Categories
ବିଶେଷ ଖବର ବ୍ୟବସାୟ

ଶେଷ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୬ କୋଟିରୁ ଅଧିକ ଟଙ୍କାର କାରବାର

ଭୁବନେଶ୍ବର: ଗତ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼୍‌ ଷ୍ଟଲ୍‌ରେ ବିିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ଯୋଗଦାନ କରିଛନ୍ତି।

ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ତନ୍ମଧ୍ୟରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌ କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ୧୪ ଦିନରେ ୧୯ ଲକ୍ଷରୁ ଊଦ୍ଧ୍ୱର୍ ପରିଦର୍ଶକ ମେଳା ପରିଦର୍ଶନ କରିଛନ୍ତି।

ସଂସ୍କୃତିକ ସଂଧ୍ୟାରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପ ପ୍ରଦ୍ମଶ୍ରୀ ଇଲିଆନ୍‌ ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟଶାଳା, କଟକର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ, ଶ୍ରୀଧରନାଥ ପରମାଣିକ ଲୋକକଳା ପରିଷଦ, ବ୍ରହ୍ମଗିରିର କଳାକାରମାନଙ୍କ ଦ୍ୱାରା ଧୁୁଡ଼ୁକି ପରିବେଷଣ କରାଯାଇଥିଲା କଳାଜୀବୀ, ବରଗଡ଼ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ଦିବସରେ ଜନତା ମଇଦାନରେ ପ୍ରବଳ ଗହଳି ହୋଇଥିଲା। ପରିଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର କିଣାକିଣି କରିବା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ। ଆଜି ମେଳା ସରୁଥିବାରୁ ନିଜର ମନପସନ୍ଦର ଜିନିଷସବୁ କିଣାକିଣି କରି ନେବାକୁ ପରିଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଜନତା ମଇଦାନଠାରେ ଅନୁଷ୍ଠିତ ଉଦ୍‌ଯାପନୀ ପର୍ବରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତୋଷାଳି ମେଳାରେ ଯୋଗଦେଇଥିବା ଶିଳ୍ପୀ, କଳାକାର, ବୁଣାକାର, କାରିଗରମାନଙ୍କୁ ଧନ୍ୟବାଦ ଦେଇଥିଲେ।