Categories
ଅପରାଧ ଆଜିର ଖବର ଜାତୀୟ ଖବର

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ, ପୋଲିସର ଏନକାଉଣ୍ଟରରେ ଗିରଫ ହେଲା ଡେଲିଭରି ବୟ

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ନୋଏଡାଠାରେ ୨୩ ବର୍ଷର ଡେଲିଭରି ବାଳକକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ମୋବାଇଲ୍ ଆପରୁ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିଲେ। ଏହି ଆପ୍ ମାଧ୍ୟମରେ ଅର୍ଡର ପ୍ରଦାନ କରିବାକୁ ସୁମିତ ସିଂ ନାମକ ଏକ ଡେଲିଭରି ବାଳକ ପଠାଯାଇଥିଲା।

ଯେତେବେଳେ ସେ ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ବିତରଣ ସ୍ଥାନରେ ପହଞ୍ଚିଲେ, ସେତେବେଳେ ସେ ଅନୁଭବ କଲେ ଯେ ମହିଳା ଜଣକ ଘରେ ଏକୁଟିଆ ଅଛନ୍ତି। ଏହା ପରେ ସେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରି ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଶୁକ୍ରବାର ଦିନ ଏହି ଘଟଣା ଘଟିଛି ଏବଂ ମହିଳା ଜଣକ ଉକ୍ତ ଦିନ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନେକ ଟିମ୍ ଗଠନ କରିଥିଲା। ଶେଷରେ ତାଙ୍କୁ ଗ୍ରେଟର ନୋଏଡାର ଏକ ଆବାସିକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଯେତେବେଳେ ତାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ସେ କନଷ୍ଟେବଳ ଭରତ ସିଂଙ୍କ ସରକାରୀ ପିସ୍ତଲକୁ ଛଡ଼ାଇ ନେଇ ଫେରାର ହେବାରେ ସଫଳ ହୋଇଥିଲେ।

ପୋଲିସ କହିଛି ଯେ, ଏହି ପରିପ୍ରେକ୍ଷୀରେ ବିସରଖ ପୋଲିସ ଟିମ ଏବଂ SWAT ଟିମର ମିଳିତ ଉଦ୍ୟମରେ ସେକ୍ଟର ୦୩ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁରନ୍ତ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ଯେତେବେଳେ ପୋଲିସ ଟିମ୍ ତାଙ୍କ ନିକଟକୁ ଆସିଥିଲେ ସେତେବେଳେ ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେତେବେଳେ ପୋଲିସ ପାଲଟା ଆକ୍ରମଣ କରିଥିଲା, ସେତେବେଳେ ତାଙ୍କ ଗୋଡରେ ଗୁଳି ବାଜିଥିଲା।

ଏହା ପରେ ପୋଲିସ ଦୁଷ୍କର୍ମ ଅଭିଯୁକ୍ତ ସୁମିତଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସର ସୂଚନାନୁସାରେ, ସେ ବେଆଇନ ମଦ ବିକ୍ରୟ ଅଭିଯୋଗରେ ଗିରଫ ହୋଇସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ହଲରୁ ଓଡ଼ିଆ ଫିଲ୍ମ ହଟିବାକୁ ନେଇ ବିବାଦ: ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ପ୍ରଯୋଜକ

ଭୁବନେଶ୍ଵର: ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ। ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ।

ଡେଲିଭରୀ ବୟ ଭଲ ଚାଲିଥିବା ବେଳେ ମହାରାଜା ହଲ୍ ଆକ୍ରୋଶମୂଳକ ଭାବେ ଏହାର ପ୍ରଦର୍ଶନ ବନ୍ଦ କରିଥିବାରୁ ସୋମବାର ଦିନ ଭୁବନେଶ଼୍ବର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ କରି ଡେଲିଭରୀ ବୟ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସହ ପ୍ରଯୋଜକ ରଜତ ମିଶ୍ର ଘୋର ନିନ୍ଦା ପ୍ରକଟ କରିଥିଲେ।

