Categories
ବିଶେଷ ଖବର

ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରୀ ହେବ SCADA

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ନରସିଂହପୁର ଓ ଆଠଗଡରେ ନିର୍ମାଣାଧୀନ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉପଯୁକ୍ତ ତଦାରଖ ସହିତ ପ୍ରକଳ୍ପ ଗୁଡିକର ଉଚ୍ଚମାନ ବଜାୟ ରଖିବା ଓ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟାଗୁଡିକ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA (Supervisory Control And Data Acquisition ) କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ବିଦ୍ୟୁତ ବିଲ୍ ଆଦାୟଜନିତ ସମସ୍ୟାର ସମାଧାନ ପାଇଁ ଏକ ଫଳପ୍ରଦ ପଦ୍ଧତି ବିକାଶ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।