Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କିସିଣ୍ଡାରେ ଆଦିବାସୀ ଉଚ୍ଛେଦ ଦାବୀରେ ରେଞ୍ଜ ଅଧିକାରୀଙ୍କୁ ଦାବୀପତ୍ର

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ଉପଖଣ୍ଡ କିସିଣ୍ଡା ର ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡା ଠାରେ ବନ ସୁରକ୍ଷା ସମିତି ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଧ୍ୱଂସ ପାଇଥିବା ଜଙ୍ଗଲର ପୁନରୁଦ୍ଧାର କରିବାକୁ ବନ ସୁରକ୍ଷା ସମିତି ଦାବୀ କରିଛି।

ଆସନ୍ତା ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଛି ବୋଲି ବନସୁରକ୍ଷା ସମିତିର ସଭ୍ୟମାନେ ଲିଖିତାକାରରେ ଜଣାଇଛନ୍ତି। ଏହାର ଏକ କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଛନ୍ତି। ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ଦାବୀ କରିଛନ୍ତିି।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲେ। ଏହା ସତ୍ୱେ ବନବିଭାଗ ତଥା ସରକାର ଜଙ୍ଗଲ କାଟି ପଦା କରିଥିବା ଆଦିବାସୀମାନଙ୍କ ବିରୁଦ୍ଧରେ କୌଣସି ପଦେକ୍ଷପ ନେଇ ନ ଥିବା ସମିତି ପ୍ରକାଶ କରିଛି। ରେଞ୍ ଅଧିକାରୀଙ୍କୁ ସାକ୍ଷାତ୍ କରିବା ସମୟରେ କିସିଣ୍ଡା ଥାନାଧିକାରୀ ଚିତରଞନ ନାଏକ ମଧ୍ୟ ଉପସ୍ଥିତ ଥିଲେ। ବନ ସୁରକ୍ଷା ସମିତିର ସଭାପତି ଶଙ୍କର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, ନାରାୟଣ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା।