Categories
ଆଜିର ଖବର

ଅପହଞ୍ଚ ସ୍ବାସ୍ଥ୍ୟ ବୀମା ଯୋଜନା: ଦାରିଦ୍ର୍ୟର ଛାୟା ତଳେ ଦୁରାରୋଗ୍ୟ କର୍କଟରେ ପୀଡ଼ିତ ଧନେଶ୍ବର

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି, ୫/୧୨: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ ଯୋଜନା ପରି ସ୍ବାସ୍ଥ୍ୟଯୋଜନା ଗୁଡ଼ିକ ରହିଥିଲେ ମଧ୍ୟ ଗରିବଙ୍କ ନିକଟରେ ଏହା ଅପହଞ୍ଚ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍‌ର ଧନେଶ୍ବର ମହାନନ୍ଦ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ପାଖରେ ସରକାରୀ ହେଉ କି ବେସରକାରୀ କୌଣସି ପ୍ରକାରର ସ୍ବାସ୍ଥ୍ୟଯୋଜନା ପହଞ୍ଚି ପାରିନାହିଁ।

ଧନେଶ୍ବର ମହାନନ୍ଦ ଦୀର୍ଘ ତିନି ବର୍ଷ ହେବ ଏହି ଦୁରାରୋଗ୍ୟ କର୍କଟରେ ପୀଡ଼ିତ ରହିଛନ୍ତି। ଦାଦନ ଖଟି ଯାହା ସଞ୍ଚୟ କରିଥିଲେ, ତାହାକୁ ଏହି ରୋଗର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ପୁନଃ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଗୁଜୁରାଟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଧକ ସାଜିଥିଲା କର୍କଟ ରୋଗ। ପରିବାରରେ ୪ଜଣ ରହିଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଧନେଶ୍ବର। କିନ୍ତୁ ସିଏ ଏପରି ଏକ ଦୁରାରୋଗ୍ୟରେ ପୀଡ଼ିତ ହେବା ପରେ ସେହି ପରିବାରର ଅବସ୍ଥା ଏବେ ନ କହିବା ଭଲ। ଧନେଶ୍ବରଙ୍କ ବଡ଼ ଝିଅ ପୂଜା ମହାନନ୍ଦଙ୍କୁ ବୟସ ମାତ୍ର ୬ ବର୍ଷ। ସେ ବି ରକ୍ତ ଶିକୁଳି ରୋଗରେ ପୀଡ଼ିତ ରହିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଧନେଶ୍ବର ଏବେ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି।

ଗୁଜୁରାଟରେ ଦାଦନ ଖଟିବା ସମୟରେ ହିଁ ଧନେଶ୍ବରଙ୍କଠାରେ କର୍କଟ ରୋଗର ଲକ୍ଷଣ ଦେଖାଯାଇଥିଲା। ତେବେ ଅର୍ଥାଭାବ ଯୋଗୁଁ ଠିକ୍‌ ସମୟରେ ଚିକିତ୍ସିତ ହୋଇପାରିନଥିଲେ ଧନେଶ୍ବର। ପରେ ଧନେଶ୍ବର ଗାଁକୁ ଆସି ବିଷମ କଟକରେ ଚିକିତ୍ସିତ ହୋଇଥିଲେ। ସେଠାରେ ଡାକ୍ତର ମଳଦ୍ୱାରକୁ ବନ୍ଦ କରି ପେଟ ଉପରେ ଅସ୍ତ୍ରୋପଚାର କରି ମଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ। ନିଜର ଜମିବାଡିକୁ ବିକ୍ରି କରି ଧନେଶ୍ୱର ମହାନନ୍ଦ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ସେଠାରେ ମଧ୍ୟ ଠିକ୍‌ ରୂପେ ଚିକିତ୍ସିତ ହୋଇ ପାରିନଥିଲେ। ଧନେଶ୍ବରଙ୍କ ପାଖରେ ସ୍ବାସ୍ଥ୍ୟ ବୀମା କି ସ୍ବାସ୍ଥ୍ୟ କାର୍ଡ ନାହିଁ।  ସରକାର କରିଥିବା ସମସ୍ତ ସ୍ବାସ୍ଥ୍ୟ ଯୋଜନା ଧନେଶ୍ବରଙ୍କ ନିକଟରେ ମୂଲ୍ୟହୀନ ହୋଇପଡିଛି।

ଧନେଶ୍ବରଙ୍କ ଚିକିତ୍ସା ପାଇଁ ରାଜ୍ୟ ପ୍ରଶାସନ ତରଫରୁ ଯଦି କିଛି ସହାୟତା ଓ ସହଯୋଗ ମିଳିପାରନ୍ତା ତେବେ ଏହି ଗରିବ ପରିବାରଟି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।