Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାରହା ମାଂସ ସହ ୩ ଗିରଫ, ଦେଶୀ ବନ୍ଧୁକ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜରେ ଦିନକୁ ଦିନ ଜନ୍ତୁ ଶିକାର ବଢ଼ି ଚାଲିଥିବା ଯୋଗୁଁ
ବନ ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି। ବହୁ ସମୟରେ ବନ ବିଭାଗ ଚଢାଉ କରି ଶିକାରୀ ମାନଙ୍କୁ ଧରିଥାଏ। ନାକଟିଦେଉଳ ରେଞ୍ଜ ଅଧିନସ୍ଥ ପେଣ୍ଠବାହାଳ ଗ୍ରାମ ଓ ନାକଟିଦେଉଳ ଗ୍ରାମର ୩ ଜଣଙ୍କୁ ବାରହା ମାଂସ ଶିକାର ଅଭିଯୋଗରେ ବନବିଭାଗ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଦୁଇ ଦିନ ତଳେ ନାକଟିଦେଉଳ ଗ୍ରାମର ଭାଗ୍ୟଶୂରୀ ହୋମୁଣ୍ଡାଙ୍କ ଘରେ ବାରହା ମାଂସ ରେଷେଇ ହୋଇଥିବାର ବନବିଭାଗ ଖବର ପାଇ ଚଢାଉ କରିଥିଲା। ଚଢାଉ ସମୟରେ ତାଙ୍କ ଘରୁ ବନ ବିଭାଗ ଅଧା କିଲୋ ରନ୍ଧା ବାରହା ମାଂସ ଜବତ କରିଥିଲା।

ଭାଗ୍ୟଶୂରୀକୁ ବନବିଭାଗ ପଚରାଉଚରା କରିବା ପରେ ସେ ସତ କଥା କହିଦେଇଥିଲା।  ତାପରେ ପେଣ୍ଠବାହାଳ ଗ୍ରାମର ନିରାକାର ପେଣ୍ଠଇକୁ ବନବିଭାଗ ଧରିଥିଲା। ସେ ଏଇ ଜନ୍ତୁ ଶିକାର କରିଥିବା ଜଣା ପଡ଼ିଥିଲା। ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ଧୁକ ଲୁଚାଇ ରଖିଥିବା ସେ ସ୍ବୀକାର କରିଥିଲା। ବନ୍ଧୁକକୁ ମଧ୍ୟ ଜବତ କରିଥିଲା ବନ ବିଭାଗ।

ନାକଟିଦେଉଳ ଗ୍ରାମର ନିରାକାର ପ୍ରଧାନକୁ ମଧ୍ୟ ବନବିଭାଗ ଧରିବାରେ ସଫଳ ହୋଇଥିଲା। ଜନ୍ତୁଶିକାର ତଥା ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫରେଷ୍ଟର ଅନିଲ୍ କିସାନ୍ ପ୍ରକାଶ କରିଛନ୍ତି।