ଅପର ପକ୍ଷେ ପ୍ରଯୋଜକଙ୍କ ମନ୍ତବ୍ୟ ପାଇଁ ସିନେମା ହଟେଇଲୁ ବୋଲି ମହାରାଜା ହଲ୍ ମ୍ୟାନେଜର ମତବ୍ୟକ୍ତ କରିଛନ୍ତି। ସିନେମା ସଫଳତାରର ସହ ଚାଲୁଥିବା ବେଳେ ହଲରୁ କାହିଁକି ହଟିଲା ଚଳଚ୍ଚିତ୍ର ଏନେଇ ମହାରାଜା ହଲ ନାଁରେ ଅଭଯୋଗ ଆଣିଛନ୍ତି ଡେଲିଭରି ବୟ ଚଳଚ୍ଚିତ୍ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି। ଫିଲ୍ମ ପାଇଁ ରାଜ୍ୟସରକାର ଟାକ୍ସ ଛାଡ଼ ଘୋଷଣା କରିଥିବା ବେଳେ ମହାରାଜା ପକ୍ଷରୁ ପ୍ରଥମ ତିନି ଦିନ କୌଣସି ଟାକ୍ସ ଛାଡ଼ କରାଯାଇନଥିବା ସେ କହିଛନ୍ତି।

ଅନ୍ୟପଟେ ମହାରାଜା ହଲ ହେଉଛି ଦିବ୍ୟାଙ୍ଗ ହଲ, ଯେଉଁଠି ସିନେମା ଚାଲିବା ପାଇଁ ଭିତିଭୂମି ନାହିଁ। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଫିଲ୍ମ ପ୍ରଯୋଜକ। ଏହି ମନ୍ତବ୍ୟକୁ ନେଇ ହଲରୁ ସିନେମା ହଟାଯାଇଥିବା ବେଳେ ହଲ ସହ ୭ ଦିନ ପାଇଁ ହୋଇଥିବା ଚୁକ୍ତି ସରିବା ପରେ ୩ଦିନ ଅଧିକ ଚଲାଯାଇ ସିନେମାକୁ ହଟା ଯାଇଥିବା ମହାରାଜା ହଲ ପକ୍ଷରୁ କୁହାଯାଇଛି।

ହଲ୍ ମ୍ୟାନେଜରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଓଡ଼ିଆ ଫିଲ୍ମ ଡେଲିଭରୀ ବୟ ହୋଲ୍ଡ ଓଭର ଥିବା ବେଳେ କେଉଁ କାରଣରୁ ହଲ୍ ରୁ ଚଳଚ୍ଚିତ୍ରଟିକୁ ଉଠାଗଲା ଏଥିପାଇଁ ସିଣ୍ଡିକେଟ୍ ଓ ଆଇନ୍ ର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ପ୍ରଯୋଜକ ଶ୍ରୀ ମହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର: ବର୍ତ୍ତମାନ ସବୁକିଛି ଅନଲାଇନରେ ଉପଲବ୍ଧ। କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ଯୋଗସୂତ୍ର। ହେଲେ ଠିକ ସମୟରେ, ଠିକ ବ୍ୟକ୍ତି ପାଖରେ ତଥା ସଠିକ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ। ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆ ଠାରେ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି‌ ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ଅଭିନେତା ବୁଦ୍ଧାଦିତ୍ୟ, ଶକ୍ତି ବରାଳ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ନିର୍ଦ୍ଦେଶକ ଅଶ୍ବିନୀ ତ୍ରୀପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜେ.ଆର.ଏମ ଙ୍କ କାହାଣୀ, ଅଶ୍ୱିନୀ ତ୍ରିପାଠୀଙ୍କ ଚିତ୍ରନାଟ୍ୟ ତଥା ଡକ୍ଟର ଦୀପକ ଜେନାଙ୍କ ସଂଳାପ ରଚନା ସହ ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ଜେ.ଆର. ଏମ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ସୂର୍ଯ୍ୟମୟୀ, ପ୍ରିୟମ୍ବଦା ଓ ଶୈଳେନ୍ଦ୍ର ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ ନିଜେ, ଅମନ୍, ଗୁଡ୍ଡୁ ଓ ପୁପୁଲ ଭୂୟାଁ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଖ୍ୟାତ ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି।

