Categories
ଆଜିର ଖବର

ଉଦ୍‌ଯାପିତ ହେଲା ସୁରଭି, ରାଜ୍ୟସ୍ତରୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ।

ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ।

ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।”

‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ ।

ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି।

ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ।

ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି।

ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି। ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ।

ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି!

ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି।

ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାର ମତଦାତାମାନେ ନରେନ୍ଦ୍ର ମୋଦିଙ୍କ ହାଓ୍ୱାରେ ପ୍ରଭାବିତ ହୋଇ ନଥିଲେ। ଫଳରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡିକୁ ମତଦାତାମାନେ ପସନ୍ଦ କରିଥିବାବେଳେ ୮ଟି ବିଜେପି ହାତକୁ ଓ ଗୋଟିଏ କଂଗ୍ରେସକୁ ଯାଇଥିଲା।

ଓଡ଼ିଶାରେ ବିଜେଡି ଓ ବିଜେପିର ନେତାମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିସ୍ପର୍ଦ୍ଧା ବଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିଛନ୍ତି। ନିର୍ବାଚନ ସମୟରେ କିମ୍ବା ପରେ ବିଜେଡିରେ ଅନ୍ତର୍ହକଳହ ସୃଷ୍ଟି ସହିତ ବିଭାଜନ ହେଲେ ବିଜେପି ନେତାମାନେ କ୍ଷମତାକୁ ଆସିବା ପାଇଁ ବିଜେପି ନେତାମାନେ ଆଶା ରଖିଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ନବୀନଙ୍କ ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଦୀର୍ଘ ଦିନ ଧରି ତାଙ୍କର ବ୍ୟାକରୁମ୍ ଭୂମିକା ତୁଲାଉଥିଲେ। ଏବେ ୪୮ ବର୍ଷୀୟ ପାଣ୍ଡିଆନ ଚାକିରିରୁ ଅବସର ନେବା ପରେ ବିଜେଡିରେ ଅଧିକରୁ ଅଧିକ କ୍ଷମତା ମିଳିଛି। ବିଜେଡିର ଦାୟିତ୍ୱ ନେବା ପାଇଁ ସେ ନବୀନଙ୍କ ମନୋନୀତ ବ୍ୟକ୍ତି ବୋଲି ଏବେ ସ୍ୱର ଉଠିବାରେ ଲାଗିଛି।

କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ଗଠିତ ଏବଂ କୌଣସି ଦ୍ୱିତୀୟ ସ୍ତରର ନେତା ବିଜେଡିକୁ ଶୀଘ୍ର ଭାଙ୍ଗିବା ନେଇ ବିଜେପି ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେ ଧୂଳିସାତ୍ ହୋଇଯାଇଛି । ତେବେ ପାଣ୍ଡିଆନଙ୍କ ଉତ୍‍ଥାନ ବିଜେଡିରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଉ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉନ୍ନତିକୁ ନେଇ ଦଳର ଏକ ବଡ଼ ବର୍ଗ ଅସନ୍ତୁଷ୍ଟ ଅଛନ୍ତି। ଉଦାହରଣସ୍ୱରୂପ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପିକେ ବଳବନ୍ତରାୟ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ଅନେକ ଯୁବ ବିଜେଡି ନେତାଙ୍କୁ ଉଦୀୟମାନ ତାରକାଭାବେ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନେଇ ରାଜନୀତିକ ମହଲରେ ଆଲୋଚନା ହେଉଛି।

ତେବେ ଜଣେ ନେତାଙ୍କ କହିବା ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ନବୀନଙ୍କୁ ମାନୁଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନଥିବାରୁ ଏହି ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ପାଣ୍ଡିଆନଙ୍କ ବିଜେଡରେ ପଅଭାବ ବଢଆିବା ସମ୍ପର୍କରେ ପ୍ରାୟ ୫ ବର୍ଷ ହେଲା ଚର୍ଚ୍ଚାରେ ରହିଛି। ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପାଣ୍ଡିଆନଙ୍କ ପ୍ରତି ଦଳୀୟ ନେତାମାନଙ୍କର ଭଲ ପାଇବା ନ ଥିବାବେଳେ ବିଶେଷ ଅସନ୍ତୋଷ ମଧ୍ୟ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ରାଜ୍ୟ ବିଜେପି ନେତାମାନେ ଏବେ ଅନୁଭବ କଲେଣି ଯେ ସେମାନେ କ୍ଷମତାକୁ ଆସିବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଅନେକ ବିଜେପି ନେତାଙ୍କ ପାଖରେ ଏବେ ଧୈର୍ଯ୍ୟ ନାହିଁ। କିନ୍ତୁ ଅପର ପକ୍ଷରେ ନବୀନଙ୍କ ସହ ସମ୍ପର୍କ ଖରାପ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ବିଜେଡିର ସହାୟତା ନେଇଥିବା କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଯୋଗୁଁ ଏହି ଅଚଳାବସ୍ଥା ଅଧିକ ଅନୁଭୂତ ହେଉଛି।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦଳର ନେତୃତ୍ୱ ସେହି ଭୋଟ୍‍ ପାଇବାକୁ ଆଗ୍ରହୀ ନୁହଁନ୍ତି। ବିଜେପି ମଝିରେ ଅଟକି ରହିବାର ଅର୍ଥ ଏହାର ନେତାମାନେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିନାହାଁନ୍ତି କି ଅନ୍ୟ ଦଳର ଭଲ ଚେହେରାଙ୍କୁ ଆକର୍ଷିତ କରିପାରୁ ନାହାଁନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱ ବିଶ୍ୱାସଯୋଗ୍ୟ ନୁହେଁ। କୌଣସି ନେତା ବିଜେପିରେ ମିଶିଲେ ନିଜ ସ୍ଥିତି ନେଇ ନିଶ୍ଚିତ ନୁହଁନ୍ତି ବୋଲି ବିଜେଡିର ଜଣେ ପୂର୍ବତନ ସାଂସଦ କହିଛନ୍ତି।

ପାଣ୍ଡିଆନଙ୍କ ପ୍ରବେଶର ଆଉ ଏକ ଦିଗ ରହିଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ହେବ। ଏହା ପୂର୍ବରୁ ଠିକଣା ସମୟରେ ଆଇଏଏସ୍ ପଦରୁ ସ୍ୱେଚ୍ଛାକୃତ ଅବସର ନେବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ ଦୃଢ଼ ସମ୍ପର୍କ ରହିଛି ବୋଲି ଜଣେ ନେତା ଦର୍ଶାଇଛନ୍ତି।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପକ୍ଷର ନରମ ଆଭିମୁଖ୍ୟ ପରିବର୍ତ୍ତନ ହୋଇପାରେ। ଉଦାହରଣସ୍ୱରୂପ ଖୁବଶୀଘ୍ର ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି।

