ୍ତଃରାଜ୍ୟ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି।

ଇତି ମଧ୍ୟରେ ବେସାମରିକ ବିମାନ ଚଳାଚଳ, ମୋଟର ଯାନ ଚଳାଚଳ, ପଣ୍ୟବାହୀ ଟ୍ରକ ଯାନର ସୁଗମ ଚଳାଚଳ, ବାୟୁ ପ୍ରଦୂଷଣ ହ୍ରାସ ଏବଂ ଅଣପ୍ରମୁଖ ବନ୍ଦରଗୁଡିକର ବିକାଶ ପାଇଁ ବେସରକାରୀ ବିକାଶକାରୀ/ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୨ ରେ କେତେକ ନୀତି ପ୍ରଣୟନ କରାଯାଇଛି। ଓଡିଶା ବେସାମରିକ ବିମାନ ଚଳାଚଳ ନୀତି -୨୦୨୨, ଓଡିଶା ମୋଟର ଯାନ (ପଞ୍ଜୀକରଣ ଏବଂ ଯାନ ସ୍କ୍ରାପିଂ ସୁବିଧା) ନୀତି -୨୦୨୨, ଓଡ଼ିଶା ଲଜିଷ୍ଟିକ୍‌ ନୀତି ୨୦୨୨ ଏବଂ ଓଡ଼ିଶା ବନ୍ଦର ନୀତି -୨୦୨୨ ଆଦି ଏଥି ମଧ୍ୟରେ ଅନ୍ୟତମ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ସାହୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ ଲଜିଷ୍ଟିକ୍‌ସ ଇଜ୍‌ ଆକ୍ରସ୍‌ ଡିଫରେଣ୍ଟ ଷ୍ଟେଟ୍‌ (ଲିଡସ୍‌) – ୨୦୨୨ ମାନଦଣ୍ଡରେ ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡିଶା ୯୦% ରୁ ଅଧିକ ସ୍କୋର ସହିତ ‘ଆଚିଭର’ର ମାନ୍ୟତା ପାଇଛି। ‘ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି’ ଦ୍ୱାରା ନିୟୋଜିତ ଏଜେନ୍ସିର ଅଡିଟ୍‌ ରିପୋର୍ଟ ଅନୁଯାୟୀ ସଡକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓଡିଶାକୁ ଶତକଡା ୬୭.୩% ସହିତ ‘ଉଚ୍ଚ ପ୍ରଦର୍ଶନକାରୀ’ ମାନ୍ୟତା ଦିଆଯାଇଛି। ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୧୮୮୭.୪୮ କୋଟି ସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷର ଏହି ଅବଧି ମଧ୍ୟରେ ସଂଗୃହିତ ରାଜସ୍ୱ ତୁଳନାରେ ୩୦% ଅଧିକ। ବିଭିନ୍ନ ଅନୁଷ୍ଠାନର ଦିବ୍ୟାଙ୍ଗ(ଭିନ୍ନକ୍ଷମ ବ୍ୟକ୍ତି) ସମେତ ଅନେକ ଛାତ୍ରଛାତ୍ରୀଙ୍କୁ ରାଉରକେଲାଠାରେ ଆୟୋଜିତ ପୁରୁଷ ହକି ବଶ୍ୱକପ୍‌ ମ୍ୟାଚ୍‌ ୨୦୨୨ ଦେଖିବା ପାଇଁ ବିମାନ ଯାତ୍ରାର ସୁବିଧା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଉଡ଼ାଣ ଅଭିଜ୍ଞତାକୁ ଉପଭୋଗ କରିବାର ସୁଯୋଗ ପାଇଥିଲେ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ, ସାରା ରାଜ୍ୟରେ ସୁନିଶ୍ଚିତ ତଥା ସୁଲଭ ପରିବହନ ସହ ଓଡ଼ିଶାର ଲୋକଙ୍କୁ ସୁବିଧାଜନକ ସେବା ପାଇଁ ଲୋକେସନ୍‌ ଆସେସିବୁଲ୍‌ ମଲଫିମୋଡାଲ୍‌ ଇନିସିଏଟିଭ୍‌ (“Location Accessible multimodal Initiative (LACCMI)”) ନାମକ ଏକ ନୂତନ ଯୋଜନା କରାଯାଇଛି। ବସ୍‌, ରେଳ ଷ୍ଟେସନ୍‌, ବାଣିଜ୍ୟିକ କେନ୍ଦ୍ର, ସ୍ୱାସ୍ଥ୍ୟ ସେବାକେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତାୟତର ସୁଯୋଗ ସୃଷ୍ଟି କରିବା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷପାଇଁ ୧୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି।

