Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ତାମିଲନାଡୁରେ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ଲାଗି ଠିକାଦାର ଟଙ୍କା ମାଗୁଥିବା ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ନିଜ ପରିବାରର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଛି। କିନ୍ତୁ ମୃତକ ଶ୍ରମିକଙ୍କୁ ନେଇଥିବା ଠିକାଦାର ସେହି ଗରିବ ପରିବାରକୁ ସାହାରା ହେବା ବଦଳରେ ମୃତ ଦେହ ଆଣିବା ପାଇଁ ଟଙ୍କା ମାଗିଥିବା  ଅଭିଯୋଗ ହୋଇଛି। ଏଭଳି ଏକ ଦୁଃଖଦ ଖବର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନିପପୁର ଗ୍ରାମ ପଞ୍ଚାୟତର ବାଲେଡିହ ଗ୍ରାମରେ ଘଟିଯାଇଛି।

ସୂଚନା ଅନୁଯାୟୀ, ବାଲେଡିହ ଗ୍ରାମର ଜୟ ନାୟକ( ୪୦) ନାମକ ଜଣେ ଶ୍ରମିକ ପ୍ରାୟ ଏକ ମାସ ପୂର୍ବରୁ କାମ କରିବା ପାଇଁ ତାମିଲିନାଡୁ ଯାଇଥିଲେ। କାମ କରି ଘରକୁ ଦୁଇ ପଇସା ଦେବା ପୂର୍ବରୁ ହଠାତ ତାଙ୍କର ମୃତ ହୋଇଥିବା ନେଇ ପରିବାରଙ୍କୁ ଖବର ମିଳିଥିଲା। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ତୁଳସୀ ନାୟକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଜୟଙ୍କ ସ୍ତ୍ରୀ ତୁଳସୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ନିଜପରିବାର ଚଳିବା ପାଇଁ ନିଜର ସ୍ବାମୀଙ୍କୁ ଅରାଙ୍ଗ ଗ୍ରାମର ହଜୁ ନାମକ ଠିକାଦାର ସହିତ ଦାଦନ ଖଟିବ ପାଇଁ ପଠାଇଥିଲେ। ହେଲେ ତାଙ୍କ ସ୍ବାମୀଙ୍କର ମୃତ ଦେହ ଆଣିବା ପାଇଁ ତୁଳସୀଙ୍କ ଠାରୁ ଠିକାଦାର ହଜୁ ଟଙ୍କା ମାଗୁଥିବା  ଗଣମାଧ୍ୟମକୁ ଜଣାଇଛନ୍ତି। ସ୍ବାମୀଙ୍କ ମୃତ ଶରୀର ଆଣିବା ପାଇଁ ଠିକାଦାର ହଜୁ ନାୟକ ଆମ୍ବୁଲାନ୍ସ ବାବଦକୁ ୩୦ ହଜାର ଟଙ୍କା ଦାବି କରିଥିବା ସେ ଅଭିଯୋଗ କରିଛନ୍ତି। ସେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା କୋଉଠୁ ଆଣିବେ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।

କିନ୍ତୁ ବର୍ତ୍ତମାନ ସେ ଦୁଇ କୁନି କୁନି ଛୁଆଙ୍କୁ ନେଇ ନିରୁପାୟ ହୋଇ ନିକଟସ୍ଥ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ମୃତ ଦେହକୁ ଆଣିବା ଏବଂ ଠିକାଦାରଙ୍କୁ ଗିରଫ କରିବା ଲାଗି ସେ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଅପର ପକ୍ଷରେ ଲେବର ଅଫିସକୁ ଯାଇ ମଧ୍ୟ ସେ ଏହି ବାବଦରେ ଜଣାଇଛନ୍ତି।

ତେଣୁ ପ୍ରଶାସନ ତରଫରୁ ତୁଳସୀ ନାୟକଙ୍କୁ ଉଚିତ ନ୍ୟାୟ ମିଳିବାକୁ ସାଧାରଣରେ ଦାବି ହେବା ସହ ଠିକାଦାରକୁ ଗିରଫ ପାଇଁ ଦାବି ହେଉଛି।