Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୩ରେ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ।

ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି। ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ। ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ।

୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି ଅଧିବେଶନ ରହିଛି। ଏଥିରେ ଆଲୋକପାତ କରାଯାଉଥିବା ବିଷୟଗୁଡିକ ମଧ୍ୟରେ ରହିଛି ଏଲଆଇଏଫଇ ପରିବେଶ ଭିତ୍ତିକ ଜୀବନ ଶୈଳୀ) ଜଳବାୟୁ ପରିବର୍ତ୍ତନର ମୁକାବିଲ, ପରିବେଶ (ସମନ୍ୱିତ ସବୁଜ ସ୍ୱୀକୃତୀ ପାଇଁ ଏକକ ଗବାକ୍ଷ ପଦ୍ଧତି), ଜଙ୍ଗଲ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ, ବନ୍ୟପ୍ରାଣୀ ପରିଚାଳନା, ପ୍ଲାଷ୍ଟିକ ଓ ବର୍ଜ୍ୟ ପରିଚାଳନା ଇତ୍ୟାଦି।

Categories
ଆଜିର ଖବର ଜାତୀୟ ଖବର

ପିଏମ କେୟାରସ ଫଣ୍ଡର ଟ୍ରଷ୍ଟି ଭାବେ ନିଯୁକ୍ତ ହେଲେ ରତନ ଟାଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ “ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍ ପାଣ୍ଠି” ଅର୍ଥାତ୍ “ପିଏମ୍ କେୟାର ଫଣ୍ଡ” ର ଟ୍ରଷ୍ଟ ବୋର୍ଡ ସହିତ ଏକ ବୈଠକ କରିଛନ୍ତି। ଏଥିରେ ଯୋଗଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି। ଏହି ବୈଠକରେ ପୂର୍ବତନ ସୁପ୍ରିମକୋର୍ଟର ଜଷ୍ଟିସ କେ.ଟି ଥୋମାସ, ଲୋକସଭାର ପୂର୍ବତନ ଉପ ବାଚସ୍ପତି କରିଆ ମୁଣ୍ଡା ଏବଂ ଟାଟା ସନ୍ସ ଅଧ୍ୟକ୍ଷ ରତନ ଟାଟାଙ୍କୁ ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଏହି ବୈଠକରେ ଭାରତର ପୂର୍ବତନ କମ୍ପ୍ଟ୍ରୋଲର ତଥା ଅଡିଟର ଜେନେରାଲ ରାଜୀବ ମେହେରୀ, ଇନଫୋସିସ୍ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୁର୍ତ୍ତୀ ଏବଂ ଇଣ୍ଡି କର୍ପସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ଶାହାଙ୍କୁ ପିଏମ କେୟାର ଫଣ୍ଡର ପରାମର୍ଶଦାତା ବୋର୍ଡରେ ମନୋନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପିଏମଓ ଅନୁଯାୟୀ, ଉକ୍ତ ବୈଠକରେ ନୂତନ ଟ୍ରଷ୍ଟିମାନଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଛନ୍ତି। ବୈଠକ ସମୟରେ ପିଏମ କେୟାରସ ସହାୟତାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଏକ ଉପସ୍ଥାପନା କରାଯାଇଥିଲା ଯେଉଁଥିରେ କୋଭିଡ -୧୯ କାରଣରୁ ପରିବାର ହରାଇଥିବା ୪ ହଜାର ୩୪୫ ପିଲାଙ୍କୁ “PM Cares for Children” ରେ ଅନ୍ତର୍ଭୁକ୍ତ କରାଯାଇଥିଲା। କୋଭିଡ ଅବଧିରେ ଏହି ପାଣ୍ଠିର ଭୂମିକା ଟ୍ରଷ୍ଟିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କେୟାରରେ ଉଦାର ଅବଦାନ ପାଇଁ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏମଏସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଚାଳିଷ ଦିନ ଧରି ଆଇସିୟୁରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଫଳରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ରାଜୁ ଶ୍ରୀବାସ୍ତବଙ୍କ ଏକ ଫଟୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବ ହାସ୍ୟ ଏବଂ ସକାରାତ୍ମକତା ସହିତ ଆମ ଜୀବନକୁ ଉଜ୍ଜ୍ୱଳିତ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଯାଇଛନ୍ତି। ହେଲେ ବର୍ଷ ବର୍ଷ ଧରି କରିଥିବା ତାଙ୍କର ଉଚ୍ଚକୋଟିର ଅଭିନୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଦେହାନ୍ତ ବଡ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ‘

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ଆମେରିକାର ସ୍ୱାଗତ, ହ୍ଵାଇଟ ହାଉସ ପକ୍ଷରୁ ଆସିଲା ବୟାନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦିଆଯାଇଥିବା ବିବୃତ୍ତିକୁ ଆମେରିକା ସ୍ଵାଗତ କରିଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟକୁ ଯେଉଁ ବାର୍ତ୍ତା ଦିଆଯାଇଛି, ତାହା ସିଦ୍ଧାନ୍ତ ଆଧାରିତ ବିବୃତ୍ତି ବୋଲି ଆମେରିକା କହିଛି। ଏହା ସତ୍ୟ ଏବଂ ସଠିକ୍ ବିବୃତ୍ତି ବୋଲି ଆମେରିକା କହିଛି। ହ୍ଵାଇଟ ହାଉସ କହିଛି ଯେ, ଆମେରିକା ଏହାକୁ ସ୍ୱାଗତ କରୁଛି।

ଗତ ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଉଜବେକିସ୍ତାନର ସମରକନ୍ଦରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ମୋଦୀ ଋଷର ରାଷ୍ଟ୍ରପତିଙ୍କୁ କହିଥିଲେ ଯେ, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ଏବଂ ମୁଁ ଏହା ବିଷୟରେ ଆପଣଙ୍କ ସହ ଫୋନରେ କଥା ହୋଇସାରିଛି। ଏଥିପାଇଁ ପୁଟିନ ମୋଦୀଙ୍କୁ କହିଥିଲେ ଯେ, ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ଚିନ୍ତା ବିଷୟରେ ଜାଣିଛନ୍ତି ଏବଂ ଶୀଘ୍ର ଏହାକୁ ଶେଷ କରିବା ପାଇଁ ଋଷ ସମସ୍ତ ପ୍ରକାର ଚେଷ୍ଟା କରିବ।

Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡିବାକୁ ନେଇ ବିବାଦ, ବିଷ୍ନୋଇ ସମାଜର ବିରୋଧ ପ୍ରଦର୍ଶନ

ଫତେହାବାଦ (ହରିୟାଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସିଥିବା ଚିତାକୁ ଛାଡିବା ନେଇ ବିବାଦ ଦେଖାଦେଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ସର୍ବଦା ଆଗରେ ରହିଥିବା ବିଷ୍ନୋଇ ସମାଜ ଏହି ଚିତାଙ୍କ ଖାଦ୍ୟ ପାଇଁ କୁନୋ ଜାତୀୟ ଉଦ୍ୟାନରେ ହରିଣଙ୍କୁ ଛଡାଯାଇଛି ବୋଲି ଆପତ୍ତି କରିଛନ୍ତି। ଏହି ପଦକ୍ଷେପ ବିରୋଧରେ ବିଷ୍ନୋଇ ସମାଜରେ କ୍ରୋଧ ରହିଛି। ଏହି ପ୍ରସଙ୍ଗରେ ବିଷ୍ନୋଇ ସମାଜର ଲୋକମାନେ ହରିୟାଣାର ଫତେହାବାଦସ୍ଥିତ ଜିଲ୍ଲାପାଳ ଅଫିସ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ୮ ଟି ଚିତାଙ୍କ ଭୋକ ମେଣ୍ଟାଇବା ପାଇଁ ରାଜସ୍ଥାନ ଜଙ୍ଗଲରୁ ଶୋପୁରକୁ ୧୮୧ ଟି ହରିଣ ପଠାଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରି ଅଲ ଇଣ୍ଡିଆ ବିଷ୍ନୋଇ ମହାସଭାର ସଭାପତି ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।

ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିରେ ଲେଖିଛନ୍ତି ଯେ, ବିଲୁପ୍ତ ପ୍ରଜାତିର ପୁନରୁଦ୍ଧାର ପାଇଁ ଭାରତ ସରକାର ନାମିବିଆରୁ ୮ ଟି ଚିତା ଆଣିଛନ୍ତି, କିନ୍ତୁ ସେମାନଙ୍କର ଖାଦ୍ୟ ମୁଖ୍ୟତଃ ହରିଣ, ମୃଗ ଇତ୍ୟାଦି ଅଟନ୍ତି। ସେହି ଜଙ୍ଗଲରେ ହରିଣ ଇତ୍ୟାଦିଙ୍କୁ ଛାଡିଥିବାରୁ ବିଷ୍ନୋଇ ସମାଜକୁ ଗଭୀର ଆଘାତ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ୭୦ ବର୍ଷ ପରେ ଦେଶକୁ ଚିତା ଫେରି ଆସିଛି। ଏହାପୂର୍ବରୁ ୧୯୫୨ ମସିହାରେ ଦେଶରୁ ଚିତା ପ୍ରଜାତିର ବିଲୁପ୍ତ ହେବାର ଖବର ନିଶ୍ଚିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ: ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି।

୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ ମୁମ୍ବାଇରୁ ବାହାରି ୧୮ ତାରିଖରେ ଭୁବନେଶ୍ବର ପହଞ୍ଚିବେ। ଏହାପରେ ସେମାନେ ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଜିଆଇଏଫଟି) ପରିଦର୍ଶନ କରିବେ। ଏଥିସହିତ ପୁରୀ, କୋଣାର୍କ ଏବଂ ଭୁବନେଶ୍ବରର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବେ।

ମହାରାଷ୍ଟ୍ର ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଉଭୟ ପରସ୍ପରର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ପାନୀୟ, ଶିକ୍ଷା ପଦ୍ଧତି ଆଦି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଧୀନରେ ପୂର୍ବରୁ ମଧ୍ୟ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।

Categories
ବିଶେଷ ଖବର

ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମନ୍ୱୟରେ ସୁଧାର ଆସିବା ଫଳରେ ଏହି କ୍ଷେତ୍ରରେ ଆଶାନୁରୂପ ପରିଣାମ ମିଳିପାରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ସଂଘଟିତ ହେଉଛି। ଆଜି ସକାଳେ ଚିତାମାନଙ୍କୁ ଛଡ଼ାଯିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିତାଙ୍କ ଭଳି ଲଗେଜ୍‌ ବା ମାଲଗୁଡ଼ିକ ଦ୍ରୁତ ଗତିରେ ପରିବହନ ହେବା ଆବଶ୍ୟକ ବୋଲି ଆମେ ଚାହୁଁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେକ୍‌ ଇନ୍‌ ଇଣ୍ଡିଆର ବାର୍ତ୍ତା ଚତୁର୍ଦ୍ଦିଗରେ ପହଞ୍ଚିଛି। ଭାରତ ଆଜି ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଭାରତ ଏବେ ବଡ଼ ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ତାହାକୁ ହାସଲ ମଧ୍ୟ କରୁଛି। ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)କୁ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସାରା ବିଶ୍ୱ ଏହାକୁ ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ସ ନୀତି ସବୁ କ୍ଷେତ୍ର ପାଇଁ ଏକ ନୂଆ ଉତ୍ସାହ ନେଇ ଆସିଛି। ସେ କହିଥିଲେ ଯେ, ନୀତି କେବଳ ଏକ ଆରମ୍ଭ, ନୀତି ସହିତ ପ୍ରଦର୍ଶନ ମିଶିଲେ ପ୍ରଗତି ହାସଲ ସମ୍ଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ମାପଦଣ୍ଡ (ପାରାମିଟର), କାର୍ଯ୍ୟଖସଡ଼ା (ରୋଡମ୍ୟାପ) ଏବଂ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସମୟ (ଟାଇମଲାଇନ) ଏକ ସଙ୍ଗେ ମିଶି କାର୍ଯ୍ୟକାରୀ ହେଲେ ପ୍ରଗତି ଅବଶ୍ୟମ୍ଭାବୀ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶରେ କୌଣସି ନୀତି କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏଥିପାଇଁ ପ୍ରଥମେ କ୍ଷେତ୍ର ପ୍ରସ୍ତୁତି କରାଯାଉଛି, ଏହାପରେ ଯାଇ ନୀତି କାର୍ଯ୍ୟକାରୀ କରାଯାଉଛି। ଫଳରେ ଦେଶରେ ସବୁ ନୀତି ଓ ଯୋଜନା ସଫଳ ହେଉଛି। ଜାତୀୟ ଲଜିଷ୍ଟିକ୍ସ ନୀତି ହଠାତ୍‌ ଆସି ନାହିଁ । ଏହାପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି। ଏଥିରେ ନୀତିଗତ ପରିବର୍ତ୍ତନ, ବୃହତ ନିର୍ଣ୍ଣୟ ରହିଛି। ଯଦି ମୁଁ ମୋ କଥା କହିବି, ତା’ହେଲେ ଏହା ପଛରେ ମୋର ୨୨ ବର୍ଷର ପ୍ରଶାସନିକ ଅଭିଜ୍ଞତା ସାମିଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାଗରମାଳା, ଭାରତମାଳା ଭଳି ଯୋଜନାର ଅବତାରଣା କରିଥିଲେ। ସେହିପରି ଲଜିଷ୍ଟିକ୍ସ ପରିବହନରେ ସୁଧାର ପାଇଁ ସମର୍ପିତ ମାଲ କରିଡର କାର୍ଯ୍ୟ ତ୍ୱରାନ୍ୱିତ ହେବା ବିଷୟରେ କହିଥିଲେ। ଏସବୁ ଯୋଜନା ଦେଶରେ ଭିତ୍ତିଭୂମି ବିକାଶକୁ ବ୍ୟବସ୍ଥିତ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, ଭାରତୀୟ ବନ୍ଦରଗୁଡ଼ିକର ମୋଟ୍‌ କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଏବଂ ମାଲବାହୀ ଜାହାଜଗୁଡ଼ିକର ହାରାହାରୀ ପରିଚାଳନା ସମୟ ବା ଟର୍ଣ୍ଣ-ଆରାଉଣ୍ଡ ଟାଇମ୍‌ ୪୪ ଘଣ୍ଟାରୁ ୨୬ ଘଣ୍ଟାକୁ ହ୍ରାସ ପାଇଛି। ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ୪୦ଟି ବିମାନ କାର୍ଗୋ ଟର୍ମିନାଲ ନିର୍ମାଣ କରାଯାଇଛି। ୩୦ଟି ବିମାନ ବନ୍ଦରରେ ଶୀତଳ ଭଣ୍ଡାର ସୁବିଧା କରାଯାଇଛି। ଦେଶରେ ୩୫ଟି ବହୁମୁଖି କେନ୍ଦ୍ର ବା ହବ୍ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଜଳମାର୍ଗ ଜରିଆରେ ଆମେ ପରିବେଶ ଅନୁକୂଳ ଏବଂ ମିତବ୍ୟୟୀ ପରିବହନ ସୁବିଧା ଯୋଗାଇ ଦେଉଛୁ। ଏଥିପାଇଁ ଦେଶରେ ଅନେକ ନୂଆ ଜଳମାର୍ଗ ନିର୍ମାଣ କରାଯାଉଛି। ସେ ଆହୁରି ମଧ୍ୟ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା କିଷାନ ରେଳ ଏବଂ କିଷାନ ଉଡ଼ାନ୍‌ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆଜି, ୬୦ଟି ବିମାନ ବନ୍ଦରରେ କୃଷି ଉଡ଼ାନ ସୁବିଧା ରହିଛି।

ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ପ୍ରଯୁକ୍ତିକୁ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସରକାର ଇ-ସଞ୍ଚିତ ଜରିଆରେ ଏକ୍‌ଜିମ୍‌ ବାଣିଜ୍ୟ ପ୍ରକ୍ରିୟା, ବର୍ହିଶୁଳ୍କ ପାଇଁ ଫେସଲେସ ଆସେସମେଣ୍ଟ ସୁବିଧା, ଇ-ୱେ ବିଲ ବ୍ୟବସ୍ଥା, ଫାଷ୍ଟଟ୍ୟାଗ ଆଦି ପଦକ୍ଷେପ ନେବା ଦିଗରେ କାର୍ଯ୍ୟ କରୁଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଜିଏସଟି ଭଳି ଏକକ ଟିକସ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଡ୍ରୋନ ନୀତିରେ ପରିବର୍ତ୍ତନ ଏବଂ ଏହାକୁ ପିଏଲଆଇ ଯୋଜନା ସହ ଯୋଡ଼ିବା ଫଳରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇଛି। ଏସବୁ ପଦକ୍ଷେପ ଗ୍ରହଣ କରାଯିବା ପରେ, ଆମେ ଜାତୀୟ ଲଜିଷ୍ଟିକ୍ସ ନୀତି ନେଇ ଆସିଛୁ ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ। ସେ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୩-୧୪ ପ୍ରତିଶତରୁ କମାଇ ଯଥାଶୀଘ୍ର ସମ୍ଭବ ଏକ ଅଙ୍କ ବିଶିଷ୍ଟ କରିବା ଲାଗି ଆମେ ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍‌। ଏହା ଏକ ପ୍ରକାରରେ ଆମ ହାତପାଆନ୍ତାରେ ଥିବା ଫଳ ଭଳି, ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ହେଲେ ଆମକୁ ଏହା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ ପ୍ଲାଟଫର୍ମ-ୟୁଏଲଆଇପି ପରିବହନ କ୍ଷେତ୍ର ସହ ଜଡ଼ିତ ସବୁ ଡିଜିଟାଲ ସେବାକୁ ଗୋଟିଏ ପୋର୍ଟାଲରେ ଏକତ୍ରିତ କରିବ। ଯାହାଫଳରେ ରପ୍ତାନିକାରୀମାନେ ଖୁବ ଲମ୍ବା ଏବଂ ଜଟିଳ ପ୍ରକ୍ରିୟାର ଜାଲରୁ ମୁକ୍ତି ପାଇବେ। ଅନୁରୂପ ଭାବେ, ଏହି ନୀତି ଅଧୀନରେ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଇଜ୍‌ ଲଜିଷ୍ଟିକ୍ସ ସେବା- ଇ-ଲଗ୍ସ ମଧ୍ୟ ଆରମ୍ଭ କରାଯାଇଛି। ଏହି ପୋର୍ଟାଲ ଜରିଆରେ, ଶିଳ୍ପ ସଂଘମାନେ ସେମାନଙ୍କର ପରିଚାଳନା ଏବଂ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା ଏଭଳି ସବୁ ପ୍ରସଙ୍ଗକୁ ସରକାରୀ ଏଜେନ୍ସିଙ୍କ ଦୃଷ୍ଟିକୁ ଆଣିପାରିବେ। ଏଭଳି ମାମଲାର ଦ୍ରୁତ ସମାଧାନ ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ସବୁ ଦିଗରୁ ଜାତୀୟ ଲଜିଷ୍ଟିକ୍ସ ନୀତି ପାଇଁ ସହାୟକ ହେବ। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ମିଳିବା କାରଣରୁ ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂକ୍ରାନ୍ତରେ ବ୍ୟାପକ ସୂଚନାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯାଇଛି। ଆଜି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମ୍ପର୍କରେ ପ୍ରାୟ ୧୫୦୦ ସ୍ତରର ଡାଟା ବା ତଥ୍ୟ ପିଏମ ଗତିଶକ୍ତି ପୋର୍ଟାଲରେ ଉପଲବ୍ଧ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ସ ନୀତି ମିଳିତ ଭାବେ ଏବେ ଦେଶକୁ ଏକ ନୂଆ କାର୍ଯ୍ୟ ସଂସ୍କୃତି ଦିଗରେ ଆଗେଇ ନେଉଛନ୍ତି। ନିକଟରେ ମଞ୍ଜୁରି ପାଇଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟରୁ ଆସିବାକୁ ଥିବା ପ୍ରତିଭାମାନେ ଏହି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ସାରା ବିଶ୍ୱ ଭାରତକୁ ଏକ ‘ଗଣତାନ୍ତ୍ରିକ ମହାଶକ୍ତି’ ଭାବେ ଦେଖୁଛି। ସେ କହିଥିଲେ ଯେ, ଭାରତର ‘ଅସାଧାରଣ ପ୍ରତିଭା ଇକୋସିଷ୍ଟମ’ କ୍ଷେତ୍ର ବିଶେଷଜ୍ଞମାନଙ୍କୁ ଚକିତ କରିଛି ଏବଂ ସେମାନେ ଭାରତର ‘ପ୍ରତିବଦ୍ଧତା’ ଓ ‘ପ୍ରଗତି’କୁ ପ୍ରଶଂସା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱର ଦୃଷ୍ଟିକୋଣ ଆଜି ଭାରତ ପ୍ରତି ବଦଳିବାକୁ ଲାଗିଛି। ଆଜି ସାରା ବିଶ୍ୱ ଭାରତକୁ ସକାରାତ୍ମକ ଦୃଷ୍ଟିକୋଣ ନେଇ ମୂଲ୍ୟାଙ୍କନ କରୁଛି ଏବଂ ଭାରତ ଠାରୁ ଅନେକ କିଛି ଆଶା କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ବିଶ୍ୱ ସଙ୍କଟ ମଧ୍ୟରେ ପଡ଼ିଥିବା ବେଳେ ଭାରତ ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରଦର୍ଶନ କରିଥିବା ସହନଶୀଳତା ବିଶ୍ୱରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ବିଗତ କିଛି ବର୍ଷ ହେବ ଭାରତରେ ଆସିଥିବା ସଂସ୍କାର ଏବଂ କାର୍ଯ୍ୟକାରୀ କରାଯାଇଥିବା ନୀତି ଅଭୂତପୂର୍ବ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କାରଣରୁ ଭାରତ ପ୍ରତି ସାରା ବିଶ୍ୱର ଭରସା ବୃଦ୍ଧି ପାଇଛି। ଏହି ଭରସାକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଏହା ଆମର ଦାୟିତ୍ୱ, ଆମ ସମସ୍ତଙ୍କର ଏକ ଦାୟିତ୍ୱ ରହିଛି। ଆଜି ଆରମ୍ଭ କରାଯାଇଥିବା ଜାତୀୟ ଲଜିଷ୍ଟିକ୍ସ ନୀତି ଏ କ୍ଷେତ୍ରରେ ଦେଶକୁ ବିଶେଷ ଭାବେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ସୃଷ୍ଟି ହେବା ଉଚିତ୍‌। ସେ କହିଥିଲେ ଯେ, ଭାରତ ବିକଶିତ ହେବା ଲାଗି ସଂକଳ୍ପବଦ୍ଧ ରହିଛି, ଏବେ ଏହା ବିକଶିତ ରାଷ୍ଟ୍ରମାନଙ୍କ ସହିତ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍‌। ତେଣୁ ସବୁକିଛି ପ୍ରତିଦ୍ୱନ୍ଦ୍ୱୀ ହେବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ସେବା କ୍ଷେତ୍ର, ଉତ୍ପାଦନ କ୍ଷେତ୍ର, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଆଦି ସବୁ କ୍ଷେତ୍ର ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ସେସବୁକୁ ହାସଲ କରିବା ଦିଗରେ ଅଗ୍ରସର ହେବା ଉଚିତ୍‌। ମେଡ୍‌ ଇନ୍‌ ଇଣ୍ଡିଆ ଉତ୍ପାଦ ପ୍ରତି ସାରା ବିଶ୍ୱର ଆଗ୍ରହ ଧୀରେ ଧୀରେ ବୃଦ୍ଧି ପାଉଛି। ଭାରତର କୃଷିଜାତ ଉତ୍ପାଦ ହେଉ କିମ୍ବା ଭାରତର ମୋବାଇଲ ଅଥବା ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର, ଏସବୁ ବିଷୟରେ ଆଜି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ଆହୁରି ଭାରତ ନିର୍ମିତ କୋଭିଡ ଟିକା ଏବଂ ଔଷଧ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି କରୋନା ମହାମାରୀ ସମୟରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତରେ ନିର୍ମିତ ହେଉଥିବା ଉତ୍ପାଦ ବିଶ୍ୱ ବଜାରରେ ଆଧିପତ୍ୟ ବିସ୍ତାର କରିବାର କ୍ଷମତା ରହିଛି। ତେବେ ଏଥିପାଇଁ ଏକ ଦୃଢ଼ ସହାୟକ ବ୍ୟବସ୍ଥା ନିର୍ମାଣ କରିବା ଜରୁରି। ଏହି ସହାୟକ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ସହ ଜଡ଼ିତ ସମସ୍ୟା ହ୍ରାସ ପାଇଛି ଏବଂ ଦେଶର ରପ୍ତାନି ବଢ଼ିବା କାରଣରୁ କ୍ଷୁଦ୍ର ଉଦ୍ୟୋଗ ଏବଂ ଏଥିରେ କାର୍ଯ୍ୟ କରୁଥିବା ଲୋକମାନେ ସର୍ବାଧିକ ଲାଭ ପାଇପାରୁଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦ୍ୱାରା କେବଳ ସାଧାରଣ ଲୋକଙ୍କ ଜୀବନ ସହଜ ହେବ ନାହିଁ ବରଂ ସମାଜରେ ଶ୍ରମିକ ଓ କର୍ମଜୀବୀମାନଙ୍କ ପାଇଁ ସମ୍ମାନ ବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଜାତୀୟ ଲଜିଷ୍ଟିକ୍ସ ନୀତିରେ ବ୍ୟାପକ ସମ୍ଭାବନା ରହିଛି। ଆମ ସମସ୍ତଙ୍କୁ ମିଶି ଏହି ସମ୍ଭାବନାକୁ ସାକାର ରୂପ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରତିନିଧିଗଣ, ଟିଭିଏସ ସପ୍ଲାଇ ଚେନ୍‌ ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆର ଦିନେଶ, ଅଗ୍ରୱାଲ ପ୍ୟାକର୍ସ ଏଣ୍ଡ ମୁଭର୍ସର ସିଇଓ ରମେଶ ଅଗ୍ରୱାଲ, ଏକ୍ସପ୍ରେସ ବିଜ୍‌ ଲଜିଷ୍ଟିକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଅମିତାଭ ଶାହା ସେମାନଙ୍କର ମତ ରଖିଥିଲେ।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନସ୍ୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ଆସୁଛନ୍ତି। ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ।

ଦେଶରେ ବିଶ୍ୱସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ହୋଇ ଆସିଛି। ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ୱୟ ଆସିପାରିବ। ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା । ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛାଡିବା ପରେ ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରୁ ବିଲୁପ୍ତ ହୋଇଥିବା ନାମ୍ବିଆରୁ ଅଣାଯାଇଥିବା ହିଂସ୍ର ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି। ଚିତା ପ୍ରକଳ୍ପ ଅଧୀନରେ ଏହି ନାମ୍ବିଆରୁ ଆସିଥିବା ଚିତାକୁ ଭାରତ ସହ ପରିଚିତ କରାଯାଇଛି ଓ ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଚିତା ମିତ୍ର, ଚିତା ପୁନର୍ବାସ ଓ ଥଇଥାନ ଗ୍ରୁପ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ସେଠାରେ ମତ ବିନିମୟ କରିଛନ୍ତି।

ଏହି ଐତିହାସିକ ଘଟଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ସୁଯୋଗ କିପରି ମାନବ ସମାଜକୁ ଅତୀତର ଭୂଲଭଟକା ସୁଧାରି ଏକ ନୂତନ ଭବିଷ୍ୟତ ଗଠନ ଲାଗି ବାଟ କଢ଼ାଇଥାଏ ତା ଉପରେ ଆଲୋକପାତ କରିଥିଲେ। ଏହିପରି ଏକ ସୁଯୋଗ ଆଜି ଆମ ଆଗରେ ଉପନୀତ ବୋଲି ଶ୍ରୀ ମୋଦୀ କହିଥିଲେ।

କିଛି ଦଶନ୍ଧି ଆଗରୁ ଯୁଗଯୁଗ ଧରି ରହି ଆସିଥିବା ଜୈବ ବିବିଧତା ଲୋପ ପାଇଯାଇଥିବା ବେଳେ ଆଜି ତାର ପୁନରୁଦ୍ଧାର କରିବାର ସୁଯୋଗ ପାଇଛୁ ଓ ଏହି ପରିପ୍ରେକ୍ଷୀରେ ଚିତା ପୁଣି ଭାରତର ମାଟିକୁ ଫେରିବାରେ ସକ୍ଷମ ହୋଇଛି ବୋଲି ସେ କହିଥିଲେ। ଏହି ଚିତା ସ୍ମରଣୀୟ ମୂହୁର୍ତ୍ତ ଭାରତର ପ୍ରକୃତିପ୍ରେମୀ ସଚେତନତାକୁ କଳେ ବଳେ ଜାଗରିତ କରିଛି। କେତେ ଯୁଗ ପରେ ନାମ୍ବିଆରୁ ଚିତା ଭାରତୀୟ ମାଟିକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ନାମ୍ବିଆକୁ ସ୍ୱତନ୍ତ୍ର ଭାବେ ସ୍ମରଣ କରି ଅଭିନନ୍ଦନ ଶ୍ରୀ ମୋଦୀ ଜଣାଇଛନ୍ତି। “ମୁଁ ନିଶ୍ଚିତ ଯେ ଏହି ଚିତା କେବଳ ଆମକୁ ଆମର ପ୍ରକୃତି ପ୍ରତି ଦାୟୀତ୍ୱ ମନେ ପକାଇ ଦେବେନାହିଁ ବରଂ ଆମକୁ ଆମର ମଣିଷପଣିଆ ଓ ପରମ୍ପରା ମନେ ପକାଇ ଦେବେ ବୋଲି ଶ୍ରୀ ମୋଦୀ କହିଥିଲେ।”

ସ୍ୱାଧୀନତାର ଅମୃତକାଳ ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ପଞ୍ଚପ୍ରାଣର ସ୍ମରଣ କରି ଆମର ଐତିହ୍ୟ ନେଇ ଗର୍ବ କରିବା ସହ ଦାସତ୍ୱ ମନୋବୃତ୍ତିରୁ ସ୍ୱାଧୀନ ହେବାର ଗୁରୁତ୍ୱ ଉପରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ଆମେ ଆମ ମୂଳଠାରୁ ଦୂରେଇଯାଉ, ସେତେବେଳେ ଆମକୁ ବହୁ କ୍ଷତି ସହିବାକୁ ପଡିଥାଏ। ସେ ଗତ ଶତାବ୍ଦୀର ସ୍ମୃତିଚାରଣ କରି କହିଥିଲେ ଯେ ସେତେବେଳେ ପ୍ରକୃତିର ଶୋଷଣ ଆଧୁନିକତାର ଏକ ପ୍ରତୀକ ଥିଲା।”

୧୯୪୭ରେ ଯେତେବେଳେ ମାତ୍ର ତିନିଟି ଚିତା ବଞ୍ଚିଥିଲେ, ସେମାନଙ୍କୁ ମଧ୍ୟ ଶାଳ ଜଙ୍ଗଲରେ ଅତ୍ୟନ୍ତ ନିଷ୍ଠୁର ଓ ଦାୟୀତ୍ୱହୀନ ଭାବେ ହତ୍ୟା କରାଯାଇଥିଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ୧୯୫୨ରେ ଭାରତରୁ ଚିତାବଂଶ ବିଲୁପ୍ତ ହେଲା, ଗତ ସାତ ଦଶନ୍ଧି ମଧ୍ୟରେ ସେମାନଙ୍କ ପୁନର୍ବସତି ପାଇଁ କୌଣସି ଉଦ୍ୟମ ମଧ୍ୟ ହୋଇନଥିଲା। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଚିତାକୁ ନୂତନ ଶକ୍ତି ଓ ଉତ୍ସାହ ସହ ଥଇଥାନ ନେଇ ପ୍ରଧାନମନ୍ତ୍ରୀ ଖୁସିପ୍ରକଟ କରିଥିଲେ। “ଅମୃତର ମୃତପ୍ରାଣୀକୁ ଜୀବିତ କରିବାର ମଧ୍ୟ ଶକ୍ତି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ କର୍ତ୍ତବ୍ୟ ଓ ବିଶ୍ୱାସର ଏହି ଅମୃତ କେବଳ ଆମର ଐତିହ୍ୟକୁ ପୁନର୍ଜିବିତ କରିବ ନାହିଁ ବରଂ ଚିତା ମଧ୍ୟ ଭାରତ ମାଟିରେ ଗୋଡ ରଖିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ପୁନର୍ବାସକୁ ସାକାର କରିବା ନିମନ୍ତେ ବର୍ଷ ବର୍ଷ ଧରି ଯେଉଁ କଠିନ ପରିଶ୍ରମ ହୋଇଛି ତାହା ଉପରେ ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ କହିଥିଲେ ରାଜନୀତିକ ଗୁରୁତ୍ୱ ଦିଆଯାଉନଥିବା ସେ ଅଞ୍ଚଳ ପାଇଁ ପ୍ରଚୁର ଶକ୍ତି ଖଟା ଯାଇଥିଲା। ଏଥିପାଇଁ ଏକ ବିସ୍ତୃତ ଚିତା କାର୍ଯ୍ୟନ୍ୱୟନ ଯୋଜନା ପ୍ରସ୍ତୁତ ସହ ଆମର ବିଜ୍ଞାନୀମାନେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ ସହ ମିଶି ବିସ୍ତୃତ ଗବେଷଣା କରିଥିଲେ। ଚିତା ଗୁଡିକ ନିମେନ୍ତ ଉତକୃଷ୍ଠ ବାସସ୍ଥାନ ନେଇ ବ୍ୟାପକ ବୈଜ୍ଞାନିକ ସର୍ଭେ ପରେ କୁନୋ ଜାତୀୟ ଉଦ୍ୟାନକୁ ଏଥିପାଇଁ ପ୍ରକୃଷ୍ଟ ବିବେଚନା କରାଗଲା। ଆଜି ଆମର କଠିନ ପରିଶ୍ରମ ଆମ ଆଗରେ ଫଳସ୍ୱରୂପ ଦଣ୍ଡାୟମାନ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଯେତେବେଳେ ଆମ ଭବିଷ୍ୟତ ସୁରକ୍ଷିତ ରଖିବ ସେତେବେଳେ ଅଭିବୃଦ୍ଧି ଓ ସମୃଦ୍ଧିର ବାଟ ମଧ୍ୟ ଖୋଲିଥାଏ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଯେତେବେଳେ କୁନୋ ଜାତୀୟ ଉଦ୍ୟାନରେ ଚିତା ଦୌଡିବେ ସେତେବେଳେ ଆମ ତୃଣବୁଦା ଶ୍ରେଣୀୟ ବାତାବରଣର ପୁନରୁଦ୍ଧାର ହେବା ସହ ଆମର ଜୈବ ବିବିଧତାରେ ମଧ୍ୟ ଅଭିବୃଦ୍ଧି ଘଟିବ। ସେ ଅଞ୍ଚଳରେ ପରିବେଶ ପର୍ଯ୍ୟଟନ ବୃଦ୍ଧି ସହ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ବିକାଶର ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଥିଲେ। ଯେଉଁ ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ଛଡାଯାଉଛି ସେମାନଙ୍କୁ ଦେଖିବା ପାଇଁ ଦେଶବାସୀ ଆଉ କିଛି ଦିନ ଧୈର୍ଯ୍ୟ ଧରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଆଜି ଏହି ଚିତା ଗୁଡିକ ଆମ ପାଇଁ ଅତିଥି ହୋଇ ଆସିଛନ୍ତି ଓ ଏହି ଅଞ୍ଚଳ ନେଇ ବିଶେଷ କିଛି ଜାଣି ନାହାନ୍ତି।

ସେ କହିଥିଲେ ଯେ, ଏହି ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ସେମାନଙ୍କ ବାସସ୍ଥଳୀ ଭାବେ ଗ୍ରହଣ କରିବାକୁ ଆମକୁ ଆଉ କିଛି ସମୟ ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଆନ୍ତର୍ଜାତିକ ମାର୍ଗଦର୍ଶିକାର ଅନୁପାଳନ କରାଯାଇଛି ଓ ଭାରତ ଏହି ଚିତା ଗୁଡିକୁ ଏଠାରେ ବସତି ସ୍ଥାପନ ନିମନ୍ତେ ସବୁମତେ ଚେଷ୍ଟା କରିବ। ଆମ ଆମର ଉଦ୍ୟମକୁ କେବେ ବି ନିସ୍ଫଳ ହେବାକୁ ଦେବାନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେତେବେଳେ ବିଶ୍ୱ ପ୍ରକୃତି ଓ ପରିବେଶ କଥା କୁହେଁ ସେତେବେଳେ ସ୍ଥାୟୀ ଓ ନିରନ୍ତର ବିକାଶ ଉପରେ କହିଥାଏ। ଭାରତ ପାଇଁ ପ୍ରକୃତି ଓ ପରିବେଶ ଓ ଏହାର ଜୀବଜନ୍ତୁ ପକ୍ଷୀ କେବଳ ସ୍ଥାୟୀ ଓ ନିରନ୍ତର ସୁରକ୍ଷା ପାଇଁ ନୁହଁ ବରଂ ଏହା ଭାରତର ସମ୍ବେଦନଶୀଳତା ଓ ଆଧ୍ୟାତ୍ମିକତାର ମୂଳପିଣ୍ଡ ବୋଲି ସେ କହିଥିଲେ। ଆମେ ଆମ ଆଖପାଖରେ ରହୁଥିବା କ୍ଷୁଦ୍ରବିକ୍ଷୁଦ୍ର ପ୍ରାଣୀର ଯତ୍ନ ନେବାକୁ ଶିକ୍ଷା ପାଇଛୁ। ଆମ ପରମ୍ପରାରେ ଯଦି କୌଣସି ଜୀବନ୍ତ ପ୍ରାଣୀର ଜୀବନ ବିନା କାରଣରେ ମଧ୍ୟ ମୃତ୍ୟୁ ଘଟେ ସେତେବେଳେ ଆମକୁ ମାଡି ମାଡି ପଡେ। ତେଣୁ ସମଗ୍ର ଜୀବଜଗତ ଆମ ଦ୍ୱାର ଧ୍ୱଂସ ହେବା କଥାକୁ ଆମେ କିପରି ଭାବିପାରିବା ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଚିତା ଆଫ୍ରିକାର କେତେକ ଦେଶ ଓ ଇରାନରେ ଦେଖାଯାଉଥିବା ବେଳେ ଭାରତର ନାମ କେବେ ଠାରୁ କଟିଯାଇଛି। ମାତ୍ର ପିଲାମାନେ ଏହିଭଳି ରହସ୍ୟ ଆଉ ବେଶୀ ଦିନ ଶୁଣିବାକୁ ପାଇବେ ନାହିଁ। ମୁଁ ନିଶ୍ଚିତ ଯେ ସେମାନେ ତାଙ୍କର ନିଜ ଦେଶରେ ଚିତା ଦୌଡୁଥିବା ଦେଖିବାକୁ ପାଇବେ, ତାହା ପୁଣି କୁନୋ ଜାତୀୟ ଉଦ୍ୟାନରେ। ଆଜି ଚିତା ଯୋଗୁଁ ଆମ ଜଙ୍ଗଲ ଓ ଜୀବନରେ ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ ସମଗ୍ର ବିଶ୍ୱକୁ ଏକ ସନ୍ଦେଶ ଦେବାକୁ ଚାହୁଁଛି ଯେ ଅର୍ଥନୀତି ଓ ପରିବେଶ ଦୁଇଟି ବିବଦମାନ ବିଷୟ ନୁହେଁ। ଭାରତ ଏକ ଜ୍ୱଳନ୍ତ ଉଦାହରଣ ଯେ ଏଠାରେ ଆର୍ଥିକ ପ୍ରଗତି ଓ ପରିବେଶ ସୁରକ୍ଷା ଏକା ସହ ହୋଇପାରିବ। ଏକ ପଟରେ ଆମେ ବିଶ୍ୱ ଦୃତତମ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବା ବେଳେ, ଅନ୍ୟପକ୍ଷରେ ଆମ ଦେଶର ଜଙ୍ଗଲ ଇଲାକା ମଧ୍ୟ ଦ୍ରୁତ ସଂପ୍ରସାରିତ ହେଉଛି ବୋଲି ସେ କହିଥିଲେ। ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ୨୦୧୪ରେ ଆମ ସରକାର ଗଠନ ହେବା ପରଠାରୁ ପ୍ରାୟ ୨୫୦ଟି ସୁରକ୍ଷିତ ଅଞ୍ଚଳ ଦେଶରେ ମିଳିଛି। ଏସୀୟ ସିଂହ ସଂଖ୍ୟା ଦେଶରେ ବୃଦ୍ଧି ପାଇଥିବାବେଳେ ଗୁଜରାଟ ଦେଶର ଏ କ୍ଷେତ୍ରରେ ଖୁବ ଆଗରେ ଅଛି। ଯୁବ ଯୁଗ ଧରି କଠିନ ପରିଶ୍ରମ, ଗବେଷଣାଲବ୍ଧ ନୀତି ଓ ଜନଭାଗିଦାରୀତା ଏହା ପଛରେ ଅଛି ବୋଲି ଶ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ “ମୋର ମନେ ଅଛି ଆମେ ଗୁଜରାଟରେ ଏକ ଶପଥ ନେଇଥିଲୁ, ଆମେ ହିଂସ୍ରପ୍ରାଣୀଙ୍କୁ ସମ୍ମାନ ଦେବୁ ଓ ଝଗଡା କମ କରିବୁ । ଆଜି ତାର ଫଳ ଆମ ସାମ୍ନାରେ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବାଘ ସଂଖ୍ୟା ନିର୍ଦ୍ଧାରିତ ସମୟର ଆଗରୁ ଦ୍ୱିଗୁଣିତ କରିଛୁ। ସେ ସ୍ମୃତିଚାରଣ କରି କହିଥିଲେ ଯେ ଯେତେବେଳେ ଏକ ସିଂହ ବିଶିଷ୍ଟ ଗଣ୍ଡାଙ୍କ ସ୍ଥିତି ବିପଦପୂର୍ଣ୍ଣ ଆସାମରେ ଥିଲା ଆଜି ସେଥିରେ ସୁଧାର ଆସିଛି। ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଦେଶରେ ହାତୀ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି। ଆମ ଦେଶରେ ଆର୍ଦ୍ରଭୂମୀର ସଂପ୍ରସାରଣ ଯୋଗୁଁ ଜୀବଜନ୍ତୁ ଓ ଗଛଲତା ସଂରକ୍ଷଣ ପାଇଁ ସୁବିଧା ହୋଇଛି। ଆର୍ଦ୍ରଭୂମୀ ବାତାବରଣ ଉପରେ ବିଶ୍ୱର କୋଟି କୋଟି ଜନସାଧାରଣ ନିର୍ଭରଶୀଳ।” ଆଜି ଦେଶର ୭୫ଟି ଆର୍ଦ୍ରଭୂମୀ ରାମସାର ସ୍ଥଳୀ ଭାବେ ଘୋଷିତ ହୋଇଥିବାବେଳେ କେବଳ ଗତ ଚାରି ବର୍ଷ ମଧ୍ୟରେ ୨୬ଟି ସ୍ଥଳୀ ବିକଶିତ ହୋଇଛି। ଏହି ଉଦ୍ୟମର ଫଳ ଦେଶରେ ଆଗାମୀ ଶହ ଶହ ବର୍ଷ ଧରି ଦେଖାଦେବ ଓ ପ୍ରଗତିର ନୂତନ ପଥ ପାଇଁ ପରିସ୍କାର କରିବ। ଭାରତ ଆଜି ଯେଉଁ ବୈଶ୍ୱିକ ସମସ୍ୟା ଉପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି, ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଥିଲେ। ସେ ବୈଶ୍ୱିକ ସମସ୍ୟାର ବିଶ୍ଳେଷଣ କରି ଆମ ଜୀବନରେ ଏହାର ସାମଗ୍ରିକ ପ୍ରଭାବ ନେଇ ଗୁରୁତ୍ୱ ଆରୋପ କରିଥିଲେ। ବିଶ୍ୱର ଜୀବନଶୈଳୀ ଓ ଆନ୍ତର୍ଜାତିକ ସୌରଚୁକ୍ତି ସମ୍ପର୍କରେ ଭାରତ ବିଶ୍ୱକୁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ସେ କହିଥିଲେ। ଏହି ଉଦ୍ୟମର ସଫଳତା ବିଶ୍ୱର ଭବିଷ୍ୟତ ଓ ଦିଗର ନିଷ୍ପତ୍ତି ନେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଆଗରେ ରହିଥିବା ଆହ୍ୱାନକୁ ଆମ ଜୀବନ ଆହ୍ୱାନ ଭାବେ ବିବେଚନା କରିବାକୁ ପଡିବ। ମୁଁ ନିଶ୍ଚିତ ଯେ ଭାରତର ଉଦ୍ୟମ ଓ ପରମ୍ପରା ଏ ଦିଗରେ ସମଗ୍ର ମାନବଜାତିକୁ ପଥ ପ୍ରଦର୍ଶନ କରିବ ଓ ଏକ ଉନ୍ନତ ବିଶ୍ୱ ନିମନ୍ତେ ସ୍ୱପ୍ନକୁ ମଜଭୁତ କରିବ ବୋଲି ସେ କହିଥିଲେ। ପୃଷ୍ଠଭୂମୀ କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ବାଘ ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀକୁ ସଶକ୍ତି କରିବା ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯିବା ଘୋଷଣା କରାଯାଇଥିଲା। ଛଡା ଯାଇଥିବା ଚିତା ବାଘ ଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଇଛି।

ଏହା ବିଶ୍ୱର ପ୍ରଥମ ଆର୍ନ୍ତମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। ଚିତା ଛଡାଯିବା ଦ୍ୱାର ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମୀ ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ। ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣ ମଧ୍ୟରେ ଜଳ ସୁରକ୍ଷା, ଅଙ୍ଗାରଆତ୍ମୀକରଣ ଓ ମାଟିର ଆର୍ଦ୍ରତା ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ସହ ଜୀବିକାର୍ଜନ ମଧ୍ୟ ବୃଦ୍ଧିପାଇବ।

Categories
ଜାତୀୟ ଖବର ବିଶେଷ ଖବର

ଭାରତରେ ବିଲୁପ୍ତ ଜଙ୍ଗଲୀ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି।

କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।

ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ ସେ କୁନୋ ଜାତୀୟ ଉଦ୍ୟାନରେ ଚିତାଗୁଡ଼ିକୁ ଛାଡ଼ିଛନ୍ତି। ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତାଗୁଡ଼ିକୁ ଆଣି ଏଠାରେ ଛଡ଼ାଯାଇଛି। ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି।

ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ। ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢ଼ାଇବ ଯାହାର ବ୍ୟାପକ ଲାଭ ସମାଜକୁ ମିଳିପାରିବ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁରୂପ, ଏହି ପ୍ରୟାସ ବଳରେ ପରିବେଶର ବିକାଶ ଓ ପରିବେଶ ପର୍ଯ୍ୟଟନ ଗତିବିଧି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କ ପାଇଁ ଜୀବିକା ଅର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି ହେବ।

ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିତା ପୁନର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ। ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି। ଉଦାହରଣ ସ୍ୱରୂପ, ୨୦୧୪ରେ ଦେଶର ମୋଟ୍‌ ଭୌଗଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ୍‌ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର। ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି।

ଗତ ୪ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ଓ ଗଛର ଘନତ୍ୱ ୧୬ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି। ନିରନ୍ତର ଭାବେ ଜଙ୍ଗଲ ଘନତ୍ୱ ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି।

ଦେଶରେ ଗୋଷ୍ଠୀ ଅଭୟାରଣ୍ୟ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪ରେ ଏପରି କ୍ଷେତ୍ର ସଂଖ୍ୟା ୪୩ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୧୦୦ରୁ ଅଧିକ ହୋଇଯାଇଛି।

ଭାରତରେ ୫୨ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି ଏବଂ ୧୮ ରାଜ୍ୟରେ ବ୍ୟାପି ରହିଥିବା ଏସବୁ ଅଭୟାରଣ୍ୟର ମୋଟ୍‌ କ୍ଷେତ୍ରଫଳ ହେଉଛି ୭୫ ହଜାର ବର୍ଗ କିଲୋମିଟର। ବିଶ୍ୱସ୍ତରରେ ମୋଟ ଜଙ୍ଗଲୀ ବାଘଙ୍କ ମଧ୍ୟରୁ ୭୫% କେବଳ ଭାରତରେ ରହୁଛନ୍ତି। ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଭାରତ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, କିନ୍ତୁ ଏହାର ୪ ବର୍ଷ ପୂର୍ବରୁ ୨୦୧୮ରେ ଦେଶ ଏହି ଲକ୍ଷ୍ୟ ହାସଲ କରିପାରିଛି। ୨୦୧୪ରେ ଦେଶରେ ବାଘଙ୍କ ସଂଖ୍ୟା ୨,୨୨୬ ଥିବା  ଥିବା ବେଳେ ୨୦୧୮ରେ ଏହା ୨୯୬୭କୁ ବୃଦ୍ଧି ପାଇଛି।

୨୦୧୪ରେ ବାଘ ସଂରକ୍ଷଣ ପାଇଁ ବଜେଟ୍‌ ଆବଣ୍ଟନ ପରିମାଣ ୧୮୫ କୋଟି ଟଙ୍କା ଥିବା ବେଳେ ୨୦୨୨ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ୨୦୧୫ରେ ଏମାନଙ୍କ ସଂଖ୍ୟା ୫୨୩ ଥିଲା, ବର୍ତ୍ତମାନ ଏହା ୬୭୪କୁ ବୃଦ୍ଧି ପାଇଛି। ସିଂହଙ୍କ ସଂଖ୍ୟାରେ ୨୮.୮୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଅଭିବୃଦ୍ଧି ହାର।

