Categories
ଆଜିର ଖବର ଆଞ୍ଚଳିକ

ଝଙ୍କଡ ସାରଳାଙ୍କ ଦଶଘଟ ପରମ୍ପରାର ଶୁଭାରମ୍ଭ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରୁ ଚୈତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। କନକପୁରର ଅଧିଶ୍ୱର ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୦ଜଣ ରାଉଳ ସେବକ ଘଟଦଣ୍ଡ ସହିତ ନିଜକୁ ଘଟ ପାଟୁଆ ବେଶରେ ସଜ୍ଜିତ ହେବା ପରେ ଘଣ୍ଟ, ଘଣ୍ଟା, କାହାଳୀ, ଭେରୀ, ତୁରୀ, ଢୋଲ ମହୁରୀ ଓ ହରିବୋଲ ହୁଳହୁଳୀ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଝଙ୍କଡର ଗାଁ ଦାଣ୍ଡ।

ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଏହି ଦଶଘଟ ମା’ ସାରଳାଙ୍କ ମନ୍ଦିରରେ ପହଂଚିବା ପରେ ମା’ଙ୍କ ରତ୍ନସିଂହାସନ ସମ୍ମୁଖରେ ବଡପଣ୍ଡା ପ୍ରଗ୍ୟାଂଦିପ୍ତ ପଣ୍ଡା ପୂଜା କରିଥିଲେ। ପରେ ଏହି ଘଟପାଟୁଆ ମାନେ ମନ୍ଦିର ବେଢା ପରିକ୍ରମା କରିବା ପରେ ନାଟ୍ୟ ମଣ୍ଡପରେ଼ ଘଟନୃତ୍ୟ ପରିବେଷଣ କରିଥିଲେ। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଘଟଦଣ୍ଡ ଉପରେ ଶାଢୀ ପ୍ରଦାନ କରିବା ପରେ ଏହାର ପରିସମାପ୍ତି ଘଟିଥଲା

ଏହି ମୀନ ସଂକ୍ରାନ୍ତି ଠାରୁ ମହାବିଷୁବ ସଂକ୍ରାନ୍ତି ଝାମୁଯାତ୍ରା ପର୍ଯ୍ୟନ୍ତ ଘଟ ପାଟୁଆମାନେ ପୁର ପଲ୍ଲିରୁ ସହର ନଗରୀ ପରିକ୍ରମା କରି ଘଟନୃତ୍ୟ ମାଧ୍ୟମରେ ଦେବୀ ଶକ୍ତିର ଅଲୌକିକ ମହାମହିମା ଲୀଳା ପ୍ରଦର୍ଶନ କରି, ମାତୃ ଉପାସନା ଓ ମାତୃ ଶକ୍ତିକୁ ସମ୍ମାନର ବାର୍ତ୍ତା ଦେଇଆସୁଛନ୍ତି।