Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ଆଶ୍ଚର୍ଯ୍ୟଜନକ ବେପାର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟଠାରେ ଅକ୍ଟୋବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’ ଶେଷ ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାରୁ ୨୫୦ରୁ ଅଧିକ ହସ୍ତଶିଳ୍ପ କାରିଗର ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।

କୁଇବାହାଲ ଓ ସିଲାଟି(ସୁବର୍ଣ୍ଣପୁର), ବରପାଲି(ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକୁଆ (ଜଗତସିଂହପୁର), କୁସୁମି (କୋରାପୁଟ) ପରି କେତେକ ମୁଖ୍ୟ ଟେରାକୋଟା ପୁଞ୍ଜ ସହିତ ଅନ୍ୟ ସମସ୍ତ ଜିଲ୍ଲାର ଟେରାକୋଟା ପୁଂଜ ଅଞ୍ଚଳ ଏଥିରେ ସାମିଲ ହୋଇଛନ୍ତି ।

ଏହି ପ୍ରଦର୍ଶନୀରେ ଦର୍ଶକମାନେ ବିଭିନ୍ନ ଟେରାକୋଟା ହସ୍ତଶିଳ୍ପ ପ୍ରତି ଆକୃଷ୍ଟ ହେବା ସହିତ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ। ରାଜ୍ୟର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ନେଇ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାଟିରେ ତିଆରି ଘରୋଇ ଉପକରଣ, ହାଣ୍ଡିକଡ଼େଇ, ରୋଷେଇଘର ସାମଗ୍ରୀ, ଅଳଙ୍କାର, ଦୀପାବଳି ସାମଗ୍ରୀ, ଦୀପ, ବଗିଚା ସାମଗ୍ରୀର ଚାହିଦା ମେଳାରେ ଦେଖିବାକୁ ମିଳିଥିଲା।

ଏହି ‘ମୃତ୍ତିକା-୨୨’ ମେଳାରେ ୨ ଲକ୍ଷରୁ ଅଧିକ ଦର୍ଶକ ଓ ପର୍ଯ୍ୟଟକ ଯୋଗଦେଇଥିବା ଆକଳନ କରାଯାଇଛି। କାରିଗରମାନେ ୨ କୋଟି ୩ ଲକ୍ଷ ୪୭ ହଜାର ଟଙ୍କାର ବେପାର କରିଥିବା ରେକର୍ଡ କରାଯାଇଛି । ଶେଷ ଦିନ ପର୍ଯ୍ୟନ୍ତ ଏହି ମେଳା ଅତି ଉତ୍ସବମୁଖର ଓ ଶାନ୍ତିଶୃଙ୍ଖଳା ସହିତ ଆୟୋଜିତ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜମୁଛି ଏକ୍ରାମ ହାଟରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କାରିଗରମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଚାନ୍ଦୁଆ କାମ, ବାଉଁଶ କାମ, କାଠ ଖୋଦେଇ, ଲାଖ କାମ, କାଇଁଚ, ଶିଙ୍ଘ କାମ, ଟେରାକୋଟା, ରୂପା ତାରକଶି ଭଳି ୧୯ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ଏହି ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଜି ସନ୍ଧ୍ୟାରେ ଏକାମ୍ର ହାଟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବରି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରଦର୍ଶନୀ ପରିଦର୍ଶନ କରି କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ନୂଆ ରୂପରେ ଏକାମ୍ର ହାଟ ଭୁବନେଶ୍ୱରର ଲୋକାର୍ପଣ ହେବା ପରେ କାରିଗର, ବୁଣାକାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତିମାନଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ଏହି ହାଟରେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ପରିଦର୍ଶକମାନେ ଏହି ହାଟରେ ଥିବା ସମୁଦାୟ ୮୩ଟି ଷ୍ଟଲରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି ।

ଏଥି ମଧ୍ୟରୁ ଉତ୍କଳିକା, କଳାଭୂମି, ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଓର୍‌ମାସ୍‌ ଭଳି ସଂସ୍ଥାମାନଙ୍କୁ ୮ଟି ଷ୍ଟଲ ଆବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ଏହି ହାଟରେ ଦର୍ଶକମାନଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ଉପଲବ୍ଧ କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ କରାଯାଉଛି ।

ସେହିପରି ପରିଦର୍ଶକ,ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଉପଲବ୍ଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।