ଏବେ (୨୦୨୦ ସୁଦ୍ଧା) ଭାରତରେ ୧୨, ୮୫୩ଟି କଲରାପତରିଆ ବାଘ ଅଛନ୍ତି। ୨୦୧୪ରେ କରାଯାଇଥିବା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୯୧୦ ଥିଲା। କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦% ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର ପ୍ରୋଜେକ୍ଟ ଚିତା କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରର ଇ-ନିଲାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମଧ୍ୟ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା। ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା। ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ଆମର ୧୩୪୮ ସାମଗ୍ରୀ ଥିଲା। ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ଏହି ଉପହାରଗୁଡିକର ପ୍ରଦର୍ଶନ କରାଯାଇଛି। ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ।

ଅଧିକ ବିବରଣୀ ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିଲାମରେ ଉପହାରଗୁଡିକ ମଧ୍ୟରେ ସୂକ୍ଷ୍ମ ଚିତ୍ର, ମୂର୍ତ୍ତି, ହସ୍ତତନ୍ତ ଏବଂ ଲୋକକଳା ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ଅନେକ ସାମଗ୍ରୀ ପାରମ୍ପାରିକ ଭାବରେ ଉପହାର ଭାବରେ ପ୍ରଦାନ କରାଯାଇଥାଏ, ଯେପରିକି ପାରମ୍ପାରିକ ଅଙ୍ଗବସ୍ତ୍ର, ଶାଲ, ପଗଡି, ଆନୁଷ୍ଠାନିକ ଖଣ୍ଡା। ଅନ୍ୟାନ୍ୟ ସ୍ମରଣୀୟ ସାମଗ୍ରୀ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଏବଂ ବାରାଣାସୀର କାଶୀ-ବିଶ୍ୱନାଥ ମନ୍ଦିରର ପ୍ରତିକୃତି ଏବଂ ମଡେଲ ଅନ୍ତର୍ଭୁକ୍ତ। ଆମର କ୍ରୀଡା ସ୍ମରଣୀୟ ସାମଗ୍ରୀର ଏକ ରୋମାଞ୍ଚକର ବିଭାଗ ମଧ୍ୟ ଅଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜଗୋଷ୍ଠି କ୍ରୀଡା ୨୦୨୨, ଡିଫ୍ ଅଲିମ୍ପିକ୍ସ ୨୦୨୨ ଏବଂ ଥୋମାସ କପ ଚାମ୍ପିଅନସିପ ୨୦୨୨ ରେ ଦଳର ଭାରତର ଚମତ୍କାର ପ୍ରଦର୍ଶନ ଆମକୁ ଇତିହାସରେ ସ୍ଥାନ ଏବଂ ପଦକ ଜିତାଇଛି। ନିଲାମରେ ଦଳ ଏବଂ କ୍ରୀଡା ଇଭେଣ୍ଟଣ୍ଟଗୁଡିକର ବିଜେତାମାନଙ୍କ ଦ୍ୱାରା ଉପସ୍ଥାପିତ ସ୍ମରଣୀୟ ସାମଗ୍ରୀ ରହିଛି। ନିଲାମର ଏହି ସଂସ୍କରଣରେ ୨୫ ଟି ନୂତନ କ୍ରୀଡା ସାମଗ୍ରୀ ଅଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଜି କେ ରେଡ୍ଡୀ କହିଛନ୍ତି ଯେ “ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଦେଶର ଜୀବନରେଖା କୁହାଯାଉଥିବା ଗଙ୍ଗାର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ଲାଗି ପାଇଥିବା ସମସ୍ତ ଉପହାରକୁ ଉତ୍ତମ କାର୍ଯ୍ୟରେ ବିନିଯୋଗ ନିମନ୍ତେ ନିଲାମ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଁ ସମସ୍ତଙ୍କୁ ନିଲାମରେ ଉଦାର ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଉତ୍ତମ ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି।”

ଏହି ଅବସରରେ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ଗତ ନିଲାମରେ ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରର ନିଲାମରେ ଭାଗ ନେବାକୁ ମନ୍ତ୍ରୀ ମଧ୍ୟ ଚଳିତ ବର୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସ୍ମରଣୀୟ ଉପହାର ଉପରେ ଆଲୋକପାତ କରିବା ସହିତ ନମାମୀ ଗଙ୍ଗେ ପାଇଁ ଇ-ନିଲାମ କିପରି ଏକ ଅଭୂତପୂର୍ବ ସହଯୋଗ ପ୍ରଦାନ କରିବ ତାହା ଦର୍ଶାଇଥିଲେ।

ଏହି ପରିଦର୍ଶନକୁ ଆହୁରି ଉପଭୋଗ୍ୟ କରିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଗାଇଡ୍ ଟୁର୍ ଏବଂ ଶ୍ରବଣ ବାଧିତଙ୍କ ପାଇଁ ସାଙ୍କେତିକ ଭାଷାରେ ଗାଇଡ୍ ଟୁର୍ ବ୍ୟବସ୍ଥା କରାଯାଇଛି। ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲିରେ କାଟାଲଗ୍ ମଧ୍ୟ ଉପଲବ୍ଧ ହେବ। ପ୍ରଦର୍ଶନୀ ସ୍ଥଳ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଏହା ସମସ୍ତଙ୍କ ପାଇଁ ମାଗଣା। ନିଲାମ ମାଧ୍ୟମରେ ସଂଗୃହୀତ ପାଣ୍ଠି ଏକ ଉତ୍ତମ କାର୍ଯ୍ୟ, ନମାମୀ ଗଙ୍ଗେ କାର୍ଯ୍ୟକ୍ରମ, ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଯାହା ଆମ ଜାତୀୟ ନଦୀ ଗଙ୍ଗାକୁ ସଂରକ୍ଷଣ ତଥା ନବୀକରଣ କରିବାକୁ ଚେଷ୍ଟା କରିବ।

ସାଧାରଣ ଲୋକ ଏହି ଲିଙ୍କରେ ଲଗ୍ ଇନ୍ /ପଞ୍ଜିକରଣ କରି ଇ-ନିଲାମରେ ଅଂଶଗ୍ରହଣ କରିପାରିବେ- https://pmmementos.gov.in/

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ

ଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ସେ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ସଂପୂର୍ଣ୍ଣ ଭାଷଣ…..

ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍‌ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍‌ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍‌ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁ କାରଣରୁ ସମଗ୍ର ବିଶ୍ୱ ଅତ୍ୟଧିକ ପରିମାଣରେ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ଆମ କ୍ଷେତ୍ରରେ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ଚେଷ୍ଟା କରିବା ଜରୁରୀ। ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ନିଶ୍ଚିତ ରୂପରେ ଆବଶ୍ୟକ ହେବ, ଏହା ସହିତ ଏହା ମଧ୍ୟ ମହତ୍ୱପୂର୍ଣ୍ଣ ହେବ ଯେ, ଆମେ ସମସ୍ତେ ଯେପରି ପରସ୍ପରର ଗମନାଗମନକୁ ସମ୍ପୂର୍ଣ୍ଣ ଅଧିକାର ଦେବା।

ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ର କରିବା ଲକ୍ଷ୍ୟ ନେଇ ପ୍ରଗତି ପଥରେ ଆଗେଇ ଚାଲିଛୁ। ଭାରତର ଯୁବ ଏବଂ ପ୍ରତିଭାଶାଳୀ କାର୍ଯ୍ୟବଳ ଆମକୁ ସ୍ୱାଭାବିକ ରୂପରେ ପ୍ରତିଯୋଗୀତାମୂଳକ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଭାରତର ଅର୍ଥ ବ୍ୟବସ୍ଥାରେ ୭.୫ ପ୍ରତିଶତ ଅଭିବୃଦ୍ଧି ହେବାର ଆଶା ରହିଛି, ଯାହା ବିଶ୍ୱର ବୃହତ୍ ଅର୍ଥନୀତି ଗୁଡିକ ଭିତରେ ସବୁଠାରୁ ଅଧିକ ହେବ । ଆମର ଜନ – କେନ୍ଦ୍ରିତ ବିକାଶ ମଡେଲ୍‌ରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ଉପରେ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କରା ଯାଉଛି। ଆମେ ପ୍ରତ୍ୟେକ କ୍ଷେତ୍ରରେ ନୂତନତ୍ୱ / ନବସୃଜନକୁ ସମର୍ଥନ କରୁଛୁ । ଆଜି ଭାରତରେ ୭୦,୦୦୦ରୁ ଅଧିକ ଷ୍ଟାର୍ଟ – ଅପ୍ ରହିଛି, ଯେଉଁ ଗୁଡିକ ମଧ୍ୟରୁ ପ୍ରାୟ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଶ୍ରେଣୀର। ଆମର ଏହି ଅଭିଜ୍ଞତା ଅନ୍ୟ ଏସ୍‌ସିଓ ସଦସ୍ୟ ମାନଙ୍କର କାର୍ଯ୍ୟରେ ମଧ୍ୟ ଆସି ପାରିବ। ଏହି ଉଦ୍ଦେଶ୍ୟରେ ଆମେ ଷ୍ଟାର୍ଟ – ଅପ୍ ଏବଂ ନବସୃଜନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀର ସ୍ଥାପନା କରି ଏସ୍‌ସିଓର ସଦସ୍ୟ ଦେଶ ମାନଙ୍କ ସହିତ ଆମର ଅଭିଜ୍ଞତାକୁ ବାଂଟିବା ନିମନ୍ତେ ପ୍ରସ୍ତୁତ ଅଛୁ।

ବିଶ୍ୱ ଆଜି ଆଉ ଏକ ବଡ ଆହ୍ୱାନର ସମ୍ମୁଖୀନ ହେଉଛି – ଏବଂ ତାହା ହେଉଛି ଆମର ନାଗରିକ ମାନଙ୍କର  ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା। ଏହି ସମସ୍ୟାର ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଭଳି ଶସ୍ୟର ଉତ୍ପାଦନ କରିବା ଏବଂ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ବାଜରା ଏମିତି ଏକ ଚମତ୍କାର ଖାଦ୍ୟ ଅଟେ, ଯାହା କେବଳ ଏସ୍‌ସିଓ ଦେଶ ଗୁଡିକରେ ନୁହେଁ, ବିଶ୍ୱର ଅନେକ ଅଂଚଳରେ ହଜାର ହଜାର ବର୍ଷ ଧରି ଉତ୍ପାଦିତ ହେଉଛି ଏବଂ ଖାଦ୍ୟ ସଙ୍କଟ ଭଳି ଆହ୍ୱାନକୁ ମୁକାବିଲା କରିବା ନିମନ୍ତେ ଏକ ପାରମ୍ପରିକ, ପୁଷ୍ଟିକର ଏବଂ କମ୍ ଖର୍ଚ୍ଚ ହେଉଥିବା ଖାଦ୍ୟର ବିକଳ୍ପ। ୨୦୨୩ ବର୍ଷକୁ ଜାତିିସଂଘ ଅନ୍ତର୍ଜାତୀୟ ବାଜରା ବର୍ଷ (ୟୁଏନ୍ ଇଂଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ସ) ରୂପେ ପାଳନ କରାଯିବ। ଆମେ ଏସ୍‌ସିଓ ଅଧୀନରେ ଏକ ବାଜରା ଖାଦ୍ୟ ଉତ୍ସବ (ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍‌) ଆୟୋଜନ କରିବା ଉପରେ ବିଚାର କରିବା ଉଚିତ୍।

ଭାରତ ଆଜି ବିଶ୍ୱରେ ଚିକିତ୍ସା ଏବଂ କଲ୍ୟାଣ ପର୍ଯ୍ୟଟନ (ମେଡିକାଲ୍ ଏବଂ ୱେଲନେସ୍ ଟୁରିଜିମ୍‌) ନିମନ୍ତେ ସବୁଠାରୁ ଶସ୍ତା ଲକ୍ଷ୍ୟସ୍ଥଳୀ ମଧ୍ୟରୁ ଗୋଟିଏ ହୋଇ ପାରିଛି। ଏପ୍ରିଲ୍ ୨୦୨୨ରେ ଗୁଜରାଟରେ ପାରମ୍ପରିକ ଔଷଧ ନିମନ୍ତେ ଡବ୍ଲ୍ୟୁଏଚ୍‌ଓ ଅନ୍ତର୍ଜାତୀୟ କେନ୍ଦ୍ର (ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ ସେଂଟର ଫର୍ ଟ୍ରାଡିସନାଲ୍ ମେଡିସିନ୍‌)ର ଉଦ୍‌ଘାଟନ କରା ଯାଇଛି।  ପାରମ୍ପରିକ ଚିକିତ୍ସା ନିମନ୍ତେ ଏହା ଡବ୍ଲ୍ୟୁଏଚ୍‌ଓର ପ୍ରଥମ ଏବଂ ଏକମାତ୍ର ଅନ୍ତର୍ଜାତୀୟ କେନ୍ଦ୍ର ହେବ । ଆମକୁ ଏସ୍‌ସିଓ ଦେଶ ଗୁଡିକ ମଧ୍ୟରେ ପାରମ୍ପରିକ ଔଷଧ ନିମନ୍ତେ ପରସ୍ପର ମଧ୍ୟରେ ସହଯୋଗକୁ ବୃଦ୍ଧି କରିବା ଆବଶ୍ୟକ ଅଟେ। ଏଥି ପାଇଁ ଭାରତ ପାରମ୍ପରିକ ଔଷଧ କ୍ଷେତ୍ରରେ ଏକ ନୂତନ ଏସ୍‌ସିଓ କାର୍ଯ୍ୟ ଗୋଷ୍ଠୀ ସ୍ଥାପନ ନିମନ୍ତେ ପଦକ୍ଷେପ ନେବ।

ମୋର ବକ୍ତବ୍ୟ ସମାପ୍ତ କରିବା ପୂର୍ବରୁ ମୁଁ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ଆଜିର ବୈଠକର ଉଚ୍ଚକୋଟୀର ସଂଚାଳନ ନିମନ୍ତେ ଏବଂ ତାଙ୍କର ସାଦର ଅଭ୍ୟର୍ଥନା ପାଇଁ ପୁଣି ଥରେ ଧନ୍ୟବାଦ ପ୍ରଦାନ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଏସସିଓର ଅଧ୍ୟକ୍ଷ ହୋଇଥିବାରୁ ଭାରତକୁ ଅଭିନନ୍ଦନ ଜଣାଇଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ଆଜି ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହାତ ମିଳାଇଛନ୍ତି। ସି ଜିନପିଙ୍ଗ କହିଛନ୍ତି ଯେ, ଆସନ୍ତା ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବାରେ ଭାରତକୁ ଚୀନ୍ ସାହାଯ୍ୟ କରିବ। ସି ଜିନପିଙ୍ଗଙ୍କ ବିବୃତ୍ତିରୁ ଜଣାପଡିଛି ଯେ, ପରବର୍ତ୍ତୀ ଏସସିଓ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ଭାରତ ଏବଂ ଚୀନ୍ ମଧ୍ୟରେ ଲଦାଖ ସୀମାରେ ସାମରିକ ଉତ୍ତେଜନା ପରେ ଉଭୟ ଦେଶର ମୁଖ୍ୟମାନେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି।

ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଭାରତକୁ ଏକ ଉତ୍ପାଦନ ହବ୍ କରିବାକୁ ଚାହୁଁଛୁ। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନରେ ପହଞ୍ଚିଯାଇଥିଲେ। ଶିଖର ସମ୍ମିଳନୀରେ ପିଏମ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏଜେଣ୍ଡା ବ୍ୟବସାୟ ଏବଂ ରାଜନୀତି ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ ଆନୁଷ୍ଠାନିକ ରାତ୍ରୀ ଭୋଜନ ସମେତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପୂର୍ବ ସମ୍ମିଳନୀ ଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି। ସମରଖନ୍ଦରେ ପହଞ୍ଚିବାରେ ନେତାଙ୍କ ମଧ୍ୟରୁ ପିଏମ ମୋଦୀ ଶେଷ ନେତା ଥିଲେ। ଏହି କାରଣରୁ ସେ ଶିଖର ସମ୍ମିଳନୀ ପୂର୍ବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିନଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଡାଏରୀ ଶିଖର ବୈଠକ ୨୦୨୨ ଉଦ୍ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଡାଏରୀ ଶିଖର ସମ୍ମିଳନୀ-୨୦୨୨ (ଆଇଡିଏଫ ଡବୁଲଡିଏସ)-୨୦୨୨ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ ମାର୍ଟ, ବୃହତ ନୋଏଡାରେ ଏହା ଆୟୋଜିତ ହେଉଛି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାର ଆଜି ଭାରତରେ ସମବେତ ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ବିଶ୍ୱ ଡାଏରୀ ଶିଖର ବୈଠକ ଚିନ୍ତାଧାରା ବିନିମୟର ଏକ ବିରାଟ ମାଧ୍ୟମ ହୋଇପାରିବ ବୋଲି ସେ କହିଥିଲେ। “ଦୁଗ୍ଧ ଉତ୍ପାଦନ କ୍ଷେତ୍ର କେବଳ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିନାହିଁ, ବରଂ ଏହା ବିଶ୍ୱର କୋଟି କୋଟି ଜନସାଧାରଣଙ୍କ ଜୀବିକାର ଏକ ମୁଖ୍ୟ ସ୍ରୋତ ବୋଲି ସେ କହିଥିଲେ।”

ପ୍ରଧାନମନ୍ତ୍ରୀ ‘ପଶୁଧନ’ର ବିଶେଷତ୍ୱ ତଥା ଦୁଗ୍ଧ ସମ୍ପର୍କୀତ ବ୍ୟବସାୟ ଭାରତରେ ସାଂସ୍କୃତିକ ଦୃଶ୍ୟପଟର ଏକ ପ୍ରମୁଖ ଅଂଶ ବୋଲି କହିଥିଲେ। ଏହା ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅନେକ ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ଗୁଡିକୁ ତୁଳନା କଲେ ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୂଳରେ କେବଳ କ୍ଷୁଦ୍ର ଚାଷୀ ହିଁ ରହିଛନ୍ତି। ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଜନ ସାଧାରଣଙ୍କ ଦ୍ୱାରା ଉତ୍ପାଦନ ଉପରେ ପର୍ଯ୍ୟବେଶିତ। ଏହି କ୍ଷୁଦ୍ର ଚାଷୀମାନଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶଭାବେ ପରିଗଣିତ। ଏହି କ୍ଷୁଦ୍ର ଚାଷୀଗଣ ଗୋଟିଏ, ଦୁଇଟି ବା ତିନିଟି ପଶୁ ଜରିଆରେ ଉତ୍ପାଦନ ଅବ୍ୟାହତ ରଖିଥାନ୍ତି। ଦେଶ ଆଠକୋଟିରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏହି କ୍ଷେତ୍ର କର୍ମନିଯୁକ୍ତି ସୁଯୋଗ ଦେଇଥାଏ।

ଭାରତୀୟ ଡାଏରୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାଏରୀ କ୍ଷେତ୍ରରେ ଭାରତରେ ଯେଉଁ ବିଶାଳ ସମବାୟ ସମିତି ମାନ ରହିଛି ତାହାର ଦୃଷ୍ଟାନ୍ତ ସାରା ପୃଥିବୀର କୌଣସି ସ୍ଥାନରେ ମଧ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ। ଏହି ଦୁଗ୍ଧ ସମବାୟ ସମିତିଗୁଡିକ ଦ୍ୱାରା ପ୍ରାୟ ଦୁଇକୋଟି ଚାଷୀ ଦେଶର ଦୁଇଲକ୍ଷରୁ ଅଧିକ ଗ୍ରାମରେ ଦିନକୁ ଦୁଇଥର ଲେଖାଏଁ ଦୁଗ୍ଧ ସଂଗ୍ରହ କରି ଗ୍ରାହକମାନଙ୍କୁ ବିତରଣ କରିଥାଆନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ ପୂର୍ବକ କହିଥିଲେ ଯେ ଏଥିରେ କେହି ବି ମଧ୍ୟସ୍ଥ ନ ଥାନ୍ତି ଓ ଗ୍ରାହକମାନଙ୍କ ଠାରୁ ଆଦାୟ ହୋଇଥିବା ଶତକଡା ୭୦ଭାଗରୁ ଅଧିକ ଅର୍ଥ ସିଧାସଳଖ ଚାଷୀଙ୍କ ପାଖକୁ ଯାଇଥାଏ। “ବିଶ୍ୱର ଅନ୍ୟ କୌଣସି ଦେଶରେ ଏହା ଦେଖାଯାଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଡାଏରୀ କ୍ଷେତ୍ରରେ ହେଉଥିବା ଡିଜିଟାଲ ଦେଣନେଣ ପ୍ରକ୍ରିୟା ଅନ୍ୟାନ୍ୟ ଦେଶଗୁଡିକ ନିମନ୍ତେ ଶିକ୍ଷଣୀୟ” ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଅନ୍ୟ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାରତରେ ଜନ୍ମିତ ପଶୁ ଯାହା ଅନେକ ପ୍ରତିକୂଳ ପରିସ୍ଥିତିରେ ସାମ୍ନା କରିପାରିବ। ଗୁଜରାଟ କଚ୍ଛ୍ ଅଞ୍ଚଳର ବନ୍ନୀ ମଇଁଷିର ଉଦାହରଣ ସେ ଦେଇଥିଲେ। ସେ ମଧ୍ୟ ମୁରାହ, ମେହଶନା, ଜାଫ୍ରୀବାଦୀ, ନିଲୀରବି ଓ ପ୍ରାଧାରପୁରୀ ଶ୍ରେଣୀୟ ମଇଁଷିର ଉଦାହରଣ ଦେଇଥିଲେ । ଗାଈ ପ୍ରଜାତି ମଧ୍ୟରେ ସେ ଗୀର, ସହିୱାଲ, ରାଠୀ, କଙ୍କେରଜୀ, ଥରପାଇକର ଓ ହରିୟାନାର ଉଦାହରଣ ଦେଇଥିଲେ।

ଅନ୍ୟ ଏକ ବୈଶିଷ୍ଟ୍ୟ ସ୍ୱରୂପ ପ୍ରଧାନମନ୍ତ୍ରୀ ଡାଏରୀ କ୍ଷେତ୍ରରେ ମହିଳା ଶକ୍ତି ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କ ଭାରତୀୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଶତକଡା ୭୦ଭାଗ ପ୍ରତିନିଧିତ୍ୱ ରହିଛି। ଭାରତ ଡାଏରୀ କ୍ଷେତ୍ରରେ ମହିଳାମାନେ ହିଁ ନେତୃତ୍ୱର ଅଧିକାରୀ।

କେବଳ ସେତିକି ନୁହେଁ, ଦୁଗ୍ଧ ସମବାୟ ସମିତିର ଏକ ତୃତୀୟାଂଶ ସଦସ୍ୟ କେବଳ ମହିଳା ବୋଲି ସେ କହିଥିଲେ। ସାଢେ ଆଠ ଲକ୍ଷ କୋଟିର ଡାଏରୀ କ୍ଷେତ୍ର ଉଭୟ ଧାନ ଓ ଗହମ କ୍ଷେତ୍ରର ମୂଲ୍ୟଠାରୁ ମଧ୍ୟ ଅଧିକ। ଏହା ଭାରତରେ ନାରୀ ଶକ୍ତି ମାଧ୍ୟମରେ ପରିଚାଳିତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପରଠାରୁ ସରକାର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଅକ୍ଳାନ୍ତ ଉଦ୍ୟମ କରି ଆସୁଛନ୍ତି। ଏହାଫଳରେ ଦୁଗ୍ଧ ଉତ୍ପାଦନ ଅଧିକ ହେବା ସହ ଚାଷୀମାନଙ୍କ ଆୟ ବୃଦ୍ଧି ମଧ୍ୟ ହୋଇଛି। “ଭାରତ ୨୦୧୪ରେ ୧୪୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରୁଥିଲେ। ଏହା ଏବେ ବୃଦ୍ଧି ପାଇ ୨୧୦ ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ ଶତକଡା ୪୪ଭାଗ ଅଧିକ ବୃଦ୍ଧି ଘଟିଛି” ବୋଲି ସେ କହିଥିଲେ। ବୈଶ୍ୱିକ ସ୍ତରରେ ଦୁଗ୍ଧ ଉତ୍ପାଦନ ଶତକଡା ଦୁଇଭାଗ ବୃଦ୍ଧି ପାଇଥିବାବେଳେ ଭାରତରେ ଏହା ଶତକଡା ଛଅଭାଗ ଛୁଇଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ଏକ ସନ୍ତୁଳିତ ଦୁଗ୍ଦ ଉତ୍ପାଦନ ବାତାବରଣର ବିକାଶ କରିବାକୁ ଚାହୁଁଛନ୍ତି ଯାହା ଫଳରେ ଏହି କ୍ଷେତ୍ରରେ ଆସୁଥିବା ଆହ୍ୱାନଗୁଡିକ ଉତ୍ପାଦନ ବୃଦ୍ଧି ସହ ତାଳଦେଇ ଚାଲିପାରିବ। ଚାଷୀଙ୍କ ପାଇଁ ଅତିରିକ୍ତ ଆୟ, ଗରିବର ସଶକ୍ତିକରଣ, ସ୍ୱଚ୍ଛତା, ରସାୟନମୁକ୍ତ ଚାଷ, ସ୍ୱଚ୍ଛ ଇନ୍ଧନ ଓ ଗୃହପାଳିତ ପଶୁଙ୍କ ସେବା ଯତ୍ନ ଏହି ବାତାବରଣ ସହିତ ଅଙ୍ଗାଙ୍ଗୀଭାବେ ଜଡିତ। ଗ୍ରାମର ସବୁଜ, ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେ କହିଥିଲେ। ରାଷ୍ଟ୍ରୀୟ ଗୋକୁଳ ମିଶନ, ଗୋବର୍ଦ୍ଧନ ଯୋଜନା, ଡାଏରୀ କ୍ଷେତ୍ରର ଡିଜିଟାଇଜେସନ ଓ ଗୃହପାଳିତ ପଶୁମାନଙ୍କ ସାର୍ବଜନୀନ ଟିକକରଣ ସହ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବର୍ଜନ ଏ ଦିଗରେ କେତେକ ପଦକ୍ଷେପ ବୋଲି ସେ କହିଥିଲେ।

ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଗ୍ଧ ଦେଉଥିବା ପଶୁମାନଙ୍କର ଏକ ବୃହତ୍ତମ ଓ ତଥ୍ୟ ଭଣ୍ଡାର ତିଆରି କରୁଛି ଓ ଡାଏରୀ କ୍ଷେତ୍ର ସହ ଯୋଡି ହୋଇଥିବା ପ୍ରତ୍ୟେକ ପ୍ରାଣୀ ଏଥିରେ ସାମିଲ ହେବେ। “ଆମେ ପ୍ରାଣୀମାନଙ୍କ ବାୟୋମେଟ୍ରିକ ଚିହ୍ନଟିକରଣ କରିବାକୁ ଯାଉଛୁ । ଏହାକୁ ଆମେ ‘ପଶୁ ଆଧାର’ ନାମକରଣ କରିଛୁ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଏଫ୍ପିଏ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଷ୍ଟାର୍ଟଅପ ଭଳି ଔଦ୍ୟୋଗିକ ପରିପାଟିର ଅଭିବୃଦ୍ଧି ସମ୍ପର୍କରେ କହିଥିଲେ। ଏହି କ୍ଷେତ୍ରରେ ବର୍ତ୍ତମାନ ଏକ ହଜାରରୁ ଅଧିକ ଷ୍ଟାର୍ଟଅପ୍ ଅଛନ୍ତି। ଗୋବର୍ଦ୍ଧନ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଆମେ ଯେପରି ପରିସ୍ଥିତି ସୃଷ୍ଟି କରିବା ଲକ୍ଷ୍ୟରେ ଅଛୁ, ଯାହାଫଳରେ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ କାରଖାନାଗୁଡିକ ଭବିଷ୍ୟତରେ ଗୋବରରୁ ସେମାନଙ୍କ ପାଇ ଆବଶ୍ୟକ ବିଦ୍ୟୁତ ଉତ୍ପାଦନ କରିବେ। ସେଥିରୁ ଉଦ୍ବୃତ୍ତ ଖତ କୃଷକମାନଙ୍କ କାମରେ ଲାଗି ପାରିବ।
ଚାଷ କ୍ଷେତ୍ର ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶୁପାଳନ ଓ କୃଷିରେ ବିବିଧତାର ଆବଶ୍ୟକତା ରହିଛି, ଏକକ ଅବଲମ୍ବନ ଏହା ସମାଧାନର ସୂତ୍ର ବାହାର କରିବାରେ ଅସମର୍ଥ। ଆଜି ଭାରତ ଉଭୟ ଦେଶୀୟ ଓ ଶଙ୍କର ଜାତୀୟ ପ୍ରଜନନ ଉପରେ ଗୁରୁ୍ତ୍ୱ ଆରୋପ କରୁଛି। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନଜନିତ କ୍ଷୟକ୍ଷତି ରୋକିପାରିବ ବୋଲି ସେ ପ୍ରକାଶ କରିଥିଲେ।

ଚାଷୀମାନଙ୍କ ଆୟରେ ପ୍ରତିବନ୍ଧକ ସାଜୁଥିବା ପଶୁମାନଙ୍କ ରୋଗ ସମସ୍ୟା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। “ଯେତେବେଳେ ପଶୁ ରୋଗଗ୍ରସ୍ତ ହୁଏ, ଏହା ଚାଷୀକୁ ଜୀବନରେ କ୍ଷତି ସହିବାକୁ ହୋଇଥାଏ। ଏହା ପଶୁର ସାମାର୍ଥ୍ୟ ପରେ ପ୍ରଭାବ ପକାଇବା ସହ ଦୁଗ୍ଧ ଓ ଅନ୍ୟାନ୍ୟ ବସ୍ତୁ ଉପରେ ମଧ୍ୟ ଗୁଣାତ୍ମକ ପ୍ରଭାବ ପଡିଥାଏ”ବୋଲି ସେ କହିଥିଲେ।

ଏ ଦିଗରେ ଭାରତ ସାର୍ବଜନୀନ ଟିକାକରଣ ବିଷୟରେ ଚିନ୍ତା କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରି କହିଥିଲେ। “ଆମେ ସଂକଳ୍ପ କହିଛୁ ଯେ, ୨୦୨୫ ମସିହା ସୁଦ୍ଧା ଆମେ ସବୁ ପୁଶୁମାନଙ୍କ ପାଦ ଓ ମୁଖ ଫାଟୁଆ ରୋଗ ଓ ବ୍ରୁସେଲୋସିସ୍ ପାଇଁ ଟିକାକରଣ କରିବୁ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏହି ସବୁ ରୋଗରୁ ମୁକ୍ତ ହେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିôଳେ ଯେ ନିକଟ ଅତୀତରେ ଭାରତରେ ଅନେକ ରାଜ୍ୟରେ ଚର୍ମବିଣ୍ଡି ଭଳି ରୋଗ ଯୋଗୁଁ ଅନେକ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଓ ଅନ୍ୟାନ୍ୟ ରାଜ୍ୟ ସରକାରମାନେ ଏହାକୁ ରୋକିକା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି ବୋଲି ସେ ପ୍ର୍ର୍ରତିଶ୍ରୁତି ଦେଇଥିଲେ। “ଚର୍ମ ବିଣ୍ଡି ରୋଗ ପାଇଁ ଆମ ବୈଜ୍ଞାନିକମାନେ ଭାରତୀୟ ଟିକା ମଧ୍ୟ ପ୍ରସ୍ତୁତ କରିଥିବା ସେ କହିଥିଲେ। ଏହି ରୋଗର ପ୍ରାର୍ଦୁଭାବ ରୋକିବା ପାଇଁ ପଶୁମାନଙ୍କ ଗତିବିଧି ଠାବ କରାଯାଉଥିବା ସେ ପ୍ରକାଶ କରିଥିଲେ। ପଶୁମାନଙ୍କ ଟିକାକରଣ ହେଉ ବା ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ଭାରତ ସବୁବେଳେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏହାର ଅଂଶୀଦାରୀ ଦେଶମାନଙ୍କ ଠାରୁ ଅଧିକ ଜ୍ଞାନ ଆହରଣ ପାଇଁ ଉଦ୍ଗ୍ରୀବ।” ଭାରତ ଖୁବ୍ କ୍ଷୀପ୍ର ଗତିରେ ଏହାର ଖାଦ୍ୟ ନିରାପତ୍ତାମାନ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଯେଉଁ ଡିଜିଟାଲ ପଦ୍ଧତିରେ କାର୍ଯ୍ୟ କରୁଛି, ତାହା ସାମଗ୍ରିକ ପଶୁସମ୍ପଦ କ୍ଷେତ୍ର ପ୍ରତି ଦୃଷ୍ଟି ଦେବ। ଏହି କ୍ଷେତ୍ରର ଉନ୍ନତି ନିମନ୍ତେ ଆବଶ୍ୟକ ସଠିକ ତଥ୍ୟ ପ୍ରଦାନ କରିବ। ବିଭିନ୍ନ ବୈଷୟିକ ଜ୍ଞାନ ଯୁକ୍ତ କାର୍ଯ୍ୟ ଉପରେ ବିଶ୍ୱରେ ଯେଉଁ କାମ ଚାଲିଛି, ଏହି ଶିଖର ସମ୍ମିଳନୀରେ ସେ ବିଷୟରେ ବିଚାର ବିମର୍ଶ ହେବ। ଏ ଦିଗରେ ଯାହାର ଯେଉଁ ବିଶେଷଜ୍ଞତା ରହିଛି, ସେଥିନେଇ ସମ୍ମିଳନୀରେ ଉପସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଆବଶ୍ୟକ ସଠିକ ତଥ୍ୟ ପ୍ରଦାନ କରିବ। “ଦୁଗ୍ଧଜାତ ଶିଳ୍ପରେ ଯେଉଁ ବୈଶ୍ୱିକ ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କୁ ଭାରତର ଡାଏରୀ କ୍ଷେତ୍ରକୁ ସଶକ୍ତ କରିବାରେ ସାହାଯ୍ୟ ପାଇଁ ମୁଁ ନିବେଦନ କରୁଛି। ମୁଁ ମଧ୍ୟ ଆର୍ନ୍ତଜାତିକ ଡାଏରୀ ମହାସଂଘକୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟପାଇଁ ପ୍ରଶଂସା କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ନିଜର ଉଦ୍ବୋଧନ ଶେଷ କରିଥିଲେ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପାରୋଷୋତ୍ତମ ରୂପାଲା, କେନ୍ଦ୍ରମତ୍ସ୍ୟ ଓ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ, କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀୟ କୁମାର ବାଲୟାନ, ସଂସଦ ସଦସ୍ୟ ସୁରେନ୍ଦ୍ର ସିଂ ନାଗର ଓ ଡକ୍ଟର ମେହେଶ ଶର୍ମା, ଆନ୍ତର୍ଜାତିକ ଡାଏରୀ ମହାସଂଘ ସଭାପତି ପି. ବ୍ରାଜାଲେ ଓ ଆନ୍ତର୍ଜାତିକ ଡାଏରୀ ମହାସଂଘ ମହାନିର୍ଦ୍ଦେଶକ କାରୋଲିନ ଏମଣ୍ଡ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଯୁକ୍ତିବିଦ୍ୟା ଦ୍ୱାରା ୭୫ଲକ୍ଷ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା।

