Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ ଦାବୀ କରିବାରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଧମକ ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବୀ କରିବାରୁ ଆଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଦୁର୍ନୀତିଗ୍ରସ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଧର୍ମଗଡ ଉପଜିଲ୍ଲାପାଳ କୌଣସି ଆପତ୍ତି ଅଭିଯୋଗ ଶୁଣିବାକୁ ରାଜିନଥିବା ଅଭିଯୋଗ ହେଉଛି।

ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ୟା ୧୬୧୧ ତା.୧୬.୦୫.୨୦୨୦ ରେ ସାଂପ୍ରତିକ କୋଭିଡ-୧୯ ସ୍ଥିତିରେ କୌଣସି ବିଷୟରେ ପତ୍ରାଳାପ ନକରିବାକୁ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆଗାମୀ ଦିନରେ ଯଦିଓ ସେଭଳି ଅଭିଯୋଗ ପତ୍ର ଦାଖଲ କଲେ ବିପର୍ଯ୍ୟୟ ପରିଚାଳାନା ଆଇନର ଧାରା ୫୧-୬୦ ତଥା କୋଭିଡ-୧୯ ରେଗୁଲେସନ ଆଇନ ୨୦୧୦ ଏବଂ ଆଇପିସି ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଅଭିଯୋଗକାରୀଙ୍କ ପକ୍ଷରୁ ନିଜର ସୁରକ୍ଷା ପାଇଁ ଏସଂପର୍କରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆପତ୍ତି କରିଥିବା ପ୍ରକାଶ।

ଅଭିଯୋଗରୁ ଜଣାପଡେ ଯେ, ଜୁନାଗଡ ଆରଏମସିରେ ବିଗତ ତିନି ବର୍ଷ ମଧ୍ୟରେ ବ୍ୟାପକ ଅନିୟମିତତା ଏବଂ ଆର୍ଥିକ ହେରାଫେରୀ ହେଉଥିବା ଅଭିଯୋଗ ହୋଇଆସୁଥିଲା। ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ବିନା କୌଣସି ଟେଣ୍ଡରକଲ ନୋଟିସ ରେ କୋଟୀ କୋଟୀ ଟଙ୍କାର ସାମଗ୍ରୀ କିଣିବା ସହିତ ମଣ୍ଡି ମାନଙ୍କରେ ସିସିଟିଭି, ୱେବ୍ରିଜ ସ୍ଥାପନ କରାଇ ବ୍ୟାପକ କିକବେକ କରିଥିବା ଅଭିଯୋଗ ହୋଇଥିଲା। କୋଡିଏ ଜଣ ସ୍ଥାୟୀ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏବଂ କମିଟୀ ରେଜୁଲେସନ ଏବଂ ଓସାମାବୋର୍ଡର ବାରଣ ସତ୍ତ୍ୱେ ବ୍ୟାପକ କିକବେକ କରାଯାଇ ଆହୁରି କୋଡିଏ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦିଆଯାଇ କାମ ନଥିଲେ ମଧ୍ୟ ବର୍ଷତମାମ ସେମାନଙ୍କୁ ନିୟମିତ ଦରମା ଦିଆଯାଉଥିଲା।

