Categories
ଆଜିର ଖବର ରାଜ୍ୟ ଖବର

ପୋଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

ନବରଙ୍ଗପୁର,26/12 :  ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ରହିଛି । ଦୋଷୀକୁ ଶୀଘ୍ର ଗିରଫ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ପୋଲିସ କୁନ୍ଦୁଲି ମାମଲା ଭଳି ଏହି ଘଟଣାକୁ ମଧ୍ୟ ଲଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ପୂର୍ବତନ ସାଂସଦ ତଥା ପିସିସିର ପୂବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଆଜି ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋକାନବଜାର ମଧ୍ୟ ବନ୍ଦ ରହିଛି । ଏହି ଘଟଣାରେ ପୋଲିସ ଖୁବଶୀଘ୍ର ତଦନ୍ତ କରି ଦୋଷୀକୁ ଗିରଫ ନ କଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଂଚଳ ଗୁମଣ୍ଡଳୀ ଗାଁରେ ଏକ ବିଲ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।