Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମଘଟରୁ ନିବୃତ ରହିବା ପାଇଁ ଡ୍ରାଇଭର ସଂଘକୁ ଅନୁରୋଧ କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ଦାବିଗୁଡିକ ସରକାରଙ୍କ ସକ୍ରିୟ ବିଚାରକୁ ନିଆଯାଉଛି ବୋଲି ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବିଭାଗ କହିଛି ଯେ, ଚଳିତ ମାର୍ଚ୍ଚ ୧୩ ତାରିଖରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟରେ ମାଟ୍ରିକ୍‌, ଯୁକ୍ତ-୨ ଏବଂ ପଲିଟେକ୍‌ନିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି ମହାମଞ୍ଚକୁ ପ୍ରସ୍ତାବିତ ଧର୍ମଘଟ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ, ଏହି ମଞ୍ଚ ଧର୍ମଘଟ କରିବାକୁ ସ୍ଥିର କରିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି।

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚାଲିଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପରିବହନ କମିଶନର, ଓସେପାର ନିର୍ଦ୍ଦେଶକ, ଡିସିପି ଏବଂ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାବଦରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଜରୁରୀକାଳୀନ ଯୋଜନା କରିବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ କେତେକ ପରିବହନ ସଙ୍ଗଠନ ଏହି ଧର୍ମଘଟରେ ଯୋଗ ଦେଉନାହାଁନ୍ତି ଏବଂ ରାଜ୍ୟରେ ସେମାନଙ୍କ ସେବା ଯୋଗାଇଦେବାକୁ ସମ୍ମତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବ ଏବଂ ଏ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ଆସିଲେ ତାହା ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପୁଣି ଥରେ ଆନ୍ଦୋଳନକାରୀମାନଙ୍କୁ ଧର୍ମଘଟରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋପାଳପୁର ବନ୍ଦରର ବିକାଶ ତଥା ସଂପ୍ରସାରଣ ପାଇଁ ସ୍ୱାକ୍ଷରିତ ହେଲା ଚୁକ୍ତିନାମା

ଭୁବନେଶ୍ୱର: ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍‌ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଗଞ୍ଜାମ ଜିଲ୍ଲାର ଅର୍ଜୀପାଲୀଠାରେ ଅବସ୍ଥିତ ଗୋପାଳପୁର ବନ୍ଦର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଥିଲା। ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ମସିହା ସେପେଫମ୍ବର ୧୪ ତାରିଖରେ ସରକାରୀ-ବେସରକାରୀ ଭାଗୀଦାରି(ପିପିପି) ମୋଡ୍‌ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଦ୍ୱାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍‌ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି।

ସମୟ କ୍ରମେ ୨୦୧୭ ମସିହା ଜାନୁଆରୀ ୧୮ ତାରିଖରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ. (ଏସ୍‌ପିଏମ୍‌ଏଲ୍‌)ର ଯୋଗଦାନ ଏବଂ ଅଂଶଧନ ପରିବର୍ତ୍ତନ ଯୋଗୁ ଏସ୍‌ପିଏମ୍‌ଏଲ୍‌ ଦ୍ୱାରା ସଂଖ୍ୟାଗରିଷ୍ଠ ଅଂଶଧନ ହାସଲ ଏବଂ ବନ୍ଦର ପରିଚାଳନା କ୍ଷମତା ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ରୁ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ.କୁ ସ୍ଥାନାନ୍ତରିତ ହୋଇଛି। ଏହି ବନ୍ଦର ପରିଚାଳନା କ୍ଷମତା ସ୍ଥାନାନ୍ତରଣ ଯୋଗୁଁ ଗୋପାଳପୁର ବନ୍ଦର ସହ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିବା ଆବଶ୍ୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ପାଇଁ ତା. ୦୭ ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା ଓ ଆଜି  ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ନିମନ୍ତେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରାଗଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୟ ମିଶ୍ର, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନା ରାଉଳ, ଗୋପାଳପୁର ବନ୍ଦର ସି.ଇ.ଓ କ୍ୟାପ୍‌ଟେନ୍‌ ସନ୍ଦୀପ ଅଗ୍ରୱାଲ୍‌, ବନ୍ଦର ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, କର୍ପୋରେଟ୍‌ ଆଫୟାର୍ସ ଉପସଭାପତି ଡ. ଜଗଦୀଶ ଚନ୍ଦ୍ର ରାଉତ, ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଖୁସି ଖବର: ଇଲେକଟ୍ରିକ ଗାଡି କିଣିଲେ ରାଜ୍ୟ ସରକାର ଦେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ଇଲେକଟ୍ରିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ଇଲେକଟ୍ରିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହିସବୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସରକାର ଖୁବ୍‌ ଶୀଘ୍ର ଏକ ‘ଇଲେକଟ୍ରିକ ଯାନ ପାଣ୍ଠି’ ସ୍ଥାପନ କରିବାକୁ
ଯାଉଛନ୍ତି।

ଦୁଇଚକିଆ ଇଲେକଟ୍ରିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା, ତିନିଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଚାରିଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ। ବସ୍‌ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ ସର୍ବୋଚ୍ଚ ୪ ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇଦେବାକୁ ଥିବାବେଳେ ମାଲବାହୀ ଯାନ ପାଇଁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ।

ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ଇଲେକଟ୍ରିକ ଗାଡ଼ି କିଣିବାକୁ ଋଣ କରିବେ ତେବେ ଋଣ ଉପରେ ୫ ପ୍ରତିଶତ ସୁଧ ଛାଡ଼ କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁବର୍ଗର ଇଲେକଟ୍ରିକ ଯାନର ପଂଜୀକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବାର ବ୍ୟବସ୍ଥା କରାଯାଉଛି।

ଇଲେକଟ୍ରିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ନିଟ୍‌ ଏସ୍‌ଜିଏସ୍‌ଟି ଛାଡ଼ କରାଯିବ ଏବଂ ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହି ଉଦ୍ୟୋଗୀମାନଙ୍କ ନିମନ୍ତେ  ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍‌ ପଲିସି ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହେବ। ସେହିପରି ବିଭିନ୍ନ ସହରଗୁଡ଼ିକରେ ଇଲେକଟ୍ରିକ ଯାନଗୁଡ଼ିକ ପାଇଁ ରହିଥିବା ପାର୍କିଂ ଫିସ୍‌ରେ ରିହାତି ମିଳିବ। ବ୍ୟାଟେରୀ ଚାର୍ଜିଂ ଷ୍ଟେସନ୍‌ଗୁଡ଼ିକ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି।