Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଇମ୍ରାନ ଖାନଙ୍କ ବିରୋଧରେ ୱାରେଣ୍ଟ ଜାରି: ଯେକୌଣସି ସମୟରେ ହୋଇପାରନ୍ତି ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ତେହେରିକ-ଇ-ଇନସାଫ ପାର୍ଟିର ସଭାପତି ଇମ୍ରାନ ଖାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଇମ୍ରାନ ଖାନଙ୍କ ସହ ଅସଦ ଉମର, ଫୱାଦ ଚୌଧୁରୀଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହି ୱାରେଣ୍ଟକୁ ପାକିସ୍ତାନର ନିର୍ବାଚନ ଆୟୋଗର ଚାରି ଜଣିଆ ଖଣ୍ଡପୀଠ ଜାରି କରିଛି।

ଅବମାନନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ନିସାର ଦୁରାନୀଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ବର୍ତ୍ତମାନ ମାମଲାର ଶୁଣାଣି ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆୟୋଗ ଗତ ବର୍ଷ ବରିଷ୍ଠ ପିଟିଆଇ ନେତାମାନଙ୍କୁ ମାନହାନୀ ନୋଟିସ ଜାରି କରିଥିଲେ।

ନିର୍ବାଚନ ଆୟୋଗ କହିଛନ୍ତି ,ଯେ ଇମ୍ରାନ ଖାନ ଏବଂ ପିଟିଆଇର ବଡ ନେତାମାନେ ସେମାନଙ୍କ ରାଲିରେ ଏବଂ ଗଣମାଧ୍ୟମରେ ନିର୍ବାଚନ ଆୟୋଗ ଏବଂ ଏହାର ଅଧ୍ୟକ୍ଷଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ କଥା କହିଛନ୍ତି। ଏହି ମାମଲାରେ ଛାଡ ଦେବାକୁ ପିଟିଆଇ ନେତାମାନେ ଅନୁରୋଧ କରିଥିଲେ ମଧ୍ୟ ଆୟୋଗ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାନୁଆରୀ ୧୭ ତାରିଖରେ ସମସ୍ତ ନେତାଙ୍କୁ ହାଜର ହେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଆୟୋଗ ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।