Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମଘଟରୁ ନିବୃତ ରହିବା ପାଇଁ ଡ୍ରାଇଭର ସଂଘକୁ ଅନୁରୋଧ କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ଦାବିଗୁଡିକ ସରକାରଙ୍କ ସକ୍ରିୟ ବିଚାରକୁ ନିଆଯାଉଛି ବୋଲି ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବିଭାଗ କହିଛି ଯେ, ଚଳିତ ମାର୍ଚ୍ଚ ୧୩ ତାରିଖରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟରେ ମାଟ୍ରିକ୍‌, ଯୁକ୍ତ-୨ ଏବଂ ପଲିଟେକ୍‌ନିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି ମହାମଞ୍ଚକୁ ପ୍ରସ୍ତାବିତ ଧର୍ମଘଟ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ, ଏହି ମଞ୍ଚ ଧର୍ମଘଟ କରିବାକୁ ସ୍ଥିର କରିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି।

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚାଲିଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପରିବହନ କମିଶନର, ଓସେପାର ନିର୍ଦ୍ଦେଶକ, ଡିସିପି ଏବଂ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାବଦରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଜରୁରୀକାଳୀନ ଯୋଜନା କରିବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ କେତେକ ପରିବହନ ସଙ୍ଗଠନ ଏହି ଧର୍ମଘଟରେ ଯୋଗ ଦେଉନାହାଁନ୍ତି ଏବଂ ରାଜ୍ୟରେ ସେମାନଙ୍କ ସେବା ଯୋଗାଇଦେବାକୁ ସମ୍ମତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବ ଏବଂ ଏ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ଆସିଲେ ତାହା ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପୁଣି ଥରେ ଆନ୍ଦୋଳନକାରୀମାନଙ୍କୁ ଧର୍ମଘଟରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଛି।