କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

Published: Aug 31, 2021, 12:18 am IST

ଭୁବନେଶ୍ୱର, ‘ପୁଣ୍ୟ ବ୍ରହ୍ଣ’ ଶୀର୍ଷକରେ କବି ନିରଞ୍ଜନ ସେଠୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ “ସୁନା ଠାକୁର” ଲୋକାର୍ପିତ ହୋଇଛି । ଆଜି ମଧ୍ୟ ‘ସ୍ମୃତି ନୀଡ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ପାଂଚୋଟି ଆଧୁନିକ ସଂଗୀତ ଲୋକାର୍ପିତ ହୋଇଛି । ଜହ୍ମକୁ ମାଗୁଛି…ଶଶାଙ୍କ ଶେଖର, ଆକାଶରୁ ଜହ୍ନ….କରୁଣାକର, ପଖାଳ କଂସା…ଲୋପାମୁଦ୍ରା, ଭାବିଛି ମୁଁ ମନେ….ବିବୁ ଦାସ, ଲବଙ୍ଗ ଦ୍ୱୀପ…ଶ୍ରୀଚରଣ ପ୍ରଭୃତି କଣ୍ଠଶିଳ୍ପୀଙ୍କର ସୁଲଳିତ କଣ୍ଠରେ ଗୀତଗୁଡିକ ଅତ୍ୟନ୍ତ ଚମତ୍କାର ଓ ହୃଦୟସ୍ପର୍ଶୀ ହୋଇଛି । ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ପୂର୍ବରୁ ଛଅଟି ଭକ୍ତି ସଂଗୀତର ଲୋକାର୍ପଣ ହୋଇ ସାରିଛି।

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ, ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ କହିଲେ ଯେ, ଅପରୂପ ଶବ୍ଦ ବିନ୍ୟାସରେ ଶ୍ରୀ ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି, ଯାହାକି ଶ୍ରୋତାମାନଙ୍କୁ ନିଶ୍ଚିତ ମୋହାଚ୍ଛନ୍ନ କରିବ । ଓଡିଆ ସଂଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମିରାମ୍ବିକା ଇଭେଣ୍ଟସ୍ ଓ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏଇ ସବୁ ଭକ୍ତି ସଂଗୀତ ଓ ଆଧୁନିକ ସଂଗୀତ ପ୍ରସ୍ତୁତ କରାଯାଇଛି ।

Related posts