ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ଆଶ୍ଚର୍ଯ୍ୟଜନକ ବେପାର

Published: Oct 24, 2022, 2:38 pm IST

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟଠାରେ ଅକ୍ଟୋବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’ ଶେଷ ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାରୁ ୨୫୦ରୁ ଅଧିକ ହସ୍ତଶିଳ୍ପ କାରିଗର ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।

କୁଇବାହାଲ ଓ ସିଲାଟି(ସୁବର୍ଣ୍ଣପୁର), ବରପାଲି(ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକୁଆ (ଜଗତସିଂହପୁର), କୁସୁମି (କୋରାପୁଟ) ପରି କେତେକ ମୁଖ୍ୟ ଟେରାକୋଟା ପୁଞ୍ଜ ସହିତ ଅନ୍ୟ ସମସ୍ତ ଜିଲ୍ଲାର ଟେରାକୋଟା ପୁଂଜ ଅଞ୍ଚଳ ଏଥିରେ ସାମିଲ ହୋଇଛନ୍ତି ।

ଏହି ପ୍ରଦର୍ଶନୀରେ ଦର୍ଶକମାନେ ବିଭିନ୍ନ ଟେରାକୋଟା ହସ୍ତଶିଳ୍ପ ପ୍ରତି ଆକୃଷ୍ଟ ହେବା ସହିତ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ। ରାଜ୍ୟର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ନେଇ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାଟିରେ ତିଆରି ଘରୋଇ ଉପକରଣ, ହାଣ୍ଡିକଡ଼େଇ, ରୋଷେଇଘର ସାମଗ୍ରୀ, ଅଳଙ୍କାର, ଦୀପାବଳି ସାମଗ୍ରୀ, ଦୀପ, ବଗିଚା ସାମଗ୍ରୀର ଚାହିଦା ମେଳାରେ ଦେଖିବାକୁ ମିଳିଥିଲା।

ଏହି ‘ମୃତ୍ତିକା-୨୨’ ମେଳାରେ ୨ ଲକ୍ଷରୁ ଅଧିକ ଦର୍ଶକ ଓ ପର୍ଯ୍ୟଟକ ଯୋଗଦେଇଥିବା ଆକଳନ କରାଯାଇଛି। କାରିଗରମାନେ ୨ କୋଟି ୩ ଲକ୍ଷ ୪୭ ହଜାର ଟଙ୍କାର ବେପାର କରିଥିବା ରେକର୍ଡ କରାଯାଇଛି । ଶେଷ ଦିନ ପର୍ଯ୍ୟନ୍ତ ଏହି ମେଳା ଅତି ଉତ୍ସବମୁଖର ଓ ଶାନ୍ତିଶୃଙ୍ଖଳା ସହିତ ଆୟୋଜିତ ହୋଇଥିଲା।

Related posts