ଏତଦ୍‌ବ୍ୟତୀତ ବିଦ୍ୟୁତଚାଳିତ ଯାନ କ୍ରୟରେ ହିତାଧିକାରୀଙ୍କୁ ସବସିଡ୍‌ ପ୍ରଦାନ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଡ୍ରାଇଭରଙ୍କର ଯାନ ଚାଳନା ଦକ୍ଷତାର ବିକାଶ ପାଇଁ ଚାରିଟି (୦୪) ଡ୍ରାଇଭିଙ୍ଗ ଟ୍ରେନିଂ ଓ ଗବେଷଣା ପ୍ରତିଷ୍ଠାନ ର ସ୍ଥାପନା, ମୋଟରଗାଡିର ଫିଟ୍‌ନେସ ଓ ପରୀକ୍ଷା ପାଇଁ ଅଟୋମେଟିକ୍‌ ଟେଷ୍ଟିଂ ଷ୍ଟେସନ୍‌ ସ୍ଥାପନ ଏବଂ ପଣ୍ୟବାହୀ ଟ୍ରକ ଯାନ ରହଣି ପାଇଁ ଟ୍ରକ୍‌ ଟର୍ମିନାଲ୍‌ ପ୍ରତିଷ୍ଠା, ଜଳପଥରେ ଯାତ୍ରା ସମୟରେ ଇନ୍‌ଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ଲାଇଫ୍‌ବୟ, ଲାଇଫ୍‌ ଜ୍ୟାକେଟ୍‌ ପ୍ରଦାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ମୋଟ ୧୫୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିମାନ ଚଳାଚଳ ପାଇଁ ଉଡାନ୍‌ ଯୋଜନା ଅଧୀନରେ ବିମାନ ଅବତରଣ କେନ୍ଦ୍ର ନିର୍ମାଣ ଏବଂ ଉଡ଼ାଣର କ୍ଷତିଭରଣା ପାଇଁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସବସିଡି ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶାଲ ଠାରେ ଥିବା ବିଜୁ ପଟ୍ଟନାୟକ ଏଇରୋସ୍ପେସ୍‌ ଏକାଡେମୀ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚୁ୍ୟଟ୍‌କୁ ବିଶ୍ୱସ୍ତରୀୟ ଉନ୍ନତିକରଣ ତଥା ଏଠାରେ ୫୦୦ ଜଣ ପାଇଲଟ୍‌ଙ୍କୁ ବିଶ୍ୱସ୍ତରୀୟ ପାଇଲଟ୍‌ ଟ୍ରେନିଙ୍ଗ୍‌ ପ୍ରଦାନର ସୁବିଧା ପାଇଁ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌ରେ ୩୨୫.୦୦ କୋଟି ଟଙ୍କା ରଖାଯାଇଛି। ରାଜ୍ୟରେ ଚାଲୁଥିବା ରେଳ ପ୍ରକଳ୍ପ ଏବଂ ନୂତନ ରେଳ ପ୍ରକଳ୍ପ ବିକାଶ ପାଇଁ ବଜେଟ୍‌ରେ ୩୬୦.୦୦ କୋଟି ଟଙ୍କା ରଖାଯାଇଛି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପାଇଁ ୨୧୦.୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆମ ବସ୍‌ଷ୍ଟାଣ୍ଡ ନିର୍ମାଣ, ନୂତନ ବସ୍‌ କ୍ରୟ ଏବଂ ସମନ୍ୱିତ ପରିବହନ ପରିଚାଳନା ପଦ୍ଧତି (ଆଇଟିଏମ୍‌ଏସ୍‌) କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମିର ବିକାଶ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ ସୁରେନ୍ଦ୍ରନାଥ ପରିଡ଼ା ପରିଚାଳନା କରିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡରାଇଲାଣି ସୁବର୍ଣ୍ଣରେଖା ଓ ବୈତରଣ ନଦୀ, ଆସନ୍ତା ଦୁଇଦିନ ବଡ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଆଜି ପୂର୍ବାହ୍ଣରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,ସୁବର୍ଣ୍ଣରେଖା ଜଳସେଚନ ଡିଭିଜନର ମୁଖ୍ୟଯନ୍ତୀ,ବାଲେଶ୍ୱର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ,ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନ ଉପସ୍ଥିତ ଥିଲେ।

ବନ୍ୟା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିବା ନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଆଲୋଚନା ଅନୁସାରେ ଆଜି ସକାଳ ସୁଦ୍ଧା ଝାଡଖଣ୍ଡର ଗାଲୁଡିହ ଜଳଭଣ୍ଡାରରୁ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ଓଡିଶାରେ ସୁବର୍ଣ୍ଣରେଖା ନଦୀରେ ଆଜି ସଂଧ୍ୟାରୁ ଆସନ୍ତା କାଲି ୧୦ ଟା ଭିତରେ ଜଳସ୍ତର ବୃଦ୍ଧି ପାଇବ ଓ ସେଥି ଯୋଗୁଁ ବଡ ଧରଣର ବନ୍ୟାର ସମ୍ଭାବନା ରହିଛି। ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଂଚଳ ପ୍ରଭାବିତ ହେବ।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ନଦୀବନ୍ଧ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ସତର୍କ ରହି ନିୟମିତ ତଦାରଖ କରନ୍ତୁ। ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗର ଅଧିକାରୀ, କ୍ଷେତ୍ର ସ୍ତରରେ ଥିବା ଯନ୍ତ୍ରୀ ଓ କର୍ମଚାରୀ ଭାବେ ଅଧିକ ଚଳ ଚଞ୍ଚଳ ରହି ବନ୍ୟା ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ନଦୀଗୁଡିକରେ ବିଭିନ୍ନ ସମୟରେ ଜଳସ୍ତର ଓ ଜଳପ୍ରବାହ ସଂପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ ମନ୍ତ୍ରୀବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ସବୁ ସମୟରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରାଯାଉଛି। ବନ୍ୟା ମୁକାବିଲା ପାଇଁ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ତଥା ଯନ୍ତ୍ରୀମାନଙ୍କୁ ପଠାଯାଇଛି ଓ ସେମାନେ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ଅନୁଧ୍ୟାନ କରି ବନ୍ୟା ପରିଚାଳନା କରୁଛନ୍ତି।