Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମିଶନ ଶକ୍ତି କମ୍ୟୁନିଟ ସର୍ପୋଟ ଷ୍ଟାଫଙ୍କ ପାରିଶ୍ରମିକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।

ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନ ଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି।

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।

• MBK, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ 6750 ଟଙ୍କା ରୁ 10750 ଟଙ୍କା ପାଇବେ ।

• କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତ୍ତେ ମୋଟ ୬,୨୫୦ ଟଙ୍କା ପାଇବେ ।

• CRP-CM ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।
ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ community support staff ମାନେ ତାଙ୍କୁ ଭେଟି ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ପୁଣି ଏକ ବଡ ଘୋଷଣା: ଗର୍ଭବତୀ ମହିଳାଙ୍କୁ ଆଉ ୫ ହଜାର ନୁହେଁ, ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ବର: ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ।

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଏବଂ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି।

ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ(ଗର୍ଭାବସ୍ଥାର ୬ ମାସ ପରେ ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି। ୧୯ ବର୍ଷରୁ ଉର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ।

୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣ କୁ ବୃଦ୍ଧି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା ଉପକୃତ ହେଉଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲ୍ପଲାଇନକୁ କଲ୍‌ କରନ୍ତୁ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।