ଜାତୀୟ ରାଜନୀତିରେ ନିଜର ବାର୍ଗେନିଂ ପାୱାର ବଜାୟ ରଖିବା ପାଇଁ ବିଜେଡି ଲୋକସଭାରେ ଯଥାସମ୍ଭବ ଅଧିକ ଆସନ ଜିତିବାକୁ ଚାହୁଁଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ୨୦୨୪ ଭଳି ପ୍ରଭାବଶାଳୀ ହେବ ନାହିଁ ବୋଲି ଆଶା କରାଯାଉଥିବାରୁ ଆଗକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆସନରେ ବିଜୟୀ ହୋଇପାରେ।

ଯଦି କେନ୍ଦ୍ର ସରକାର ସଂସଦରେ ସଂଖ୍ୟା ଖେଳରେ ଦୁର୍ବଳ, ତେବେ ଆଞ୍ଚଳିକ ଦଳ ଓ ରାଜ୍ୟ ପାଇଁ ଭଲ ଶକ୍ତି ରହିବା ସବୁବେଳେ ଭଲ। ବିଜେଡି ଏହାକୁ କାହିଁକି ବାଜି ଲଗାଇବ ବୋଲି ବିଜେଡିର ଜଣେ ନେତା ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Video News: ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା, ଦେଖନ୍ତୁ ସେ କଣ କହିଲେ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୀପାବଳି ଉତ୍ସବର। ଏହିଦିନକୁ ଆଲୋକର ପର୍ବ କୁହାଯାଏ। ସେଥିପାଇଁ ସମସ୍ତେ ମିଠା ବାଣ୍ଟି ଅଭିନନ୍ଦନ ମଧ୍ୟ ପ୍ରଦାନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଭିଡିଓ ବାର୍ତ୍ତା ଜାରୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ୧୫୦ ଜଣ ‘ମିଲେଟ୍‌ ମା’

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ୧୫୦ ଜଣ ‘ମିଲେଟ୍‌ ମା’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ।

ଏହି ମହିଳାମାନେ ସମସ୍ତେ ମିଶନ ଶକ୍ତିର ସଦସ୍ୟ ଅଛନ୍ତି ଏବଂ ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସେମାନେ ଯୋଗ ଦେଇଥିଲେ ।

ମାଣ୍ଡିଆ ଚାଷ ଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟ୍‌ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (Farm to Plate) ମାଣ୍ଡିଆ ଫୁଡ୍‌ ଚେନ୍‌ର ( Millet Food Chain) ବିଭିନ୍ନ ସ୍ତରରେ ଏହି ମା ମାନେ ଯୋଡି ହୋଇ କାମ କରୁଛନ୍ତି।

ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଲେଟ୍‌ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଓ ମହିଳା ମାନେ ସମସ୍ତେ ଉପକୃତ ହେଉଛନ୍ତି ଓ ସେମାନଙ୍କ ରୋଜଗାର ବଢିଛି ବୋଲି ସେମାନେ କହିଥିଲେ। ଏହା ଆମକୁ ସଶକ୍ତ କରିଛି ବୋଲି ସେମାନେ କହିଥିଲେ।

ମା’ ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏ ଦିଗରେ ଆହୁରି ସକ୍ରିୟ ହୋଇ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

Video News: ନବୀନ ନିବାସକୁ କାହିଁକି ଗଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ହେବା ପରେ ଗତକାଲି ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହିତ କିଛି ସମୟ ଧରି ଉଭୟ ଆଲୋଚନା ମଧ୍ୟ କରିଛନ୍ତି।

ରାଜ୍ୟପାଳ ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦୁଆର ମୁହଁରୁ ପାଛୋଟି ନେଇଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ କିଛି ସମୟ ଧରି ଆଲୋଚନା କରିଥିଲେ।

ତେବେ ଏଥିରେ ଓଡିଶା ବିକାଶ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର:  ଆଜି ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଠଶସ୍ୟ ବା ମିଲେଟ ସମ୍ମିଳନୀ ଆରମ୍ଭ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିସହିତ କୃଷି ଓ କୃଷକ ଶସକ୍ତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ସେହିପରି ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ମଧ୍ୟ ଯୋଗଦେଇଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପୃଷ୍ଟିଶସ୍ୟ ବର୍ତ୍ତମାନ ଆଦିବାସୀଙ୍କର ଜୀବିକା ଭାବେ ଉଭା ହୋଇଛି। ଓଡିଶା ସରକାର ଏହା ଉପରେ ବେଶ ଗୁରୁତ୍ବ ଦେଇ ଏହି ଶସ୍ୟକୁ ପ୍ରଚାରପ୍ରସାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ସେ କହିଥିଲେ ଯେ ମିଲେଟ ହେଉଛି ପୃଷ୍ଟିସାରର କେନ୍ଦ୍ରବିନ୍ଦୁ, ପ୍ରାକୃତିକ ଶସ୍ୟ ଏବଂ ପ୍ରାକୃତିକ ପରିବେଷରେ ବଢିଥାଏ। ଓଡିଶାର ହେଉଛି ପ୍ରଥମ ରାଜ୍ୟ ଯେ କି ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିପାରିଛି।

ଦୁଇଦିନିଆ ମିଲେଟ୍‌ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଆଜି ଅନୁଷ୍ଠିତ ‘ବୈଜ୍ଞାନିକ ପଦ୍ଧତିରେ ପୁଷ୍ଟିଶସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି’ ଶୀର୍ଷକ ଆଲୋଚନା ଚକ୍ରରେ ନିରନ୍ତର ପୁଷ୍ଟିଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଷୟିକ ଅଧିବେଶନର ଅଂଶସ୍ୱରୂପ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବୁଦ୍ଧିଜୀବୀ, ଗବେଷକ ଓ ସ୍ଥାନୀୟ ପ୍ରଭାବୀ ନେତୃବୃନ୍ଦ ନିରନ୍ତର ଉତ୍ପାଦନ ବୃଦ୍ଧି ଉପରେ ବକ୍ତବ୍ୟ ରଖିଛନ୍ତି।

ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ. ବି. ଭେଙ୍କଟେଶ ଭଟ୍ଟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗ ଡିନ୍‌ ଡ. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମିଲେଟ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ପୋଷଣ ଓ ଜୀବିକାର୍ଜନ ଉପରେ ଅନୁରୂପ ଭାବରେ ପ୍ରାଧାନ୍ୟ ଦିଆଯାଇଥିଲା।

ଆଲୋଚକ ଭାବରେ ମଧୂସ୍ମିତା ଶତପଥୀ, ଡ. ରାଜେନ୍ଦ୍ର ଆର୍‌. ଚାପ୍‌କେ, ହାଇଦ୍ରାବାଦସ୍ଥିତ ହାର୍ଭେଷ୍ଟ ପ୍ଲସ୍‌ ସଂଗଠନର ବିନୁ ଚେରିଆନ୍‌ଙ୍କ ସମେତ ଦମୟନ୍ତୀ ରଣା ଓ ଅଜିତ କୁମାର ସାହୁ ନିଜ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ। ରାଜ୍ୟରେ ମିଲେଟ ଚାଷର ପୃଷ୍ଠଭୂମି ସାଙ୍ଗକୁ ସେମାନେ ବିଭିନ୍ନ ଆହ୍ୱାନ ଓ ସୁଯୋଗଗୁଡ଼ିକ ଉପରେ ମତ ରଖିଥିଲେ।

ଦୂରଦୃଷ୍ଟିସଂପନ୍ନ ଆଭିମୁଖ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ରାଜ୍ୟରେ ପୁଷ୍ଟିଶସ୍ୟ ଉତ୍ପାଦନ ବୃଦ୍ଧି ହୋଇପାରିବ। ପୁଣ୍ଟି ନିରାପତ୍ତା ସାଙ୍ଗକୁ ପୋଷଣୀୟ ଜୀବିକାର୍ଜନ ନିମନ୍ତେ କମ୍‌ ବ୍ୟୟରେ ପୁଷ୍ଟିଶସ୍ୟ ଉତ୍ପାଦନ ନିମନ୍ତେ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଅଂଶଗ୍ରହଣକାରୀ କୃଷକ ଓ ଗୋଷ୍ଠୀ ନେତୃବୃନ୍ଦ କ୍ଷେତ୍ରୀୟ ସ୍ତରରେ ସାମ୍‌ନା କରିଥିବା ପ୍ରତିବନ୍ଧକଗୁଡ଼ିକ ନେଇ କହିବା ସହିତ ସେଗୁଡ଼ିକର ନିରାକରଣ ପାଇଁ ବିଭିନ୍ନ ପ୍ରୟାସ ବାବଦରେ ଅଭିଜ୍ଞତା ପ୍ରକାଶ କରିଥିଲେ।

ଜୈବ-ପୁଷ୍ଟିବର୍ଦ୍ଧକ ମିଲେଟ ଉତ୍ପାଦନ ନିମନ୍ତେ ନିରନ୍ତର କୃଷି ଅଭ୍ୟାସର ବିକାଶ ସାଙ୍ଗକୁ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଉପରେ ଆଲୋଚକମାନେ ଗୁରୁତ୍ୱ ଦେଇଥିଲେ। ପୁଷ୍ଟିଶସ୍ୟ ଚାଷ, ଉତ୍ପାଦନ ଓ ବ୍ୟବହାର ଉପରେ ସେମାନେ ନିଜ ନିଜର କ୍ଷେତ୍ରଭିତ୍ତିକ ଅନୁଭୂତି ବାଣ୍ଟିଥିଲେ। ପୁଷ୍ଟିଶସ୍ୟ ଚାଷରେ ଅଧିକ ସମ୍ଭାବନା ଓ ଭବିଷ୍ୟତ ରହିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମ: ୧୬୭ ଟି ପ୍ରକଳ୍ପ ପାଇଁ ୭ କୋଟି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି।  ବ୍ଲକର ୧୪ଟି ପଂଚାୟତ କୁ ୧୭୬ଟି ପ୍ରକଳ୍ପ ପାଇଁ ପ୍ରତି ପଂଚାୟତ କୁ ୫୦ଲକ୍ଷ ଲେଖାଏଁ ମୋଟ ୭କୋଟି ଟଙ୍କା ମଂଜୁର କରିଛନ୍ତି। ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋନ -୨ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ସ୍ୱାଗତ ଭାଷଣ ଦେଇଥିଲେ।

ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଭିଡିଓ କନଫରେନସି ଜରିଆରେ କୃତଜ୍ଞତା ଜଣାଇଥିଲେ। ନାକଟିଦେଉଳ ବିଡ଼ିଓ ଦନେଇ ଚରଣ ଟୁଡୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ ଜୋନ -୨ ସଭ୍ୟା ଟିକେଶ୍ବରୀ ମେହେର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ତହସିଲଦାର ଅମର ଡୁଙ୍ଗଡୁଙ୍ଗ, ଜିଲ୍ଲା ବିଜେଡି ଉପସଭାପତି ଅନାଦି ଚରଣ ସାହୁ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ଏମ ବି କେ, ସିଆରପି, ମିଶନ ଶକ୍ତି, ଏସଏଚଜି, ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ବ୍ଲକର ସବୁ ପଂଚାୟତର ସରପଞ୍ଚ ମାନେ ଅନୁପସ୍ଥିତ ଥିବାରୁ ବେଶ୍ ଚର୍ଚ୍ଚା ହୋଇଥିଲା।  ନାକଟିଦେଉଳ କଲେଜର ଛାତ୍ର ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପାଇଁ ୧୨୦୦ କୋଟି ଟଙ୍କା ଢାଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା। ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।

ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ମୋଟ ୧୨୦୦ କୋଟି ଟଙ୍କା ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟ ରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ। ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ।

କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ। ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡି ବାସୀଙ୍କ ସପନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।

ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ।

ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକଗଣ ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ଦିବ୍ୟଶଂକର ମିଶ୍ର, ଶ୍ରୀ ମୌଷଧି ବାଗ, ଶ୍ରୀ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଏସ. ପି. ସିଂହ ବାଘେଲ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଘେଲ୍ ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି। ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।

ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି। ଏହା ବର୍ତ୍ତମାନ ନିର୍ମଣାଧୀନ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ, ଲକ୍ଷ୍ମୀ ବସର କରିବେ ଉଦଘାଟନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବେ। ସେଠାରେ ସେ ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ଏହି ବସ୍ ମାଧ୍ୟମରେ ଲୋକମାନେ ଜିଲ୍ଲାରୁ ବ୍ଲକ, ବ୍ଲକରୁ ପଞ୍ଚାୟତ ପର୍ଯ୍ୟନ୍ତ ବସ ସେବା ପାଇପାରିବେ।

