ପାଣ୍ଡିଆନଙ୍କୁ କାହିଁକି ଜିଲ୍ଲା ଗସ୍ତରେ ପଠାଯାଇଥିଲା, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ

Published: Sep 25, 2023, 1:02 pm IST
Naveen

ଭୁବନେଶ୍ବର: ଆଜି ଗୃହରେ ୫ଟି ସଚିବ ଭି କେ ପାଣ୍ଡିଆନ ବା ସିଏମଓଙ୍କ ଗସ୍ତ ସଂପର୍କରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ହଟ୍ଟଗୋଳ କରିଥିଲେ। ସେମାନେ ମନ୍ତ୍ରୀ ବଡ ନା ସଚିବ ବଡ ନାରାବାଜି ଦେଇ ଗୃହକାର୍ଯ୍ୟକୁ ଅଚଳ କରିଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୨ ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିଜର ବିବୃତି ପ୍ରଦାନ କରିଥିଲେ। ସେ ବିରୋଧୀଙ୍କର ନାରା ବାଜିକୁ କଡା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ସେ ୫ଟି ସଚିବ ବା ସିଏମଓକୁ କାହିଁକି ଜିଲ୍ଲା ଗସ୍ତରେ ପଠାଇଥିଲେ ତାହାର ପ୍ରମାଣ ରଖିଥିଲେ। ଯାହାକୁ ନେଇ ବିରୋଧୀ ଚୁପ ହୋଇଯାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି। ସେଠାରେ ସିଏମଓ ବା ମୁଖ୍ୟମନ୍ତ୍ରୀ ଅଧିକାରୀମାନେ ପରିଚାଳନା କରନ୍ତି। ହେଲେ ଗତ କୋଭିଡ ବେଳେ ତାହା ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା। ଏହାପରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ହେଲେ ପୂର୍ବ ଅପେକ୍ଷା ସେଠାକୁ ଲୋକେ ଆସିବା ହାର ହ୍ରାସ ପାଇଥିଲା। ଦୂରଦୂରାନ୍ତରୁ ଆଉ ଲୋକେ ଅଭିଯୋଗ କରିବା ପାଇଁ ଆସି ନ ଥିଲେ।

ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ପାଖକୁ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେହି ଅନୁସାରେ ସିଏମଓ ବା ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ଅଧିକାରୀ ଜିଲ୍ଲା, ବ୍ଲକ, ପଞ୍ଚାୟତ ଇତ୍ୟାଦି ବୁଲି ବୁଲି ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥିଲେ। ଗତ ଛଅ ମାସ ମଧ୍ୟରେ ସିଏମଓ ୧୯୦ ସ୍ଥାନରେ ଅଭିଯୋଗ ଶୁଣାଣି କରିଛି। ସେଥିରେ ୫୭୪୪୨ ଗୋଟି ପିଟିସନ ସଂଗ୍ରହ କରାଯାଇ ୪୩୫୩୬ ଟି ଅଭିଯୋଗର ସମାଧାନ କରାଯାଇଛି। ଏ ସବୁ ଜନଶୁଣାଣି ପୋର୍ଟାଲରେ ଉପଲବ୍ଧ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ହେଉଛି ଦେଶର ସବୁଠାରୁ ବୃହତ ଜନଶୁଣାଣି ଏବଂ ଦେଶରେ ପ୍ରଥମ। ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ କୋଭିଡ ହୋଇଥିଲା ସେତେବେଳେ ସମସ୍ତେ ଘରେ ଥିବା ବେଳେ ଏହି ସିଏମଓ ଚାରିଆଡେ ବୁଲି ଲୋକଙ୍କ ସ୍ବାସ୍ଥ୍ୟ କଥା ଦେଖୁଥିଲା। ସେମାନେ ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ରାଜନୈତିକ ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରର ଯେଉଁ ଅଭିଯୋଗ ପ୍ରକୋଷ୍ଠ ରହିଛି ସେଠାରେ କେହି ମନ୍ତ୍ରୀ ଯାଆନ୍ତି ନାହିଁ। ତାହା ସେହି ସିଏମଓ ଙ୍କ ଦ୍ବାରା ଶୁଣାଣି କରାଯାଏ। ଯେଉଁ ବିଭାଗର ଅଭିଯୋଗ ଆସିଥାଏ ତାହା ସେହି ବିଭାଗକୁ ପଠାଯାଇଥାଏ। ତାହା ସେହି ମନ୍ତ୍ରୀଙ୍କ ଦ୍ବାରା ତଦରାଖ କରାଯାଇ ସମାଧାନ କରାଯାଇଥାଏ। ବର୍ତ୍ତମାନ ସେହି କାର୍ଯ୍ୟ ଜିଲ୍ଲାୱାରୀ କରାଯାଇଛି। ଯେଉଁଥିରେ ମନ୍ତ୍ରୀ କିମ୍ବା ବିଧାୟକ ରହିବାର ଆବଶ୍ୟକତା ନ ଥିଲା।

ଶେଷ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଏମଓ ଜିଲ୍ଲା ଗସ୍ତ ନେଇ ଜନସାଧାରଣ ଖୁସି, ନିର୍ବାଚିତ ପ୍ରତିନିଧିମାନେ ଖୁସି, ହେଲେ ରାଜନୈତିକ କାରଣ ପାଇଁ ବିରୋଧୀ ଦଳ ଖୁସି ନୁହନ୍ତି। ତେବେ ଲୋକଙ୍କ ଖୁସି ପାଇଁ ଏହିପରି ଜନଶୁଣାଣି ଆଗକୁ ମଧ୍ୟ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।

Related posts