Categories
ବିଶେଷ ଖବର

କପିଳେଶ୍ୱର ମନ୍ଦିର ପ୍ରସଙ୍ଗ: ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲା ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ ପ୍ରକୃତରେ କାର୍ଯ୍ୟ କରିବା ଅପେକ୍ଷା ପ୍ରଚାରରେ ଅଧିକ ଆଗ୍ରହୀ। ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ୱର ମନ୍ଦିର ପ୍ରସଙ୍ଗ। ମଇ ୫ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ, କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ୱାରା ହାତକୁ ନିଆଯିବ। ତେବେ ମଇ ୯ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଜୋରଦାର ପ୍ରଚାର ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍‍ଆଇକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି।

ଶ୍ରୀ ପ୍ରଧାନ ନିଜର ପ୍ରଚାର ପ୍ରସାର କରିବା ଏବଂ ଚିଠି ଦେବା ପରିବର୍ତ୍ତେ କେବଳ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ବୁଝି ପାରିଥାନ୍ତେ। ଆମେ ଜାଣିଛୁ ଯେ, କପିଳେଶ୍ୱର ମନ୍ଦିର କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ଅପେକ୍ଷା ଶ୍ରୀ ପ୍ରଧାନ ପ୍ରଚାରରେ ଅଧିକ ଆଗ୍ରହୀ। ସେ ତାଙ୍କ ଦଳର ସହକର୍ମୀ ଶ୍ରୀମତୀ ଅପରାଜିତାଙ୍କ ଠାରୁ ଶିଖି ନେବା ଉଚିତ୍‍ ବୋଲି ଡକ୍ଟର ମହାନ୍ତି କହିଛନ୍ତି।