ପ୍ରଯୋଜନା ସଂସ୍ଥା ଜେଆରଏମ୍ (ଇନଫ୍ୟୁଜନ ଇଣ୍ଟରଟେନମେଣ୍ଟ) ଦ୍ୱାରା ପ୍ରଯୋଜିତ ଓ ପରିକଳ୍ପିତ କାହାଣୀ କୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ପ୍ରାୟ ଆଠ ମାସ ସମୟ ନେଇ ଲେଖିଛନ୍ତି ଡକ୍ଟର ଦୀପକ ରଞ୍ଜନ ଜେନା। ପ୍ରଯୋଜନା ସଂସ୍ଥା ତରଫରୁ ଏହି କାହାଣୀ ପରିକଳ୍ପନା ସମୟରେ ଡକ୍ଚର ବାଦଲ ମହାନ୍ତି ଏବଂ ଅଭିନେତ୍ରୀ ମହାଶ୍ୱେତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗୋଟିଏ ପ୍ରକୃତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କାହାଣୀର ଚିତ୍ରନାଟ୍ୟ ଏପରି ହୋଇଛି ଯେ ଚାରୋଟି ଯାକ ମୁଖ୍ୟ ଚରିତ୍ରକୁ ସମାନ ଭାବରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ଏହି ଚଳଚ୍ଚିତ୍ରରେ ପ୍ରତ୍ୟେକଟି ଚରିତ୍ରକୁ ନ୍ୟାୟ ପ୍ରଦାନ କରି ସେମାନଙ୍କର ଭୂମିକାକୁ ଦମଦାର କରାଯାଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତି ରଞ୍ଜନ‌ ମହାନ୍ତି ମତ ପ୍ରକାଶ କରିଛନ୍ତି।

କାହାଣୀ ଯେପରି ବଳିଷ୍ଠ ସେପରି ଚଳଚ୍ଚିତ୍ରର ସଙ୍ଗୀତ ମଧ୍ଯ ଖୁବ ବଳିଷ୍ଠ ଏବଂ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇଛି। ଗୀତଗୁଡ଼ିକ ସଙ୍ଗୀତରେ ସଜେଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ୩୮ ଦିନ ସମୟ ନେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ଗୀତକୁ ରାପ୍ ସଙ୍ଗୀତ ଭାବରେ ସଜାଯାଇଛି। ଏହା ସହ ଆଉ ଚାରୋଟି ଗୀତ ରହିଛି। ‘ପାନ ଗୁଆ ଖଇର ଗୁଆକାତି…, ଆମେ ସବୁ ଗଭର୍ନର ଙ୍କ ବଡ଼ ନାତି…’ ଏହି ଗୀତ ଆଗାମୀ ଦିନରେ ଶ୍ରୋତା ଙ୍କୁ ବେଶ ପସନ୍ଦ ଆସିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି l ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଗରିବ ଲୋକର ଜୀବନ ଓ ଧନୀ ଲୋକଙ୍କ ଜୀବନର ତୁଳନା ଏହି ଗୀତରେ କରାଯାଇଛି। ଗୀତ ଗୁଡ଼ିକ ମଧ୍ୟରେ ଜଣେ ସାଧାରଣ ଲୋକ ନିଜ ଜୀବନର ଝଲକ ପାଇବ। ସବୁବେଳେ ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି ଓ ମୁମ୍ବାଇରେ ରେକଡିଂ ହୋଇଥିବା ଏହି ଗୀତ ସେ ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ସମୟ ନେଇଥିଲେ। ଚଳଚ୍ଚିତ୍ର ଓଡିଶାର ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲ୍ ରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳିରେ ପ୍ରଚାର ପ୍ରସାର କରାଯିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ ସୂଚନା‌ ଦେଇଛନ୍ତି।

ସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ “ଡେଲିଭରୀ ବୟ” ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
ଆମର ମ୍ୟୁଜିକ ସଙ୍ଗୀତ ବିତରଣ ଦାୟିତ୍ବ ନେଇଛନ୍ତି, ସମସ୍ତ ଗୀତ ଆଜିଠାରୁ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦେଇଛନ୍ତି।