Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ରର ପୁଣି ଦାଦାଗିରି: କୋଟିଆରେ ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବାକୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର: ପୁଣି ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ନିଜର ଦାଦାଗିରି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସରକାରୀ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ଆନ୍ଧ୍ର ସରକାର ଓଡ଼ିଆ ଭାଷା ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ବାତ୍ୟା ଗୁଲାବର ସୁଯୋଗ ନେଇ କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀ ଓ ଫଗୁସିନେରୀ ଅଞ୍ଚଳରେ ଆନ୍ଧ୍ର ସରକାର ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତମାସରେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଗ୍ରାମପୁଞ୍ଜର ସବୁ ଗାଁରେ ଓଡ଼ିଆଭାଷାରେ ବୋର୍ଡ଼ ମାରିଥିଲେ। ଓଡ଼ିଆ ବୋର୍ଡ଼କୁ ଘୁଞ୍ଚାଇବାର ଦୁଃସାହସ କରିନପାରି ଆନ୍ଧ୍ର ପ୍ରଶାସନ ପକ୍ଷରୁ ତେଲୁଗୁ ଭାଷାରେ ଏହି ଦୁଇ ପଞ୍ଚାୟତରେ ଫାଟୁସିନେରୀ ଓ ଫଗୁସିନେରୀରେ ତେଲୁଗୁ ଭାଷାରେ ଯେଉଁ ବୋର୍ଡ଼ ଲଗାଯାଇଛି ଏହା ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ତଥା ଓଡ଼ିଶାର ଭୌଗୋଳିକ ସ୍ୱାତନ୍ତ୍ର‌୍ୟ ଓ ସ୍ୱାଭିମାନ ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ତୁରନ୍ତ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ପାଖରେ ଏହାର ପ୍ରତିବାଦ କରିବା ସହିତ ତେଲୁଗୁ ଭାଷାରେ ମରା ଯାଇଥିବା ଏହି ବୋର୍ଡ଼କୁ ହଟାଇ ନେବା ପାଇଁ ପତ୍ର ଲେଖିବା ଉଚିତ। ଯଦି ଆନ୍ଧ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଓଡ଼ିଶା ସରକାର ଏହି ବୋର୍ଡ଼ଗୁଡ଼ିକୁ ବାହାର କରିଦେଇ ସେଠାରେ ଓଡ଼ିଆରେ ବୋର୍ଡ଼ ମାରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।