Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ନକଲି ସାମଗ୍ରୀ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ନକଲି ସାମଗ୍ରୀ କାରବାର ପର୍ଦ୍ଦାଫାସ୍ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନକଲି ସାମଗ୍ରୀ ଉପରେ ଚଢ଼ାଉ ହୋଇ ମାଲିକ ଗିରଫ ହେଉଛନ୍ତି। ଏହିକ୍ରମରେ ଆଜି ବଡ଼ବଜାର ଥାନା ଅଂଚଳରେ ଜଣେ ନକଲି ଟମାଟ୍‌, ଚିଲି, ସୋୟା ସସ୍ ଏବଂ ଭିନିଗାର୍ ପ୍ରସ୍ତୁତି ଅଭିଯୋଗରେ ଚଢ଼ାଉ ହୋଇ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୈଳାସ ନଗର ଅଂଚଳର ଶଙ୍କର ସ୍ୱାଇଁ (୩୮)।

ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆଜି ସୋମନାଥନଗର ଅଂଚଳରେ ଚାଲିଥିବା “ଫେମିଲି” ନାମକ ବ୍ରାଣ୍ଡ ନାମ ଦେଇ ପ୍ରସ୍ତୁତ କରାଯାଇଥିବା ସସ୍‌, ଭିନେଗାର କାରଖାନା ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରସ୍ତୁତ ହେଉଥିବା ସମସ୍ତ ସାମଗ୍ରୀ ନକଲି ଜଣାପଡ଼ିଥିଲା। ପୋଲିସ୍ ୬ଟି ପ୍ଲାଷ୍ଟିକ୍ ଡ଼ର୍ମରେ ଥିବା ନକଲି ସାମଗ୍ରୀ ସହ ସୋୟା ସସ୍‌, ଚିଲି ସସ୍‌‌, ୨୧୬୬ ଲିଟର ଭିନେଗାର ବୋତଲକୁ ଜବତ କରିଛି।

ଏହାସହ ୮୦ କିଲୋ ଆଳୁ, ୪୦୦ କେଜି ଆରାରୁଟ୍ ପାଉଡ଼୍‌ର, ପେକିଂ ମେସିନ୍‌, ବିପୁଳ ପରିମାଣରେ ପ୍ଲାଷ୍ଟିକ୍ ବୋତଲ୍‌, କାର୍ଟୁନ୍ ଏବଂ ଫେମିଲି ବ୍ରାଣ୍ଡ ନାମ ଥିବା ଷ୍ଟିକରଥିବା ପ୍ୟାକେଟ୍‌ଗୁଡ଼ିକ ଜବତ କରାଯାଇଥିଲା। ଥାନା କେସ ନଂ ୨୩/୨୦ରେ ଶଙ୍କର ସ୍ୱାଇଁଙ୍କୁ କୋର୍ଟଚାଲଣ କରାଯାଇଛି।