Categories
ଆଞ୍ଚଳିକ

ଟୁଇଟରରେ ଅଭିଯୋଗ ପରେ ବାଣପୁର ବିଡ଼ିଓଙ୍କ ତ୍ୱରିତ ପଦକ୍ଷେପ, ମରାମତି ହେଲା ନଳକୂପ ପ୍ଲାଟଫର୍ମ

ସୀତାରାମ ଅଗ୍ରୱାଲ

ବାଣପୁର: ଗ୍ରୀଷ୍ମ ଦିନରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ନିର୍ମାଣ କରାଯାଇଥିବା ନଳକୂପ ଗୁଡିକ ଯେପରି ଖରାଦିନେ କାର୍ଯ୍ୟକ୍ଷମ ରହିବ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହା ମରାମତି ନ ହେବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଜନ ସାଧାରଣ କୌଣସି ଅସୁବିଧାକୁ ସ୍ଥାନୀୟ ପ୍ରଶାସନକୁ ନ ଜଣାଇ ସିଧା ସଳଖ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରୁଥିବା ନଜରକୁ ଆସୁଛି।

ଖବରରୁ ଜଣାଯାଇଛି ବାଣପୁର ବ୍ଲକ ଅଧିନସ୍ଥ ବିଷ୍ଣୁଡିହ ଗ୍ରାମପଞ୍ଚାୟତର ଏକ ନଳକୂପ କାର୍ଯ୍ୟକ୍ଷମନଥିବା ଜନୈକ ବ୍ୟକ୍ତି ଟୁଇଟର ମାଧ୍ୟମରେ ସମ୍ପୃକ୍ତ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ପାନୀୟ ଜଳ ବିଭାଗ ଯନ୍ତ୍ରୀଙ୍କୁ ଏହାର ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ ଏବଂ କ୍ଷେତ୍ର ପରିଦର୍ଶନ କରିଥିଲେ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ ସମ୍ପୃକ୍ତ ନଳକୂପ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ଏହାର ପ୍ଲାଟଫର୍ମ ନଷ୍ଟ ହୋଇଯାଇଛି। ତତକ୍ଷଣାତ ଉକ୍ତ ନଳକୂପର ପ୍ଲାଟଫର୍ମ ନିର୍ମାଣ ହୋଇଯାଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ଜଣାଇବା ସହ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ପ୍ରତି ପଞ୍ଚାୟତରେ ଏକ ଅଭିଯୋଗ ରେଜିଷ୍ଟର ରଖିବାକୁ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି। ପଞ୍ଜିକୃତ ହୋଇଥିବା ଅଭିଯୋଗକୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯଥାଶୀଘ୍ର ବ୍ଲକ ପ୍ରଶାସନକୁ ଅବଗତ କରି ତାହାର ତ୍ୱରିତ ସମାଧାନ କରିବାକୁ କଡା ନିର୍ଦେଶ ଦେଇଛନ୍ତି ବିଡ଼ିଓ।