ପୃଷ୍ଠଭୂମି: ଚାରିଦିନ ବ୍ୟାପି ଆଇଡିଏଫ୍ ଡବ୍ଲୁଡିଏସ୍-୨୦୨୨ ସେପ୍ଟେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବାବେଳେ, ଏଥିରେ ବୈଶ୍ୱିକ ଓ ଭାରତୀୟ ଅଂଶୀଦାର, ଶିଳ୍ପ ନେତୃବୃନ୍ଦ, ବିଶେଷଜ୍ଞ, କୃଷକ ଓ ନୀତି ନିର୍ଦ୍ଧାରକ ପୌଷ୍ଟିକତା ଓ ଜୀବିକା ପାଇଁ ଦୁଗ୍ଧ ଉତ୍ପାଦନ ବିଷୟ ଉପରେ ଏକାଠି ହୋଇ ସେମାନଙ୍କ ସୁଚିନ୍ତିତ ମତାମତ ରଖିବେ। ଏହି ଆଇଡିଏଫ ଡବ୍ଲୁଡିଏସ୍, ୨୦୨୨ରେ ୫୦ଟି ଦେଶରୁ ପାଖାପାଖି ୧୫୦୦ ଅଂଶଗ୍ରହଣକାରୀ ଯୋଗଦେବାର ସମ୍ଭାବନା ରହିଛି। ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଏପରି ଶିଖର ସମ୍ମିଳନୀ ୧୯୭୪ମସିହାରେ ଭାରତରେ ଆୟୋଜିତ ହୋଇଥିଲା।

ଭାରତୀୟ ଦୁଗ୍ଧଜାତ ଶିଳ୍ପ ଏକ ସମବାୟ ମଡେଲ ଉପରେ ଆଧାରିତ ଓ ଏହା କ୍ଷୁଦ୍ର ଓ ନାମମାତ୍ର ଦୁଗ୍ଧ ଚାଷୀ ଓ ବିଶେଷକରି ମହିଳାଙ୍କୁ ସଶକ୍ତ କରିଥାଏ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଆଧାର କରି ଡାଏରୀ କ୍ଷେତ୍ର ଉନ୍ନତି ପଥରେ ଆଗେଇବା ସହ ଗତ ଆଠବର୍ଷ ମଧ୍ୟରେ ଶତକଡା ୪୪ ଭାଗ ଅଧିକ ଦୁଗ୍ଧ ଉତ୍ପାଦନ କରିପାରିଛି। ଭାରତୀୟ ଦୁଗ୍ଧ ଜାତ ଶିଳ୍ପ ବିଶ୍ୱର ଶତକଡା ୨୩ଭାଗ ଦୁଗ୍ଧ ଉତ୍ପାଦନ କରୁଥିବାବେଳେ ବାର୍ଷିକ ୨୧୦ଟନ୍ ଉତ୍ପାଦନ କରୁଛି ଓ ଏହା ଆଠକୋଟିରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ସଶକ୍ତ କରିଛି ଯାହା ନମୁନାର ଆଇଡିଏଫ ଡବ୍ଲୁଡିଏସ-୨୦୨୨ରେ ପ୍ରଦର୍ଶିତ ହେବ। ଏହି ଶିଖର ସମ୍ମିଳନୀରେ ବିଶ୍ୱରେ ଆଦୃତ ଶ୍ରେଷ୍ଠ କାର୍ଯଧାରା ସମ୍ପର୍କରେ ମଧ୍ୟ ଭାରତୀୟ ଚାଷୀମାନେ ଅବଗତ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ନିଲାମ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ୧୨୦୦ ଉପହାର, ନମାମି ଗଙ୍ଗା ମିଶନକୁ ଯିବ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୧୨୦୦ ରୁ ଅଧିକ ଉପହାର ସେପ୍ଟେମ୍ବର ୧୭ ତାରିଖରୁ ନିଲାମ ହେବାକୁ ଯାଉଛି। ଏଥିସହ ଏଥିରୁ ପ୍ରାପ୍ତ ଟଙ୍କା ନାମାମି ଗଙ୍ଗା ମିଶନକୁ ଦିଆଯିବ। ନ୍ୟାସନାଲ ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟ୍ର ମହାନିର୍ଦ୍ଦେଶକ ଅଦିତ ଗଡନାୟକ କହିଛନ୍ତି ଯେ, ଏହି ନିଲାମ ୱେବ୍ ପୋର୍ଟାଲ୍ ‘pmmementos.gov.in’ ମାଧ୍ୟମରେ କରାଯିବ ଏବଂ ଅକ୍ଟୋବର ୨ ତାରିଖରେ ଶେଷ ହେବ।

ଏହି ଉପହାରଗୁଡ଼ିକୁ ସଂଗ୍ରହାଳୟରେ ରଖାଯାଇଛି। ଗଡନାୟକ କହିଛନ୍ତି ଯେ, ସାଧାରଣ ବ୍ୟକ୍ତିଙ୍କ ଠାରୁ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ଉପହାର ନିଲାମ କରାଯିବ। ଉପହାରର ମୂଳ ମୂଲ୍ୟ ୧୦୦ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି।

ଉପହାର ତାଲିକାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ଦିଆଯାଇଥିବା ରାନୀ କମଳାପତିଙ୍କ ଏକ ପ୍ରତିମୂର୍ତ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ହନୁମାନ ପ୍ରତିମା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ତ୍ରିଶୁଳ ଅନ୍ତର୍ଭୁକ୍ତ।

ଏଥିରେ ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଅଜିତ ପାୱାରଙ୍କ ଦ୍ୱାରା ଦିଆଯାଇଥିବା ଦେବୀ ମହାଲକ୍ଷ୍ମୀଙ୍କ ଏକ ପ୍ରତିମୂର୍ତ୍ତି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରଭୁ ଭେଙ୍କଟେଶ୍ଵରଙ୍କ ଏକ କଳାକୃତି ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିବା ଉପହାର ନିଲାମର ଏହା ହେଉଛି ଚତୁର୍ଥ ସଂସ୍କରଣ।

ସଂଗ୍ରହାଳୟ ନିର୍ଦ୍ଦେଶକ ତେମସୁନାରୋ ଜାମିର କହିଛନ୍ତି ଯେ, ପଦକ ବିଜେତାଙ୍କ ଦସ୍ତଖତ ସହିତ ଟି-ସାର୍ଟ, ବକ୍ସିଂ ଗ୍ଲୋଭସ୍ ଏବଂ ଜାଭେଲିନ୍ ଭଳି କ୍ରୀଡା ସାମଗ୍ରୀର ଏକ ସ୍ୱତନ୍ତ୍ର ସଂଗ୍ରହ ଅଛି। ସେ କହିଛନ୍ତି ଯେ, ଏହି ଉପହାରଗୁଡ଼ିକରେ ଚିତ୍ର, ମୂର୍ତ୍ତି, ହସ୍ତଶିଳ୍ପ ଏବଂ ଲୋକକଳା ମଧ୍ୟ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଯେ, ଅନ୍ୟ ଜିନିଷଗୁଡ଼ିକ ମଧ୍ୟରେ ଶ୍ରୀ ରାମ ମନ୍ଦିରର ମଡେଲ ଏବଂ ଅଯୋଧ୍ୟାରେ ନିର୍ମିତ କାଶୀ ବିଶ୍ୱନାଥ ମନ୍ଦିରର ମଡେଲ ରହିଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ପ୍ରଖ୍ୟାତ ପ୍ରତ୍ନତତ୍ବବିତ୍ ପଦ୍ମଭୂଷଣ ବି ବି ଲାଲଙ୍କ ୧୦୧ ବର୍ଷ ବୟସରେ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବି ବି ଲାଲଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲାଲ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ହେଉଥିବା ଅଯୋଧ୍ୟା ସ୍ଥାନରେ ଖନନ ସମୟରେ ମନ୍ଦିର ସ୍ତମ୍ଭ ସେ ପାଇଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଲାଲ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣୀୟ ହୋଇ ରହିବେ। “ଶ୍ରୀ ବି ବି ଲାଲ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣ କରାଯିବ ଯିଏ ଆମର ସମୃଦ୍ଧ ଅତୀତ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିଲେ।  ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।

ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଦେଶ ଏକ ଉଜ୍ଜ୍ୱଳ ତାରକା ହରାଇଛି। ସେ କହିଛନ୍ତି ଲାଲ ଭାରତର ପ୍ରତ୍ନତାତ୍ତ୍ୱିକ ଖନନ ଏବଂ ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଚାରି ଦଶନ୍ଧି ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ତାଲିମ ଦେଇଛନ୍ତି।

ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏକ ଟୁଇଟ୍‌ରେ କହିଛି, “ପ୍ରତ୍ନତତ୍ତ୍ୱରେ ପଦ୍ମଭୂଷଣ ପ୍ରଫେସର ବି ବି ଲାଲଙ୍କ ଅବଦାନ ଅତୂଳନୀୟ। ତାଙ୍କର 101 ବର୍ଷର ଜୀବନକୁ ଏହି ପ୍ରତ୍ନତତ୍ବ ବିଷୟ ପାଇଁ ଉତ୍ସର୍ଗ କରିଥିଲେ।

Categories
ବିଶେଷ ଖବର

କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଅହମ୍ମଦାବାଦଠାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବୈଠକ ସବକା ପ୍ରୟାସର ଏକ ସ୍ପଷ୍ଟ ଉଦାହରଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି ଓ ଏହି ଶକ୍ତି ପ୍ରତ୍ୟେକ ଅଞ୍ଚଳ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟୀତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମୀ। ଏହି ଉତ୍ସାହକୁ ଉପଜୀବ୍ୟ କରି ଆଜି ଭାରତ ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପଥରେ ଆଗେଇ ଚାଲିଛି।

ଆମେ ଇତିହାସରୁ ଶିକ୍ଷା ଲାଭ କରିଥିବା ବିଷୟ ଗୁଡିକ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟକୁ ସାହାଯ୍ୟ କରିବ। ଆମେ ଯଦି ଗତ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି କଥା ସ୍ମରଣ କରୁ ତେବେ ବିଶ୍ୱ କିପରି ଧ୍ୱଂସ ଓ ଭୟ ମଧ୍ୟରେ ଗତି କରୁଥିଲା ତାହା ଜାଣିପାରିବା। ତେବେ ସେତେବେଳେ ମଧ୍ୟ ସେ ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ ସବୁଆଡେ ବୈଜ୍ଞାନିକମାନେ ଆବିଷ୍କାରରେ ଲାଗି ପଡିଥିଲେ। ପାଶ୍ଚାତ୍ୟରେ ଆଇନଷ୍ଟାଇନ, ଫେରମୀ, ମ୍ୟାକ୍ସ ପ୍ଲାଙ୍କ, ନିଏଲସ ବୋର ଓ ଟେସଲା ସେମାନଙ୍କ ପରୀକ୍ଷାନିରୀକ୍ଷା ଦ୍ୱାରା ବିଶ୍ୱକୁ ଜାଜ୍ୱଲ୍ୟମାନ କରିଥିଲେ। ସେତିକିବେଳେ ସିଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା ଓ ଏସ ଚନ୍ଦ୍ରଶେଖର ଭଳି ବୈଜ୍ଞାନିକମାନେ ସେମାନଙ୍କ ନୂତନ ଆବିଷ୍କାରମାନ ଲୋକଲୋଚନକୁ ଆଣିଲେ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ତୁଳନା କରି ଆମେ ଆମ ବୈଜ୍ଞାନିକମାନଙ୍କ କୃତୀକୁ ପ୍ରକୃତ ସ୍ୱୀକୃତି ଦେଉନାହୁଁ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳନ କରୁ ବିଜ୍ଞାନ ଆମ ସମାଜ ଓ ସଂସ୍କୃତିର ଏକ ଅଂଶ ହୋଇଯାଏ। ପ୍ରଧାନମନ୍ତ୍ରୀ ଆମ ଦେଶର ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବୈଜ୍ଞାନିକମାନେ ସେମାନଙ୍କ ଉତ୍ସବ ପାଳନ ପାଇଁ ଅନେକ କିଛି ଦେଇଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ କରୋନା ଟିକାର ବିକାଶ ଓ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ପାଇଁ ସେ ଭାରତୀୟ ବିଜ୍ଞାନୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ସରକାର ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉପରେ ଆଧାରିତ ବିକାଶ ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “୨୦୧୪ ମସିହାଠାରୁ ବିଜ୍ଞାନ ଓ ପ୍ରଯୁକ୍ତିଜ୍ଞାନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୬ତମ ସ୍ଥାନରେ ରହିଛି। ମାତ୍ର ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ରେକର୍ଡ ସଂଖ୍ୟକ ପେଟେଣ୍ଟ ପଞ୍ଜୀକୃତ ହୋଇଥିବା ସେ ସ୍ୱୀକାର କରିଥିଲେ। ସେ ମଧ୍ୟ ଏକ ନବୋନ୍ମେଷ ବାତାବରଣ ଓ ମଜଭୁତ ଷ୍ଟାର୍ଟଅପ ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବୋନ୍ମେଷ ପ୍ରତି ପ୍ରବୃତ୍ତି ଆମେ ଯୁବପିଢ଼ିର ଡିଏନଏରେ ରହିଛି। ଆମକୁ ସମସ୍ତ ଶକ୍ତି ଘଟାଇ ଏହି ଯୁବପିଢ଼ିକୁ ସମର୍ଥନ ଦେବାକୁ ପଡିବ।” ଆମ ଯୁବପିଢ଼ିର ନବୋନ୍ମେଷ ଉତ୍ସାହ ଦୃଷ୍ଟିରୁ ସେମାନଙ୍କୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ନୂତନ କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ସେ ମହାକାଶ ଅଭିଯାନ, ଜାତୀୟ ସୁପର କମ୍ପ୍ୟୁଟିଂ ଅଭିଯାନ, ସେମି କଣ୍ଟକ୍ଟର ଅଭିଯାନ, ମିଶନ ଉଦଯାନ ଓ ଡ୍ରୋନ ପ୍ରଯୁକ୍ତି ଇତ୍ୟାଦିର ଉଦାହରଣ ଦେଇଥିଲେ। ସେହିପରି ନୂତନ ଶିକ୍ଷା ନୀତି ବିଜ୍ଞାନ ଓ ବୈଷୟିକ ଜ୍ଞାନ ଶିକ୍ଷା ମାତୃଭାଷାରେ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତକାଳରେ ଭାରତକୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଆଧାରିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ପଡିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବୋନ୍ମେଷ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଅଧିକରୁ ଅଧିକ ବିଜ୍ଞାନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପ୍ରକ୍ରିୟାର ସରଳୀକରଣ ଦ୍ୱାରା ନବୋନ୍ମେଷକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧିକରୁ ଅଧିକ ନବୋନ୍ମେଷ ପରୀକ୍ଷାଗାର ଖୋଲାଯିବା ଆବଶ୍ୟକ। ବିଜ୍ଞାନ, ନବୋନ୍ମେଷ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଧୁନିକ ନୀତି ପ୍ରଣୟନ ନିମନ୍ତେ ସେ ପ୍ରତ୍ୟେକ ରାଜ୍ୟକୁ କହିଥିଲେ। “ସରକାର ହିସାବରେ ଆମକୁ ଆମର ବିଜ୍ଞାନୀମାନଙ୍କ ସହ ଅଧିକରୁ ଅଧିକ ସମନ୍ୱୟ ରଖିବାକୁ ପଡିବ ଓ ଏହା ଦ୍ୱାରା ଏକ ଆଧୁନିକ ବୈଜ୍ଞାନିକତା ସୃଷ୍ଟି ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ରାଜ୍ୟଗୁଡିକ ଅନେକ ଜାତୀୟସ୍ତରୀୟ ବିଜ୍ଞାନ ଅନୁଷ୍ଠାନ ଏବଂ ଜାତୀୟ ପରୀକ୍ଷାଗାର ଗୁଡିକର ସାହାଯ୍ୟ, ସହଯୋଗ ଓ ବିଶେଷଜ୍ଞତାର ଉପଯୋଗ କରିପାରିବେ। ଆମକୁ ବାହାର ରାଜ୍ୟର ବିଜ୍ଞାନ ସମ୍ପର୍କିତ ଅନୁଷ୍ଠାନ ଗୁଡିକରୁ ବିଶେଷଜ୍ଞତା ଓ ଏହାର ସମ୍ପୂର୍ଣ୍ଣ ଉପଯୋଗ ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ତୃଣମୂଳ ସ୍ତରରେ ବିଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ମଧ୍ୟ ରାଜ୍ୟର ବିଜ୍ଞାନମନ୍ତ୍ରୀମାନଙ୍କୁ ବିଜ୍ଞାନ ପାଠ୍ୟକ୍ରମର ବିଭିନ୍ନ ବିଷୟରେ ଧ୍ୟାନ ଦେବାଲାଗି ପରାମର୍ଶ ଦେଇଥିଲେ।

ଉଦଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ରାଜ୍ୟ କେନ୍ଦ୍ର ବିଜ୍ଞାନ ବୈଠକରେ ଦେଶରେ ବିଜ୍ଞାନ ପ୍ରଗତି ଦିଗରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ମଧ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନରୁ ଯେପରି କୌଣସି ସୁଯୋଗ ବାଦ ନପଡେ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ୨୫ ବର୍ଷ ଭାରତ ପାଇଁ ଖୁବ ଉପଯୋଗୀ ବର୍ଷ ଓ ଏହା ଭାରତକୁ ଏକ ନୂତନ ଶକ୍ତି ଓ ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶ ଗ୍ରହଣକାରୀମାନଙ୍କୁ ବୈଠକରୁ ଶିକ୍ଷାଲାଭ କରି ତାର ନିର୍ଯ୍ୟାସ ନିଜ ରାଜ୍ୟକୁ ଦେଇ ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶରେ ନବୋନ୍ମେଷ ଓ ବୈଦ୍ୟୋଶିକତାର ବିକାଶର ନିମନ୍ତେ ପ୍ରଧାନମନ୍ତ୍ରୀ ଅକ୍ଳାନ୍ତ ଉଦ୍ୟମ ଜାରୀ ରଖିଥିବାବେଳେ, ପ୍ରଥମ ଥର ପାଇଁ ଆୟୋଜିତ ଏଭଳି ବୈଠକ ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ବୃଦ୍ଧି କରିବ। ସଂଘୀୟ ସଦଭାବନା ଉତ୍ସାହର ସହ ଏହା ଦେଶରେ ଏକ ମଜଭୂତ ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷର ବାତାବରଣ ସୃଷ୍ଟିରେ ସହାୟକ ହେବ।

ଏହି ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୧୦-୧୧ ଦୁଇ ଦିନ ଧରି ଅହମ୍ମଦାବାଦର ସାଇନ୍ସ ସିଟିରେ ଆୟୋଜିତ ହେଉଛି। ଏହା ବିଭିନ୍ନ ବିଷୟରେ ଯଥା ଏସଟିଆଇ ଭିଜନ ୨୦୪୭, ଭବିଷ୍ୟତ ଅଭିବୃଦ୍ଧି ରାସ୍ତା ଓ ରାଜ୍ୟରେ ଏସଟିଆଇ ଦୂରଦୃଷ୍ଟି, ସ୍ୱାସ୍ଥ୍ୟ-ଡିଜିଟାଲ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ, ୨୦୩୦ ସୁଦ୍ଧା ଗବେଷଣା ଓ ପରିପାଟୀ କ୍ଷେତ୍ରରେ ବିନିଯୋଗ ଦୁଇଗୁଣ କରିବା, କୃଷି-ଚାଷୀମାନଙ୍କ ଆୟରେ ଉନ୍ନତି ନିମନ୍ତେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଜଳ- ପରିବହନକ୍ଷମ ପାନୀୟ ଜଳ ଦିଗରେ ନବୋନ୍ମେଷ-ଶକ୍ତି-ସ୍ୱଚ୍ଛ ଇନ୍ଧନ ଓ ଏସଏଣ୍ଡଟି ଭୂମିକା ହାଇଡ୍ରୋଜେନ ମିଶନ, ଗଭୀର ସମୁଦ୍ର ଅଭିଯାନ ଓ ଦେଶର ଭବିଷ୍ୟତ ଅର୍ଥନୀତିରେ ଏହାର ପ୍ରଭାବ ନେଇ ଆଲୋଚନା ହେବ।

ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିଳ୍ପଦ୍ୟୋଗୀ, ଉଦ୍ୟୋଗପତି, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ହେବ ବିକଶିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

ପ୍ରଭାବ :

  1. ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ ।
  2. ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ ।
  • III. ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍‌ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ । ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ଦୂରସଞ୍ଚାର କେବୁଲ, ସିୱେଜ ପରିଚାଳନା, ନାଳ ତିଆରି, ଅପ୍ଟିକାଲ ଫାଇବର କେବଲ, ପାଇପଲାଇନ, ସଡ଼କ, ଫ୍ଲାଇଓଭର, ବସ ଟର୍ମିନାଲ, ଆଞ୍ଚଳିକ ରେଳ ପରିବହନ, ସହରାଞ୍ଚଳ ପରିବହନ ଭଳି ଜନଉପଯୋଗିତାକୁ ସମନ୍ବିତ ଢଙ୍ଗରେ ବିକଶିତ କରିବାରେ ସହାୟତା ମିଳିପାରିବ ।
  1. ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆର୍ଥିକ ପରିଣାମ:

  • ଏହାର କୌଣସି ଅତିରିକ୍ତ ଖର୍ଚ୍ଚ ହେବ ନାହିଁ । ଜମି ଲିଜ୍‌ରେ ଦେବାର ନୀତିକୁ କୋହଳ କରିବା ଫଳରେ ସବୁ ଅଂଶୀଦାର/ସେବା ପ୍ରଦାନକାରୀ/ଅପରେଟରଙ୍କ ପାଇଁ ଅଧିକ କାର୍ଗୋ ସମ୍ବନ୍ଧୀୟ ସୁବିଧା ପ୍ରତିଷ୍ଠା କରିବାର ମାର୍ଗ ପ୍ରଶସ୍ତ ହେବ । ରେଳବାଇ ପାଇଁ ଅତିରିକ୍ତ କାର୍ଗୋ ଯାତାୟାତ ଏବଂ ମାଲ ପରିବହନ ରାଜସ୍ବ ସୃଷ୍ଟି ହେବ ।

ଲାଭ :

  1. ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିବରଣୀ:

  1. ରେଳବାଇର ଏହି ସଂଶୋଧିତ ଜମି ନୀତି ଫଳରେ ମୌଳିକ ଭିତ୍ତିଭୂମି ଏବଂ ଅଧିକ କାର୍ଗୋ ଟର୍ମିନାଲଗୁଡ଼ିକର ଏକୀକୃତ ବିକାଶ ସମ୍ଭବ ହୋଇପାରିବ ।
  2. ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ୩୫ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କାର୍ଗୋ ସମ୍ବନ୍ଧୀୟ ଗତିବିଧି ଲାଗି ରେଳବାଇ ଜମିକୁ ଦୀର୍ଘ ଅବଧି ପାଇଁ ଲିଜରେ ପ୍ରଦାନ କରାଯିବ ।
  • III. କାର୍ଗୋ ଟର୍ମିନାଲ ପାଇଁ ରେଳବାଇର ଜମି ଉପଯୋଗ କରୁଥିବା ବର୍ତ୍ତମାନର ସଂସ୍ଥାମାନଙ୍କ ପାଖରେ ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନୂଆ ନୀତିର ବ୍ୟବସ୍ଥାକୁ ଆପଣାଇବାର ବିକଳ୍ପ ଉପଲବ୍ଧ ହେବ ।
  1. ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ ଏବଂ ପାଖାପାଖି ୧.୨ ଲକ୍ଷ ରୋଜଗାର ସୃଷ୍ଟି ହେବ ।
  2. ଏହାଦ୍ବାରା ମାଲ ପରିବହନରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଦେଶରେ ମୋଟ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ ।
  3. ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ରେଳବାଇ ଜମି ଯୋଗାଇ ଦିଆଯାଇ ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ସିୱେଜ ପରିଚାଳନା, ସହରୀ ପରିବହନ ଭଳି ଜନ ସୁବିଧା ପାଇଁ ଏକୀକୃତ ବିକାଶ କରାଯାଇପାରିବ । ଏହା ମାଧ୍ୟମରେ ରେଳବାଇର ଜମି ଉପଯୋଗ ଏବଂ ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ) ଆହୁରି ସରଳ ହୋଇପାରିବ ।
  4. ଅପ୍ଟିକାଲ ଫାଇବର କେବଲ (ଓଏଫସି) ଏବଂ ଅନ୍ୟ ଛୋଟ କ୍ଷେତ୍ରଫଳ ବିଶିଷ୍ଟ ଜମି ଉପଯୋଗିତା ଲାଗି ରେଳବାଇ ଟ୍ରାକ ପାର କରିବା ଲାଗି ୧୦୦୦ ଟଙ୍କାର ଏକକାଳୀନ ଶୁଳ୍କ ନିଆଯିବ ।
  5. ଏହି ନୀତିରେ ରେଳବାଇ ଜମିରେ ସୋଲାର ପ୍ଲାଣ୍ଟ ବିଛାଇବା ପାଇଁ ନାମମାତ୍ର ଖର୍ଚ୍ଚରେ ରେଳବାଇର ଜମି ବ୍ୟବହାର କରିବାର ବ୍ୟବସ୍ଥା ରହିଛି ।
  • IX. ଏହି ନୀତିରେ ପ୍ରତି ଏକ ବର୍ଗମିଟର ପିଛା ବାର୍ଷିକ ୧ ଟଙ୍କାର ଶୁଳ୍କରେ ରେଳବାଇ ଜମିରେ ସାମାଜିକ ମୌଳିକ ଭିତ୍ତିଭୂମି (ଯେପିରକି ପିପିପି ଜରିଆରେ ଡାକ୍ତରଖାନା ଏବଂ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଜରିଆରେ ବିଦ୍ୟାଳୟ)ବିକାଶକୁ ପ୍ରୋତ୍ସାହିତ କରାଯାଇଛି ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

  • କ୍ୟାବିନେଟ ମଞ୍ଜୁରିର ୯୦ ଦିନ ମଧ୍ୟରେ ବ୍ୟାପକ ନୀତିଗତ ଦସ୍ତାବିଜ ପ୍ରସ୍ତୁତ ଓ ଲାଗୁ କରାଯିବ।
  • ପିଏମ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଥିବା ଜନ ଉପଯୋଗିତାର ପ୍ରତିଷ୍ଠା ନିମନ୍ତେ ମଞ୍ଜୁରି ସରଳ କରାଯିବ ।
  • ଆସନ୍ତା ପାଞ୍ଚ ମଧ୍ୟ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।
Categories
ବିଶେଷ ଖବର

ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା– ପିଏମ ଶ୍ରୀକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ। ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ।

ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ୨୭୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି। ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ।

ପ୍ରମୁଖ ବୈଶିଷ୍ଟ୍ୟ

ପିଏମଶ୍ରୀ ବିଦ୍ୟାଳୟ ପରିସରରେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଏବଂ ଆନନ୍ଦର ପରିବେଶ ମଧ୍ୟରେ ଉନ୍ନତ ମାନର ଶିକ୍ଷାଦାନ କରାଯିବ। ଏଥିରେ ବିଭିନ୍ନ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦିଆଯିବା ସହିତ ସେମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସେମାନଙ୍କର ନିଜସ୍ବ ଅଧ୍ୟୟନ ପ୍ରକ୍ରିୟାରେ ସକ୍ରିୟ ସହଭାଗୀ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ପ୍ରଶିକ୍ଷଣ ପ୍ରଦାନ କରିବା ମାଧ୍ୟମରେ ନିଜ ଅଞ୍ଚଳର ଅନ୍ୟ ବିଦ୍ୟାଳୟମାନଙ୍କୁ ଏକ ନେତୃତ୍ବ ପ୍ରଦାନ କରିବେ।

ସବୁଜ ବିଦ୍ୟାଳୟ ଭାବେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକୁ ବିକଶିତ କରାଯିବ। ଏଥିରେ ପରିବେଶ ଅନୁକୂଳ ପଦକ୍ଷେପ ନିଆଯିବ। ଏଠାରେ ସୌର ପ୍ୟାନେଲ ଓ ଏଲଇଡି ଲାଇଟ ସଂଯୋଗ, ପ୍ରାକୃତିକ କୃଷି ସହିତ ପୋଷଣ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକମୁକ୍ତ କ୍ଷେତ୍ର, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ ସୁରକ୍ଷା ପାଇଁ ପରମ୍ପରା/ରୀତିନୀତି ଆଧାରିତ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ହାକାଥନ ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି ଆଦି ଉପରେ ଗୁରୁତ୍ବ ଦିଆଯିବ।

ଏଠାରେ ଗ୍ରହଣ କରାଯିବାକୁ ଥିବା ଶିକ୍ଷାଦାନ ବ୍ୟବସ୍ଥା ଅଧିକ ପରୀକ୍ଷାମୂଳକ, ସାମଗ୍ରିକ, ସମନ୍ବିତ, ଖେଳ/ଖେଳନା ଆଧାରିତ (ନିର୍ଦ୍ଦିଷ୍ଟ ଭାବେ ପ୍ରାଥମିକ ବର୍ଷଗୁଡ଼ିକରେ), ଅନୁସନ୍ଧାନ ଆଧାରିତ, ଆବିଷ୍କାର ଅଧାରିତ, ଛାତ୍ରକୈନ୍ଦ୍ରିକ, ଆଲୋଚନା ଆଧାରିତ, ନମନୀୟ ଏବଂ ଉପଭୋଗ୍ୟ ହେବ।

ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ଉପରେ ଗୁରୁତ୍ବ ଦିଆଯିବ। ବିଷୟକୁ ଭଲ ଭାବେ ବୁଝିବା ଲାଗି ସବୁ ସ୍ତରରେ ଆକଳନ କରାଯିବ। ଏଥିରେ ବାସ୍ତବ ଜୀବନ ପରିସ୍ଥିତିରେ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଶିକ୍ଷାଦାନ ପ୍ରତିଯୋଗିତାମୂଳକ ହେବ।

ଉପଲବ୍ଧ ସମ୍ବଳର ଆକଳନ କରାଯିବ ଏବଂ ଉପଲବ୍ଧତା, ପର୍ଯ୍ୟାପ୍ତତା, ଉପଯୁକ୍ତତା, ପ୍ରୟୋଗ ଆଧାରରେ ଏଗୁଡ଼ିକର ସବୁ ଦିଗରୁ ବିଶ୍ଳେଷଣ କରାଯିବ। ସେମାନଙ୍କର ପ୍ରଦର୍ଶନ ସୂଚକାଙ୍କକୁ ଅନୁଧ୍ୟାନ କରାଯିବ ଏବଂ ବ୍ୟବସ୍ଥିତ ଓ ଯୋଜନାବଦ୍ଧ ଢଙ୍ଗରେ ଅଭାବ ଅସୁବିଧା ସବୁ ଦୂର କରାଯିବ।

ନିଯୁକ୍ତି କ୍ଷମତା ବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ସୁଯୋଗ ଅନ୍ବେଷଣ କରିବା ନିମନ୍ତେ କୌଶଳ ପରିଷଦ ଏବଂ ସ୍ଥାନୀୟ ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ କରାଯିବ।

ପରିଣାମକୁ ମାପିବା ଲାଗି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କକୁ ଦର୍ଶାଉଥିବା ଏକ ବିଦ୍ୟାଳୟ ଗୁଣବତ୍ତା ଆକଳନ ଫ୍ରେମୱର୍କ (ଏସକ୍ୟୁଏଏଫ) ବିକଶିତ କରାଯାଉଛି। ନିୟମିତ ବ୍ୟବଧାନରେ ଏସବୁ ବିଦ୍ୟାଳୟର ଗୁଣବତ୍ତା ଆକଳନ କରାଯିବ ଏବଂ ଏଗୁଡ଼ିକୁ ନିର୍ଦ୍ଦିଷ୍ଟ ମାନକ ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।

