Categories
ଆଜିର ଖବର ଜାତୀୟ ଖବର

ଅଜିତ ପାୱାରଙ୍କୁ ଝଟକା: ଘରକୁ ଫେରିଲେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ୨ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ଘରକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତ ପାଟିଲ ଆଜି ଦାବି କରିଛନ୍ତି ଯେ, କୌଣସି କାରଣ ନକହି ଅଜିତ ପାୱାର ଗତକାଲି ବିଧାୟକଙ୍କ ଦସ୍ତଖତ ନେଇଛନ୍ତି। ଆମେ ତାଙ୍କ ପଦକ୍ଷେପ ସହିତ ସହମତ ନୁହଁ।

ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଦିଲୀପଙ୍କ ବ୍ୟତୀତ, ବିଦ୍ରୋହର ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ହାଜର ହୋଇଥିଲେ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ଆଜି ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ।

ବିଦ୍ରୋହୀ ବିଧାୟକଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ:

ଏହି ସମୟରେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ବରଖାସ୍ତ କରିଛି। ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଦଳର ପ୍ରତୀକ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଯଦି ଏପରି କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମଗ୍ର ରାଜ୍ୟ ଭ୍ରମଣ କରିବାକୁ ଯାଉଛନ୍ତି।