Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ,14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ 14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡି.ଏସ୍‌.ପି., ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ। ପୂର୍ବରୁ ୧୭୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।5T ଓ ମୋ ସରକାର ଉପକ୍ରମ ଜରିଆରେ ମିଳିଥିବା feedback ଭିତ୍ତି ରେ ଏହି କଠୋର ପଦକ୍ଷେପ ନିଆଯାଇଛି।

କଟକ ପି.ଏଚ.ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା। ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

କୋରାପୁଟ ଲମତାପୁଟ ବ୍ଲକ୍‌ର ପୂର୍ବତନ ସିଡିପିଓ ଶ୍ରୀମତୀ ସ୍ବର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ବୌଦ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ପୂର୍ବତନ ବିଡିଓ ଶ୍ରୀ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ନୟାଗଡ ଖଣ୍ଡପଡା ତହସିଲର ପୂର୍ବତନ ତହସିଲଦାର ଶ୍ରୀ ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍‌ପି ଶ୍ରୀ ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଗଜପତି ଜିଲ୍ଲା ମୋହନା ବ୍ଲକ୍ର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକ୍‌ର ଜୁନିଅର ଇଞ୍ଜିନିୟର ଶ୍ରୀ ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ସୁନ୍ଦରଗଡ ମ୍ୟୁନିସ୍ପାଲଟିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।

ଢେଙ୍କାନାଳ RWSS Divisionର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ପ୍ରସନ୍ନ କୁମାର ପାଣି। ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି।

କୋରାପୁଟ ନନ୍ଦପୁର ବ୍ଲକ୍‌ର ଦାୟିତ୍ବରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଶ୍ରୀ ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ସେହିପରି ଭୁବନେଶ୍ବର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର(ଟେଣ୍ଡର) ଶ୍ରୀ ସୋମନାଥ ପଣ୍ଡା ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ଭୁବନେଶ୍ବର ଆଇଆରସି ଭିଲେଜ ମେଣ୍ଟେନାନ୍‌ସ ସେକ୍‌ସନର ପୂର୍ବତନ ଜୁନିଅର ଇଞ୍ଜିନିୟର ଶ୍ରୀ କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ତାଳଚେର ମ୍ୟୁନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର ଶ୍ରୀ କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବୌଦ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଶ୍ରୀ ଦିଲ୍ଲିପ କୁମାର ଦିଗଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ତଥା ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Categories
ବିଶେଷ ଖବର

ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 

କେଦାର ମିଶ୍ର 

ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି।

ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ ସତ୍ତ୍ୱେ ମୋଦୀ ସରକାର ନିଜକୁ ଦୁର୍ନୀତିମୁକ୍ତ ବୋଲି ଏକ ବିଜ୍ଞାପନ ବ୍ୟବସ୍ଥା କରୁଛନ୍ତି। ଦୁର୍ନୀତି ବିରୋଧୀ ସଂଶୋଧନ ଆଇନ-୨୦୧୮ ପରେ ଏହାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ। ଉପର ସ୍ତରରେ ଦୁର୍ନୀତିକୁ ନେଇ ଏକ ପ୍ରକାର ଚଳେଇ ନେବାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ଫଳରେ ଉଲଗ୍ନ ଚେହେରା ଆମକୁ ଆଉ ଆଗପରି ବ୍ୟତିବ୍ୟସ୍ତ କରୁନାହିଁ। କର୍ଣ୍ଣାଟକରେ ଜଣେ ବିଧାୟକ ଦଳ ବଦଳ କଲାପରେ ତାଙ୍କ ସମ୍ପତ୍ତି ୧୮୦ ଗୁଣ ବଢିଗଲା। ଏହାକୁ ଆଜି ଆଉ ଦୁର୍ନୀତି କୁହାଯାଉନି।  ଏତେ ସବୁ ଭ୍ରଷ୍ଟାଚାରର ପ୍ରମାଣ ସତ୍ତ୍ୱେ ମୋଦୀ ସରକାର ନିଜକୁ ସ୍ବଚ୍ଛ ବୋଲି କହି ହେବାରେ ସଫଳ ହୋଇଛନ୍ତି।

ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ହାସ୍ୟାସ୍ପଦ ଚେହେରା ଆଉ ଏକ ତଥ୍ୟରୁ ଆମେ ପାଇପାରିବା। ନିକଟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଗତ ଏପ୍ରିଲ ରୁ ନଭେମ୍ବର ପର୍ୟନ୍ତ ପ୍ରାୟ ୨୪,୭୫୭ କୋଟି ଟଙ୍କାର ହେରାଫେରି ହୋଇଛି। ଏହି ବ୍ୟାପକ ବ୍ୟାଙ୍କ ଠକେଇକୁ ସବୁଠୁ ବଡ କର୍ପୋରେଟ ହେରାଫେରି ବୋଲି କୁହାଯାଉଛି। ଏହି ରିପୋର୍ଟ କେବଳ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର କଥା କହିଛି। ୮ ମାସ ରେ ଏତେ ପରିମାଣର ଟଙ୍କା କର୍ପୋରେଟ ଗୁଡିକ କେବଳ ଗୋଟିଏ ବ୍ୟାଙ୍କରୁ ଖାଇଯାଇଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡିକର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ବିନା ଭୟ ଓ ଦ୍ଵିଧାରେ ବ୍ୟାଙ୍କ ଗୁଡିକରେ ରହିଥିବା ଲୋକଙ୍କ ଟଙ୍କା ଖାଇ ଯାଉଥିବା ଶିଲ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାରେ ସରକାରଙ୍କର ବିଶେଷ ଆଗ୍ରହ ନାହିଁ।କର୍ପୋରେଟ ଠକ ଓ ଦଲାଲମାନେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ରାତାରାତି ଫେରାର ହୋଇ ଯାଉଥିବା ବେଳେ ଏ ପ୍ରସଙ୍ଗରେ ସାଧାରଣ ଲୋକ ବିଶେଷ କିଛି ଜାଣିବାର ସୁଯୋଗ ନାହିଁ।

ଷ୍ଟେଟ ବ୍ୟାଙ୍କର ଏହି ଉଦବେଗଜନକ ରିପୋର୍ଟ ସମ୍ପର୍କରେ ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ଖବର କାଗଜ ଗୁଡିକ କିଛି ଲେଖିଥିବା ବେଳେ ସାଧାରଣ ଖବର କାଗଜ ଏହାକୁ ବିଶେଷ ଗୁରୁତ୍ଵ ଦେଇ ନାହାନ୍ତି। ଟେଲିଭିଜନରେ ଏହାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବାସ୍ତବରେ ବୁଝି ହେଉନାହିଁ ଯେ କର୍ପୋରେଟ ଘୋଟାଲା ସମ୍ପର୍କିତ ଏତେ ବଡ ଖବରକୁ ଚାପି ଦେବାର କାରଣ କଣ? ମାତ୍ର ୮ ମାସରେ କେବଳ ଗୋଟିଏ ବ୍ୟାଙ୍କରେ ୨୪,୭୫୭ କୋଟି ଟଙ୍କା ଖାଇ ଯାଇଥିବା କର୍ପୋରେଟ ଗୁଡିକୁ ସୁରକ୍ଷା ଦେଉଛି କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଷାରେ, ଏହି ଦୁର୍ନୀତିଖୋରଙ୍କୁ ଚାରାପାଣି ଖୁଆଉଛି କିଏ? ଆମେ ଜାଣିଛୁ, ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ।

ବିଭିନ୍ନ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତାମାନେ ଅବସର ପରେ କର୍ପୋରେଟ ଗୁଡିକରେ ମୋଟା ଅଙ୍କର ଦରମା ପାଇ ଥଇଥାନ ହେଉଛନ୍ତି। ଏହାର ବଡ ଉଦାହରଣ ହେଉଛନ୍ତି ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ୟ। ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ଭଟ୍ଟାଚାର୍ୟ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ କମ୍ପାନୀରେ ନିର୍ଦ୍ଦେଶକ ପଦ ପାଇଛନ୍ତି। ଏମିତି ଅନେକ ବ୍ୟାଙ୍କର ବଡ ବାବୁ ଅଛନ୍ତି, ଯେଉଁମାନେ କର୍ପୋରେଟଙ୍କୁ ସାହାଯ୍ୟ କରି ବ୍ୟାଙ୍କକୁ ଖୋଳ କରିଦିଅନ୍ତି। ସେ ସମ୍ପର୍କରେ ଆମର କୌଣସି ଠୋସ ନୀତି ମଧ୍ୟ ନାହିଁ। ଯଦି କୌଣସି ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଅବସର ପରେ କର୍ପୋରେଟ ଚାକିରିରେ ଯୋଗ ଦିଅନ୍ତି, ତେବେ ସେ ପୂର୍ବରୁ ଦେଇଥିବା ଋଣ ଓ ଋଣ ଖିଲାପି ସମ୍ପର୍କରେ ବ୍ୟାପକ ତଦନ୍ତ ହେବା ଉଚିତ।

ବ୍ୟାଙ୍କ ଠକେଇ ର ଏହି ନୂଆ ଯୁଗ କୁ ଆମେ ମୋଦୀଙ୍କ ନୂଆ ଭାରତର ନୂଆ ନୈତିକତା ବୋଲି ଗ୍ରହଣ କରିନେବା ନା ଏହା ବିରୋଧରେ କିଛି କହିବା?