Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜିନ୍ସ ପିନ୍ଧିବା ହେଲା କାଳ: ୧୭ ବର୍ଷର ଝିଅକୁ ପିଟିପିଟି ହତ୍ୟା କଲେ ସମ୍ପର୍କୀୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଜିନ୍ସ ପିନ୍ଧିବାରୁ ଜଣେ ୧୭ ବର୍ଷର ନାବାଳିକାକୁ ପିଟିପିଟି ହତ୍ୟା କରାଯାଇଛି। ଅଭିଯୋଗ ହୋଇଛି ଯେ ଝିଅର ଜେଜେବାପା ତାଙ୍କୁ ଜିନ୍ସ ବଦଳାଇବାକୁ କହିଥିଲେ କିନ୍ତୁ ଝିଅ ଏଥିରେ ରାଜି ହୋଇନଥିଲେ। କ୍ରୋଧିତ ଜେଜେବାପା ତାଙ୍କୁ ହତ୍ୟା କରିବାକୁ ପୁଅମାନଙ୍କୁ ଆଦେଶ ଦେଇଥିଲେ। ଫଳରେ ବାପାଙ୍କ ଆଦେଶ ମାନି ତାଙ୍କୁ ହତ୍ୟା କରି ପୁଅମାନେ ନଦୀରେ ଫିଙ୍ଗିଦେଲେ। କିନ୍ତୁ ତାଙ୍କ ମୃତଦେହ ନଦୀରେ ପଡ଼ି ନଥିଲା ଏବଂ ଲୁହା ବ୍ରିଜର ଏକ କୋଣରେ ଅଟକି ଯାଇ ଝୁଲି ରହିଥିଲା। ସକାଳେ ଯାତ୍ରୀମାନେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୭.୩୦ ସମୟରେ ଝିଅଟି ଗାଧୋଇବା ପରେ  ଜିନ୍ସ ପିନ୍ଧିଥିଲା। ଜେଜେବାପା ତାଙ୍କୁ ଦେଖି ବିରକ୍ତ ହୋଇ ତୁରନ୍ତ ପୋଷାକ ବଦଳାଇବାକୁ ତାଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ଝିଅଟି ଜିନ୍ସ ବଦଳାଇବା ପାଇଁ ମନା କରିଦେଇଥିଲା। ଫଳରେ  ଜେଜେବାପା ଏହାକୁ ସହ୍ୟ କରିପାରିନଥିଲେ ଏବଂ ପୁଅମାନଙ୍କୁ ହତ୍ୟା କରିବାକୁ କହିଥିଲେ।

ଝିଅର ମା ଶକୁନ୍ତଳାର ଅଭିଯୋଗ ଅନୁଯାୟୀ, ମୋ ଝିଅକୁ ଠେଙ୍ଗାରେ ସେମାନେ ମନ ଇଚ୍ଛା ମାରିଥିଲେ। ଯେତେବେଳେ ତାହାର ମୃତ୍ୟୁ ହୋଇଥିଲା, ସେତେବେଳେ ସେମାନେ ଗୋଟିଏ ଗାଡିରେ ଲଦି ଡାକ୍ତରଖାନକୁ ଚିକିତ୍ସା ପାଇଁ ନେଉଛନ୍ତି ବୋଲି କହିଥିଲେ। ଗାଡିରେ ବସିବା ମାତ୍ରେ ମୋତେ ସେମାନେ ଗାଡିରୁ ଠେଲି ଦେଇଥିଲେ। ପରେ ସେମାନେ ବ୍ରିଜରେ ଝିଅକୁ ଫିଙ୍ଗି ଦେଇଥିଲେ।

ତେବେ ଝିଅର ବାପା ଲୁଧିଆନାରେ କାମ କରନ୍ତି। ଖବର ପାଇ ସେ ତୁରନ୍ତ ଘରକୁ ଆସିଥିଲେ। ଏହି ଘଟଣାରେ ପୋଲିସ ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।