Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହଳଦିଆ ନମ୍ବର ପ୍ଲେଟକୁ ବିରୋଧ କରି ଓଡ଼ିଶା ବାଇକ୍ ଟ୍ୟାକ୍ସି ଚାଳକଙ୍କ ଧର୍ମଘଟ

ଭୁବନେଶ୍ୱର: ବାଇକ୍ ଟ୍ୟାକ୍ସି ଡ୍ରାଇଭର୍ସ ଆସୋସିଏସନ୍ ପକ୍ଷରୁ ମାଷ୍ଟର କ୍ୟାଂଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ସହର ଭିତରେ ଶାନ୍ତିପୂର୍ଣ୍ଣ ଭାବେ ବାଇକ୍ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ ସଂଘ ପକ୍ଷରୁ କରାଯାଇଥିଲା।

୨୦୨୩ର ଓଡ଼ିଶା ଏଗ୍ରିଗେଟର ଗାଇଡଲାଇନରେ ଦର୍ଶାଯାଇଥିବା ସରକାରଙ୍କ କଟକଣା ଯୋଗୁଁ ଯାତ୍ରୀ ପରିବହନ ପାଇଁ ହ୍ୱାଇଟ୍ ବୋର୍ଡ ଦୁଇ ଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ନିଷ୍ପତି କେନ୍ଦ୍ର ସରକାର ଏବଂ ଗୋଆ, ତେଲେଙ୍ଗାନା, ରାଜସ୍ଥାନ ଓ ଉତରପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ନୀତିର ବିପରୀତ ଅଟେ। ସେଠାରେ ଏଗ୍ରିଗ୍ରେଟରକୁ ଅନୁମତି ରହିଛି।

ନିକଟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୪ ଜାନୁଆରି ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ଏକ ପରାମର୍ଶବଳୀ ଜାରି କରାଯାଇଥିଲା। ମୋଟର ଯାନ (ଏମଭି) ଆଇନ, ୧୯୮୮ର ଧାରା ୨(୭) ଅନୁଯାୟୀ ମୋଟରସାଇକେଲ୍ ଚୁକ୍ତିଭିତିକ ଗାଡ଼ିର ସଂଜ୍ଞା ମଧ୍ୟରେ ଅନ୍ତର୍ଭୁକ୍ତ । ତେଣୁ ଓଡ଼ିଶା ଏଗ୍ରିଗେଟର ଗାଇଡ୍ ଲାଇନ୍ ୨୦୨୩ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀର ସିଧାସଳଖ ଉଲ୍ଲଂଘନ କରୁଛି।

ଯାତ୍ରୀ ପରିବହନ ପାଇଁ ଓଡ଼ିଶା ଦୁଇ ଚକିଆ ଯାନକୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ପଶ୍ଚିମବଙ୍ଗ ସରକାର ଦୈନିକ ପରମିଟ୍ ଫି\’ ଅଧୀନରେ ହ୍ୱାଇଟ୍ ବୋର୍ଡ ଦୁଇ ଚକିଆ ଯାନକୁ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଏକ ନୀତି ପ୍ରଣୟନ କରିବାର ସାମାଜିକ-ଅର୍ଥନୈତିକ ସୁଯୋଗକୁ ସ୍ୱୀକୃତି ଦେଇଛନ୍ତି । ଏହି ସକ୍ରିୟ ପଦକ୍ଷେପ କେବଳ ବାଇକ୍ ଟ୍ୟାକ୍ସି ଚାଳକଙ୍କ ସମସ୍ୟାର ସମାଧାନ କରିବ ନାହିଁ ବରଂ ରାଜ୍ୟ ପାଇଁ ରାଜସ୍ୱ ସୃଷ୍ଟି ପାଇଁ ଏକ ସୁଯୋଗ ମଧ୍ୟ ପ୍ରଦାନ କରୁଛି।

ବାଇକ୍ ଟ୍ୟାକ୍ସି ଚାଳକ ଭାବେ ଚାକିରି ହରାଇଥିବା ୩୦,୦୦୦ ରାଇଡର୍‌ଙ୍କ ଦୁର୍ଦ୍ଦଶା ଉପରେ ସଂଘ ଆଲୋକପାତ କରିଛି, ଯାହା କି ସେମାନଙ୍କ ରୋଜଗାରର ଏକମାତ୍ର ଉତ୍ସ। ତାହା ସେମାନଙ୍କ ପରିବାରର ଆର୍ôଥକ ସ୍ଥିରତାକୁ ପ୍ରଭାବିତ କରୁଛି। ଏଗ୍ରିଗେଟର୍ ସହ ଜଡିତ ଅଧିକାଂଶ ଡ୍ରାଇଭର ପାର୍ଟ-ଟାଇମର (ସାମୟିକ ଚାଳକ) ଅଟନ୍ତି ଯେଉଁମାନେ ଆନୁଷ୍ଠାନିକ ଏବଂ ଅନୌପଚାରିକ ନିଯୁକ୍ତି ସୁଯୋଗ ମଧ୍ୟରେ ପରିବର୍ତନ କରନ୍ତି।

ଧଳା ନମ୍ବର ବୋର୍ଡକୁ ଫେରାଇ ଆଣିବାର ବ୍ୟବସ୍ଥା ନକରି ଦୁଇ ଚକିଆ ଯାନକୁ ହଳଦିଆ ନମ୍ବର ବୋର୍ଡରେ ପରିଣତ କରିବାକୁ ବାଧ୍ୟତାମୂଳକ କରିବା ପଛୁଆ ମାନସିକତା ବୋଲି ବିବେଚନା କରାଯାଉଛି। ଏଭଳି ଆବଶ୍ୟକତା ରାଜ୍ୟରେ ଗିଗ୍ ଅର୍ଥନୀତିର ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ଏବଂ ସାମଗ୍ରିକ ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହି ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜର ନୀତିର ପୁନଃ ସମୀକ୍ଷା କରିବା ସହ ଗିଗ୍ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ବାଇକ୍ ଟ୍ୟାକ୍ସି ଚାଳକଙ୍କ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସମାଧାନ ବାହାର ପାଇଁ ଅଂଶୀଦାରଙ୍କ ସହ ସହଯୋଗ କରିବା ଜରୁରୀ। ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ଉଭୟ ଚାଳକ ଓ ରାଜ୍ୟର ଅର୍ଥନୈତିକ ଦୃଶ୍ୟପଟ ଉପରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର

ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ବିଜେପି ତୁଛା ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଟ୍ରକ୍ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି। ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା। ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ।

ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି। ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି। ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ।

ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ। ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ ବୋଲି ଡ. ମହାନ୍ତି କହିଛନ୍ତି।