ସେହିପରି ନବୀନ ଜିଲ୍ଲାବାସୀଙ୍କ ପାଇଁ 1200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର ରହିଛି। ଆଜି ହେଉଛି କଳାହାଣ୍ଡି ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ନବୀନ କଳାହାଣ୍ଡିବାସଙ୍କୁ ଏହି ଭେଟି ଦେବେ ବୋଲି ଜଣାପଡିଛି।

ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକାପ୍ଟରରେ ଯୋଗେ ବାହାରି ଦିନ 11 ଟା 30 ମିନଟରେ କଳାହାଣ୍ଡି ମେଡିକାଲ କଲେଜ ପଡିଆରେ ପହଞ୍ଚିବେ। ସେଠାରେ ସେ ରେଣ୍ଡୋ ମାଝି ମେଡିକାଲ କଲେଜ ଉଦଘାଟନ କରିବେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭିଡିଓ କଲଫ୍ରେସିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆକୁ ଯିବେ। ସେଠାରେ ସେ ଦିନ 12 ଟା 30 ମିନଟରେ ଲକ୍ଷ୍ମୀ ବସର ଉଦଘାଟନ କରିବେ। ସେଥିପାଇଁ ସେଠାରେ ଏକ ବିରାଟ ଆୟୋଜନ କରାଯାଇଛି।

Categories
ବିଶେଷ ଖବର

ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ବାଲେଶ୍ୱର ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି  ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି  ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଲାଙ୍ଗୀର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି ଓ ଲୋଇସିଙ୍ଗା।  ଏଥିରେ ୧୪ଟି ବ୍ଲକ୍‌ର ୩୧୭ଟି   ଗ୍ରାମପଞ୍ଚାୟତରେ ୩୯୧୧ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ,  ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ  MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ।  ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip,  ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ,  ବିଧାୟକ ଅନନ୍ତ ଦାସ, ବିଧାୟକ ନିତ୍ୟାନନ୍ଦ ସାହୁ, ବିଧାୟକ ସ୍ୱରୂପ ଦାସ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସରୋଜ ମେହେରଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି । ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବନିଯୁକ୍ତ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତାକାଲି ଶପଥ

ଭୁବନେଶ୍ବର: ଆଜି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ଭୁବନେଶ୍ବରର ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ସ୍ବାଗତ କରିଥିଲେ। ତାଙ୍କ ସହିତ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ରଘୁବରଙ୍କୁ ସାକ୍ଷାତ କରିଥିଲେ।

ଏହାପରେ ଓଡିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ନବନିଯୁକ୍ତ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ପରେ କେତେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ ନବନିଯୁକ୍ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ସେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଦିନ 11ଟା 45 ରେ ଶପଥ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏସଆରସି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Categories
ଖେଳ ବିଶେଷ ଖବର

ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି।

ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିବା ସହ କହିଛନ୍ତି ଯେ ଓଡିଶାରେ କ୍ରୀଡା ପ୍ରତିଭା ସୃଷ୍ଟି ଉଦ୍ୟମ ର ବଳିଷ୍ଠ ପ୍ରମାଣ ହେଉଛି ପ୍ରଣତି ନାୟକଙ୍କ ସଫଳତା। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି। ପ୍ରଣତି ଯୁବ ଆଥଲେଟମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା, ଏବଂ ମୋର ବିଶ୍ୱାସ ଯେ ସେ ଆମ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ।

ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ଅଧ୍ୟକ୍ଷ, ୫-ଟି ତଥା ନବୀନ ଓଡ଼ିଶା ଭି କେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତ୍ ଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟ୍ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ୱାବଧାନରେ ଅଛନ୍ତି। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ତୃଣମୂଳସ୍ତରରୁ ଏଲିଟ୍(ସର୍ବୋଚ୍ଚ) ସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ୧୯୯୯ ମହାବାତ୍ୟା ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ମୂଲ୍ୟବାନ ଜୀବନକୁ ଆମେ ମନେ ପକାଉଛୁ। ସେବେଠାରୁ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସୁରକ୍ଷିତ ରଖିବା ଦିଗରେ ଆମେ ଉଲ୍ଲେଖନୀୟ କାର୍ଯ୍ୟକରିଛୁ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ଏବେ ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ମଡେଲ୍ ହୋଇଛି ବୋଲି ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ) ଙ୍କ ଦ୍ଵାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଭିଡିଓ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମର ପ୍ରଭାବଶାଳୀ ବିପର‌୍ୟ୍ୟୟ ପରିଚାଳନା ପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି। ଓଡ଼ିଶାକୁ ଭାରତ ସରକାର ୨୦୨୩ ମସିହା ପାଇଁ ସମ୍ମାନଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଛନ୍ତି।

ଚଳିତ ବର୍ଷ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ତ୍ଵରିତ ସମସ୍ତ ଜରୁରୀକାଳୀନ ସେବା ପ୍ରଦାନ ପୂର୍ବକ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ଅନେକ ମୁଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା।

ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ପଞ୍ଚାୟତିରାଜ ସଦସ୍ୟ , ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆରଏଫ ଏବଂ ଡାକ୍ତରମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ଆମେ ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିଛୁ। ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଚଳିତ ବର୍ଷ ‘ଓଡ଼ିଶା ବିପର‌୍ୟ୍ୟୟ ପ୍ରସ୍ତୁତି ଦିବସ’ର ବିଷୟବସ୍ତୁ ହେଉଛି ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା ‘। ଯେ କୌଣସି ବିପର୍ଯ୍ୟୟ ପରିସ୍ଥିତିରେ ଆମର ଗୋଷ୍ଠୀ ହିଁ ପ୍ରଥମ ଉଦ୍ଧାରକାରୀ। ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର‌୍ୟ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଗୋଷ୍ଠୀ ସମୂହକୁ ଶକ୍ତିଶାଳୀ କରିବା ପାଇଁ ୧୦ ହଜାରରୁ ଅଧିକ ସମ୍ବେଦନଶୀଳ ଗ୍ରାମରେ ବିପର‌୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ। ସୁଦୃଢ଼ ଭିତ୍ତିଭୂମିକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟରେ ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ସହ ବିଭିନ୍ନ ବିପର୍ଯ୍ୟୟ ପାଇଁ ରାଜ୍ୟବ୍ୟାପୀ ରିସ୍କ ମ୍ୟାପିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆମର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପକୁ ସୁଦୃଢ଼ ଏବଂ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ, ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଧ୍ୟକ୍ଷତା କରି କହିଥିଲେ ଯେ, ୨୯ ଅକ୍ଟୋବର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ୧୯୯୯ ମସିହା ଏହି ଦିନରେ ଘଟିଥିବା ପ୍ରଳୟଙ୍କରୀ ମହାବାତ୍ୟାରୁ ଆମେ କିପରି ଆଗାମୀ ଦିନରେ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବୁ , ସେଥିପାଇଁ ସଙ୍କଳ୍ପବଦ୍ଧ ହୋଇଥିଲୁ।

ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ନିର୍ମାଣ, ନଦୀ ଓ ଲୁଣାବନ୍ଧଗୁଡିକର ସୁଦୃଢୀକରଣ, ରାଜ୍ୟରେ ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥାରେ ଉନ୍ନତି , ଓଡ୍ରାଫ ଓ ଅଗ୍ନିଶମ ବାହିନୀମାନଙ୍କର ଦକ୍ଷତା ବୃଦ୍ଧି , ରାଜ୍ୟରୁ ଆରମ୍ଭକରି ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି, ଗୋଷ୍ଠୀସ୍ତରୀୟ ସ୍ଵେଚ୍ଛାସେବୀମାନଙ୍କର ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି , ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର‌୍ୟ୍ୟୟ ପରିଚାଳନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିବା , ସବୁସ୍ତରରେ ବିପର୍ଯ୍ୟୟ ସଚେତନତା ଓ ଦକ୍ଷତା ବୃଦ୍ଧି, ବିଭିନ୍ନ ବିପର‌୍ୟ୍ୟୟ ପାଇଁ ନିୟମିତ ମକ ଡ୍ରିଲ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କକ୍ଷଗୁଡିକର କାର୍ଯ୍ୟକ୍ଷମ ରହିବା, ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ସମୟମୁତାବକ ତ୍ୱରିତ ସହାୟତା ପ୍ରଦାନ ଇତ୍ୟାଦି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଯେ କୌଣସି ପ୍ରକାର ବିପର୍ଯ୍ୟୟରେ ଧନ ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର‌୍ୟ୍ୟ କରିବା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କାର‌୍ୟ୍ୟରତ କର୍ମଚାରୀ, ବ୍ୟକ୍ତିବିଶେଷ,ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବା, ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର‌୍ୟ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବାକୁ ପ୍ରଚେଷ୍ଟା କରିବାକୁ ଶପଥପାଠ କରାଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ବିଭିନ୍ନ ସମୟରେ ସଂଘଟିତ ବାତ୍ୟାଅନୁଭୁତିରୁ ଶିକ୍ଷାଲାଭ କରି ଆଜି ଓଡ଼ିଶା କିପରି ଏହାର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ ଓ ସଂସ୍ଥାଗତ କ୍ଷମତା ବୃଦ୍ଧି କରିପାରିଛି , ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଉକ୍ତି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଆଧାରରେ ରାଜ୍ୟ ସରକାର ଶୂନ ମୃତୁସଂଖ୍ୟା ( ଜିରୋ କାଜୁଆଲିଟି)କୁ ଗୁରୁତ୍ୱ ଦେଇ ବିପର୍ଯ୍ୟୟ ମୁକାବିଲାରେ ଆଶାଜନକ ସଫଳତା ହାସଲ କରିଥିବା ସେ କହିଥିଲେ। ଗୋଷ୍ଠୀଗତ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ଓଡ଼ିଶାବାସୀ ଯେକୌଣସି ବିପତ୍ତିର ମୁକାବିଲା କରିବାରେ ସଫଳ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଅଧୂନା ବିପର‌୍ୟ୍ୟୟ ପରିଚାଳନା ରୂପରେଖରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସରକାର ବର୍ତ୍ତମାନ ବନ୍ୟା , ବାତ୍ୟା ମୁକାବିଲା ସହିତ ବଜ୍ରପାତ, ସାପକାମୁଡ଼ା , ପାଣିରେ ବୁଡ଼ି ମରିବାସଂଖ୍ୟା ହ୍ରାସ କରିବା ପାଇଁ ଉଦ୍ୟମ କରୁଛନ୍ତି। ସୁନାମୀ ପ୍ରଭାବ ହ୍ରାସ ପାଇଁ ହେନ୍ତାଳ ବନର ସୁରକ୍ଷା ଓ ବ୍ୟାପକତା, ବଜ୍ରପାତ ପ୍ରଭାବ ହ୍ରାସ ପାଇଁ ତାଳ ବୃକ୍ଷ ଚାରା ରୋପଣ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବା ସମର୍କରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ଵବ୍ୟାଙ୍କ, ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ଓଡିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଶ୍ୱବ୍ୟାଙ୍କ ସବୁବେଳେ ଓଡିଶାକୁ ସହଯୋଗ ଦେଇ ଆସୁଥିବା ସେ ପ୍ରକାଶ କରିଥିଲେ।

ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ରାଜ୍ୟରେ ବିପର‌୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ୧୯୯୯ ମହାବାତ୍ୟା, ପରବର୍ତ୍ତୀ ପ୍ରାକୃତିକ ବିପର‌୍ୟ୍ୟୟ ଓ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଓଡିଶାର ବିପର୍ଯ୍ୟୟ ପରିଚାଳନାରେ ଆଜି ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଉପରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବା ସହ ଓଏସଡିଏମଏର ବାର୍ଷିକ ସମ୍ବାଦ ପତ୍ରିକା ଦି ରେସପନ୍ସ, ଓଡିଶାର କୋଭିଡ-୧୯ ବିଶ୍ୱ ମହାମାରୀ ପରିଚାଳନା ଉପରେ କରାଯାଇଥିବା ସମୀକ୍ଷା ରିପୋର୍ଟ,୨୦୨୩ ମସିହାରେ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବର ବିଭିନ୍ନ ଦିଗ ଉପରେ ପ୍ରକାଶିତ ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଏସଡିଏମଏ ଦ୍ୱାରା ବିକଶିତ ଦୁଇଟି ଓ୍ୱେବ୍ ପୋର୍ଟାଲ (ଓଏନଡିଆରଏନ୍ ଏବଂ ସାମର୍ଥ) ଶୁଭ ଉନ୍ନୋଚନ କରାଯାଇଥିଲା। ଏହି ଉପଲକ୍ଷେ ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା ସଂପର୍କିତ ସଚେତନତା ଦସ୍ତଖତ ଅଭିଯାନ ଆୟୋଜିତ ହୋଇଥିଲା।