ପିଏମ ଶ୍ରୀ ବିଦ୍ୟାଳୟରେ ପ୍ରମୁଖ ଆଦର୍ଶଗତ ହସ୍ତକ୍ଷେପଗୁଡ଼ିକ ହେଉଛି:

ଗୁଣବତ୍ତା ଓ ନବୋନ୍ମେଷ (ଅଧ୍ୟୟନ ବୃଦ୍ଧି କାର୍ଯ୍ୟକ୍ରମ, ସାମଗ୍ରିକ ପ୍ରୋଗ୍ରେସ କାର୍ଡ, ଅଭିନବ ଶିକ୍ଷାଦାନ, ବ୍ୟାଗମୁକ୍ତ ଦିନ, ସ୍ଥାନୀୟ କଳାକାରଙ୍କ ସହିତ ଇଣ୍ଟର୍ଣ୍ଣସିପ ବା ପ୍ରଶିକ୍ଷଣ, କ୍ଷମତା ବିକାଶ ଆଦି)

ଶିକ୍ଷା ଅଧିକାର ଆଇନ ଅଧୀନରେ ହିତାଧିକାରୀ ଆଧାରିତ ସୁବିଧା – ୧୦୦% ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକ ବିଜ୍ଞାନ ଓ ଗଣିତ କିଟ୍‌ ପାଇବେ

ବାର୍ଷିକ ବିଦ୍ୟାଳୟ ଅନୁଦାନ (ମିଶ୍ରିତ ବିଦ୍ୟାଳୟ ଅନୁଦାନ, ପାଠାଗାର ଅନୁଦାନ, କ୍ରୀଡ଼ା ଅନୁଦାନ)

ବାଲବାଟିକା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମେତ ପ୍ରାକ୍‌ ଶୈଶବ ଯତ୍ନ ଏବଂ ଶିକ୍ଷାଦାନ।

ଝିଅ ଏବଂ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ନିରାପଦ ଓ ଉପଯୁକ୍ତ ଭିତ୍ତିଭୂମି ବ୍ୟବସ୍ଥା ସହିତ ସମାନତା ଓ ସମାବେଶିତା।

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବିଷୟ ସହିତ ବାଛିବାର ବିକଳ୍ପକୁ ପ୍ରୋତ୍ସାହନ।

ପ୍ରଯୁକ୍ତି ହସ୍ତକ୍ଷେପ ମାଧ୍ୟମରେ ଭାଷାଗତ ବାଧକ ଦୂର କରିବା ସହିତ ମାତୃଭାଷା ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ।

ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା।

୧୦୦% ପିଏମଶ୍ରୀ ବିଦ୍ୟାଳୟକୁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ପ୍ରୟାସ ମାଧ୍ୟମରେ ସୁଦୃଢ଼ କରାଯିବ।

ବର୍ତ୍ତମାନର ଭିତ୍ତିଭୂମି ସୁଦୃଢ଼ କରିବା

ଧନ୍ଦାମୂଳକ ହସ୍ତକ୍ଷେପ ଏବଂ ପ୍ରଶିକ୍ଷଣ ବୃଦ୍ଧି/ ଉଦ୍ୟମିତା ସୁଯୋଗ, ବିଶେଷ କରି ସ୍ଥାନୀୟ ଉଦ୍ୟୋଗ ସହିତ। ବିକାଶମୂଳକ ପ୍ରକଳ୍ପ/ନିକଟସ୍ଥ ଉଦ୍ୟୋଗ ସହିତ କୌଶଳ ବିକାଶ ଆବଶ୍ୟକତା ପୂରଣ କରାଯିବ ଏବଂ ସେହି ଅନୁଯାୟୀ ପାଠ୍ୟକ୍ରମ/ପାଠ୍ୟଖସଡ଼ାକୁ ବିକଶିତ କରାଯିବ।

ସବୁ ଆଧୁନିକ ସୁବିଧାରେ ଏହିସବୁ ବିଦ୍ୟାଳୟକୁ ବିକଶିତ କରିବା ଲାଗି ସେଚୁରେସନ ବା ସମ୍ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରାଯିବ। ବିଜ୍ଞାନାଗାର, ପାଠାଗାର, ଆଇସିଟି ସୁବିଧା ଏବଂ ଦନ୍ଦାମୂଳକ ପ୍ରୟୋଗଶାଳା ଆଦି ସବୁ ବିଦ୍ୟାଳୟରେ ଯୋଗାଇ ଦିଆଯିବ।

ସବୁଜ ବିଦ୍ୟାଳୟ ଯୋଜନା

ଆହୁରି ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ସୁବିଧା ପ୍ରଦାନ ଲାଗି ଏହି ଯୋଜନାକୁ ବର୍ତ୍ତମାନର ଯୋଜନା/ପଞ୍ଚାୟତିରାଜ ସଂସ୍ଥା/ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରାଯାଇଛି।

କାର୍ଯ୍ୟକାରିତା ରଣନୀତି

ପିଏମ ଶ୍ରୀ ବିଦ୍ୟାଳୟକୁ ସମଗ୍ର ଶିକ୍ଷା, କେଭିଏସ ଏବଂ ଏନଭିଏସ ପାଇଁ ଉପଲବ୍ଧ ପ୍ରଶାସନିକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଆଧାରରେ ଅନ୍ୟ ପ୍ରଶାସନିକ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରାଯିବ।

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ବୁଝିବା ଏବଂ ପ୍ରଗତିକୁ ଆକଳନ କରିବା ଲାଗି ଏହି ବିଦ୍ୟାଳୟଗୁଡ଼ିକୁ ନିଖୁଣ ଭାବେ ଅନୁଧ୍ୟାନ କରାଯିବ।

ଚୟନ ପଦ୍ଧତି:

ଏକ ଚାଲେଞ୍ଜ ମୋଡ୍‌ ବା ପ୍ରତିଯୋଗିତାମୂଳକ ପଦ୍ଧତିରେ ପିଏମଶ୍ରୀ ବିଦ୍ୟାଳୟର ଚୟନ କରାଯିବ ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ହେବାକୁ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ପରସ୍ପରର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଅନଲାଇନ ପୋର୍ଟାଲରେ ବିଦ୍ୟାଳୟମାନେ ନିଜ ଆଡ଼ୁ ଆବେଦନ କରିବେ। ଯୋଜନାର ପ୍ରଥମ ଦୁଇ ବର୍ଷ ପାଇଁ ଏହି ପୋର୍ଟାଲକୁ ବର୍ଷକୁ ଚାରିଥର ପ୍ରତି ତ୍ରୈମାସରେ ଖୋଲାଯିବ।

ଏହି ଯୋଜନାରେ ଚୟନ ପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ସରକାର / ସ୍ଥାନୀୟ ସ୍ବାୟତ୍ତ ପ୍ରଶାସନ ଦ୍ବାରା ପରିଚାଳିତ ୟୁଡିଆଇଏସଇ+ କୋଡ୍‌ ଥିବା ପ୍ରାଥମିକ ବିଦ୍ୟାଳୟ (୧-୫/୧-୮ଶ୍ରେଣୀ) ଏବଂ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ (୧-୧୦/୧-୧୨/୬-୧୦/୬-୧୨ ଶ୍ରେଣୀ) ବିଦ୍ୟାଳୟଗୁଡ଼ିକୁ ବିଚାର କରାଯିବ।

ପର୍ଯ୍ୟାୟ-୧: ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନେ ସମ୍ପୂର୍ଣ୍ଣ ଭାବେ ଏନଇପି କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇ ଏକ ବୁଝାମଣାପତ୍ର କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷର କରିବେ। ଏହାପରେ ପିଏମଶ୍ରୀ ବିଦ୍ୟାଳୟ ଭାବେ ଏସବୁ ବିଦ୍ୟାଳୟକୁ ସହାୟତା କରିବା ସହ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବେ।

ପର୍ଯ୍ୟାୟ -୨: ଏହି ପର୍ଯ୍ୟାୟରେ, ପିଏମ ଶ୍ରୀ ବିଦ୍ୟାଳୟ ପାଇଁ ଯୋଗ୍ୟ ହୋଇଥିବା କେତେଗୁଡ଼ିକ ବିଦ୍ୟାଳୟର ଏକ ପୁଲ୍‌କୁ ଚୟନ କରାଯିବ। ୟୁଡିଆଇଏସଇ+ ଡେଟା ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମାପଦଣ୍ଡକୁ ବିଚାର କରି ଏମାନଙ୍କୁ ବଛାଯିବ।

ପର୍ଯ୍ୟାୟ-୩: ଏହି ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ମାପଦଣ୍ଡ ପୂରଣ କରିବା ଲାଗି ଏକ ଚାଲେଞ୍ଜ ପଦ୍ଧତି ଉପରେ ଆଧାରିତ। ଉପରୋକ୍ତ ଯୋଗ୍ୟତା ପୁଲରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ଚାଲେଞ୍ଜର ସର୍ତ୍ତକୁ ପୂରଣ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ। ଭୌତିକ ନିରୀକ୍ଷଣ ମାଧ୍ୟମରେ ରାଜ୍ୟ/କେଭିଏସ/ଜେଏନଭି ଦ୍ବାରା ସର୍ତ୍ତ ପୂରଣର ପ୍ରମାଣପତ୍ର ଏସବୁ ବିଦ୍ୟାଳୟକୁ ମିଳିବ।

ବିଦ୍ୟାଳୟମାନଙ୍କ ଦ୍ବାରା ଦାବିକୁ ରାଜ୍ୟ/କେଭିଏସ/ଜେଏନଭି ଯାଞ୍ଚ କରିବେ ଏବଂ ବିଦ୍ୟାଳୟର ତାଲିକା ସୁପାରିସ କରିବେ।

ସାରା ଭାରତରେ ମୋଟ୍‌ ବିଦ୍ୟାଳୟର ସର୍ବାଧିକ ସୀମାକୁ ବିଚାର କରି ପ୍ରତି ବ୍ଲକ/ସହରାଞ୍ଚଳରେ ସର୍ବାଧିକ ଦୁଇଟି ବିଦ୍ୟାଳୟ (ଗୋଟିଏ ପ୍ରାଥମିକ ଏବଂ ଆଉ ଏକ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ) ବିଦ୍ୟାଳୟକୁ ଚୟନ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟର ଚୟନ ଏବଂ ଅନୁଧ୍ୟାନ ପାଇଁ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକର ଜିଓଟ୍ୟାଗିଂ କରାଯିବ। ଜିଓ-ଟ୍ୟାଗିଂ ଏବଂ ଅନ୍ୟା ତତସଂକ୍ରାନ୍ତ କାର୍ଯ୍ୟ ପାଇଁ ଭାସ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍‌ (ବିଆଇଏସଏଜି-ଏନ)ର ସାହାଯ୍ୟ ନିଆଯିବ। ବିଦ୍ୟାଳୟର ଅନ୍ତିମ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟର ଗୁଣବତ୍ତା ସୁନିଶ୍ଚିତତା

ଏନଇପି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ

ନାମଲେଖା ଏବଂ ଅଧ୍ୟୟନ ପ୍ରଗତିକୁ ଟ୍ରାକିଂ କରିବା ଲାଗି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରୀ

ରାଜ୍ୟ ଓ ଜାତୀୟ ହାରାହାରୀ ଠାରୁ ଅଧିକ ସ୍ତରର ପରିଣାମ ହାସଲ କରିବା ଲାଗି ପ୍ରତ୍ୟେକ ଶିଶୁର ଅଧ୍ୟୟନ ପରିଣାମରେ ସୁଧାର

ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ଶିଶୁଙ୍କୁ ଆଧୁନିକ ଏବଂ ଏକବିଂଶ ଶତାବ୍ଦୀର ଶିକ୍ଷାଦାନ/ପ୍ରଶିକ୍ଷଣ ଦିଆଯିବ।

ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ପିଲା ଅତିକମରେ ଗୋଟିଏ କୌଶଳ ଶିଖି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବେ।

ପ୍ରତ୍ୟେକ ପିଲା ପାଇଁ କ୍ରୀଡ଼ା, କଳା, ଆଇସିଟି

ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରଶିକ୍ଷଣ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାନ ସହ ଯୋଡ଼ାଯିବ/ସଂଯୋଗ କରାଯିବ

ପ୍ରତ୍ୟେକ ପିଲାକୁ ମାନସିକ ବିକାଶ ଏବଂ କ୍ୟାରିଅର ପରାମର୍ଶ ଦିଆଯିବ

ଛାତ୍ରଛାତ୍ରୀଙ୍କୁ ଭାରତୀୟ ଜ୍ଞାନ ଓ ଐତିହ୍ୟ ସମ୍ପର୍କରେ ଶିକ୍ଷା ଦିଆଯିବ। ସେମାନେ ଭାରତର ସଭ୍ୟତାଗତ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଗର୍ବ କରିବେ। ବିଶ୍ବ ପ୍ରତି ଭାରତର ଯୋଗଦାନ ବିଷୟରେ ସଚେତନ ହେବେ, ସମାଜ, ଜୀବିତ ପ୍ରାଣୀ ଏବଂ ପ୍ରକୃତି ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ ପ୍ରତି ସକ୍ରିୟ ହେବେ, ଭାରତୀୟ ଭାଷାରେ କଥାବାର୍ତ୍ତା ପାଇଁ ଦକ୍ଷ ହୋଇପାରିବେ। ସମାବେଶିତା, ସମାନତା ଏବଂ ବିବିଧତାରେ ଏକତାକୁ ସମ୍ମାନ ଦେବେ। ସେମାନଙ୍କ ମଧ୍ୟରେ ସେବାର ଏକ ଭାବନା ସୃଷ୍ଟି ହେବ ଏବଂ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ଆଗେଇ ନେବ।

ଚରିତ୍ର ବିକାଶ, ନାଗରିକ ଆଦର୍ଶ, ମୌଳିକ କର୍ତ୍ତବ୍ୟ ଏବଂ ରାଷ୍ଟ୍ରନିର୍ମାଣ ପ୍ରତି ରହିଥିବା ଉତ୍ତରଦାୟିତ୍ବ ବିଷୟରେ ସେମାନେ ସଚେତନ ହେବେ।

ଏସବୁ ବିଦ୍ୟାଳୟକୁ ଉଜ୍ଜ୍ବଳ ବିଦ୍ୟାଳୟ ଭାବେ ବିକଶିତ କରାଯିବ ଏବଂ ଛାତ୍ରଚାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦିଆଯିବ।

ହିତାଧିକାରୀ

ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି। ପିଏମ ଶ୍ରୀ ବିଦ୍ୟାଳୟ କ୍ଷେତ୍ରରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ପ୍ରଶିକ୍ଷଣ ଏବଂ ପରିଚାଳନା ଦ୍ବାରା ଏହାର ଅଧିକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜଣେ ଅଭିଜ୍ଞ ନେତା ଭାବରେ କର୍ଣ୍ଣାଟକର ବିକାଶ ପାଇଁ ଶ୍ରୀ ଉମେଶ କଟ୍ଟିଙ୍କ ଯୋଗଦାନ ବେଶ ମହତ୍ତ୍ୱପୂର୍ଣ୍ଣ। ତାଙ୍କ ବିୟୋଗରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ପରିଜନଙ୍କୁ ସମବେଦନା ଜଣାଉଛି। “ଓମ ଶାନ୍ତି”।

Categories
ଆଜିର ଖବର ଜାତୀୟ ଖବର

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ମଧ୍ୟ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ @trusslizଙ୍କୁ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱରେ ଭାରତ- ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀ ଆହୁରି ସୁଦୃଢ ହେବ। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ଆପଣଙ୍କୁ ଶୁଭେଚ୍ଛା।”

Categories
ବିଶେଷ ଖବର

ପିଏମ-ଶ୍ରୀ ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ।

ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ। ଶ୍ରୀ ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପିଏମ-ଶ୍ରୀ ବିଦ୍ୟାଳୟ ଲାଭାନ୍ବିତ କରିବ।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି,

‘‘ଆଜି ଜାତୀୟ ଶିକ୍ଷା ଦିବସ ଅବସରରେ ସାରା ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନତିକରଣ ଲାଗି ଏକ ନୂଆ ଯୋଜନା – ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା (ପିଏମ-ଶ୍ରୀ) ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ। ଏସବୁ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବା ସହିତ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ସହାୟକ ହେବେ।’’

‘‘ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ। ଆବିଷ୍କାର ଆଧାରିତ, ଅଧ୍ୟୟନ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯିବ। ପ୍ରଯୁକ୍ତି, ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡ଼ା ଏବଂ ଆହୁରି ଅନ୍ୟାନ୍ୟ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯିବ।’’

‘‘ଜାତୀୟ ଶିକ୍ଷା ନୀତି ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷା ନୀତି ଅନୁରୂପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭାନ୍ବିତ କରିବ ବୋଲି ମୁଁ ନିଶ୍ଚିତ।’’