ପ୍ରାୟ ୨୫ କୋଟୀ ଟଙ୍କାର ଉନ୍ନୟନ ମୂଲକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ସୁହାଇବା ଭଲି ପ୍ଲାନ ଏଷ୍ଟିମେଟ କରାଯାଇ ଭାଗୁଆଳିରେ ତରବରିଆ ବାବେ ସରକାରୀ ଗୋଚର ଜମିରେ କାର୍ଯ୍ୟ ସଂପାଦନ କରିଦିଆଗଲା। ଜୁନାଗଡ ନୂତନ ମାର୍କେଟୟାର୍ଡରେ ଥିବା ଗୋଦାମ ଗୃହ ମରାମତି ନାମରେ ବ୍ୟାପକ ଅର୍ଥ ହେରାଫେରୀ କରାଯାଇଥିବା ବେଳେ ଅଫିସ ଚତୁର୍ପାଶ୍ୱରେ ଥିବା ପୁରୁଣା ବାଉଣ୍ଢ୍ରୀୱାଲ ମାତ୍ର ତିନି ଫୁଟ ଉଠାଇ ଦେଇ ସମୁଦାୟ ବିଲ କରିନିଆଯାଇଥିବାଅଭିଯୋଗ ହୋଇଥିଲା। ଏପରିକି ଟାଇପିଷ୍ଟ ଚାକିରୀ ପାଇବାକୁ ଜାଲିଆତି କରି ଟାଇପ ଶିକ୍ଷା ସାର୍ଟିଫିକେଟ ଦାଖଲ କରି ଟାଇପିଷ୍ଟ ଭାବେ ଚାକିରୀ ପାଇଥିବା ଓ ପରବର୍ତ୍ତୀ ସମୟରେ ହିସାବ ରକ୍ଷକ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। କମିଟୀ ସଭ୍ୟ ମାନେ ହିଁ ଷ୍ଟଡିଟୁରରେ ଯିବାର ନିୟମ ଥିବା ବେଳେ ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜ ମନଇଚ୍ଛା ଦିନ ଧାର୍ଯ୍ୟ କରି ସଭ୍ୟ ମାନଙ୍କ ସହିତ ନିଜ ପସନ୍ଦ ର କର୍ମଚାରୀ ମାନଙ୍କୁ ଷ୍ଟଡିଟୁରରେ ନେଇଥିବା ଅଭିଯୋଗ ହେବା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ଚଂଚକତା କରି କିକବେକ ମାଧ୍ୟମରେ କର୍ମଚାରୀ ମାନଙ୍କୁ ସମୁଦାୟ ବକେୟା ଦରମା ପ୍ରଦାନ କରିଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ମାନ୍ୟବର ମନ୍ତ୍ରୀଙ୍କ ଡାକରା ଥିବା ମିଥ୍ୟା ତଥ୍ୟ ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରି ନିଜସ୍ୱ କାମ ପାଇଁ ଅନ୍ୟତ୍ର ଯାଇଥିବା ଅଭିଯୋଗ ମାନ ହୋଇଥିଲା। ସିସିଡିଟିଏଫ ଯୋଜନାରେ ଆରଏମସି ପକ୍ଷରୁ ପୁରୁଣା ଖଳାକୁ ଦେଖାଇ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କାର ଫଲସ ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏସବୁ ସଂପର୍କରେ ବିଭିନ୍ନ ସ୍ତରରେ ଅଭିଯୋଗ ହେବାପରେ କର୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଆରଏମଓ ଜୁନାଗଡ ଆରଏମସିରେ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ତୁରନ୍ତ ସଂପୃକ୍ତ ହିସାବ ରକ୍ଷକଙ୍କୁ ସଂପାଦକ ପଦବୀରୁ ହଟାଇବା ପାଇଁ ମତାମତ ଦେଇଥିବା ବେଳେ ସେହି ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଇଥିଲା।

