Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ଵ: ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଆଉ ଏକ ଦଳୀୟ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନେବେ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ଯଥାଶିଘ୍ର କାର୍ଯ୍ୟକାରୀ ହେଲା ବୋଲି କୁହାଯାଇଛି। ମାନସ ବର୍ତ୍ତମାନ ରାଜ୍ୟସଭା ସାଂସଦ ସହିତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ରହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦ୍ରାପଡା ରସାବଳିକୁ ଜିଆଇ ଟ୍ୟାଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର: କେନ୍ଦ୍ରାପଡା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ। ଫଳରେ ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବହୁ ପୂର୍ବରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବୀ କରାଯାଉଥିଲା। ହେଲେ ତାହା ହୋଇପାରି ନ ଥିଲା। ବର୍ତ୍ତମାନ ଏହି ରସାଳ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ, “କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏହି ଅବସରରେ ସମଗ୍ର ଓଡ଼ିଶାବାସୀ, ଜିଲ୍ଲା ପ୍ରଶାସନ ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କୁ ମୋର ଶୁଭେଚ୍ଛା।’

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆକ୍ସନ ମୁଡରେ ଅଛନ୍ତି। କାରଣ ସେ ପ୍ରଥମେ ବିଧାନସଭାରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏବେ ସେ ସାଧାରଣ ସଭାରେ ମଧ୍ୟ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ ଯେପରି କଥା କହିଛନ୍ତି ତାହା ସମାଲୋଚନା ନୁହେଁ ବରଂ ଗାଳି କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିରୋଧୀଙ୍କୁ ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଲିଙ୍ଗରାଜ ମନ୍ଦିର ବିକାଶରେ ବାଧା ସୃଷ୍ଟି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମଧ୍ୟ ବାଧକ ସାଜିଲେ। ହେଲେ ସେଥିରେ ସେମାନେ ବାଧା ଦେବାରେ ସକ୍ଷମ ହେଲେ ନାହିଁ। ଅନ୍ୟପକ୍ଷରେ ଲୋକେ ତାଙ୍କୁ ଭଲ ଭାବରେ ଚିହ୍ନିଲେ।

ସେତିକି ନୁହେଁ ନବୀନ କହିଥିଲେ ଯେ, ଲୋକଙ୍କୁ ଭୁଲ ଖବର ଦେବା କାର୍ଯ୍ୟ କରୁଛନ୍ତି ବିରୋଧୀ ଦଳ। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ଆସିଲେ ସେମାନେ ଲୋକଙ୍କୁ ଏପରି ଭ୍ରମିତ ଖବର ଦେଇ ଭୋଟ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହିଁନ୍ତି। ସେମାନଙ୍କୁ ଲୋକେ ସିଧା ପ୍ରତ୍ୟାଖାନ କରୁଛନ୍ତି ବୋଲି ଜନସଭାକୁ ଉଦବୋଧନ ଦେଇ ନବୀନ କହିଥିଲେ।

ବିରୋଧୀ ଦଳ ହେଉଛନ୍ତି ରାଜ୍ୟ ବିକାଶର ବିରୋଧୀ ଏବଂ ଜନ ବିରୋଧୀ। ସେଥିପାଇଁ ସେମାନଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଓଡିଶାର ଯେପରି ବିକାଶ ହେଉଛି ସେଥିରେ ବିରୋଧୀ ଖୁସି ନାହାଁନ୍ତି ବୋଲି ନବୀନ କହିଛନ୍ତି। ଏହିପରି ଜନ ବିରୋଧୀ କାର୍ଯ୍ୟ କଲେ ସେମାନେ କେବେ ବି କ୍ଷମତାକୁ ଆସିପାରିବେ ନାହିଁ। ଏପରିକି ଲୋକେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ନବୀନ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ନବୀନ କହିଥିଲେ ଯେ, ଗାନ୍ଧୀଙ୍କ ନିତି ଆମ ପାଇଁ ପ୍ରେରଣା ଦାୟକ। ବିଜେଡି ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ବିଜେଡି ସବୁବେଳେ ମହିଳାଙ୍କ ଉନ୍ନତି କରିବାକୁ ଚେଷ୍ଠା କରୁଛି। ମହିଳା ସଂରକ୍ଷଣ ବିଲ ଏହାର ଏକ ବଡ ଉଦାହରଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ ଗେମ ଚେଞ୍ଜର। ଏସବୁ ବାର୍ତ୍ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍‌, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ସାନ୍ତାଳୀ ଭାଷାର ଭାଷାବିତ୍ ମାନେ ସହଯୋଗ କରିଥିଲେ। ସାନ୍ତାଳୀ ଭାଷା ଆମ ସମ୍ବାଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି। ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।

ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍‌ ଲାଇନ୍‌ରେ ଉପଲବ୍‌ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ପ୍ରତି ଜିଲ୍ଲାରେ ଭାଷା କେନ୍ଦ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜନଜାତି ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର ପାଇଁ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ବିଭାଗୀୟ କମିଶନର-ତଥା- ଶାସନ ସଚିବ ଶ୍ରୀମତୀ ରୂପାରୋଷନ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାବିତ୍ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଙ୍କ ସହ କୁଇ,କୂଭି, ଗୋଣ୍ଡି ଓ ମୁଣ୍ଡା ଜନଜାତି ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଷାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଡିଜିପି ସୁନିଲ କୁମାର ବଂଶଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ (cyber safety awareness Rath) ସ୍ବାଗତ  କରାଯିବ। ପ୍ରତିଦିନ ଅତି କମ୍ ରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାସହ ବ୍ଲକ୍‌ ଓ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯିବ।

ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ ମିନି ମାରଥନ ଆୟୋଜନ କରାଯିବ। ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ ଇଭିନିଙ୍ଗ ୱାଲ୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୫ ତାରିଖ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ  ମାନେ ଉପସ୍ଥିତ ରହିବେ।

ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର  ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରି ସହଯୋଗ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ।

ଆହୁରି କହିଛନ୍ତି ଯେ, ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା ଡ ସ୍ବାମୀନାଥନ୍ ଭାରତର କୃଷି କ୍ଷେତ୍ରକୁ ବୈପ୍ଳବିକ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାରେ ସୁଧାର ଆଣିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ କୃଷକମାନଙ୍କ ପାଇଁ ଉପଯୁକ୍ତ ନୀତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ।

ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଓଡିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ। ରାଜ୍ୟର କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଚେଷ୍ଠିତ ଥିଲେ। ଓଡିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ତାଙ୍କର ଭୂମିକା ପ୍ରଶଂସନୀୟ। ତାଙ୍କ ମୃତ୍ୟୁ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା।

ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଟୋବର ୨ରୁ ବିଜେଡିର ଜନସଂପର୍କ ଯାତ୍ରା, କିପରି ପାଳନ କରିବେ ନେତାଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଅକ୍ଟୋବର ଦୁଇ ତାରିଖରୁ ବିଜେଡି ପାଳନ କରିବ ଜନ ସଂପର୍କ ପଦଯାତ୍ରା। ଏହା ପ୍ରତିବର୍ଷ ପରି ଅକ୍ଚୋବର ୨ ତାରିଖ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତିରେ ଶେଷ ହେବ। ଏହି ପଦଯାତ୍ରା କିପରି କରାଯିବ ସେ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ନେତା ତଥା କର୍ମିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଏଥିରେ ନବୀନ କହିଛନ୍ତି ଯେ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି, ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜୟନ୍ତି, ଅକ୍ଟୋବର ୧୧ ତାରିଖରେ ଜୟପ୍ରକାଶ ନାରାୟଣ ଜୟନ୍ତି ପଦଯାତ୍ରା ସହିତ ପାଳନ କରାଯିବ। ଏହି ପଦଯାତ୍ରାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତି ତଦାରଖ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ବା ବିଧାୟିକା, ପଞ୍ଚାୟତ ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ନିଶ୍ଚିତ ଯୋଗଦେବେ। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ, ଯେପରି ଛାତ୍ର ଜନତା, ଯୁବ ଜନତା, ମହିଳା ଜନତା ପରି ସଂଗନର କର୍ମକର୍ତ୍ତା ଭାଗ ନେବେ। ତେବେ ଏହି କାର୍ଯ୍ୟକ୍ରମ କିପରି କରାଗଲା ତାହାର ଏକ ରିପୋର୍ଟ ମୋତେ ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାସେ ବ୍ୟାପି କରାଯିବ। ଏହା ପ୍ରତି ଜିଲ୍ଲା ପରିଷଦ ଜୋନ ଏବଂ ପୌରାଞ୍ଚଳ ସ୍ତରୀୟ ସକ୍ରିୟ ସଦସ୍ୟ ଏବଂ ସଦସ୍ୟାମାନଙ୍କୁ ନେଇ କରାଯିବ। ଏହିମାନେ ପ୍ରଶିକ୍ଷିତ ହେବା ପରେ ସେମାନେ ପ୍ରତି ଗାଁକୁ ଗାଁ ଯାଇ ବିଜେଡି ସରକାରଙ୍କ ସଫଳତା ସଂପର୍କରେ ଅବଗତ କରାଯିବ।

ଏହି କାର୍ଯ୍ୟକ୍ରମ ଭିତରେ ନେତାମାନେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟ କରିବେ। ସେହିପରି ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପ୍ରତି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ। ସେଥିପାଇଁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକମାନେ ଦାୟିତ୍ବ ନେବେ।

ଏହି ସମୟରେ ନିଜ ଅଞ୍ଚଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଯିବ। ଏଥିସହିତ ସମସ୍ତେ ଓଡିଶାକୁ ବିକାଶ କରିବା ପାଇଁ ଏକ ସଂକଳ୍ପ ମଧ୍ୟ ନେବେ। ଏହି କାର୍ଯ୍ୟକ୍ରମ ମଧ୍ୟ କିପରି ପାଳନ କରାଗଲା ତାହା ସିଧା ଜଣାଇବେ ବୋଲି ନବୀନ ପଟ୍ଟନାୟକ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କୁ କାହିଁକି ଜିଲ୍ଲା ଗସ୍ତରେ ପଠାଯାଇଥିଲା, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଗୃହରେ ୫ଟି ସଚିବ ଭି କେ ପାଣ୍ଡିଆନ ବା ସିଏମଓଙ୍କ ଗସ୍ତ ସଂପର୍କରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ହଟ୍ଟଗୋଳ କରିଥିଲେ। ସେମାନେ ମନ୍ତ୍ରୀ ବଡ ନା ସଚିବ ବଡ ନାରାବାଜି ଦେଇ ଗୃହକାର୍ଯ୍ୟକୁ ଅଚଳ କରିଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୨ ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିଜର ବିବୃତି ପ୍ରଦାନ କରିଥିଲେ। ସେ ବିରୋଧୀଙ୍କର ନାରା ବାଜିକୁ କଡା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ସେ ୫ଟି ସଚିବ ବା ସିଏମଓକୁ କାହିଁକି ଜିଲ୍ଲା ଗସ୍ତରେ ପଠାଇଥିଲେ ତାହାର ପ୍ରମାଣ ରଖିଥିଲେ। ଯାହାକୁ ନେଇ ବିରୋଧୀ ଚୁପ ହୋଇଯାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି। ସେଠାରେ ସିଏମଓ ବା ମୁଖ୍ୟମନ୍ତ୍ରୀ ଅଧିକାରୀମାନେ ପରିଚାଳନା କରନ୍ତି। ହେଲେ ଗତ କୋଭିଡ ବେଳେ ତାହା ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା। ଏହାପରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ହେଲେ ପୂର୍ବ ଅପେକ୍ଷା ସେଠାକୁ ଲୋକେ ଆସିବା ହାର ହ୍ରାସ ପାଇଥିଲା। ଦୂରଦୂରାନ୍ତରୁ ଆଉ ଲୋକେ ଅଭିଯୋଗ କରିବା ପାଇଁ ଆସି ନ ଥିଲେ।

ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ପାଖକୁ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେହି ଅନୁସାରେ ସିଏମଓ ବା ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ଅଧିକାରୀ ଜିଲ୍ଲା, ବ୍ଲକ, ପଞ୍ଚାୟତ ଇତ୍ୟାଦି ବୁଲି ବୁଲି ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥିଲେ। ଗତ ଛଅ ମାସ ମଧ୍ୟରେ ସିଏମଓ ୧୯୦ ସ୍ଥାନରେ ଅଭିଯୋଗ ଶୁଣାଣି କରିଛି। ସେଥିରେ ୫୭୪୪୨ ଗୋଟି ପିଟିସନ ସଂଗ୍ରହ କରାଯାଇ ୪୩୫୩୬ ଟି ଅଭିଯୋଗର ସମାଧାନ କରାଯାଇଛି। ଏ ସବୁ ଜନଶୁଣାଣି ପୋର୍ଟାଲରେ ଉପଲବ୍ଧ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ହେଉଛି ଦେଶର ସବୁଠାରୁ ବୃହତ ଜନଶୁଣାଣି ଏବଂ ଦେଶରେ ପ୍ରଥମ। ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ କୋଭିଡ ହୋଇଥିଲା ସେତେବେଳେ ସମସ୍ତେ ଘରେ ଥିବା ବେଳେ ଏହି ସିଏମଓ ଚାରିଆଡେ ବୁଲି ଲୋକଙ୍କ ସ୍ବାସ୍ଥ୍ୟ କଥା ଦେଖୁଥିଲା। ସେମାନେ ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ରାଜନୈତିକ ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରର ଯେଉଁ ଅଭିଯୋଗ ପ୍ରକୋଷ୍ଠ ରହିଛି ସେଠାରେ କେହି ମନ୍ତ୍ରୀ ଯାଆନ୍ତି ନାହିଁ। ତାହା ସେହି ସିଏମଓ ଙ୍କ ଦ୍ବାରା ଶୁଣାଣି କରାଯାଏ। ଯେଉଁ ବିଭାଗର ଅଭିଯୋଗ ଆସିଥାଏ ତାହା ସେହି ବିଭାଗକୁ ପଠାଯାଇଥାଏ। ତାହା ସେହି ମନ୍ତ୍ରୀଙ୍କ ଦ୍ବାରା ତଦରାଖ କରାଯାଇ ସମାଧାନ କରାଯାଇଥାଏ। ବର୍ତ୍ତମାନ ସେହି କାର୍ଯ୍ୟ ଜିଲ୍ଲାୱାରୀ କରାଯାଇଛି। ଯେଉଁଥିରେ ମନ୍ତ୍ରୀ କିମ୍ବା ବିଧାୟକ ରହିବାର ଆବଶ୍ୟକତା ନ ଥିଲା।

ଶେଷ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଏମଓ ଜିଲ୍ଲା ଗସ୍ତ ନେଇ ଜନସାଧାରଣ ଖୁସି, ନିର୍ବାଚିତ ପ୍ରତିନିଧିମାନେ ଖୁସି, ହେଲେ ରାଜନୈତିକ କାରଣ ପାଇଁ ବିରୋଧୀ ଦଳ ଖୁସି ନୁହନ୍ତି। ତେବେ ଲୋକଙ୍କ ଖୁସି ପାଇଁ ଏହିପରି ଜନଶୁଣାଣି ଆଗକୁ ମଧ୍ୟ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମଞ୍ଚ ଉପରେ ବସି ଲୋକଙ୍କ ଆଗରେ କାହିଁକି କାନ୍ଦିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରବିବାର ଦିନ ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ। ଏହାକୁ ଆୟୋଜନ କରିଥିଲେ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ। ଅବସର ଥିଲା ସାହିତ୍ୟ କାର୍ଯ୍ୟକ୍ରମ “ଅ’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ପାଖରେ ବସିଥିଲେ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟର ଇନ ଚିଫ୍ ପ୍ରଭୃ ଚାୱଲା।

ତେବେ ଏହି ସଭାରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ତାହାକୁ ଦେଖି ମଞ୍ଚ ଉପରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନ୍ଦି ପକାଇଥିଲେ। ପକେଟରୁ ରୁମାଲ ବାହାର କରି ଲୁହ ପୋଛିଥିଲେ। ତେବେ ଭିଡିଓଟି ଥିଲା ତାଙ୍କ ବଡ ଭଉଣୀ ଗୀତା ମେହେଟାଙ୍କ ଉପରେ ଆଧାରିତ ଏକ ଡକ୍ୟୁ ଫିଲ୍ମ। ଏଥିରେ ଗୀତା କିପରି ବାଙ୍ଗାଲଦେଶ ଯୁଦ୍ଧ ବେଳେ ରିପୋର୍ଟିଂ କରୁଥିଲେ ତାହା ପ୍ରଦର୍ଶିତ କରାଯାଇଥିଲା। ତାହା ଦେଖି ନବୀନଙ୍କ ଆଖିରେ ଲୁହ ଆସିଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୋଟ ୧୦ ରୁ ମୋଦିଙ୍କୁ ଆପଣ କେତେ ମାର୍କ ଦେବେ ? କଣ ଉତ୍ତର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଟ ୧୦ ମାର୍କରୁ ଆପଣ ତାଙ୍କୁ କେତେ ମାର୍କ ଦେବେ ? ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ପ୍ରଶ୍ନ କଲେ ଭାରତର ପ୍ରଖ୍ୟାତ ସାମ୍ବାଦିକ ପ୍ରଭୃ ଚାୱାଲ। ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସେ ମୋଦିଙ୍କୁ ୧୦ ରୁ ୮ ମାର୍କ ଦେବେ।

ଭୁବନେଶ୍ବରରେ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ଦ୍ବାର ଆୟୋଜିତ ଲିଟରାଲି ଫେଷ୍ଟିଭାଲରେ ଯୋଗଦେଇ ନବୀନ ଏହା କହିଥିଲେ। ପ୍ରଭୃ ଚାୱାଲା ଏହାର କାରଣ କଣ ବୋଲି ପଚାରିବାରୁ ନବୀନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦୁର୍ନିତି ନିରାକରଣ କାର୍ଯ୍ୟ ବେଶ ପ୍ରଶଂସନୀୟ। ମୁଁ ମଧ୍ୟ ଏହାକୁ ପ୍ରାଥମିକତା ଦେଇଆସୁଛି। ଦୁର୍ନିତି ହଟାଅ ଅଭିଯାନ ବର୍ତ୍ତମାନ ବେଶ ଗୁରୁତ୍ବ ପୂର୍ଣ୍ଣ।

ସେହିପରି ନବୀନ କହିଥିଲେ ଯେ, ମୋଦିଙ୍କର ବିଦେଶ ନୀତି ମଧ୍ୟ ବେଶ ପ୍ରଶଂସନୀୟ। କାରଣ ବିଭିନ୍ନ ଦେଶ ସହିତ ସୁସଂପର୍କ ରଖିବା କାର୍ଯ୍ୟ ଭାରତର ସାର୍ବଭୌମତ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟ ଦେଶ ସହିତ ସୁସଂପର୍କ ରଖିଲେ ଭାରତ ସମୃଦ୍ଧ ହୋଇପାରିବ। ସେହିପରି ମୋଦିଙ୍କ ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ନବୀନ ସମର୍ଥନ କରିଥିଲେ। ସେ କହିଥିଲେ ଯେ ଯେ କୌଣସି ମୁହୁର୍ତ୍ତରେ ନିର୍ବାଚନ ହେଲେ ମଧ୍ୟ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ।

ଆସନ୍ତା ନିର୍ବାଚନରେ ଓଡିଶାର ବିକାଶ ମୁଖ୍ୟ ପ୍ରସଂଗ ହେବ ବୋଲି ନବୀନ ସେହି କାର୍ଯ୍ୟକମରେ କହିଥିଲେ। ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ବିଜେଡି ନିର୍ବାଚନକୁ ଓହ୍ଲାଇବ। ଏଥିସହିତ ଜନମଙ୍ଗଳ କାର୍ଯ୍ୟକ୍ରମ ସହିତ ଦୁର୍ନିତି ନିବାରଣ, ଦାରିଦ୍ରଦୂରିକରଣ ଏବଂ ବିପର୍ଯ୍ୟୟ ମୁକାବିଲା ମଧ୍ୟ ନିର୍ବାଚନ ପ୍ରସଂଗ ରହିବ ବୋଲି ନବୀନ କହିଛନ୍ତି।

ସେହିପରି ନବୀନ ସେହି କାର୍ଯ୍ୟକ୍ରମରେ ମହିଳା ସଂରକ୍ଷଣ ବିଲକୁ ସଂପୂର୍ଣ୍ଣ ସମର୍ଥନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ପାଇଁ ବିଜେଡି ପୂର୍ବରୁ ପ୍ରାଥମିକତା ଦେଇଆସିଛି। ଏପରିକି ଗତ ନିର୍ବାଚନରେ ଦଳ ତରଫରୁ ମହିଳାଙ୍କୁ ପ୍ରାର୍ଥୀ କରିବାରେ ପ୍ରାଥମିକତା ଦିଆଯାଇଛି। ମୁଖ୍ୟତଃ ରାଜ୍ୟରେ ଦାରିଦ୍ରଦୂରିକରଣ ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଲୋକେ ଆମକୁ ଭଲ ପାଉଛନ୍ତି ବୋଲି ନବୀନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଭୃ ଚାୱାଲ ପ୍ରଶ୍ନ କରିଥିଲେ ଯେ, ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ଡାର୍ଟି ପଲଟିକ୍ସରେ କିପରି କାମ କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ, ରାଜନୀତି ଡାର୍ଟି ହେବା ଅନୁଚିତ। ଲୋକଙ୍କ ମଙ୍ଗଳ କରିବା ବା ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ରାଜନୀତି ଏକ ପ୍ରକୃଷ୍ଠ କ୍ଷେତ୍ର ବୋଲି ନବୀନ କହିଥିଲେ। ଏହାକୁ ନେଇ ପୁରା ପ୍ରେକ୍ଷାଳୟରେ ଲୋକେ ତାଳି ମାରି ସ୍ବାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍, ହୋଣ୍ଡା କାରସ, ଦୁବାଇର ଏମରିଲ ଗ୍ରୁପ୍ ଏବଂ ଗ୍ରୀନ ଟ୍ରେଣ୍ଡସ୍ ଭଳି ପ୍ରତିଷ୍ଠିତ କମ୍ପାନି ଓଡ଼ିଶା ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି।
ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ। ତା’ ଭିତରେ ୨୦୨୨-୨୩ ବ୍ୟାଚର ୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୦୨୧-୨୨ର ୬ ଜଣ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଦୁଇଜଣ ନେତାଙ୍କୁ ବିଜେଡିରୁ ବହିଷ୍କୃତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ନେତାଙ୍କ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ପରିଡ଼ାଙ୍କୁ ବହିଷ୍କୃତ କରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ନେତାଙ୍କୁ ସମଦଶା ମଧ୍ୟ ଭୋଗିବାକୁ ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କୃତ କରାଯାଇଛି।

ସେମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଭ୍ୟ ଜଲେନ୍ ନାୟକ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିରିଙ୍ଗି ବ୍ଲକର ଅଧ୍ୟକ୍ଷ ପରମେଶ୍ୱର ସମ୍ପଦ। ଶନିବାର ଏହି ଦୁଇ ନେତା ବିଜୁ ଜନତା ଦଳରୁ ବିତାଡିତ ହୋଇଛନ୍ତି।

ଏମାନେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସେଥିପାଇଁ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦେଶ ମୁତାବକ ଏହି ଦୁଇ ନେତାଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।

Categories
ବିଶେଷ ଖବର

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା: ଚାଷୀଙ୍କୁ ମିଳିଲା ୯୦୦ କୋଟି

ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ବୃତ୍ତି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରିମିୟମ ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି ଇଞ୍ଜିନିୟରିଂ ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ନୂଆଖାଇ। ସାରା ପଶ୍ଚିମ ଓଡିଶାରେ ଚାଲିଛି ଏହାର ପାଳନ। ଘରେ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇବେ। ଏହି ପର୍ବ ପାଇଁ ପଶ୍ଚିମ ଓଡିଶାର ଯିଏ ଯେଉଁଠି ଥାଏ ନା କାହିଁକି ସମସ୍ତେ ଆସି ଏକାଠି ହୁଅନ୍ତି।

ଏହି ପବିତ୍ର ପର୍ବ ପାଇଁ ସମସ୍ତେ ନୂଆଖାଇ ଜୁହାକ କରିଥାନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନୂଆଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ” କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।’

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ପୂଜା। ସାରା ଓଡିଶାର ପୁରପଲ୍ଲୀରେ ଚାଲିଛି ଗଣନାଥଙ୍କ ଆରାଧନା। ଆଜି ସକାଳୁ ଏହି ପୂଜା ଆରମ୍ଭ ହୋଇଛି ଯାହା ଦଶଦିନ ଧରି ଚାଲିବ। ଏହାପରେ ଗଣନାଥଙ୍କ ବିସର୍ଜନ ଉତ୍ସବ ଆୟୋଜିତ ହେବ।

ଏହି ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜାଣାଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି ଯେ, ” ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ପ୍ରତ୍ୟକଟି ଜୀବନ ସୁଖମୟ ଓ କଲ୍ୟାଣମୟ ହେଉ।’

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକରେ ମୁଁ ଦୁଃଖିତ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ଲେଖା ଓ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ପାଇଁ ମଧ୍ୟ ସେ ଜଣାଶୁଣା। ସେ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ମଧ୍ୟ ବେଶ୍ ଆଗଭର ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସମଗ୍ର ପରିବାର ପ୍ରତି ମୋର ସମବେଦନା।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ, ୮୦ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

ଭୁବନେଶ୍ଵର: ଆଜି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଖବର ହସ୍ତଗତ ହୋଇଛି। ଆଜି ଦିଲ୍ଲୀସ୍ଥିତ ବାସଭବନରେ ଗୀତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।

ଗୀତା ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୫ ମସିହାରେ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ତେବେ ୨୦୧୯ ମସିହାରେ ସୋନୀ ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିଲା। ସୋନୀ ଆଉ ଗୀତାଙ୍କର ଏକ ମାତ୍ର ପୁତ୍ର ସନ୍ତାନ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ।

Categories
ବିଶେଷ ଖବର

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ ୫-ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି  ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦାୟ ୫୪୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଆଜି ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

କଟକଠାରେ ଆୟୋଜିତ ଏହି ଲୋକାର୍ପଣ କାର‌୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଆଜି ଆମ କଟକ ସହର ପାଇଁ ଏକ ଉତ୍ସବର ଦିନ। କଟକ ସହର ପାଇଁ ୫୪୦ କୋଟିରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା। କଟକ ଓଡିଶାବାସୀଙ୍କ ପ୍ରିୟ ସହର। କଟକର ପୂଜା, କଟକର ବାଲିଯାତ୍ରା, ବାରବାଟୀ କ୍ରିକେଟ ମ୍ୟାଚ, ଏସ୍.ସି.ବି. ମେଡିକାଲ କଲେଜ ସବୁବେଳେ ଓଡିଶାର ବଡ ପରିଚୟ ହୋଇ ରହିଛି। ଏହି ପରିଚୟକୁ ଆମକୁ ଆହୁରି ଗୌରବମୟ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ହଜାର ବର୍ଷର ସହର ଏହି କଟକ। ଏ ସହର ଏବେ ନୂଆ ରୂପ ନେଉଛି। ରୂପାନ୍ତର ପର୍ବ ଆଗେଇ ଚାଲିଛି। ଓଡିଶାର ଗର୍ବ ରେଭେନ୍ସା କଲେଜ ଆଜି ୟୁନିଭର୍ସିଟି ହୋଇଛି। ଏସ୍.ସି.ବି. ମେଡିକାଲ କଲେଜକୁ ଇଓଓଗଝ ଚକ୍ଷଙ୍କଗ୍ଦ  ଐରବକ୍ଷଗ୍ଧଷ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭରେ ରୂପାନ୍ତର କରିବା ପାଇଁ କାର‌୍ୟ୍ୟ ଜାରି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, ଭିତ୍ତିଭୂମି ସବୁ କ୍ଷେତ୍ରରେ ରୂପାନ୍ତର ଏକ ସମୃଦ୍ଧ ଭବିଷ୍ୟତକୁ ନିର୍ଦ୍ଦେଶ କରୁଛି। ଆପଣମାନଙ୍କ ସହଯୋଗରେ ଏହି ରୂପାନ୍ତର ପ୍ରକ୍ରିୟା ଆହୁରି ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣକୁ ଆହ୍ୱାନ କରିବା ସହ ରାଜ୍ୟରେ କାର‌୍ୟ୍ୟକାରୀ ହେଉଥିବା ମିଶନ ଶକ୍ତି କାର‌୍ୟ୍ୟକ୍ରମ, ୫ଞ ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବସ୍ତି ବାସିନ୍ଦାଙ୍କ ଜାଗା ମିଶନ ଆଦି ଜନକଲ୍ୟାଣକାରୀ କାର‌୍ୟ୍ୟକ୍ରମ ଓ ଯୋଜନା ସାଧାରଣ ଲୋକଙ୍କ ଭିତରେ ଭରଷା ସୃଷ୍ଟି କରି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ସହର ମୋର ପ୍ରିୟ ସହର । ମୋର ଜନ୍ମଭୂମୀ। କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି ଓ ରହିବ।

ପ୍ରକାଶଯୋଗ୍ୟ ଯେ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲରେ ଏକା ସାଙ୍ଗରେ ୧୯୨ଟି ବସ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ପାଇଁ ପ୍ରତିକ୍ଷାଳୟ, ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇ ଟର୍ମିନାଲ ଭିତରେ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦର ଭଳି ସୁବିଧା କରାଯାଇଛି। ଏଠାରେ ନିର୍ମିତ ଆହାର କେନ୍ଦ୍ର ଓଡିଶାର ସର୍ବବୃହତ ଆହାର କେନ୍ଦ୍ର । ଏଥି ସହିତ ମିଶନ ଶକ୍ତି କାଫେ ମଧ୍ୟ ରହିଛି। ଆଜି ଏହି ନୂତନ ଟର୍ମିନାଲରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କଲେ ପୁରୀ ପାଇଁ ପ୍ରଥମ ବସ୍।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ମାର୍ଚ୍ଚ ୨୦ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କଟକ ବାଦମବାଡି ବସ୍‌ଷ୍ଟାଣ୍ଡ ଯାଇ ସେଠାର ଅବସ୍ଥା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ଖାନନଗର ଠାରେ ଏକ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ରେ କଟକବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଥିବାରୁ, କଟକବାସୀଙ୍କୁ  ୫-ଟି ସଚିବ ଧନ୍ୟବାଦ ଜଣାଇଥିଲେ।

କଟକ ନେତାଜୀ ବସ୍ ଟର୍ମିନାଲ ସହିତ ଆଜି ମୁଖ୍ୟମନ୍ତ୍ରୀ କଟକ ସହରରେ ୬୬.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସ୍, ୩୦ କୋଟି ବ୍ୟୟରେ ନିର୍ମିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡି.ଏ.ଭି. ଏସ.ସି.ବି. ମେଡିକାଲ ପବ୍ଲିକ ସ୍କୁଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ୫୫୦ଟି ଋ.ଡ.ଝ. ଏବଂ ୩୨୦ଟି ଖ.ଓ.ଏ. ବାସଗୃହ, ୯.୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଲ୍‌ଭର ସିଟି ବୋଟ କ୍ଲବ, ୫.୨୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲର ସମ୍ମୁଖ ବିକାଶ, ଫୁଡ କୋର୍ଟ ଓ ଜଳକ୍ରୀଡା କେନ୍ଦ୍ର, ୩.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ, ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣିହାଟଠାରେ ନିର୍ମିତ କ୍ଲକ ଟାୱାର। ୨୩.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ବ୍ରିଜର ଉଦ୍‌ଘାଟନ କରିବା ସହ ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନାନ୍ୟ ଭିତ୍ତିଭୂମି ନିର୍ମାଣ, ୨୨.୩୯ କୋଟି ଟଙ୍କା ବ୍ୟୟରେ ନେତାଜୀ ସୁଭାଷ ଚନ୍ଦ ବୋଷ ସ୍ମାରକୀ ନିର୍ମାଣ, ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲଠାରେ ଜନସୁବିଧା କେନ୍ଦ୍ର ଏବଂ ୮.୯୫ କୋଟି ଟଙ୍କା ବ୍ୟୟରେ ରେଳ ଷ୍ଟେସନ ପୂର୍ବ ଫାଟକରୁ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାସଂଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

Categories
ବିଶେଷ ଖବର

ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରୀ ହେବ SCADA

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ନରସିଂହପୁର ଓ ଆଠଗଡରେ ନିର୍ମାଣାଧୀନ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉପଯୁକ୍ତ ତଦାରଖ ସହିତ ପ୍ରକଳ୍ପ ଗୁଡିକର ଉଚ୍ଚମାନ ବଜାୟ ରଖିବା ଓ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟାଗୁଡିକ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA (Supervisory Control And Data Acquisition ) କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ବିଦ୍ୟୁତ ବିଲ୍ ଆଦାୟଜନିତ ସମସ୍ୟାର ସମାଧାନ ପାଇଁ ଏକ ଫଳପ୍ରଦ ପଦ୍ଧତି ବିକାଶ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Categories
ବିଶେଷ ଖବର

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ  ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀ ପୌରପାଳିକା ବହୁ ବର୍ଷ ଧରି  ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ  ପ୍ରାୟ  ୫୦୪ ଏକର ଜମି ଦେଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର‌୍ୟ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ: ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି।

‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି। ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ। ଏହା ଦ୍ୱାରା ଆମେ ସମୃଦ୍ଧି ପଥରେ ଆଗେଇବା ସହିତ ଆମ ଲକ୍ଷ୍ୟ ହାସଲରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ୫-ଟି ର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଶ୍ଳିଷ୍ଟ କରି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟକରିବ ବୋଲି ମୁଁ ଦୃଢ ନିଶ୍ଚିତ। ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ଦେଇ ସାମଗ୍ରୀକ ବିକାଶକୁ ଆହୁରି ଆଗକୁ ନେବ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ, ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆମ ପାଇଁ ଏକ ମିଶନ। ଏହି ଯୋଜନା ସମଗ୍ର ଓଡିଶାବାସୀଙ୍କ ଜୀବନ ଓ ଭବିଷ୍ୟତକୁ ଉନ୍ନତ କରିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ କହିଲେ ଯେ ପୁଷ୍ଟି ସୂଚକାଙ୍କରେ ଧିରେ ଧିରେ ଆମେ ଉପରକୁ ଉଠୁଛୁ। ଜାତୀୟ ସ୍ତରରେ ମଧ୍ୟ ଏ କ୍ଷେତ୍ରରେ ଓଡିଶା ଭଲ ସ୍ଥିତିରେ ରହିଛି। ପୁଷ୍ଟିସାଧନ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।