Categories
ବିଶେଷ ଖବର

ବିପଦରେ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା!, ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସୁରଟ: ଆଜି ସୁରଟ କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ଉପନାମ ଉପରେ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପରେ ରାହୁଲ ଗାନ୍ଧୀ କୋର୍ଟରୁ ଜାମିନ ପାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଥିଲା ଏବଂ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦିଆଯାଇଛି। ଏହି ରାୟ ଦେବାବେଳେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ସମୟରେ ରାହୁଲ ଗାନ୍ଧୀ କୋର୍ଟଙ୍କୁ କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ ଭୁଲ ନୁହେଁ। ତାଙ୍କ ବିବୃତ୍ତିରେ କାହାରି କିଛି କ୍ଷତି ହୋଇନାହିଁ। ଏହା ସହ ସେ ଏହି ମାମଲାରେ ନିଜ ପାଇଁ କମ୍ ଦଣ୍ଡ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଆଜି ସକାଳ ୧୦ ଟାରେ ସୁରଟ ବିମାନବନ୍ଦରରେ ପହଞ୍ଚି ପ୍ରାୟ ୧୧ ଟା ସମୟରେ କୋର୍ଟରେ ହାଜର ହୋଇଥିଲେ। ତାଙ୍କର ଏକ ଆପତ୍ତିଜନକ ମନ୍ତବ୍ୟ ପାଇଁ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁ ଶୁଣାଣି ଉପରେ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ମାମଲା ୨୦୧୯ ରେ ଘଟିଥିଲା, ଯେତେବେଳେ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପନାମ ଉପରେ ମନ୍ତବ୍ୟ ଦେଇଥିଲେ। ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ରାହୁଲ ଅଭିଯୋଗ କରିଥିଲେ ଯେ, ‘କାହିଁକି ସମସ୍ତ ଚୋରଙ୍କର ସମାନ ନାମ ମୋଦୀ?’ ରାହୁଲଙ୍କ ଏହି ମନ୍ତବ୍ୟ ବିରୋଧରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ପ୍ରକାଶ ଯେ, ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଛି। ଏହି ମାମଲାରେ ସେ ଆଜି ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି। ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ ତାରିଖକୁ ରାୟ ଘୋଷଣା କରିବା ପାଇଁ ସ୍ଥିର କରିଥିଲେ। ଆଜି ଶୁଣାଣି ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ଘୋଷଣା କରିଛନ୍ତି।