ଏସବୁ ଘଟଣା ସଂପର୍କରେ ବିଭିନ୍ନ ସୂତ୍ରରେ ଆଲୋଚନା ହେଉଥିବା ଜାଣି ଜୁନାଗଡ ସହରର ଜନୈକ ବୁଦ୍ଧିଜୀବି ତ୍ରୀଲୋକ୍ୟନାଥ ପାଣିଗ୍ରାହୀ ଘଟଣାସବୁର ସତ୍ୟାସତ୍ୟ ଜାଣିବା ପାଇଁ ଆରଟିଆଇ ମାଧ୍ୟମରେ ସୂଚନା ପାଇବା ପାଇଁ ଦରଖାସ୍ତ ସବୁ ଦାଖଲ କରିଥିଲେ। ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜକୁ ବଂଚାଇବାକୁ ଯାଇ ଚଂଚକତାର ସହିତ ଅନେକ ଦରଖାସ୍ତର ସୂଚନା ଦେଇନଥିବା ବେଳେ ଅନେକ ଦରଖାସ୍ତର ଆଂଶିକ ସୂଚନା ଦେଇ ହଇରାଣ କରୁଥିଲେ। ଏସବୁ ସଂପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କଲେ ତାହା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖକୁ ତଦନ୍ତ ପାଇଁ ଆସୁଥିଲେ ହେଁ ଉପଜିଲ୍ଲାପାଳ ଅଫିସରେ ତାହା ଚାପି ହୋଇଯାଉଥିଲା। ଏପରିକି ଓସାମା ବୋର୍ଡ, କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରି ସଂପୃକ୍ତ ହିସାବ ରକ୍ଷକ କୌଣସି ସୂଚନା ଠିକ ଭାବରେ ଦେଉନଥିଲେ। ଫଳତଃ ଦରକାସ୍ତକାରିଙ୍କ ପକ୍ଷରୁ ଆରଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଅପିଲ ଦାଖଲ କରିଥିଲେ। ଅଦ୍ୟାବଧି କୌଣସି ଗୋଟିଏ ଅପିଲର ମଧ୍ୟ ଶୁଣାଣି କରାଯାଇନଥିବା ପ୍ରକାଶ। ଏଭଲି ଅନେକ ଗୁରୁତର ଅଭିଯୋଗ ହେବାପରେ ଓସାମା ବୋର୍ଡ ପକ୍ଷରୁ ଜୁନାଗଡ ଆରଏମସି ପାଇଁ ନୂତନ ସଂପାଦକ ନିଯୁକ୍ତି କରାଯାଇଥିବା ଜଣାପଡିଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଆରଏମସିର ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ ହିସାବ ରକ୍ଷକଙ୍କୁ ଭରସା କରୁଥିବା ଏପରିକି ଭିଡିଓ କନଫରେନ୍ସ ମିଟିଂ ମାନଙ୍କୁ ମଧ୍ୟ ସଂପୃକ୍ତ ହିସାବ ରକ୍ଷକଙ୍କୁ ଧରି ଯାଉଥିବା ଅଭିଯୋଗ ହେଉଛି। ମୁଖିଗୁଡା ଆରଏମସିରେ ନିୟମିତ ଭାବେ ବୈଠକ ହେଉଥିବା ବେଳେ ଉପଜିଲ୍ଲାପାଳ ଉଦ୍ଦେଶ୍ୟ ମୂଳକ ଭାବେ ଜୁନାଗଡ ଆରଏମସି କମିଟୀ ବୈଠକ ଡାକୁନଥିବା ଅଭିଯୋଗ ହୋଇଛି। ଏସବୁ ସଂପର୍କରେ ଏବଂ ଆରଟିଆଇ ଅପିଲ ଗୁଡିକର ଶୁଣାଣୀ କରାଯାଇ ନିୟମ ଅନୁଯାୟୀ ଆଦେଶ ଦେବାପାଇଁ ଦରକାସ୍ତକାରୀ ଲିଖିତ ଭାବେ ଉପଜିଲ୍ଲାପାଳଙ୍କ ପାଖରେ ଆପତ୍ତି କରିଆସୁଥିଲେ। ସଂପୃକ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଦରଖାସ୍ତକାରୀଙ୍କୁ ଏଭଲି ଧମକ ଦେଇ ଚପାଇ ଦେବାର ଉଦ୍ୟମ କରାଯାଇଥିବା କୁହାଯାଉଛି। ଧର୍ମଗଡ ଉପଜିଲ୍ଲାପାଳ ଜୁନାଗଡ ଆରଏମସି ଅଧ୍ୟକ୍ଷ ହିସାବରେ ପ୍ରତିମାସକୁ ଆଲାଉନ୍ସ ନେଉଥିବା ସହିତ ଅଫିସିଆଲ ଟୁର ପାଇଁ ଆରଏମସି ପାଣ୍ଠିରୁ ବୋଲେରୋ ଗାଡି, ଅଫିସ, ପିଅନ ଯୋଗାଇ ଦିଆଯାଇଥିବା ବେଳେ ଆରଏମସିର ଦୁର୍ନୀତି ସଂପର୍କରେ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ଉପଜିଲ୍ଲାପାଳ ହିସାବରେ ଧମକ ଦେଉଥିବା ଘଟଣା କେବଳ ଦୁର୍ନୀତିକୁ ଚପାଇଦେବାର ଉଦ୍ୟମ ହୋଇଥାଇପାରେ ବୋଲି ଦରଖାସ୍ତକାରୀ ମୂଖ୍ୟମନ୍ତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ ଆବେଦନ କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨0୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପଖି ଚାରି ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି। କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ କିଛି ମାସ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା। ସରକାର ଯଥା ଶୀଘ୍ର ଏଭଳି ଏକ ଗରିବ ପରିବାରଙ୍କୁ ବିନା ଲାଞ୍ଚରେ ଇନ୍ଦିରା ଆବାସ ଯୋଜନା କରାଇଦେବା ପାଇଁ ନିବେଦନ କରିଛନ୍ତି ରୀନା।

