Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ ରହି ସୁରକ୍ଷିତ ଭାବରେ ମତଦାନ କରିପାରିବେ।

ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚଳିତ ଉପନିର୍ବାଚନରେ କୋଭିଡ୍-୧୯ ର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ମଧ୍ୟ ସାନିଟାଇଜେସନ୍, ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କଲେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ସୁବ୍ରତ ଦାଶ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ଏହାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଉଛି। ଏଭଳି ଭୟଙ୍କର ବିପତ୍ତି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ ଉପଯୋଗୀ ପଦକ୍ଷେପକୁ ସବୁଆଡ଼େ ପ୍ରଶଂସା କରାଯାଉଥିବା ବେଳେ କରୋନା ଭୁତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ।  ସେହିପରି ବୁଧବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ଯୁବ ସଭାପତି ତଥା ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ (ଦିଲୁ ନନା) କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏଭଳି ଭୟଙ୍କର ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ଦିଲୁ ନନା ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବାରୁ ତିର୍ତ୍ତୋଲ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଯୁବ ସଂଗଠନ ମାନଙ୍କ ତରଫରୁ ଦୃଢ ପ୍ରଶଂସା କରାଯାଇଛି।