ରାଜ୍ୟସ୍ତରୀୟ ପ୍ରାଥମିକ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ ବିଜେତା ଟାସ୍କଫୋର୍ସ ମାନଙ୍କୁ, ୨୦୨୩ ମସିହା ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ଶ୍ରେଷ୍ଠ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ପ୍ରତିନିଧି, ରେଡକ୍ରସ ଓଡିଶା ଶାଖା ଦ୍ୱାରା ପରିଚାଳିତ ଶ୍ରେଷ୍ଠ ଆଶ୍ରୟସ୍ଥଳର ପ୍ରତିନିଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ଜିଲ୍ଲା, ପଂଚାୟତ ସମିତି,ଗ୍ରାମ ପଂଚାୟତ, ପୌରାଂଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।

ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଏନଡିଆରଏଫ୍, ଓଡିଶା ଅଗ୍ନିଶମ ବାହିନୀ, ସିଭିଲ୍ ଡିଫେନ୍ସ, ଭାରତୀୟ ରେଡକ୍ରସ୍ ଓଡିଶା ଶାଖାର ଅଧିକାରୀ ଓ ସ୍ୱେଚ୍ଛାସେବୀ, ବହୁମୁଖୀ ବନ୍ୟା ଓ ବାତ୍ୟାସ୍ଥଳସ୍ତରୀୟ ଟ୍ୟାକ୍ସ ଫୋର୍ସ ଓ ଆପଦମିତ୍ର ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

ଏହି ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପ ଠାରେ ଓସଡମା ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ଓସଡମା ସମେତ ବିଦ୍ୟାଳୟ ଓ ଗଣଶିକ୍ଷା, ବିଶ୍ୱ ବ୍ୟାଙ୍କ, ଏନଡିଆରଏଫ୍, ଓଡ୍ରାଫ୍, ଓଡିଶା ଅଗ୍ନିଶମ ଓ ଆପାତକାଳୀନ ସେବା , ଓସ୍ତିଆ, ବାଙ୍କୀର ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ମଡେଲ, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ରେଡ୍ କ୍ରସ୍ , ଓଡିଶା ରାଜ୍ୟ ଶାଖା, ଇଣ୍ଡିଆନ୍ ଅଏଲ ଲିଃ.ଆଦି ତରଫରୁ ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରଦର୍ଶନୀ ଉଦଘାଟନ କରିବା ପରେ ସମସ୍ତ ଅତିଥି ଓ ଦର୍ଶକମାନେ ଷ୍ଟଲ ପରିଦର୍ଶନ କରି ଓଡିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଓ ଏଥିପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣର ବ୍ୟବହାର ସଂପର୍କରେ ଅବଗତ ହୋଇଥିଲେ।

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ପାଳନ ହୋଇ ଆସୁଛି। ଏହି ଦିବସଟି ଆମ୍ଭକୁ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଦୃଢ ସଂକଳ୍ପବଦ୍ଧ କରାଇଥାଏ। ଏହି ଦିନରେ ଆମ୍ଭେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ସ୍ମୃତିଚାରଣ କରିଥାଉ।

Categories
ବିଶେଷ ଖବର

କଟକ ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ ଭି କେ ପାଣ୍ଡିଆନ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ।

ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ।

ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ ଓ କଟକ ସହର ରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଟିକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଲିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଲିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଲିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତି ଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ 2024 ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ 5T ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ technology ର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।

ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ।

ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।

ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।

ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲକ୍ଟ୍ରୋନିକ୍ସ ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଣପୁର ଓ ଚିଲିକା ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକରେ ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରଚ୍ୟୁଆଲ ମୋଡରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଉଭୟ ବ୍ଲକ ପ୍ରଶାସନ ପକ୍ଷରୁ ଉଭୟ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି ନାରାରେ ଏହି ଯୋଜନା ର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକରେ ୯୫ କୋଟି ଟଙ୍କା ବ୍ୟୟରେ ୨ହଜାର ୭୬୩ ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି। ବିଶେଷ କରି ଏ ଅଞ୍ଚଳର ମଠ ମନ୍ଦିର ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ୫-ଟି ରେ ସାମିଲ କରାଇ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ ଉପସ୍ଥିତ ଜନସାଧାରଣ।

ଏହି ପରିପ୍ରେକ୍ଷୀରେ ଚିଲିକା ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଅନୁରୂପ ଭାବେ ବାଣପୁରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିଲେ।

ଏହି ଯୋଜନା ଅନ୍ତର୍ଗତ ଚିଲିକା ବ୍ଲକ ଚଣ୍ଡେଶ୍ୱରସ୍ଥିତ ବାବା ଚଣ୍ଡୀହର ଦେବ ମନ୍ଦିରକୁ ୧ କୋଟି, ବାଲୁଗାଁ କଲେଜକୁ ୧.୫ କୋଟି, ବାଣପୁର ମା’ ଭଗବତୀ ମନ୍ଦିରକୁ ୩୦ କୋଟିରୁ ଊର୍ଦ୍ଧ୍ଵ, ଗୋଦାବରୀଶ ମହାବିଦ୍ୟାଳୟକୁ ୨.୨୫ କୋଟି ଏବଂ ବାଣପୁର ଓ ଚିଲିକା ବ୍ଲକର ୩୪ ଗୋଟି ପଞ୍ଚାୟତକୁ ୧୭ କୋଟି ସହିତ ମୋଟ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି।

ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ଚିଲିକା ବ୍ଲକରେ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉଭୟ ବ୍ଲକରେ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ଉପସ୍ଥିତ ଥିଲେ।

ସୂଚନା ଥାଉକି ଚିଲିକା ନିର୍ବାଚନମଣ୍ଡଳିରେ ଆଜିର ଉକ୍ତ କାର୍ଯ୍ୟକ୍ରମକୁ ବିଜେପି ବର୍ଜନ କରିଛି, ଯାହା ଫଳରେ ଉଭୟ ବ୍ଲକର ୩୪ ଗୋଟି ପଞ୍ଚାୟତରୁ ବିଜେପି ସମର୍ଥିତ ୨୩ ଜଣ ସରପଞ୍ଚ ଓ ୨୪ ଜଣ ସମିତି ସଭ୍ୟଙ୍କ ସମେତ ଉଭୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ।