Categories
ଆଞ୍ଚଳିକ

ବାଣପୁର ପ୍ରଶାସନର ଅଜବ ନୀତି: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଦିଆଯାଉଛି ଥାନାରେ ଏତଲା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ ସେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ସଙ୍ଗୀନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାର ସମ୍ପାଦକ ଜଣକ ଫୋନ୍‌ ମାଧ୍ୟମରେ ତାଙ୍କୁ ଦୁର୍ବ୍ୟବହାର କରିବା, ଜାତିକୁ ଆକ୍ଷେପ କରିବା ସହିତ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ନୋଡାଲ୍‌ ଅଫିସର୍‌।

ଏଠାରେ ପ୍ରଶ୍ନ ଉଠୁଛି ଯେ, କ୍ବାରେଣ୍ଟିନ୍‌ରେ ପ୍ରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀମାନେ ନିଜକୁ ସର୍ବେସର୍ବା ଭାବି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଯାହା ଫଳରେ ପ୍ରବାସୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସାନିଟାଇଜର୍‌ ଦିଆଯାଉନଥିବାବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି କ୍ବାରେଣ୍ଟିନ୍‌ ସେଣ୍ଟରରେ ଶୌଚାଳୟ ନଥିବାର ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ପଚରାଯାଉଛି, ତେବେ ସେମାନେ ଏହାର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସମ୍ପୃକ୍ତ କର୍ମଚାରୀମାନେ ଏପ୍ରକାର ଅବହେଳା ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛୁ।

Categories
ବିଶେଷ ଖବର

ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା

କେଦାର ମିଶ୍ର

ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତିଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ ସମୟରେ ନିଜେ ଦୁର୍ନୀତି ଓ ଏକଛତ୍ରବାଦର ମଞ୍ଜ ପାଲଟିଛନ୍ତି। ଲାଲୁ ଯାଦବ, ରାମ ବିଳାଶ ପାଶ୍ୱାନ., ନୀତିଶ କୁମାର ମୁଲାୟମ ସିଂ ଯାଦବ, ଅରୁଣ ଜେଟଲି ପ୍ରମୁଖ ତାର ଉଦାହରଣକଂଗ୍ରେସ ଦୁର୍ନୀତି ବିରୋଧରେ କହୁ କହୁ ଏଇ ନେତାମାନେ ନିଜେ କେତେବେଳେ କଂଗ୍ରେସଠୁ ଅଧିକ ସ୍ଵେଚ୍ଚାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇପଡିଛନ୍ତି, ତାହା ସେମାନେ ବି ବୁଝିପାରିନାହାନ୍ତି 

