ବାଣପୁର ରାଣୀପଡ଼ା ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ: ପାଉଁଶ ହେଲା ୫୦୦ ଧାନ କଳେଇ

Published: Dec 3, 2020, 6:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା ଧାନର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ରବୀନ୍ଦ୍ର ସୂଚନା ଦେବାସହ ସେ ଅତି ଗରିବ ହୋଇଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।

Related posts