Categories
ଅପରାଧ ଆଜିର ଖବର

ମାନସ ହତ୍ୟା ଘଟଣାରେ ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାରେ ଲାଗିଛି। ଆଜି ଭଦ୍ରକ ପୋଲିସ ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ ହୋଇଛନ୍ତି। ଏଥିସହିତ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଏ ନେଇ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ସ୍ପଷ୍ଟ କରିଛନ୍ତି।

ପୋଲିସ ଅନୁସାରେ ନିରଂଜନ ସେଠୀ, ମାନସଙ୍କୁ ବାରମ୍ବାର ସେହି ଚିପ୍ ଫେରା ବୋଲି ଫୋନ କରିଥିଲେ। ଏପରକି ସେ ଧମକ ଚମକ ମଧ୍ୟ ଦେଇଥିଲେ। ଶେଷ ମାନସର ହତ୍ୟାକାଣ୍ଡରେ ସେ ସଂପୃକ୍ତ ବୋଲି ପୋଲିସ କହିଛି। ହେଲେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି।

Categories
ଆଜିର ଖବର ମନୋରଂଜନ

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

ଭୁବନେଶ୍ୱର, ‘ପୁଣ୍ୟ ବ୍ରହ୍ଣ’ ଶୀର୍ଷକରେ କବି ନିରଞ୍ଜନ ସେଠୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ “ସୁନା ଠାକୁର” ଲୋକାର୍ପିତ ହୋଇଛି । ଆଜି ମଧ୍ୟ ‘ସ୍ମୃତି ନୀଡ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ପାଂଚୋଟି ଆଧୁନିକ ସଂଗୀତ ଲୋକାର୍ପିତ ହୋଇଛି । ଜହ୍ମକୁ ମାଗୁଛି…ଶଶାଙ୍କ ଶେଖର, ଆକାଶରୁ ଜହ୍ନ….କରୁଣାକର, ପଖାଳ କଂସା…ଲୋପାମୁଦ୍ରା, ଭାବିଛି ମୁଁ ମନେ….ବିବୁ ଦାସ, ଲବଙ୍ଗ ଦ୍ୱୀପ…ଶ୍ରୀଚରଣ ପ୍ରଭୃତି କଣ୍ଠଶିଳ୍ପୀଙ୍କର ସୁଲଳିତ କଣ୍ଠରେ ଗୀତଗୁଡିକ ଅତ୍ୟନ୍ତ ଚମତ୍କାର ଓ ହୃଦୟସ୍ପର୍ଶୀ ହୋଇଛି । ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ପୂର୍ବରୁ ଛଅଟି ଭକ୍ତି ସଂଗୀତର ଲୋକାର୍ପଣ ହୋଇ ସାରିଛି।

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ, ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ କହିଲେ ଯେ, ଅପରୂପ ଶବ୍ଦ ବିନ୍ୟାସରେ ଶ୍ରୀ ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି, ଯାହାକି ଶ୍ରୋତାମାନଙ୍କୁ ନିଶ୍ଚିତ ମୋହାଚ୍ଛନ୍ନ କରିବ । ଓଡିଆ ସଂଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମିରାମ୍ବିକା ଇଭେଣ୍ଟସ୍ ଓ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏଇ ସବୁ ଭକ୍ତି ସଂଗୀତ ଓ ଆଧୁନିକ ସଂଗୀତ ପ୍ରସ୍ତୁତ କରାଯାଇଛି ।