Categories
ବିଶେଷ ଖବର

‘ଆମ ଓଡିଶା ନବୀନ ଓଡିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର  ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ରେ ୧୯୦ଟି   ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର। ଏଥିରେ ୮ଟି ବ୍ଲକ୍‌ର ୧୯୮ଟି ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ   ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ସରକାରୀ ହସ୍‌ପିଟାଲ ଯେପରି ବେସରକାରୀ ହସ୍‌ପିଟାଲ ଭଳି ଆଧୁନିକ ଚିକିତ୍ସା ଯୋଗାଇ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଆମ ହସ୍‌ପିଟାଲ ଯୋଜନା ଆରମ୍ଭ କରିଛନ୍ତି। ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ରଘୁନନ୍ଦନ ଦାସ, ବିଧାୟକ ବିଜୟ ଶଂକର ଦାସ, ବିଧାୟକ ସମ୍ବିତ ରାଉତରାୟଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ଏହା ସହିତ ବେଗୁନିଆ ହସ୍‌ପିଟାଲକୁ ଉପଖଣ୍ଡ ହସ୍‌ପିଟାଲ ଭାବେ ଉନ୍ନୀତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେହିପରି ବୋଲଗଡର ପରମାନନ୍ଦ ମହାବିଦ୍ୟାଳୟର ରୂପାନ୍ତର ପାଇଁ ୨.୨୫ କୋଟି ଟଙ୍କା ଓ ବେଗୁନିଆ କଲେଜ ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ସେହିପରି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏଥିରେ ବରମୁଣ୍ଡା ବସ୍‌ ଟର୍ମିନାଲ ସହିତ ବିଜେବି କଲେଜ, ରାଜଧାନୀ କଲେଜ ଓ କମଳାନେହେରୁ କଲେଜର ରୂପାନ୍ତର ପାଇଁ ୬.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୧ଟି ପ୍ରକଳ୍ପ ପାଇଁ ୧୬୮.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଶିଶୁଅନନ୍ତ ମହାବିଦ୍ୟାଳୟ, ପ୍ରତାପ ଶାସନ କଲେଜ, ବୁଦ୍ଧନାଥ ମନ୍ଦିର, କୁଆଖାଇ ଜଗନ୍ନାଥ ମନ୍ଦିର ଓ ଶିଶୁ ଅନନ୍ତ ପୀଠର ରୂପାନ୍ତର ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୮ଟି ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପାଇକ ଏକାଡେମୀ ତଥା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରାଣନାଥ କଲେଜ, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜ ଓ କାଇପଦର ଶ୍ରୀଜଗନ୍ନାଥ ମନ୍ଦିରର ରୂପାନ୍ତର ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ବିଜୁ ପଟ୍ଟନାୟକ କଲେଜ, ଜୟଦେବ କଲେଜ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ଶ୍ରୀ ଚଣ୍ଡେଶ୍ବର ଦେବ ମନ୍ଦିର, ଗୋଦାବରିଶ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଜଟଣୀ ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୮୧.୧୪ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଜଟଣୀ କଲେଜର ରୂପାନ୍ତର ଏବଂ ବିଭିନ୍ନ ବେସରକାରୀ ଗୃହନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହାସହିତ ଜଟଣୀ ଓ  ଖୋର୍ଦ୍ଧାର ଖାସମାହାଲ ଜମି ଗୁଡିକର ସମାଧାନ କରି ପଟ୍ଟା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ବେସରକାରୀ ଗୃହ ନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗୀକରଣ ଯୋଗୁ ଦେଢ ଲକ୍ଷ ଲୋକ ଉପକାର ପାଇବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ୧୫ଟି ଶିକ୍ଷାନୁଷ୍ଠାନ ପାଇଁ ୧୦ କୋଟି ଓ ୯୧ଟି ଧାର୍ମିକ ଅନୁଷ୍ଠାନ ରୂପାନ୍ତର ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ ସ୍ବାମୀ ବିବେକାନନ୍ଦ କଲେଜ, ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଓ ମାଛଗାଁ ମୁଖ୍ୟ କେନାଲ ଉପରେ Box Conduit ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୭ଟି ପ୍ରମୁଖ ପ୍ରକଳ୍ପ ପାଇଁ ୪୯.୬୨ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ଏରସମା କୁଞ୍ଜବିହାରୀ ମନ୍ଦିର, ବନ୍ଦର ପର୍ଯ୍ୟଟନ ପ୍ରକଳ୍ପ, ବାଲିକୁଦା ଡିଗ୍ରୀ କଲେଜ, ଶିଆଳୀ ବେଳାଭୂମୀର ଉନ୍ନତିକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୭୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ୧୧.୫୨ କୋଟି ଟଙ୍କା ମଂଜୁର କରାଯାଇଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୮ଟି ପ୍ରମୁଖ ପ୍ରକଳ୍ପ ପାଇଁ ୨୭.୪୫ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ପଞ୍ଚଶଖା ଧ୍ୟାନପୀଠ, ଶ୍ରୀ ଶ୍ରୀ ଗୋରଖନାଥ ମନ୍ଦିର, ଧଲତାନଗଡ  ଜୈବ ବିବିଧତା ପ୍ରକଳ୍ପ, ଆଦିକବି ସାରଳା ଦାସ ଡିଗ୍ରୀ କଲେଜ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୧୨୧ଟି ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ପାଇଁ ୧୩.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ପାରାଦୀପ ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪.୫୮ କୋଟି ଟଙ୍କା  ମଂଜୁର କରାଯାଇଛି । ଏଥିରେ କୁଜଙ୍ଗ ଡିଗ୍ରୀ କଲେଜ, ପାରାଦୀପ ଡିଗ୍ରୀ କଲେଜ, ତାଳଦଣ୍ଡା କେନାଲର ଉନ୍ନତିକରଣ ଆଦି ପ୍ରମୁଖ ପ୍ରକଳ୍ପ ରହିଛି । ସେହିପରି ୫୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।  ଏହିପରି ୩୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ସମୁଦାୟ ୧୬୧.୧୭ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର, ଫିଡେ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।

ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ଶ୍ରୀମତୀ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିଥିଲେ। କେନ୍ଦ୍ର ସରକାର ଏହି ଆବେଦନକୁ ମଂଜୁର କରିଛନ୍ତି।

ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି ମିଳିଛି। ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଚାଲିଲା ୩୬ଟି ବସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଗଜପତି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ। ଗାଁ କୁ ଗାଁ ସହିତ ଯୋଡିବ। ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ। ଏହା ଦ୍ୱାରା ଆମର ଅର୍ଥନୀତି ମଧ୍ୟ ଆହୁରି ମଜବୁତ୍ ହେବ ବୋଲି ସେ କହିଲେ।

ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ ଗଜପତି ସହିତ, ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ବସ୍ ଚାଲିବ। ଗଜପତିରେ ଆଜି ୩୬ଟି ବସ୍‌ ଚାଲିଲା। ଗଜପତିର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା। ଏହି ଯୋଜନା ପାଇଁ ଗଜପତିରେ ୬୯ଟି ନୂଆ ବସ୍ ଷ୍ଟପେଜ୍ ତିଆରି କରାଯାଇଛି। ପୂର୍ବରୁ ଥିବା ୬୪ଟି ବସ୍ ଷ୍ଟପେଜ୍‌ର ଉନ୍ନତିକରଣ କରାଯାଇଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁର ବିକାଶ ପାଇଁ ‘ଆମ ଓଡିଶା ନବୀନ ଓଡିଶା’ ଚାଲିଛି। ଖୁବ୍ ଶୀଘ୍ର ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗାଁରେ ମିଳିବ ସହରର ସୁବିଧା। ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ।

ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍‌ ସମୟରେ ଶେଷ ହେବ ଏବଂ ଗଜପତିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଓଡିଶାର ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀଙ୍କ ପରିବାର। ସେମାନେ ଯେପରି ଭଲରେ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରି ଆସୁଛନ୍ତି। ଓଡିଶାବାସୀଙ୍କ ଉନ୍ନତି ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ଆଜି ଲକ୍ଷ୍ମୀ ବସ୍ ଯୋଜନା ଗାଁର ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତର ଆଣିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ କେ. ନାରାୟଣ ରାଓ, ଜିଲ୍ଲା ପରିଷଦର ସଭାପତି ଶ୍ରୀ ଜି. ତିରୁପତି ରାଓ ଓ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ମାରିୟାମ ରାୟତ ପ୍ରମୁଖ ମତ ବ୍ୟକ୍ତ କରି ରାଜ୍ୟରେ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଜ୍ଞତା ବାଣ୍ଟିଲେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ରେ ଭାଗ ନେଇଥିବା ଓଡ଼ିଶାର ପ୍ରତିଭାବାନ ସ୍କୁଲ ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ବୈଠକରେ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ସଭାପତି ଥୋମାସ ବାକଙ୍କ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଚିଠିରେ ଓଡ଼ିଶାରେ ଚାଲିଥିବା ଓଭିଇପି କାର୍ଯ୍ୟକ୍ରମ ଏବଂ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଏହାର ସଫଳତା ଓ ଅବଦାନକୁ ପ୍ରଶଂସା କରାଯାଇଥିଲା।

ଚିଠିରେ ଆଇଓସି ସଭାପତି ଥୋମାସ ବାକ୍ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରିଡ୍ଲେ ପ୍ରକଳ୍ପ ପାଇଁ ଆଇଓସି ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଉତ୍ତମ ସହଯୋଗ ପାଇଁ ହୃଦୟରୁ ପ୍ରଶଂସା କରିଛନ୍ତି।

ଆଇଓସି ଅଧିବେଶନରେ ଓଡ଼ିଶାର ଅନେକ ପିଲାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ସେ କହିଛନ୍ତି। ଅଲିମ୍ପିକ୍ ମୂଲ୍ୟବୋଧ ପ୍ରତି ଅତୁଟ ସମର୍ଥନ ପାଇଁ ସଭାପତି ବାକ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁମ୍ବାଇରେ ଆୟୋଜିତ ସମ୍ମାନଜନକ ଅନ୍ତର୍ଜାତୀୟ ଆଇଓସି ଅଧିବେଶନରେ ଯୋଗ ଦେବାର ଅନନ୍ୟ ଓ ପ୍ରେରଣାଦାୟକ ଅନୁଭୂତିକୁ ଛାତ୍ରୀ ଭାରତୀ ଶବର, ମହମ୍ମଦ ହମ୍ମାଦ ନୁରେନ୍, ପ୍ରତ୍ୟାଶା ସାହୁ, ସୋମ୍ୟ ରଞ୍ଜନ ବାରିକ ଓ ସୁଚିସ୍ମିତା ସାହୁ ଉତ୍ସାହର ବର୍ଣ୍ଣନା କରିଥିଲେ।

ସେଠାରେ ପିଲାଙ୍କ ଲାଗି ଅନ୍ୟତମ ସ୍ମରଣୀୟ ଆକର୍ଷଣ ଥିଲା କିମ୍ବଦନ୍ତୀ ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା। କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସୁଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ୍ୟ।

ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ବୈଠକ ସେମାନଙ୍କ ପାଇଁ ଅତୁଳନୀୟ ସଫଳତା ଥିଲା ଏବଂ ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀଙ୍କ ମାନସିକତା ପାଇଁ ଏକ ପ୍ରେରଣା ଥିଲା।

ଆଇଓସି ଅଧିବେଶନ ଭଳି ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ। ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଏବଂ ରାଜ୍ୟ ପାଇଁ ଆଣିଥିବା ଗୌରବକୁ ସେ ସ୍ୱୀକାର କରିଥିଲେ।

ଏହି ବୈଠକରେ ସଚିବ (୫ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ରହି ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସର ଓଡ଼ିଶାର ଅସାଧାରଣ ସାମର୍ଥ୍ୟ ଓ ପ୍ରତିଭାକୁ ପ୍ରମାଣିତ କରୁଛି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଓଡ଼ିଶା ଗର୍ବିତ ଏବଂ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଭବିଷ୍ୟତର ପ୍ରୟାସକୁ ସାକାର କରିବା ପାଇଁ ରାଜ୍ୟ ସମସ୍ତ ପ୍ରକାରର ସାହଯ୍ୟ ଏବଂ ସମର୍ଥନ କରିବାକୁ ଆଗ୍ରହୀ।

୨୦୨୨ ମେ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଓ ଭୁବନେଶ୍ୱରର ୯୦ଟି ବିଦ୍ୟାଳୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ର ଶୁଭାରମ୍ଭ କରିଥିଲେ।

ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ ଓ କଟକ ସମେତ ୫ଟି ଜିଲ୍ଲାର ୨୫୦ଟି ବିଦ୍ୟାଳୟରେ ଓଭିଇପି କାର୍ଯ୍ୟକ୍ରମ ଚାଲିଥିବାରୁ ୨ରୁ ୧୦ମ ଶ୍ରେଣୀରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ସାମିଲ ହେଉଛନ୍ତି। ୫୦୦ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଆଯାଇଛି।