Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, ଆସନ୍ତାକାଲିଠାରୁ ପେଟ୍ରୋଲ ଡିଜେଲ ହେବ ଶସ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆସନ୍ତାକାଲି ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ।

ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ । ଗତ ମହାମାରୀଜନିତ ଲକଡାଉନ ସମୟରେ ଦେଶର ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ବଜାୟ ରଖିପାରିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଡିଜେଲ ମୂଲ୍ୟରେ ଅଧିକ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଗତ କିଛି ମାସ ହେବ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏହାର ପରିଣାମ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଥିଲା ଯାହାକି ମୂଦ୍ରାସ୍ଫିତୀ ଜନିତ ଚାପ ବୃଦ୍ଧି କରିଥିଲା। ବିଶ୍ବ ସ୍ତରରେ ସମସ୍ତ ପ୍ରକାରର ଇନ୍ଧନର ଅଭାବ ଏବଂ ମୂଲ୍ୟ ବୃଦ୍ଧି ମଧ୍ୟ ଦେଖାଦେଇଛି। ତେବେ ଦେଶରେ କିପରି ଭାବେ ଇନ୍ଧନ ସଙ୍କଟ ଦେଖାନଦେବ ଭାରତ ସରକାର ସେଥିପ୍ରତି ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଳବ୍ଧ କରାଯାଇଛି।

ଭାରତର ଆକାଂକ୍ଷୀ ଜନସଂଖ୍ୟାର ଉଦ୍ୟମିତା କ୍ଷମତା ଦ୍ବାରା ପରିଚାଳିତ ହୋଇ ଭାରତୀୟ ଅର୍ଥବ୍ୟବସ୍ଥା କୋଭିଡ-୧୯ ପରବର୍ତ୍ତୀ ମାନ୍ଦାବସ୍ଥାରୁ ମୁକୁଳି ଉଲ୍ଲେଖନୀୟ ସୁଧାର ହାସଲ କରିପାରିଛି। ଉତ୍ପାଦନ, ସେବା କିମ୍ବା କୃଷି କ୍ଷେତ୍ର – ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଆର୍ଥିକ ଗତିବିଧିରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ। ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧିକୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର: ଆଚ୍ଛା ଦିନର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମହାଳାୟା’ ଭଳି ଏକ ଆଚ୍ଛାଦିନର ସୁଯୋଗ ନେଇ ଆଜି ପୁଣି ଦେଶର ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଦେଇଛନ୍ତି। ଆଜି ପେଟ୍ରୋଲ ୩୦ ପଇସା ମହାଙ୍ଗା ହୋଇଥିବା ବେଳେ ଡ଼ିଜେଲ ୩୫ ପାଇସା ମହଙ୍ଗା ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୧୦୩ ଟଙ୍କା ୮୩ ପଇସାରେ ପହଞ୍ôଚ ଥିଲାବେଳେ ଡ଼ିଜେଲ ୯୯ ଟଙ୍କା ୭୨ ପଇସାରେ ପହଞ୍ଚିଛି। କିନ୍ତୁ ସେତିିକିରେ ଖାଉଟିଙ୍କୁ ଶୋଷଣ କରିବାର ଶୋଷ ମୋଦି ସରକାରଙ୍କ ମେଣ୍ଟିନାହିଁ। ଅଣ ସବ୍‌ସିଡ୍‌ଯୁକ୍ତ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ଦାମ୍ ମଧ୍ୟ ୧୫ ଟଙ୍କା ବୃଦ୍ଧି ହୋଇ ଭୁବନେଶ୍ୱରରେ ୯୨୬ରେ ପହଞ୍ଚିଛି।

ଏଠାରେ ଉଲ୍ଲେଖଥାଉକି, ବିଗତ ଏକବର୍ଷ ଭିତରେ ରନ୍ଧନ ଗ୍ୟାସ୍ ହାରାହାରି ୧୯୦ ଟଙ୍କା ବୃଦ୍ଧି ପାଇସାରିଛି ଏବଂ ସେହିଭଳି ପେଟ୍ରୋଲ ୧୮ଟଙ୍କା ୭୮ ପଇସା ଓ ଡ଼ିଜେଲ ୨୦ ଟଙ୍କା ୬ ପଇସା ବୃଦ୍ଧି ଘଟିଛି। କରୋନା ସଂକ୍ରମଣରେ ଭାରତବର୍ଷର ୧୫ ଲକ୍ଷ ଲୋକ ଜୀବିକା ହରାଇ ଥିବାବେଳେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଚାଷୀମାନଙ୍କର ଚାଷବାସ ଉଜୁଡ଼ି ଯାଇଥିବା ବେଳେ ମୋଦି ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ମହାଳୟା ଭେଟି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତି ଜାରିକରି କହିଛନ୍ତି ଯେ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିଜେପି ଓ ଏନ୍‌ଡ଼ିଏ ସରକାରଙ୍କ ପାଇଁ ଆଗାମୀ ଦିନରେ କବର ଖୋଳିବ। ପେଟ ଆଉ ଭୋକର ଜ୍ୱାଳା ଏବଂ ବେକାରୀର ଦୁଃଖ କେନ୍ଦ୍ର ସରକାରକୁ ଗାଦିଚ୍ୟୁତ କରିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି। ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଶକ୍ତିସମୂହ ଏକାଠି ହୋଇ ସରକାରଙ୍କ ମନୋମୁଖୀ ଦରଦାମ ବୃଦ୍ଧି, ବେକାରୀ ବିରୋଧି ପଦକ୍ଷେପ ଏବଂ କୃଷକମାନଙ୍କ ଦାବି ପ୍ରତି ଅଣଦେଖା ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ଗଢିତୋଳିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି। ମୁଦ୍ରାସ୍ଫିିତି, ଅଦ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର କ୍ରମାଗତ ମୂଲ୍ୟ ବୃଦ୍ଧି ଦେଶର ୪୫କୋଟି ପରିବାର ପାଇଁ ଆହ୍ୱାନ ସୃଷ୍ଟି କରିଛି।

କେନ୍ଦ୍ର ସରକାର ତୁରନ୍ତ ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ନ ଆଣିଲେ ତେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବା ପାଇଁ ଓ ରାଜ୍ୟ ସରକାରମାନେ ଭାଟ୍ କମାଇବା ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି। ତୁରନ୍ତ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି। ଏହା ନହେଲେ ରାଜରାସ୍ତାରେ ଦଳ ପକ୍ଷରୁ ଦରଦାମ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିବୃତ୍ତିରେ ସତର୍କ କରାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ: ଜିଡିପି ବୃଦ୍ଧି ପାଉଛି ମାନେ ଗ୍ୟାସ ଡିଜେଲ ପେଟ୍ରୋଲ

ନୂଆଦିଲ୍ଲୀ: ଏଲପିଜି, ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ନେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ଜବରଦସ୍ତ ଆକ୍ରମଣ’ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜିଡିପି ପ୍ରକୃତରେ ବୃଦ୍ଧି ପାଉଛି।

ଜିଡିପି ଅର୍ଥ ହେଉଛି ଗ୍ୟାସ ଡିଜେଲ ପେଟ୍ରୋଲର ମୂଲ୍ୟ। ନରେନ୍ଦ୍ର ମୋଦୀ ସରକାରଙ୍କ ଶାସନ କାଳରେ ଜିଡିପି ଅଭିବୃଦ୍ଧି ଅର୍ଥ ମୋଟ ଘରୋଇ ଉତ୍ପାଦନ ନୁହେଁ, କିନ୍ତୁ ‘ଗ୍ୟାସ, ଡିଜେଲ ପେଟ୍ରୋଲ ଦର ବୃଦ୍ଧି ପାଉଛି’। ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି। ମୋଦୀଙ୍କ ଶାସନ କାଳରେ କୃଷକ, ମଧ୍ୟବିତ୍ତ, ବେତନ ଶ୍ରେଣୀ ଏବଂ ଶ୍ରମିକଙ୍କୁ ବିମୁଦ୍ରୀକରଣ କରାଯାଉଥିବାବେଳେ କେବଳ ‘ହମ ଦୋ ହମାରେ ଦୋ’ ପାଇଁ ବିମୁଦ୍ରୀକରଣ ଘଟୁଛି। ଏହାର ଅର୍ଥ ସ୍ପଷ୍ଟ ଯେ କେବଳ ମୋଦୀଙ୍କ ବନ୍ଧୁ ତଥା ଦୁଇ-ଚାରିଜଣ ଶିଳ୍ପପତିଙ୍କ ଉନ୍ନତି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟନେତା ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼େଙ୍ଗା, ନାରାୟଣ ଡ଼ାଳୁଆ, ସୁଶିଲ ଥାନପତ, ସୋମାନଥ ଖିଲ, ବେଣୁଥର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ଭାରତବର୍ଷର ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିସୟ କରିସାରିଲେଣି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଆକାଶଛୁଆ ଦରଦାମ ବୃଦ୍ଧି ଫଳରେ ଜନଗଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲେଣି ବୋଲି ନିଜ ବକ୍ତବ୍ୟରେ ବକ୍ତାମାନେ ଅଭିଯୋଗ କରିଥିଲେ।

ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ବିଶେଷ ଖବର

ଦେଶପ୍ରେମର ପ୍ରମାଣ ଦେବାକୁ ଚଢା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡିବ!!

କେଦାର ମିଶ୍ର

ଯେତେବେଳେ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ଦର ନେଗେଟିଭ ହୋଇଗଲା ସେତେବେଳେ ଭାରତର ତୈଳ ବଜାର ବନ୍ଦ ଥିଲା। ଲକ ଡାଉନ ଯୋଗୁଁ ତୈଳ ବଜାର ଏକପ୍ରକାର ଭୁଷୁଡି ପଡୁଥିବା ବେଳେ ଭାରତ ସରକାର ଏହାକୁ ଭାରତୀୟ ଜନ ସାଧାରଣଙ୍କ ପିଠିରେ ଏକ କାରୋଡାମାଡ ଭଳି ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଯେତେବେଳେ  ଆନ୍ତର୍ଜାତିକ ବଜାରରେ ତୈଳ ଦର ସବୁଠୁ କମ ଥିଲା ସେହି ସମୟରେ ହଠାତ ଡିଜେଲ ଓ ପେଟ୍ରୋଲ ଉପରେ ଭାରତ ସରକାର ଅବକାରୀ ଟିକସକୁ ଯଥାକ୍ରମେ ୧୩ ଟଙ୍କା ଓ ୧୦ ଟଙ୍କା ବଢାଇ ଦେଲେ। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରମାନେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢାଇବା ଆରମ୍ଭ କଲେ। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ନେଗେଟିଭ ସ୍ତରକୁ ଖସି ଆସିଥିଲେ ମଧ୍ୟ ଏହାର ଲାଭ ସାଧାରଣ ଗ୍ରାହକକୁ ମିଳିଲା ନାହିଁ।

ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚାତେଲର ମୂଲ୍ୟ କମୁଛି, ସେତେବେଳେ ବଜାର ମୂଲ୍ୟକୁ ସ୍ଥିର ରଖିବା ଲାଗି ସରକାର ଅବକାରୀ ଟିକସ ବଢାଇ ଦେଉଛନ୍ତି। ହେଲେ ଯଦି ଆନ୍ତର୍ଜାତିକ ବଜାରରେ ମୂଲ୍ୟବୃଦ୍ଧି ଘଟୁଛି, ତାର ମାଡ ତୁରନ୍ତ ଲୋକଙ୍କ ପିଠିରେ ପଡୁଛି। କଞ୍ଚା ତେଲର ମୂଲ୍ୟ କମ ଥିବା ସମୟରେ ଖାଉଟିଙ୍କ ଠାରୁ  ଟିକସ ପଇସା ଡିଲରଙ୍କ ଜରିଆରେ ସରକାରୀ ତହବିଲକୁ ଗଲା । ଆଜି ଯେତେବେଳେ  କଞ୍ଚାତେଲର ଦାମ ସାମାନ୍ୟ ବଢୁଛି , ଏହା ପ୍ରତ୍ୟକ୍ଷ ଭାବରେ ଆମ ପକେଟରୁ ଯାଉଛି। ଗତ ୧୪ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢୁଛି। ଦୁଇ ସପ୍ତାହରେ ଡିଜେଲ ଲିଟର ପିଛା ୭.୬୨ ଟଙ୍କା  ଓ ପେଟ୍ରୋଲ ଲିଟର ପିଛା ୮.୨୮ଟଙ୍କା ବଢିଛି। ଦୁଇ ସପ୍ତାହ ତଳେ ଓଡିଶାରେ ଉଭୟ ପେଟ୍ରୋଲ ଓ ଡିଜେଲର ଦର ୭୦ ଟଙ୍କା ତଳେ ରହିଥିଲା। ଗତକାଲି ଲଗାତାର ୧୪ ଥର ତୈଳ ଦର ବଢିବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୭୯.୪୨ ଟଙ୍କା ରେ ମିଳୁଛି।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଲକ ଡାଉନ କାରଣରୁ ପେଟ୍ରୋଲ ଓ ଡିଜେଲର ଚାହିଦା ସଂପୂର୍ଣ୍ଣ କମି ଆସିଥିଲା। ତେବେ ଗତ ୧୫ ଦିନରେ କରୋନା ପୂର୍ବବର୍ତ୍ତୀ ସମୟ ତୁଳନାରେ ୮୦-୮୫% ଚାହିଦା ବଢିଛି। ଚାହିଦା ବଢିବା ସହିତ ତୈଳ ବଜାରକୁ ରାଜସ୍ୱ ଆଦାୟର ଏକମାତ୍ର ବାଟ ବୋଲି ଭାରତ ସରକାର ଭାବି ନେଇଛନ୍ତି। ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରୁଥିବା କଂଗ୍ରେସକୁ ସମାଲୋଚନା କରି ବିଜେପି ସଭାପତି ଜେ.ପି.ନଡ୍ଡା କହିଛନ୍ତି ଯେ ଦେଶର ବିକାଶ ଲାଗି ପେଟ୍ରୋଲ ଓ ଡିଜେଲର ଦର ବଢିବା ଜରୁରୀ। ବିଜେପିର ଏହା ସବୁଠୁ ସହଜ ତର୍କ। ୟୁପିଏ ସରକାର ଅମଳରେ ଟଙ୍କାଏ ପେଟ୍ରୋଲ ଦର ବଢିଲେ ବିଜେପି ରାଜରାସ୍ତାକୁ ଓହ୍ଳାଇ ଆସୁଥିଲା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମନ ଇଚ୍ଛା ଶୋଧୁଥିଲା। ଏବେ କିନ୍ତୁ ତର୍କ ବଦଳି ଯାଇଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ବଢି ଚାଲିଥିବା ଟିକସକୁ ଦେଶପ୍ରେମୀ କାର୍ୟ ବୋଲି ବିଜେପି ତରଫରୁ ପ୍ରଚାର କରାଯାଉଛି।

ଏଠି ଉଲ୍ଲେଖଯୋଗ୍ୟ ଯେ ସାରା ପୃଥିବୀରେ ସବୁଠୁ ଅଧିକ ତେଲ ଟିକସ ଭାରତ ସରକାର ନେଇଥାନ୍ତି। ଡିଜେଲ ଓ ପେଟ୍ରୋଲର ଖାଉଟି ମୂଲ୍ୟ ଉପରେ ସର୍ବାଧିକ ୬୯% ଟିକସ ସରକାର ଆଦାୟ କରୁଛନ୍ତି।  ଏହା ଏକ ରେକର୍ଡ। ଦିଲ୍ଲୀ ରେ ମିଳୁଥିବା ପେଟ୍ରୋଲ ଓ ଡିଜେଲ ଦର ଆଧାରରେ ଆମେ କହିପାରିବା ଯେ ୭୯.୪୯ ଟଙ୍କାର ଲିଟରେ ପେଟ୍ରୋଲରୁ ସରକାରଙ୍କୁ ଆମେ ୫୯.୪୨ ପଇସା ଟିକସ ଆକାରରେ ଦେଉଛୁ। ସେହିପରି ଡିଜେଲର ୭୯.୩୯ଟଙ୍କାରୁ ୫୮.୯ଟଙ୍କା ଟିକସ ବାବଦକୁ ସରକାର ନେଉଛନ୍ତି। ଏହା ପୃଥିବୀର ସବୁ ଦେଶଠାରୁ ଅଧିକ। ବିଜିନେସ ଟୁଡେ ର ତଥ୍ୟ ଅନୁସାରେ ଇଟାଲୀ ୬୪%, ଜର୍ମାନୀ ଓ ଫ୍ରାନ୍ସ ୬୩%, ଇଂଲାଣ୍ଡ ୬୩%,  ସ୍ପେନ ୫୩%, ଜାପାନ ୪୭%,କାନାଡା ୩୩% ଓ ଆମେରିକା ୧୯% ଟିକସ ଆଦାୟ କରିଥାନ୍ତି। ଭାରତ ସରକାର ପେଟ୍ରୋଲ ଓ ଡିଜେଲକୁ ଟିକସ ଆଦାୟର କାମଧେନୁ  ଭାବରେ ବ୍ୟବହାର କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।

କରୋନା ପରବର୍ତ୍ତୀ ଅର୍ଥନୈତିକ ସ୍ଥିତିକୁ ସାମ୍ନା କରିବା ଲାଗି ବର୍ତ୍ତମାନର ସରକାର ପାଖରେ ଦରବୃଦ୍ଧି ହିଁ ଏକମାତ୍ର ଉପାୟ ବୋଲି ଏବେ ଜଣା ପଡୁଛି। ଆଗାମୀ ଦିନରେ ଲୋକେ ନିଜର ଜୀବିକା ହରାଇବା ସହିତ ଦରବୃଦ୍ଧିର ଭୀଷଣ ମାଡ ଖାଇବାକୁ ପ୍ରସ୍ତୁତ ହେବା ବୋଧେ ଜରୁରୀ! ତେବେ ଅର୍ଥନୀତିର ଏହି ଦୁରବସ୍ଥାରେ ଯଦି ଲୋକଙ୍କ ପିଠିରେ କୋରଡା ମାଡ ପଡେ ସେଥିରେ ଅର୍ଥନୈତିକ ସ୍ଥିତି ସୁଧୁରିବ କି? ଏହାର ସିଧା ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିବ ଓ ଲୋକଙ୍କ ଭିତରୁ କିଣାବିକା କମିଯିବ। ବରଂ ଦରବୃଦ୍ଧି ଅର୍ଥନୀତିର ସଙ୍କଟକୁ ଅଧିକ ଜଟିଳ କରିବ।

ଲୋକଙ୍କ ପକେଟକୁ କଣା କରି ରାଜକୋଷ ଚଳାଇବାର ଲୋଭୀ ପ୍ରୟାସ କରିବା ବେଳେ ସରକାର ଭଲ ଭାବେ ଜାଣନ୍ତି ଯେ, କରୋନା ସଂକ୍ରମଣ ଯୋଗୁଁ ଏବେ ଲୋକେ ପ୍ରତିବାଦ ମଧ୍ୟ କରିପାରିବେ ନାହିଁ।ତେଣୁ ଦୈନିକ ୫୦ ରୁ ୧୦୦ ପଇସା ଯାଏ ଦର ବୃଦ୍ଧି କରି ରେକର୍ଡ ପରିମାଣର ଦର ଲୋକଙ୍କ ଉପରେ ଲଦା ଯାଇ ସାରିଲାଣି। ତେବେ ଏହାର ପରିଣତିରେ ଆମ ଜନଜୀବନ ଅଧିକ ଦୁର୍ବିସହ ହେବ ବୋଲି ସରକାର ବୁଝୁଛନ୍ତି ତ!!