Categories
ଆଜିର ଖବର ରାଜ୍ୟ ଖବର

ଗୁରୁବାର ମାଣବସାରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ଶହଶହ ଧାନ କଳେଇ

ନିରାକାରପୁର: ଆଜି ପବିତ୍ର ଗୁରୁବାର ମାଣବସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଘଟଣ ଘଟିଛି। କ୍ଷେତ ରୁ ଧାନ କଳେଈ ଆଣି ଅମଳ ପାଇଁ ଖଳା ବାଡ଼ିରେ ଚାଷୀ ରଖିଥିବାବେଳେ କେହି ଦୁର୍ବୃତ୍ତ ଏଥିରେ ଅଗ୍ନି ସଂଯୋଗ କରିବା ଫଳରେ ବର୍ଷକ ର ଆହରରେ ସତେ ଯେମିତି କାହାର ନଜର ପଡ଼ିଗଲା ଭଳି ମନେହେଉଛି।

ଗ୍ରାମର ୫ ଜଣ ଚାଷୀ ଏବେ ସର୍ବସ୍ବାନ୍ତ। ସୂଚନାଯୋଗ୍ୟ କି ଗ୍ରାମର ହେମନ୍ତ ଜେନା, ପ୍ରମୋଦ ଜେନା, ସୌରୀ ଜେନା, ସୁକାନ୍ତ ଜେନା, ସନ୍ତୋଷ ରଣସିଂହ ଓ ମଙ୍ଗୁଳି ଜେନା ନିଜର ସୁନାର ଫସଲ ଅମଳ ପାଇଁ ଗ୍ରାମର ଏକ ଧାନ ଖଳାରେ ଆଣି ୧୦ ହଜାର ଧାନ କଲେଈ ଆଣି ରଖିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ କଳେଇ ଗଦା ରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ ଧାନ କଳେଇ ଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି। ପୋଡ଼ି ଯାଇଥିବା ପ୍ରାୟ ୫୦୦ କୁଇଣ୍ଟାଲ ଧାନ ର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ରାଣୀପଡ଼ା ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ: ପାଉଁଶ ହେଲା ୫୦୦ ଧାନ କଳେଇ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା ଧାନର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ରବୀନ୍ଦ୍ର ସୂଚନା ଦେବାସହ ସେ ଅତି ଗରିବ ହୋଇଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।