ତେବେ ୨୦୧୨/୧୩ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସବୁଠୁ ବଡ ଦୁର୍ନୀତି ବିରୋଧୀ ଅଭିଯାନକୁ ଆମେ ଦେଖିଲୁ। ଦିଲ୍ଲୀର ରାମଳୀଳା ମଇଦାନଠାରେ “ମେରା ନେତା ଚୋର ହୈ” ବୋଲି ଚିତ୍କାର କରି ହଜାର ହଜାର ଜନସାଧାରଣ ଯେଉଁ ଆନ୍ଦୋଳନ କରିଥିଲେ, ସେ ଆନ୍ଦୋଳନକୁ ଚତୁରତାର ସହିତ ସରକାର ବିରୋଧୀ ଅସ୍ତ୍ର ଭାବରେ ପ୍ରୟୋଗ କରି ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନରେ କ୍ଷମତା ଦଖଲ କଲା। କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତି ବିରୋଧୀ ଅଭିଯାନର ମଧ୍ୟ ମୃତ୍ୟୁ  ଘଟିଲା । ଏପରିକି ଯେଉଁ ଲୋକପାଳ ଗଠନ ଲାଗି ଏତେ ତୁମ୍ଭି ତୋଫାନ ହୋଇଥିଲା, ପାଞ୍ଚ ବର୍ଷ ଭିତରେ ସେ ଲୋକପାଳ ବ୍ୟବସ୍ଥା ହାୱାରେ ଉଡିଗଲାଦୁର୍ନୀତି ବିରୋଧୀ ସବୁ ଅନୁଷ୍ଠାନ ଗତ ଚାରିବର୍ଷ ଭିତରେ କେବଳ କାଗଜ ବାଘ ହୋଇ ବସିରହିଛନ୍ତିମନମୋହନ ସିଂ ସରକାର ସମୟରେ ସବୁଠୁ ସକ୍ରିୟ ଥିବା ସିବିଆଇ ଆଜି ସରକାରୀ ଗୁଣ୍ଡା ର ଭୂମିକା ତୁଲାଉଛିସିଭିସି, ମହା ଲେଖାକାର, ପ୍ରବର୍ତ୍ତନ ବିଭାଗ ଓ ଆୟକର ବିଭାଗ ଏବେ କେବଳ ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଲାଠିଆଳ ହୋଇ କାମ କରୁଛନ୍ତିତେଣୁ କଂଗ୍ରେସ ଅମଳର ସବୁ ଦୁର୍ନୀତି ଏବେ ଅଦାଲତରେ ଫସର ଫାଟିଯାଉଥିବା ବେଳେ ବିଜେପି ସରକାର ବେଲଗାମ ଦୁର୍ନୀତିର ଅଭିଷେକ କରୁଛନ୍ତିତମ ବୋଫର୍ସ ଖରାପ ହେଲେ ଆମ ରାଫାଲେ ବଢିଆ ଯୁକ୍ତିରେ ଆଜିର ରାଜନୀତି ଚାଲିଛି

ଓଡିଶା କ୍ଷେତ୍ରରେ ମଧ୍ୟ ସମାନ କଥା। ଦେଶ ସ୍ଵାଧୀନ ହେବାପରେ ଜଣେ ଅତ୍ୟନ୍ତ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵ ପାଇଥିବା ଓଡିଶା ପରବର୍ତ୍ତୀ କାଳରେ ଦୁର୍ନୀତିର ପେଣ୍ଠ ଭାବେ ଦୁର୍ନାମ ଅର୍ଜିଥିଲାଏକଦା ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ମୁଧଲକର କମିଶନ, ସରଜୁ ପ୍ରସାଦ କମିଶନ, ଶାହ କମିଶନ, ଖାନ୍ନା କମିଶନ ଭଳି ବହୁ ତଦନ୍ତକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାସେଥିରୁ କିଛି କମିଶନ କେତେକଙ୍କୁ ଅଭିଯୁକ୍ତ ଭାବରେ ଦଣ୍ଡିତ କରିବାର ସୁପାରିଶ ମଧ୍ୟ କରିଥିଲେହେଲେ ଆଇନର ଗଲାବାଟ ଦେଇ ବଡ ମୁଣ୍ଡ ମାନେ ବିଭିନ୍ନ ବାଟରେ ଖସିଗଲେଅଶି ଦଶକରୁ ଓଡିଶାରେ ଦୁର୍ନୀତି ଏକ ଗ୍ରହଣୀୟ ନୀତି ପାଲଟିଗଲା। ଆଜି ବି ସେ ଧାରା ବଳବତ୍ତର ରହିଛି।

ଆଜି ଯେତେବେଳେ ଓଡିଶା ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି, ଲୋକେ ପ୍ରଥମେ ଦେଖୁଛନ୍ତି, ଅଭିଯୋଗକାରୀ କିଏ? ଓଡିଶାର ଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗରେ ଜଷ୍ଟିସ ଏମବି ଶାହ ଯେଉଁ ରିପୋର୍ଟ ଦେଇଥିଲେ, ତାକୁ କେନ୍ଦ୍ରର ମୋଦୀ ସରକାର ଡଷ୍ଟବିନ କୁ ଫୋପାଡି ଦେଇଛନ୍ତିସେହିପରି ଚିଟଫଣ୍ଡ ଦୁର୍ନୀତି ମାମଲାରେ କେବଳ ସୁଆଙ୍ଗ ଦେଖେଇବା ଛଡା କେନ୍ଦ୍ରର ସିବିଆଇ ଅଧିକ କିଛି କରିନାହିଁତେଣୁ ବିଜେପି ଓଡିଶାରେ ଯେତେବେଳେ ଦୁର୍ନୀତି ବା ପିସି କଥା ଉଠାଉଛି, ସେଠି ଲୋକ ବିଜେପି ନିଜ ମୁହଁ ଦର୍ପଣରେ ପ୍ରଥମେ ଦେଖୁ ବୋଲି ଭାବିବା ସ୍ଵାଭାବିକଅପର ପକ୍ଷରେ କଂଗ୍ରେସ, ଯେତେ ଅଧିକ କ୍ଷମତାରୁ ଦୂରରେ ଥିଲେ ମଧ୍ୟ, ଦୁର୍ନୀତିର ଛିଟା ତାଙ୍କ ଦେହରୁ ଛାଡୁନାହିଁବିଜୁ ଜନତା ଦଳ ଭିତରୁ ଯେଉଁ ନେତାମାନେ ତଡା ଖାଇ ଆସୁଛନ୍ତି, ସେମାନେ କେବେ କେମିତି ସରକାର କୁ ଘାଇଲା କରିବାକୁ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନେତା ବିଜେଡି ଶିବିରରେ ୧୮ ବର୍ଷ ରହି ସବୁ ମଲାଇ ଖାଇ ସାରିଲା ପରେ ଦୁର୍ନୀତି ବିରୋଧରେ କହିବାଟା ଲୋକଙ୍କୁ ପ୍ରଭାବିତ କରିପାରୁନି

ଏସବୁର ଅନ୍ତିମ ପରିଣତି ହେଉଛି, ଦୁର୍ନୀତି ଆମ ରାଜନୀତିରେ ଏବେ ଏକ ଚଳନୀୟ ବ୍ୟବସ୍ଥା ହୋଇଯାଇଛିଯିଏ ଦୁର୍ନୀତି ବିରୋଧରେ କହୁଛି ତାକୁ ମାଉଁସ ଖଣ୍ଡେ ଫୋପାଡିଦେଲେ ସେ ଚୁପମୁହଁ ରେ ହାଡ ଜାକି କୁକୁର ଭୁକିପାରିବ ନାହିଁ। ତେଣୁ ହାଡଖଣ୍ଡେ ପାଇବା ଲାଗି ଦୁର୍ନୀତି ବିରୋଧୀ ଅଭିଯାନ ସହ ଲୋକେ ଆଉ ନିଜକୁ ସାମିଲ କରୁନାହାନ୍ତି। ଆଜିର ତାରିଖରେ ଦୁର୍ନୀତି ବିରୋଧରେ କହିବା, ସବୁଠୁ ବଡ ଛଳନା ଓ ନିର୍ବାଚନୀ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